ମୋ କଥା ସମୁଦ୍ରର କଥା

 

 

 

 

 

 

 

 

 

 

ମୋ କଥା ସମୁଦ୍ରର କଥା

ଗୁରୁ ମହାନ୍ତି

 

ଦି’ ପଦ

 

ନିଜ ସମ୍ପର୍କରେ ବା ନିଜ ରଚନା ସମ୍ପର୍କରେ ମତ ବ୍ୟକ୍ତ କରିବାଠାରୁ ବଡ଼ ଆତ୍ମପ୍ରବଞ୍ଚନା ଆଉ କିଛି ଅଛି ବୋଲି ମୋର ଧାରଣାକୁ ଆସେ ନାହିଁ । ପୁଣି ମତ ବ୍ୟକ୍ତ କଲାବେଳେ ଅଜ୍ଞତା ବା ଅହଙ୍କାର ପ୍ରକାଶ ପାଇବାର ବହୁ ସମ୍ଭାବନା ରହିଛି । ଅଜ୍ଞତା ପ୍ରକାଶ ଦୁଃଖର କାରଣ ହୁଏତ ହେବ ! ଅହଙ୍କାର ତ ଜୀବନର ପ୍ରଥମ ସୂଚନା ।

 

ଯାହା ମନକୁ ଯେପରି ଧାରଣା ଆସୁ; ପ୍ରଥମରୁ ଗ୍ରହଣ କରିନେଉଛି । ପାଠକ ଓ ସମାଲୋଚକର ଯେଉଁଠାରେ ଘୋର ଅଭାବ, ସେଠାରେ ସୁଚିନ୍ତିତ ମତାମତ ଚାହିଁବା ନିର୍ବୋଧତା । ଯଦି ପ୍ରତି ପାଠକର ମାନସିକ ସ୍ତରକୁ ମୁଁ ଛୁଇଁ ନ ପାରିଛି, ସ୍ରଷ୍ଟାର ଗୌରବ ନ ପାଇବି କାହିଁକି ? ପ୍ରତ୍ୟେକ ସୃଷ୍ଟି, ପ୍ରତି ମଣିଷର ମାନଷିକ ସ୍ତରକୁ ଛୁଇଁବାପାଇଁ ଉଦ୍ଦିଷ୍ଟ ନୁହେଁ ।

 

ବହୁ ଲେଖକଙ୍କ ପରି କବିତାରୁ ମୋ ସୃଷ୍ଟି ଆରମ୍ଭ । ଗଳ୍ପର ଏଇ ପର୍ଯ୍ୟନ୍ତ ପହଞ୍ଚିଛି । ବହୁ ବାଦ ବିସଂବାଦ ଓ ପରୀକ୍ଷା ନିରୀକ୍ଷା ଭିତରେ ଜଡ଼ିତ ରହି ଯେଉଁ ଚରିତ୍ରମାନ ମନକୁ ଛୁଇଁଯାଇଛନ୍ତି, ସେମାନଙ୍କ ସମ୍ପର୍କରେ ମୋ ମନରେ ଯେଉଁ ରେଖାପାତ ହୋଇଛି, ସେଇଗୁଡ଼ିକ ସାଉଁଟି ରଖିଛି ମାତ୍ର । ସାଧାରଣ ଚରିତ୍ର ଭିତରେ ବ୍ୟତିକ୍ରମ ଚରିତ୍ରଗୁଡ଼ିକ ମୋତେ ଅଧିକ ଉତ୍ସାହ ଓ ଆନନ୍ଦ ଦେଇଛନ୍ତି । ସେମାନଙ୍କୁ ଖୋଜି ଖୋଜି ପ୍ରତିମୁହୂର୍ତ୍ତ ମୁଁ ନୟାନ୍ତ ହେଇଛି ।

 

ସୃଷ୍ଟି ନିକଟରେ ସୁନ୍ଦର–ଅସୁନ୍ଦରର ସ୍ୱତନ୍ତ୍ର ସ୍ଥାନ ନାହିଁ । ଜୀବନ ସହିତ ସେହିପରି ଶିଳ୍ପ ଓ ଅଶ୍ଳୀଳର ସମ୍ପର୍କ ଅତ୍ୟନ୍ତ ନିବିଡ଼ ହୋଇଥିବାରୁ ଜଣେ ଜୀବନବାଦୀପାଇଁ ତାର ମଧ୍ୟ ସ୍ୱତନ୍ତ୍ର ସଂଜ୍ଞା ମନକୁ ଛୁଏଁ ନାହିଁ । ସେଥିପାଇଁ ବୋଧେ ଆମେ ଅଧିକ ସ୍ପଷ୍ଟ ହେବାକୁ ଙଞଢ଼ ପ୍ରକାଶ କରି ବହୁଦିନ ପରୀକ୍ଷା ଚଳାଇଥିଲୁ ଓ ସେଥିରେ ପ୍ରକାଶିତ ସମସ୍ତ ଗଳ୍ପ ଏଥିରେ ସଂରକ୍ଷିତ ।

 

ଜନସମୁଦ୍ରର ବହୁ ଚରିତ୍ର ଭିତରୁ ମୁଁ ଅନ୍ୟତମ । ମୋ ସୃଷ୍ଟିର ଅଗଣିତ ବିକ୍ଷତ ଚରିତ୍ରମାନଙ୍କୁ ମୁଁ କି ଭାବରେ ଓ କେତେ ପରିମାଣରେ ଜୀବନ୍ତ କରି ତୋଳିପାରିଛି ଓ ଅନ୍ୟାନ୍ୟ ଚରିତ୍ରମାନଙ୍କୁ ମୋ ଚରିତ୍ର କିପରି ନିୟମିତ କରିଛି, ତାହା ମୋର ପରିଚିତ ପାଠକେ କେବଳ ବୁଝିବେ ।

 

ଝଙ୍କାର, ସମାବେଶ, ଆସନ୍ତାକାଲି, ପୁଷ୍ପଗିରି ଓ ପ୍ରଗତିବାଦୀର ସଂପାଦକ ତଥା ମୋର ନିନ୍ଦୁକଙ୍କ ନିକଟରେ ମୁଁ କୃତଜ୍ଞ ।

 

ମୋର ପ୍ରଥମ ପ୍ରକାଶକ ଶ୍ରୀ ରାଧାଶ୍ୟାମ ମହାନ୍ତି ଏବଂ ଶିଳ୍ପୀ ବନ୍ଧୁ ଉଦୟ ଜେନାଙ୍କ ନିକଟରେ ମୁଁ ଚିର ଋଣୀ ।

 

ବିନୀତ

ଲେଖକ

☆☆☆

 

ସୂଚୀପତ୍ର

 

୧.

ଅଙ୍ଗାର

୨.

ଅନ୍ୟଦିନ

୩.

ସୀତାକାନ୍ତ, ତା’ ପରିଚିତ ସହର ଓ ଶେଷ ବସନ୍ତର କଥା

୪.

ଅରଣ୍ୟରୁ ଅନ୍ୟ ଅରଣ୍ୟକୁ

୫.

ସ୍ୱର କୌଣସି ଆଶଙ୍କାର

୬.

କେତେ ରଙ୍ଗ ସମୟର !

୭.

ଝର୍କା

୮.

ମଧ୍ୟାହ୍ନ

୯.

କିଞ୍ଚିତ୍‌ ଅସଂପୂର୍ଣ୍ଣତା ସମ୍ପର୍କରେ

୧୦.

ବର୍ଷା ଏବଂ ମନସ୍ତାପର ସଂଗୀତ

୧୧.

ସୂର୍ଯ୍ୟସ୍ନାନ

୧୨.

ପରମୁହୂର୍ତ୍ତ

୧୩.

ନିଃସଙ୍ଗ ଅରଣ୍ୟ

୧୪.

ମୁଖା

୧୫.

ବାନର, ବୁଦ୍ଧ ଓ ବାଘାବଲୋକନ

☆☆☆

 

ଅଙ୍ଗାର

 

ମୁଁ ବି ଦିନେ ଚପଳ ଥିଲି । ତୁମରି ପରି ଘୂରି ବୁଲୁଥିଲି ! କୁନି ଝରଣାଟି ପରି କୁଳୁକୁଳୁ ଗୀତ ଗାଇ କିଛିଦିନ ବହି ଯାଇଥିଲି । ଜୀବନ ମୋର ଦୁର୍ବିସହ ହୋଇପଡ଼ିଲା । ସମାନ୍ତରାଳ ଜୀବନ କ’ଣ କେବେ ଭଲଲାଗେ ? ଶାନ୍ତ ତଟିନୀ ଅପେକ୍ଷା ତରଙ୍ଗାୟିତ ଝରଣା ମନରେ ତ ପୁଣି ଛନ୍ଦ ତୋଳେ ।

 

ଅନ୍ଧାର ଭିତରେ ମଣିଷ ହଜେ । ସେ ହଜାଇ ବସି ପୁଣି ଖୋଜି ନିଜକୁ ବାହାର କରିବାକୁ ଭଲପାଏ । ଜୀବନର ଅନୁଭୂତି ଲୋଡ଼ା । ଜୀବନର ଛନ୍ଦପାଇଁ ବିଚ୍ଛନ୍ଦର ଚାହିଦା ବି ଅନେକ । ଭୁଲ୍‍ଟା ଧର୍ମ । ମଣିଷ ନା ? ଅନେକ ଥର ଭୁଲ୍ କରିବାକୁ ସେ ଭଲପାଏ । ତୁମେ ହୁଏତ ପଚାରିବ, ଜାଣିଶୁଣି ଭୁଲ୍ କରିବାକୁ କିଏ କେବେ ପସନ୍ଦ କରେ ? ସମସ୍ତେ ପସନ୍ଦ କରନ୍ତି । ତୁମେ ବାବୁ ପ୍ରେମ କରିଛ ? ଆଘାତ ପାଇନ ? ଓ ହୋଃ, ତୁମେ ବୋଧେ ଆଘାତ ପାଇନ ! ତୁମର ସମାନ୍ତରାଳ ଜୀବନ ବୋଲି ଧରିନେବାକୁ ହେବ । କିନ୍ତୁ ଜୀବନର ଅନ୍ୟାନ ଛୋଟ ଛୋଟ ଘଟଣାରେ ? ସମସ୍ତେ ଭୁଲ୍ କରନ୍ତି ବାବୁ ! ସମସ୍ତେ । ମଣିଷ ନାମଧାରୀ ଯେତେଗୁଡ଼ାକ ଜୀବ ପ୍ରତ୍ୟେକେ ବଦ୍ଧ ପାଗଳ ।

 

ତୁମେ ମୋ ଉପରେ ରାଗିଲ ନିଶ୍ଚୟ ? ମନଦୁଃଖ କଲ ! ପାଗଳାମି କ’ଣ ବାବୁ ସାଧାରଣ ପାରିପାର୍ଶ୍ୱିକ ଅବସ୍ଥାର ବିଚ୍ୟୁତି ନୁହେଁ । କି ? ତେବେ କହିଲ, ପାଇଖାନାରେ ବା ବାଥ୍‍ରୁମ୍‌ରେ ଗୀତ ଗାଇବା କ’ଣ ସଭାରେ ତାଳି ମାରିବା ବା ସମସ୍ତେ ତାଳି ମାରିବା ସମୟରେ ସେଥିରେ ଯୋଗ ନ ଦେବା ? ଜୀବନକୁ ଉପଭୋଗ କରିବା ଆଉ ନ କରିବା, କେଉଁଟା ସତ ? କେଉଁଟା ତେବେ ପାଗଳାମି । ହାତେ ମାପି ଚାଖଣ୍ଡେ ଚାଲିବା ଆଉ ବେପରୁଆ ଜୀବନ ବାହିବାରେ ଯେତିକି ଆନନ୍ଦ ସେତିକି ବିପଦ ନୁହେଁ କି ? ଅନ୍ଧାରରେ ଖେଳିବାକୁ ଭଲଲାଗେ । ଅନ୍ଧାର ପରେ ସକାଳଟାର ସ୍ୱପ୍ନ ସମସ୍ତେ ଦେଖୁଥାନ୍ତି ବୋଲି ତ ? କିନ୍ତୁ ବାବୁ ଜୀବନଟା ଯଦି କେବଳ ସକାଳରେ ସୀମାବଦ୍ଧ ରହିଯାନ୍ତା ! ଜୀବନର ପରିବର୍ତ୍ତନ ଦରକାର । ଜୀବନର ସ୍ତରର ଉନ୍ନତି କରିବା ମଣିଷର ପ୍ରକୃତି ଗତ । ଅନ୍ଧାର ଭିତରେ ବଞ୍ଚି ରହିବାକୁ ଭଲ ଲାଗିଲା ନାହିଁ ବୋଲି ତ ଆଦିମ ମଣିଷ ଆଲୋକ ଚାହିଁଲା । ଗତାନୁଗତିକ ଅବସ୍ଥା ବଦଳାଇବା ମଣିଷ ସଭ୍ୟତାର ପ୍ରଥମ ସୋପାନ । କିନ୍ତୁ ତା ପରେ ??

 

ତୁମେ ମୋତେ ନଷ୍ଟ କୁହ । ହସ । ଉପହାସ କର । ତୁମେ ଫ୍ରଏଡ଼କୁ ଜାଣିଥିବ ? ଅଦ୍ଭୁତ ଜିଦ୍‍ଖୋର ଲୋକଟାଏ ସେ । ବିଭତ୍ସତାର ଆଖି ନେଇ ସୁନ୍ଦର ଦେବ ଶିଶୁକୁ ତ ସେ ପୁଣି ନରକର ଶିଶୁ ଭାବରେ ପରିଚିତ କରାଇଲା !

 

ନଷ୍ଟତା ତେବେ କ‘ଣ ରକ୍ତଗତ ? ନଷ୍ଟତାର ଆରମ୍ଭ କ’ଣ ଜୀବନର ଆରମ୍ଭରୁ ?

 

ହଁ, ମୁଁ କହୁଥିଲି ମୋର ଇତିହାସ । ଆପଣ ଧର୍ଯ୍ୟଧରି ଶୁଣିବେ ତ ! ମୋତେ କ୍ଷମା ଦେବେ ନାହିଁ । ଭୁଲ୍‍ଟାକୁ ସେମିତି ମୋର ଭୁଲ୍ ବୋଲି ଧରିନେବେ କିନ୍ତୁ ଠିକ୍‌ଟା ମୋତେ କହିବେ-। ମୁଁ କହୁଥିଲି ନା ସମାନ୍ତରାଳ ଜୀବନକୁ ମୁଁ ଘୃଣାକରେ ! ମୁଁ ମୋ ଜୀବନର ସର୍ବୋତ୍ତୋ–ଭାବେ ଉନ୍ନତି ଚାହିଁଲି । ମୁଁ ତେଣୁ ମୋତେ ନଷ୍ଟ କଲି । ଜୀବନର ଭଙ୍ଗୁରତାରେ ଜୀବନ ଅଛି ବୋଲି, ସେଇଟା ସବୁଜ ବୋଲି ମୁଁ ଧରିନେଇଥିଲି । ସେଇଟା ମୋର ଅତିମାତ୍ରାରେ ରକ୍ତ ସମ୍ପର୍କ କହିଲେ ଚଳିବ । ଯେପରି ଝରଣା ଆଉ ପୋଖରୀ !

 

ମୁଁ ଯେତେବେଳେ ସମାନ୍ତରାଳ ଜୀବନ ଛାଡ଼ି ବିଛନ୍ଦ ଓ ପତ୍ତନ ଦେଇ ଗତି କଲି, ଉପହାସିତ ହେଲି । ପାଗଳମାନେ ସବୁକଥାରେ ହସନ୍ତି । ମୁଁ ମୋର କାମନାରହିତ ଜୀବନକୁ କାମନାରେ ମୁଖରିତ କଲି । ମୁଁ ତ ଆଉ ବୁଦ୍ଧ ନୁହେଁ ? କେତେଦିନ ପ୍ରେମ କରି ଅନେକ ପ୍ରେମିକାଙ୍କ ଗହଣରେ ଦିନରାତି କଟାଇଲି । ସେଇଟା ମୋ ଯୌବନର କଥା । ସେ ଜୀବନ ବି ମୋତେ ସୁର୍ବିସହ ବୋଧହେଲା ସଂସାର ଜଞ୍ଜାଳରେ ବାନ୍ଧି ହେବାକୁ ମନ ମୋର ଅସ୍ଥିର ହେଲା । ଯେଉଁ ଚଞ୍ଚଳତା, ଯେଉଁ ଉଦ୍‌ବେଗ ନେଇ ଘୂରି ବୁଲୁଥିଲି, ସେସବୁ ଥଣ୍ଡା ପଡ଼ିଆସିଲା । ଉଡ଼ନ୍ତା ଚଢ଼େଇର ଡେଣା ଅବଶ ହେଲା ପରେ ସେ ଗଛର ଡାଳ ଖୋଜେ । ନିଛାଟିଆ ବଣ ଭୂଇଁରେ ଅତୀତକୁ ଟିକିନିଖି କରି ଖେଳାଇବାକୁ ଭଲପାଏ । ତା’ପରେ ଦୁଇଟି ଅବଶ ମନ ଅବଶ ଦେହ ଏକାଠି ହେଲେ ସେମାନେ ଖୁସି ହୁଅନ୍ତି । ନୂତନ ଜୀବନର ମାଦକତା ଅନୁଭବ କରନ୍ତି–ତାର ଭବିଷ୍ୟତ ଅନୁଧ୍ୟାନ କରନ୍ତି !

 

ହଁ ବାବୁ ! ମୁଁ ଭୁଲିଗଲି । ମୁଁ ପ୍ରଥମେ ଜଣେ ସୁନ୍ଦରୀ ତରୁଣୀଙ୍କୁ ଭଲପାଇ ବସିଲି । ସୁନ୍ଦରୀଙ୍କ ଜୀବନରେ ମୋତେ କେବଳ ଭଲପାଇବା ଦୁର୍ବିସହ ବୋଧ ହେଲା ବୋଧେ ! ମୁଁ ଆଘାତ ପାଇଲି । ମୁଁ ବି କିଛିଦିନ ଅସ୍ଥିର ହେଲି । ଆପଣ ଆଶ୍ଚର୍ଯ୍ୟ ନିଶ୍ଚୟ ହେବେ । ଆପଣ ଭାବିବେ ମୁଁ ଭାଙ୍ଗିପଡ଼ିଲି । ମୁଁ ପରା ଜୀବନବାଦୀ । ମୁଁ ଗୋଟିକୁ ଛାଡ଼ି ଏକ ସମୟରେ ଦୁଇଟି ତରୁଣୀଙ୍କ ପ୍ରେମରେ ପଡ଼ିଲି । ଶେଷରେ ସେମାନଙ୍କୁ ଛାଡ଼ି ଅନେକ ପଛକୁ ମୁଁ ପୁଣି ଫେରିଆସିଲି-

 

ମୋର ଏଇ ବସାକୁ ଲାଗି ଅନ୍ୟ ବସାଟାକୁ ଦେଖିଛନ୍ତି ? ଜଣେ ଭଦ୍ରଲୋକର ବସା ନିଶ୍ଚୟ ! ସେ ଜଣେ ବେଶ୍ ସୌଖିନ, ରୁଚିସମ୍ପନ୍ନ ଭଦ୍ରବ୍ୟକ୍ତି । ବେଶ୍‌ ଉଦାର ମଧ୍ୟ ପଡ଼ିଲେ । ସେଇଟା ବି ମୋର ଗୋଟିଏ ବାହାଦୁରି । ପରକୁ ସହଜରେ ଆପଣାର କରିବା ଗୋଟାଏ କଳା । ଅନେକ ସମୟରେ ଅନେକ ବିଷୟ ନେଇ ତାଙ୍କର ମୋର ଯୁକ୍ତି ଚାଲେ । ସେ ମୋତେ ସମ୍ମାନ କରନ୍ତି । ମୋ ପରି ଏକୁଟିଆ ସେ ଅନେକ ଦିନ ରହି ଶେଷରେ ହାରିଗଲେ ବୋଲି ମନ ଦୁଃଖ କରନ୍ତି । ତାଙ୍କ ମତରେ ମୁଁ ଖୁବ୍‌ ସୁଖୀ । ମୁଁ ତାଙ୍କର ଛୋଟ ସଂସାରଟିର କଥା ଶୁଣି ଆତ୍ମବିଭୋର ହୋଇପଡ଼ୁଥିଲି । ତାଙ୍କ ନିକଟରେ ଜୀବନର ସମସ୍ତ କଥା ଅକୁଣ୍ଠିତ ଚିତ୍ତରେ ବ୍ୟକ୍ତ କରୁଥିଲି । ବାସ୍ତବିକ କେଡ଼େ ଉଦାର ସେ ! ସେ ବାସ୍ତବିକ ଜଣେ ମହାନ୍‌ ବ୍ୟକ୍ତି । ମୋର ବିଛନ୍ଦ ଜୀବନରେ ସେ ଓ ତାଙ୍କ ସ୍ତ୍ରୀ ଅନେକ ଛନ୍ଦ ତୋଳୁଥିଲେ । ସେ ସୁନ୍ଦରୀ ନାରୀଟି ବାସ୍ତବିକ ମୋତେ ପାଗଳ କରି ଦେଉଥିଲେ । ପ୍ରତିଦିନ ତାଙ୍କ ସାକ୍ଷାତ ନ ପାଇଲେ ମୁଁ ଧୈର୍ଯ୍ୟ ହରାଉଥିଲି । ଆପଣ ହୁଏତ କହିବେ ମୁଁ ପାପ କଲି । କିନ୍ତୁ ବାବୁ ! ପାପ ନ କଲେ ଧର୍ମର ପଥ ତିଆରି କରି ହୁଏନା । ପାପହିଁ ଧର୍ମର ପଥକୁ ସୁନ୍ଦର, ସୁଗମ କରେ । ମୋ ମତରେ ପାପ ନ କରିବା ହିଁ ବୋକାମି । ପାପରେ ବିଭତ୍ସତା ଥାଇପାରେ, କିନ୍ତୁ ବଞ୍ଚନାର ମତଲବ ନାହିଁ । ଆପଣ ହୁଏତ କହିପାରନ୍ତି ମୁଁ ଦେଶର ପ୍ରଚଳିତ ଆଇନ୍‌ ବିରୁଦ୍ଧରେ ଗଲି ! ମୋତେ ମନେକରନ୍ତୁ ଯେ ମୁଁ ଜଣେ ବିଶିଷ୍ଟ ଆଇନଜ୍ଞ । ପ୍ରତ୍ୟେକ ମଣିଷ ପୁଣି ତ ଦାର୍ଶନିକ ? ତା ଛଡ଼ା ପର ସ୍ତ୍ରୀ ସହିତ ପ୍ରେମ କରିବାରେ ଯଦି ତାର ସ୍ୱାମୀ ଆପଣଙ୍କୁ ସୁଯୋଗ ଦେଲା, କୁହନ୍ତୁ ଦେଖି ମୁଁ ନୀତିରୁ ବିଚ୍ୟୁତ ହେଲି ବା କିପରି ??

 

ହଁ, ମୁଁ ମୋର ବିବାହର କଥା କହୁଥିଲି ନା ! ସେ ବି ଗୋଟିଏ ଘଟଣା । କିନ୍ତୁ ବାବୁ ଆଖିରେ ଲୁହ ରଖି ପାରିବେ ତ ? ମୁଁ କିନ୍ତୁ ଧର୍ଯ୍ୟ ହରାଏ । ମୁଁ କିନ୍ତୁ ତାକୁ ଭାବି ଭାବି ଅନେକ ସମୟରେ ନିଜକୁ ଭୁଲିଯାଏ । ନିଜକୁ ଭୁଲିଯିବାହିଁ ପାଗଳାମି । ମୁଁ ଏଡ଼େ ପାଗଳ ଯେ.......

 

କିନ୍ତୁ କାହିଁକି ମୁଁ ପାଗଳ ହେଲି କେବେ ହେଲି କେହି କେବେ ଭାବିଛି ? କେହି କେବେ ମୋ ଜୀବନର କଥା ପଚାରି ବୁଝିଛି ? ସମସ୍ତଙ୍କ ଆଖିରେ ମୋ ପ୍ରତି ଖାଲି ଘୃଣା–ତାତ୍ସଲ୍ୟ । ମୁଁ ସତେ ଯେପରି ସୃଷ୍ଟିର ଗୋଟାଏ ଅଚିହ୍ନା–ଅଦରକାରୀ ଜୀବ ! ମୋ ଜୀବନର ମୂଲ୍ୟ ସତେ କ’ଣ ଏଇ ଘାସ, ମାଟିଠାରୁ ଆହୁରି ମୂଲ୍ୟହୀନ !

 

ଅତୀତକୁ ଭୁଲିଯିବାକୁ ସମସ୍ତେ ସଂକଳ୍ପ କରନ୍ତି । କିନ୍ତୁ ବାବୁ ! ଅତୀତ, ବର୍ତ୍ତମାନ ବା ଭବିଷ୍ୟତକୁ ଛାଡ଼ିହୁଏ କେବେ ? ବରଂ ଏହି ତିନୋଟିର ଐକ୍ୟ ବା ସମଷ୍ଟି ମଣିଷ । ମୁଁ କ’ଣ ତୁମେଇ କୁହତ ବାବୁ ! ଜୀବନ ସାରା ଏଇ ତିନୋଟି ସହିତ ଖେଳି ଜୀବନ ବିତାଇବାକୁ ମୁଁ ସଂକଳ୍ପ କରିଛି । ମୁଁ କାହାକୁ ଛାଡ଼ି ପାରିବି ନାହିଁ । କାହାକୁ ଛାଡ଼ିଲେ ମୋର ମୃତ୍ୟୁ ହେବ, ମୁଁ ଜାଣେ । ସେଥିପାଇଁ ମୁଁ ରାସ୍ତାରେ ବୁଲେ–ରାସ୍ତାର ଜୀବନ ସଙ୍ଗେ ମୋ ଜୀବନକୁ ରସାଣିତ କରେ । ତା ଜୀବନରେ ମୋ ଜୀବନକୁ ଅନୁପ୍ରାଣିତ କରେ । ମୁଁ କ’ଣ ତେବେ: ତୁମେଇ କୁହତ ବାବୁ ! କୌଣସି ବିଷୟରେ କିଛି ନ ଜାଣି ନ ବୁଝି ସେଥିରେ ମତ ବ୍ୟକ୍ତ କରିବା ବା ତାକୁ ହସେଇ ଉଡ଼େଇ ଦେବାଟା କ’ଣ ?

 

ବହୁଦିନ ପରେ ତା ଆଖିରେ ମୁଁ ଲୁହ ଦେଖିଲି । ମୁଁ ଆଶ୍ଚର୍ଯ୍ୟ ହେଲି । ଭାବିପାରିଲି ନାହିଁ ଜୀବନରେ ସେ ତାର ଏତେଗୁଡ଼ାଏ ଅଭିଜ୍ଞତା ହାସଲ କଲା କିପରି ? ମୁଁ ଯାହାକୁ ବାଟରେ ଗଲାବେଳେ ଦେଖି ହସେ; ଛୋଟ ଛୋଟ ପିଲାମାନେ ଯାହାକୁ ବାଟରେ ଗଲାବେଳେ ପାଗଳ କହି, ଟାହୁଲି କରନ୍ତି, ଦାନ୍ତ ଦେଖାନ୍ତି ଆଉ ପିଲାଳିଆ ବ୍ୟବହାର ପାନ୍ତି, ସମୟ ସମୟରେ ପଥର ଧରି ଗୋଡ଼ାଇବାର ଦେଖି ମୁଁ ଯାହାଠାରୁ ଅନେକ ଦୂରରେ ବାଟଭାଙ୍ଗି ଯିବା ଆସିବା କରେ, ସେଇ ପୋଡ଼ାଜଳା ଜୀବନରେ ସତେ ସ୍ମୃତି ! ଏତେ ଅକ୍ଷତ ଜୀବନ୍ତ ଅନୁଭୂତି ? କୋଟରଗତ ଚକ୍ଷୁର ଦୀପ୍ତିରେ ତାର ମୁଁ ସଙ୍କୁଚିତ ହୋଇଯାଇଥିଲି । ମୁଁ ସତେ କେଡ଼େ କ୍ଷୁଦ୍ର, କେତେ ନ୍ୟୁନ ! ନିତିଦିନର ଦେଖା ସାକ୍ଷାତର ସାଥୀ । ସେ ମୋତେ ଦେଖି ମୁରୁକେଇ ହସେ । ଆଖିରେ ଆଖିଏ କଥା ରଖି ପାଖକୁ ଡାକେ । ମୋତେ ନିଜର ବନ୍ଧୁ ପରି, ଦେଖିଲେ ନମସ୍କାର କରେ । ଆତ୍ମବିସ୍ମୃତ ହୁଏ । ସେ ଯେ କ’ଣ ମୁଁ ସେଠାରେ କେଇଟି ମୁହୂର୍ତ୍ତରେ ହୃଦୟଙ୍ଗମ କରି ସାରିଥିଲି ।

 

ଅର୍ଥହୀନ ଗୋଟିଏ ନିରବଛିନ୍ନ ପଲକହୀନ ଚକ୍ଷୁରେ ସେ ମୋ ମୁହଁରୁ ଅନେକ ଆଶ୍ୱାସନା ପାଉଥିଲା ।

☆☆☆

 

ଅନ୍ୟଦିନ

 

ଏହିପରି ଏକ ଅପ୍ରତ୍ୟାଶିତ ସକାଳରୁ ସୀତାକାନ୍ତ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରି ଭାବରେ ନିଜକୁ ପ୍ରସ୍ତୁତ କରିବା ପଛରେ ତାଙ୍କର କୌଣସି ଯୁକ୍ତି ହୁଏତ ନାହିଁ । ଶ୍ରୀମତୀ ବିଛଣା ଛାଡ଼ିନାହାନ୍ତି ଏବଂ ସମୟଟା ଯେ ପ୍ରକୃତରେ କେତେ ହେଲାଣି ତାହାମଧ୍ୟ ଜାଣିବା ତାଙ୍କ ପକ୍ଷରେ ସମ୍ଭବପର ହୋଇନି । ହାତ ଘଡ଼ିକୁ ଚାହିଁଲେ ଘ ୨-୧୫ ମିନିଟ୍‌ର ସୂଚନା ମିଳୁଛି । ଏପରି ଅବସ୍ଥାରେ ତାଙ୍କ ଘଡ଼ିଟିକୁ ଯେ ଅନେକ ବାର ଲକ୍ଷ୍ୟ କରିଥିଲେ ହେଁ ମରାମତି ସୁବିଧା ପାଇନାହାନ୍ତି । ରେଡ଼ିଓର ଅବସ୍ଥା ମଧ୍ୟ ତଦୃପ । ପଇସା ଖର୍ଚ୍ଚ କରିବାରେ ଇଚ୍ଛା ଏବଂ କ୍ଷମତା ଥିଲେ ମଧ୍ୟ, ବଜାରରେ ସବୁ ଜିନିଷ ମିଳିବାର କ’ଣ ପ୍ରତିଶ୍ରୁତି ଆଜି ଦିଆଯାଇପାରିବ ?

 

ଶ୍ରୀମତୀ ବିଛଣା ନ ଛାଡ଼ିବାର ମଧ୍ୟ ଅନେକ କାରଣମାନଙ୍କର ମଧ୍ୟରୁ ସୀତାକାନ୍ତଙ୍କର ମାତ୍ର ୪ ବର୍ଷର ବିବାହିତ ଜୀବନ ଭିତରେ ସେ ଶ୍ରୀମତୀଙ୍କୁ ତିନୋଟି ସନ୍ତାନ ସନ୍ତତିଙ୍କର ଜନନୀ କରିପାରିଛନ୍ତି, ଗୋଟିଏ । ଏହା ପଛରେ ମଧ୍ୟ ତାଙ୍କର ଯୁକ୍ତି ଥିବାର ଲକ୍ଷ୍ୟ କରାଯାଇ ପାରେ । ସେ ଯୁକ୍ତିଗୁଡ଼ିକ ମଧ୍ୟରୁ ପ୍ରଥମତଃ ସେ ଆଜିର ପ୍ରଚଳିତ ଜନ୍ମ ନିୟନ୍ତ୍ରଣରେ ମୋଟେ ବିଶ୍ୱାସ କରିପାରନ୍ତି ନାହିଁ ଏବଂ ଦ୍ୱିତୀୟରେ ସମାଜବାଦର ଆସ୍ଥା ଓ ବିଶ୍ୱାସ ଭିତରେ ସେ ମୁସ୍‌ଗୁଲ ।

 

ସେ କହନ୍ତି ଆଧୁନିକ ସମାଜରେ ପ୍ରେମ ଓ ରତିକ୍ରିୟାକୁ ନେଇ କିଛିଟା ବେଶ୍‌ ଗବେଷଣା ମଧ୍ୟ କରାଯାଇପାରେ ।

 

ସକାଳୁ ଉଠି, ଦାଢ଼ି କମାଇ ସେ ଦର୍ପଣରେ ନିଜର ମୁଖ ଦେଖିବାରେ ଲାଗିପଡ଼ିଛନ୍ତି ଏବଂ ଏକ ରୋମାଞ୍ଚିତ ମୁହୂର୍ତ୍ତର ସ୍ୱପ୍ନରେ ବିଭୋର ହୋଇପଡ଼ିଛନ୍ତି । ଏହାପରେ ତାଙ୍କର ନିତ୍ୟନୈମିତିକ ଅଭ୍ୟାସ ତାଙ୍କୁ ଗ୍ରାସ କରିବ ଏବଂ ସେ ଓଠରେ ଓ କାନରେ ଦୁଇଟା ବିଡ଼ି ଯାକି, ଦୀର୍ଘ ସମୟ ପାଇଖାନାରେ ବସି କବିତା, ଗପ ଉପନ୍ୟାସର ବିଷୟବସ୍ତୁ ମନେପକାଇବେ ଏବଂ ସେଠାରୁ ଉଠି ସ୍ନାନ ସାରି କେତୋଟି ରୁଟିନ୍‌ ବନ୍ଧା କାମକୁ ଅକ୍ଳେଶରେ ସମାପ୍ତ କରି କିଛିଟା ସମୟ ଦର୍ପଣ ସାମ୍ନାରେ ଛିଡ଼ା ହେବେ ।

 

ବାପା କହନ୍ତି, ଓକିଲାତି କରିବାକୁ ହେଲେ ଦର୍ପଣ ସାମ୍ନାରେ ନିଜକୁ ପ୍ରସ୍ତୁତ କରିବାର ଏକ ଅଭ୍ୟାସ କରିବା ବାଞ୍ଛନୀୟ ।

 

ଆଜି ଛୁଟି ଏବଂ ଓକିଲାତି ଅଭ୍ୟାସ ନ କରାଯାଇ ଅନ୍ୟ କିଛି ଅଭ୍ୟାସ ବି କରାଯାଇପାରେ । ସେ ତେଣୁ ଆଜି ଖୁବ୍‌ ଯତ୍ନର ସହକାରେ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେ ଆଜି ସେମାନଙ୍କୁ ଦେଖା କରିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି, ଯେଉଁମାନେ ତାଙ୍କ ବନ୍ଧୁ ଏବଂ ଅତି ଆପଣାର ବୋଲି ସେ ନିଃସନ୍ଦେହ । ସେ ଆଜି ସମସ୍ତଙ୍କ ପରି ବନ୍ଧୁଙ୍କୁ ସାକ୍ଷାତ୍ କରିବେ ନିଜକୁ ସଜାଇ, ଡଉଲ ଡାଉଲ ହୋଇ ଚହଟ ଚିକ୍‌କ’ଣ ରୂପରେ । ଏଇଟା ତ ନିୟମ । ଏଇତ ମଣିଷ ହେବାର ଓ ମଣିଷ ଭାବରେ ପରିଚୟ ଦେବାର ସିଧାସଳଖ ରାସ୍ତା ।

 

ସେ ନିଜକୁ ଦେଖି ମନେ ମନେ ହସୁଛନ୍ତି । ସେ ଆଜି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି ଏବଂ ଶ୍ରୀମତୀ ତାଙ୍କ ବିଛଣାରୁ ଉଠି ତାଙ୍କର ଏ ରୂପ ଓ ଭାବ ଦେଖି ଆଶ୍ଚର୍ଯ୍ୟ ଓ ପ୍ରୀତ ହେବେ, ଏହା ସେ ବେଶ୍‌ ହୃଦୟଙ୍ଗମ କରିପାରୁଛନ୍ତି । ଗତ ରାତିରେ ଶ୍ରୀମତୀଙ୍କ ରାଗ ଗର ଗର ମୁହଁ, ତାଙ୍କ ଟାଆଁସା ଦାଢ଼ିକୁ କେନ୍ଦ୍ରକରି, ଓ......ସେ ଚିତ୍କାର କରିବେ କି ?

 

ସେ ଯଦି ତାଙ୍କ ବସ୍ତିର ସେ ବଙ୍ଗାଳି ଭଦ୍ରଲୋକଟି ଯେ କାଠ ବ୍ୟବସାୟ ଏବଂ କଣ୍ଟ୍ରୋଲ କିରୋସିନି ବିକ୍ରି କରନ୍ତି, ତାଙ୍କ ପରି ନିଜର ଅବସର ସମୟରେ ରେଜରଟିକୁ ନିଜର ଗାଲ ଦୁଇଟି ଉପରେ ପ୍ରତି–ମୁହୂର୍ତ୍ତରେ ବୁଲେଇ ଆଣିପାରନ୍ତେ !

 

ଶ୍ରୀମତୀ କିନ୍ତୁ ତାଙ୍କର ଲମ୍ବା ନିଶ ଦୁଇପଟାକୁ ଚମତ୍କାର ଭାବରେ ଉପଭୋଗ କରନ୍ତି ।

 

ଏ’ ବୟସରେ ବି ପ୍ରେମ କରାଯାଇ ପାରେ ଏବଂ ନିଜକୁ ଆକୃଷ୍ଟ କରାଇ ହୁଏ । ଚଉଦ ବର୍ଷର ତନୁପାତାଳି ସୁରୁଚି ଗାଲରେ ଆଙ୍ଗୁଳିମାରି ତା’ ଫ୍ରକ୍‌ ଉପରେ ଅଜାଗାରେ ହାତ ମାରି କିଛିଟା ଝାଡ଼ି ଦେବାର (ମାଛିଟାଏ ବା ଅଳନ୍ଦୁ ମେଞ୍ଚାଏ) ବାହାନା ଦେଖାଇ ଟିକିଏ ହସ ଓ ସରୁ ଚାପୁଡ଼ାଟାଏ ଖାଇବାର ମାନେ କ’ଣ ? ମାନେ କ’ଣ ଫୁଲ ଯାଚି ହାତ ଟେକିବାର ? ବାରମ୍ବାର ଡାକି ତାକୁ ଭିନ୍ନ ବାହାନାରେ....... ମାନେ; କ’ଣ ହୋଇପାରେ !!

 

ଆଜି ଛୁଟି । ଦୀର୍ଘ ଚାରିଦିନ ଧରି ଏହିପରି ନିସ୍ତୁକ ଛୁଟିଗୁଡ଼ିକୁ ସେ ବେଶ୍ ହଜମ କରି ଆସୁଛନ୍ତି । ତାଙ୍କ ନିତିଦିନିଆ ରୁଟିନ୍‌ ବନ୍ଧା କାମ ଭିତରେ ବେଳେବେଳେ ଏହିପରି ଦୀର୍ଘ ଛୁଟିଗୁଡ଼ିକ ବେଶ୍ ସୁହାଏ ତାଙ୍କୁ । ତାଙ୍କ ମତରେ ରୁଟିନ୍‍ର କାମଗୁଡ଼ିକୁ ଅଣନିଶ୍ୱାସୀ ହୋଇ କରିଯିବା ପରେ ନିଶ୍ୱାସ ମାରିବାପାଇଁ ମଧ୍ୟ ଏହିପରି ଗୁଡ଼ାଏ ବିନା ରୁଟିନ୍‌ର ଦିନ ତାଙ୍କ ହାତରେ ରହିବା ଏକାନ୍ତ ଆବଶ୍ୟକ । ଏ ଛୁଟିଗୁଡ଼ାକ ବି ତାଙ୍କୁ କମ ହାଲିଆ, କାଉଲ ବାଉଲ କରନ୍ତି ନାହିଁ ।

 

ନିଜର ଦୈନନ୍ଦିନ କାମ ସହିତ ତାଙ୍କ ପ୍ରାଣର ଶ୍ରୀମତୀ ଓ ପ୍ରେମର ପୁତ୍ର କନ୍ୟାମାନଙ୍କୁ ବି କିଛିଟା ମୁହୂର୍ତ୍ତ ଭୁଲି, ଏହିପରି ସକାଳୁ ନିଜକୁ ପ୍ରସ୍ତୁତ କରି, ଚାହା ଖଟି କିମ୍ବା ରେଲଓ୍ୱେ କ୍ୟାଣ୍ଟିନରେ ବସି ଗପ କରାଯାଇ ଦିବା ସ୍ୱପ୍ନ ଦେଖାଯାଇପାରେ । ଅକର୍ମ ହେଲେ ଦିନଗୁଡ଼ିକ ବୋଝ ହୋଇପଡ଼ନ୍ତି । କିମ୍ବା କେତେକ ବନ୍ଧୁଙ୍କୁ ଜାବୁଡ଼ି ଧରି ତାଙ୍କ ଘରେ ନିସ୍ତୁକ ବିଶ୍ରାମ ନେଇ, ଢିଲା ମନ ଓ ଧାରଣା ଧରି, କିଛିଟା ଗୁରୁତର କାମରେ ବାହାନା ଦେଖାଇ, ନିଜେ ବ୍ୟସ୍ତ ଥିଲାପରି ପୁଣି ଘରକୁ ଫେରିଆସିବାକୁ ହୁଏତ ପଡ଼ିପାରେ । ଏହି ଶେଷ ଉପାୟଟିରେ ଜିତିଯିବାର ଯଥେଷ୍ଟ ସମ୍ଭାବନ ଥିବାରୁ ଅନ୍ୟମାନଙ୍କୁ ମଧ୍ୟ ଅକ୍ଳେଶରେ ଠକି ଦିଆଯାଇ ପାରେ ।

 

ନିଜର ବନ୍ଧୁ ଏବଂ ଶ୍ରୀମତୀଙ୍କୁ ଟାକ୍‌ସିରେ ନେଇ କୋଣାର୍କର ନଗ୍ନ ମୂର୍ତ୍ତିଗୁଡ଼ିକର ତର୍ଜମା କରାଯାଇ ପ୍ରେମର ଓ ଶୃଙ୍ଗାରର ଏକ ଦୀର୍ଘ ଭାଷଣ ମଧ୍ୟ ସେମାନଙ୍କୁ ଦିଆଯାଇ ପାରେ ।

 

ନା । ସୀତାକାନ୍ତ କିନ୍ତୁ ନିଜକୁ ପ୍ରସ୍ତୁତ କରୁଛନ୍ତି ପକେଟ୍‌ରେ କିଛି ଫ୍ରେଞ୍ଚ୍‌କ୍ୟାପ୍‌ ସାଥିରେ କିଛି ଲୋଫ ଓ କଦଳୀ ନେଇ ବହୁଦୂରକୁ ତାଙ୍କ ବନ୍ଧୁଙ୍କ ସହ ଚାଲିଯିକାକୁ । ସେ ସେମାନଙ୍କର ଏକ ଖିଆଲ; ଯେପରି ତାଙ୍କ ମନର କବିତା ବା ସମୟକୁ ଓ ନିଜର ପାରିପାର୍ଶ୍ୱିକ ଅବସ୍ଥାକୁ ପଛରେ ଘୋସାଡ଼ି ତାକୁ ଧରି ବାହୁନିବା .....ପୁଣି ‘ହିପି’ ହେବା ବା ଛୋଟ ଅପ୍ରାପ୍ତବୟସ୍କା ଝିଅମାନଙ୍କର ଛାତିର ଉଚ୍ଚତା ଲକ୍ଷ୍ୟକରିବା । ଭୋଟ ଲଢ଼ିବା ବା ଛାତ୍ରଙ୍କୁ ମତାଇ ସରକାର ଭାଙ୍ଗିବା ।

 

ପ୍ରିତି ଚିଠି ଲେଖିଥିଲା । ତା’ ପିଲାମାନଙ୍କ ଦେହ ଅସୁସ୍ଥ । ପ୍ରିତିର ୨ବର୍ଷ ବିବାହିତ ଜୀବନ କାଳ ଭିତରେ ଏହାହିଁ ପ୍ରଥମ ଚିଠି । ସେ ପ୍ରେମ ବିବାହ କରି ସୁଖୀ ନୁହେଁ । ପ୍ରେମିକା ପ୍ରତି ତା’ ସ୍ୱାମୀ ସୁରିତ୍‍ର ସହଧର୍ମିଣୀ ତା ସନ୍ତାନର ଜନନୀ ସାଜିବା ଏ’ ଆଶା ହୁଏତ ସେ କେବେ କରିପାରିନଥିଲା । ବ୍ୟବଧାନରୁ ମତାନ୍ତର ଏବଂ ପ୍ରିତିର ଚିଠି ଏ’ ସମସ୍ତର କେବଳ ସୂଚନା ମାତ୍ର ।

 

ଅନେକ ଚିଠି । ବାପାଙ୍କର ଚିଠିରେ ସେଇ ପୁରାତନ ଅଭିଳାଷ । ତାଙ୍କର ଟଙ୍କା ଦରକାର । ତାଙ୍କ ପାଖକୁ ଟଙ୍କା ପଠାଇବାକୁ ହେବ । ଯେପରି ପୁଅ କେବଳ ମାସ ଶେଷରେ ଏକ ମନିଅର୍ଡ଼ର !

 

ଧୀରେନ୍‌ ଆସିଛି କି ତାର ଆସିବାର ସମ୍ଭାବନା ନାହିଁ ତା’ ମଧ୍ୟ ଫୋନ୍‌ରେ ପଚାରି ବୁଝିବାକୁ ହେବ ।

 

ତାଙ୍କ ପାଖକୁ ଅନେକବାର ଆସୁଥିବା ମହକିଲଟି ଯେ କେବଳ ବସି ବସି ବିଡ଼ି ଟାଣେ ଏବଂ ସାମାନ୍ୟ କଥାରେ ଅସରାକୁ ଅସରା ବାହୁନି ବସେ, ତା’ପାଇଁ ଅଜି ଲେଖିବାକୁ ହେବ । ପିଲାମାନଙ୍କର ପୋଷାକ କିଣି ଦେବୀ ମେଢ଼ ବୁଲାଇ ଦେଖାଇବାକୁ ବି ହେବ । କଦଳୀ ବିକା ଏବଂ ଦିଅଁ ଦେଖା ବା ଦେଉଳ ତୋଳା ଏବଂ କୂର୍ମ ହେବା, ତାଙ୍କୁ ହେବାକୁହିଁ ପଡ଼ିବ । ଏ ସମସ୍ତ ଏକାଧାରାରେ ହେବା କେବଳ ମାତ୍ର ପୁରୁଷ ପୁଙ୍ଗମାନଙ୍କର ଲକ୍ଷଣ ।

 

ପିଲାମାନଙ୍କୁ ଛାଡ଼ି ଶ୍ରୀମତୀଙ୍କୁ ସାଥୀରେ ନେଇ ଦେବୀମାନଙ୍କ ରୂପ ରସରେ ତାଙ୍କୁ ଭୁଲାଇ ଘର ସଂସାର ଭିତରେ ଜୁଡ଼ୁଜୁଡ଼ୁ ହୋଇ ପଡ଼ିଥିବା ମନୋଟନିରୁ ତାଙ୍କୁ ମୁକ୍ତିର ବାଟ ଦେଖାଇ ସନ୍ଧ୍ୟାରେ ଘରକୁ ପୁଣି ଫେରିବାକୁ ପଡ଼ିବ । ଶ୍ରୀମତୀଙ୍କୁ, ରସିକତା ବଣତଃ ତାଙ୍କ ଯିବା ବାଟରେ ତାଙ୍କ ଆଖିରେ ପଡ଼ୁଥିବା ସେଇ ଡାଙ୍କିଣୀ ବଙ୍ଗୀୟ ବୟସ୍କା ଝିଅଟି ଏବଂ ତାର ପ୍ରେମିକ, ଯେ ବି ନିର୍ଦ୍ଧୁମ ଶୀତରେ ଓ ବର୍ଷାରେ ବାହାରେ ନର୍ଦ୍ଦମାର ଗନ୍ଧକୁ ବରଦାସ୍ତ କରି ପ୍ରେମ ଜଳରେ ଉବୁଟୁବୁ ହୁଏ ଓ ରାତିରେ ପ୍ରେମିକାକୁ ସ୍ୱପ୍ନ ଦେଖି ତନୁ କ୍ଷୀଣ କରେ; ତାଙ୍କୁ ଦେଖାଇ ଶ୍ରୀମତୀଙ୍କର ଓ ତାଙ୍କର ସେ କେଉଁ ଅତୀତର ପ୍ରେମ ବିନିମୟର ସ୍ମୃତି ମନେପକାଇଦେଇ ବାହାବାଟାଏ ମାରିନେବାର ଚେଷ୍ଟା କରାଯିବ । ପୁଣି ସେଇ ସ୍ମୃତିକୁ ଧରି କିଛିଦିନ ବଞ୍ଚିଯିବାର ଗୋଟାଏ ଆପ୍ରାଣ ଚେଷ୍ଟା ଓ ଆତ୍ମପ୍ରବଞ୍ଚନାରେ ନିଜର ଜଞ୍ଜାଳମୟ ଜୀବନକୁ ରସାଣିତ କରିବାର ଏକ ବିରାଟ ଯୋଜନା କରାଯିବ ।

 

ଆଧୁନିକ ମଣିଷ କେବଳ କେତେଗୁଡ଼ାଏ ମତବାଦକୁ ଧରି ପଡ଼ିରହିଛି ଏବଂ ବଞ୍ଚିଶିଖିଛି ।

 

ମନେକରନ୍ତୁ ସେ କେବଳ ସ୍ଳୋଗାନ୍‌ ଦେଉଛନ୍ତି ଏବଂ କେତେକ ବତୀପେଲା ତାଙ୍କୁ ଉସ୍‌କେଇବାରେ ଲାଗିପଡ଼ିଛନ୍ତି । ଦେଖୁ ଦେଖୁ ସେ ମନ୍ତ୍ରୀ, ମିଲ୍‌ ମାଲିକ୍‌, ଠିକାଦାର ସାଜିସ୍ ଖଦଡ଼ ପିନ୍ଧିବା ସୁରୁ କରି ଦେଇଛନ୍ତି ।

 

ସୀତାକାନ୍ତ ନିଜର କଳାପଟାର ଜୀବନ ଭିତରେ ଅଭିଜ୍ଞତାର ଚକ୍‌ ଘୋରି ଗୁଡ଼ାଏ ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି ଏ ପର୍ଯ୍ୟନ୍ତ । ତାଙ୍କ ଜୀବନ କଳାପଟାର ଚକ ଗାରଗୁଡ଼ାକ ଲେସାଲେସି ହୋଇ ତାଙ୍କୁ କବି, ଦାର୍ଶନିକ, ପ୍ରେମିକ, ରାଜନୀତିଜ୍ଞ, ସଜାଇ ଆଜି ସକାଳର ପ୍ରାଣ–ପ୍ରାଚୁର୍ଯ୍ୟ ଭିତରେ ତାଙ୍କୁ ନାଚିବାପାଇଁ ତିଆରି କରିଦେଇଛନ୍ତି ଏବଂ ଶ୍ରୀମତୀ ତାଙ୍କ ସାନ ପୁଅଟିକୁ କାଖରେ ଯାକି ତାଙ୍କ ପଛରେ ଛିଡ଼ାହୋଇ ତାଙ୍କୁ ଖିଙ୍କାରି ହେଲାପରି ହସୁଥିବାବେଳେ, ସେ ଯେପରି ପପ୍‌ ଗୀତ ଗାଇ, ଫ୍ରକ୍‌ ପିନ୍ଧା କିଶୋରମାନଙ୍କୁ ଧରି ନାଚି ଆଖିମିଟିକା ମାରୁଛନ୍ତି ।

☆☆☆

 

ସୀତାକାନ୍ତ, ତା’ ପରିଚିତ ସହର ଓ ଶେଷ ବସନ୍ତର କଥା

 

ଯେହେତୁ ସୀତାକାନ୍ତ ତା’ କଥା, ପରିଚିତ ସହର କଥା ଏବଂ ଶେଷ ବସନ୍ତର କଥା କହୁଛି, ଧରିନିଅନ୍ତୁ ସେ ହୋଟେଲ ପ୍ଲାଜାରେ ବର୍ତ୍ତମାନ ଅବସ୍ଥାନ କରୁଛି । ପ୍ଲାଜାରେ ଏଇ ପରିତ୍ୟକ୍ତ କୋଠରିଟିର କଥା ସେ ହିଁ କହୁଛି । ଅନେକ ପ୍ରଶ୍ନ ଉଠିପାରେ । ସ୍ୱାଭାବିକ ମଧ୍ୟ; ଯେ ସେ ପ୍ଲାଜାରେ ଏଇ କୋଠରିଟିକୁ କାହିଁକି ପ୍ରଥମେ ଅନ୍ଧଭାବରେ ମନୋନୀତ କଲା । ସେ କିନ୍ତୁ ସେ ପ୍ରଶ୍ନଗୁଡ଼ିକର ଗୋଟିଏ ସଂକ୍ଷିପ୍ତ କୈଫିୟତ୍ ଦେବ । ସେ ଜାଣେ ନା, ସେ କୈଫିୟତ ତା’ର ଆପଣଙ୍କୁ ସୁହାଇଲାଭଳି ହେବ କି ନା ! କିନ୍ତୁ ତାହାହିଁ ତା’ର ଏକମାତ୍ର ଉତ୍ତର ।

 

ହୋଟେଲ୍‌ ପ୍ଲାଜା; ଆପଣମାନେ ଜାଣନ୍ତି ବସନ୍ତର ଏକ କମ୍ର ଗୋଧୂଳିପରି, ମଲ୍ଲୀ ଫୁଟାଇ, କୃଷ୍ଣଚୂଡ଼ା ହସାଇ ଆସିଥିଲା । ଏ ସହରର ଆରମ୍ଭରେ ସେ ଆଖି ଖୋଲି ଚାହିଁଥିଲା । କେତେ ସଜବାଜ ଓ ଆୱାଜ ଭିତରେ, ସହରୀ ଜୀବନର ପ୍ରଥମ ଦୃଶ୍ୟର ସେ ସୂଚନା ଦେଇଥିଲା । ପ୍ଲାଜା ଆଜି ପତ୍ରଝଡ଼ା ଦେଇଛି । ପତିତ କୃଷ୍ଣଚୂଡ଼ାର କାରୁଣ୍ୟ ଭିତରେ ଫୁଲି ଫୁଲି କାନ୍ଦୁଛି । ପ୍ଲାଜାର ପ୍ରଖ୍ୟାତ ମ୍ୟାନେଜରଙ୍କ ପବଛଡ଼ା ଜୀବନ ଓ ଜୀବିକା ଅନୁଧ୍ୟାନ କଲେ ତା’ର ସଂକ୍ଷିପ୍ତ ପରିଚୟ ମଧ୍ୟ ଖୁବ୍‌ ଅଳ୍ପକେ ଆପଣମାନେ ପାଇପାରିବେ । ଏଇ ପ୍ରଥମ ସହରର ପ୍ରଖ୍ୟାତ ବୁନିୟାଦଙ୍କ ଅଙ୍ଗେ ଅଙ୍ଗେ ଉପଲବ୍‌ଧି କରିବାର ପ୍ରୟାସରେ ସୀତାକାନ୍ତ ପ୍ଲାଜାରେ ହିଁ ବାଛିନେଇଛି-। ତା’ ସହିତ ନିଜକୁ ମିଶାଇ ଦେଇଛି ଏବଂ ଏକ ଫାଙ୍କା ବୁନିୟାଦିର ଆଳ ଦେଖାଇ, ଉପରକୁ ହାତଟେକିବାର ପ୍ରୟାସ କରୁଛି ।

 

ପ୍ଲାଜାର ଆକର୍ଷଣୀୟ ମର୍ମର ପଥରର ପାହାଚଗୁଡ଼ିକ ସେ ଗୋଟିକ ପରେ ଗୋଟିଏ ପଛରେ ପକାଇ ଏକମାତ୍ର ପହଞ୍ଚିଛି ତା’ର ସର୍ବନିମ୍ନ ବୈଠକଖାନାରେ ।

 

ସେ ଛିଡ଼ା ହୋଇଚି ଏବଂ ଯେଉଁ ପ୍ରଖ୍ୟାତ ମ୍ୟାନେଜରଙ୍କ ସମ୍ପର୍କରେ ଆପଣମାନଙ୍କୁ ସୂଚନା ଦେଇଛି, ସେ ମଧ୍ୟ ଠିକ୍‌ ବାମକୁ ଏକ ୬୦ଡିଗ୍ରୀ କୋଣକରି ବସି ରହିଛନ୍ତି । ତାଙ୍କ ମେହଗାନି କାଠର ସେହି ଚୌକିଟିରେ ତେଲର ଏକ ଚମତ୍କାର ଦାଗ । ସାମ୍ନା ଟେବୁଲଟିରେ ଫୁଲଦାନୀ । ଚଟାଣର ଦାମୀ କାର୍ପେଟ ଆଉ ନାହିଁ । କେବଳ ତାଙ୍କ ଡାହାଣରେ ସେଇ ବିରାଟ ରେଡ଼ିଓଗ୍ରାମର ଅବସ୍ଥିତି ଓ ହୋଟେଲ୍ ପ୍ରତିଷ୍ଠା ଦିନର ଏକ ଫଟୋ (ଯାହା ପ୍ରଖ୍ୟାତ ମ୍ୟାନେଜର ଏବଂ ତାଙ୍କ କରଣୀର ପରିଚୟ ଦିଏ) ।

 

ବୈଠକଖାନାରେ ଅସଞ୍ଜତ ଭାବେ ପଡ଼ିଥିବା ଚୌକି ଏବଂ ଟେବୁଲଗୁଡ଼ିକର ଅତୀତର ସ୍ମୃତି ବହନ କରି ବିକଳାଙ୍ଗ କପ୍‌ ପ୍ଲେଟମାନେ କେବଳ କାନ୍ଦି ଉଠୁଛନ୍ତି । ସବୁ ଖାପଛଡ଼ା ଏବଂ ହତାଶା ମଧ୍ୟରେ ଶସ୍ତା ସିଗାରେଟର ଧୁଆଁ ଏବଂ ବିରକ୍ତକର କଥା ଶୁଭୁଛି । ସେମାନେ ଯେଉଁମାନେ ହସ ଝରାଇ, ଡେଇଁ ଡେଇଁ ବସନ୍ତର ବାତ୍ୟା ପରି ହୋଟେଲ ଭିତରକୁ ପଶି ଆସୁଥିଲେ ସେମାନଙ୍କର ଗନ୍ଧ ବର୍ଣ୍ଣ ବି ଆଉ ନାହିଁ । ଏମାନେ ସମସ୍ତେ ଅପରିଚିତ । ଚିହ୍ନି ହେଉନାହାନ୍ତି ।

 

ପ୍ଲାଜାରେ ଏଇ ମର୍ମର ପାହାଡ଼ଗୁଡ଼ିକ ପିଠିକରି ସୀତାକାନ୍ତ ବର୍ତ୍ତମାନ ସମସ୍ତଙ୍କଠାରୁ ଦୃଷ୍ଟି ଫେରାଇଆଣୁଛି । ତା’ ସାମ୍ନାରେ ଏକ ବିରାଟ ପିଚୁରାସ୍ତା । ଯାହାର ଦୁଇ ଧାରାରେ କେବଳ ଅପ୍ରର୍ଯ୍ୟାପ୍ତ ଧୂଳି ଓ ଆବର୍ଜନା । ପ୍ଲାଜାରେ ସାମ୍ନାରେ ଏକ ବିରାଟ କଣ୍ଟ୍ରାକଟରଙ୍କ ଗୋଦାମ ଏବଂ ଲୁହା, ସିମେଣ୍ଟ, ଟ୍ରକ୍‌ ସମସ୍ତେ ମିଶି ରାସ୍ତାରେ କିଛି ଅଂଶ ନିଜର ଅକ୍ତିଆର କରିନେଇଛନ୍ତି । ତା’ପରେ ଆପଣ ଦେଖିବାକୁ ପାଇପାରିବେ ଏକ ପୁସ୍ତକ–ବିକ୍ରେତାଙ୍କର ହରରଙ୍ଗୀ ଦୋକାନ ଏବଂ ତାକୁ ଲାଗି ଏକ କଂସା–ପିତ୍ତଳ ବାସନର ବ୍ୟବସାୟ ପ୍ରତିଷ୍ଠାନ । ପ୍ଲାଜାର ବାମରେ (ଯେହେତୁ ସୀତାକାନ୍ତା ପ୍ଲାଜାକୁ ପଛକରି ଆଗକୁ ଯିବାକୁ ହେଉଛି) ଏକ ରେଡ଼ିମେଡ଼ ଗାରମେଣ୍ଟ ସପ୍‌ ଏବଂ ତାକୁ ଲାଗି କୋଇଲା ଡିପୋ ।

 

ମନେପଡ଼େ ଏଇ କୋଇଲା ଡିପୋଟି ଥିଲା ଜଣେ କୁଖ୍ୟାତ ରାଜାର ପେସ୍କାରଙ୍କର ଏବଂ ତାଙ୍କ ଅନ୍ତେ ବହୁ ଟଙ୍କା ମୂଲ୍ୟରେ ବର୍ତ୍ତମାନର କୋଇଲା ଡିପୋ ମାଲିକ ସେ ସ୍ଥାନଟିକୁ ଦଖଲ କରିଛନ୍ତି । ସେ କୁଖ୍ୟାତ ରାଜା ମହୋଦୟ ବର୍ତ୍ତମାନ ଏ ସହରର ଜଣେ ବିଖ୍ୟାତ ହୋଟେଲ୍‌ ପରିଚାଳକ ଏବଂ ମନ୍ତ୍ରିତ୍ୱ ମଧ୍ୟ କରନ୍ତି ।

 

ସେ ତା’ପରେ ତା’ର ବାମରେ ଚାଲିବାକୁ ଆରମ୍ଭ କରିଛି । ତା’ ସାମ୍ନା ରାସ୍ତାଟି ଏଠାରେ ସମ୍ପୂର୍ଣ୍ଣ ଭିନ୍ନ ରୂପ ଧାରଣ କରିଛି । ହଠାତ୍‌ ପ୍ରସାରିତ ହୋଇଯାଇଛି ଏବଂ ବାଟୋଇଙ୍କପାଇଁ (ଯେଉଁମାନେ ରାସ୍ତାର ପଟ୍ଟ ପରିବର୍ତ୍ତନ କରିବେ) ଠିକ୍‌ ମଧ୍ୟ ଭାଗରେ ଏକ ନିରୋଳ ସ୍ଥାନ ମଧ୍ୟ ରଖାଯାଇଛି । ଜଣେ କୁଷ୍ଠରୋଗିଣୀ ସେ ସ୍ଥାନ ଦଖଲ କରି ବସି ରହିଛି ଏବଂ ତା’ ପ୍ରସାରିତା ଥାଳରେ କିଛି କିଛି ଦାନ ଦକ୍ଷିଣାର ପରିଚୟ ବି ମିଳୁଛି ।

 

ଏଇଠାରୁ ଆରମ୍ଭ ହୋଇଛି ଏକ ଗଭୀର ନଦୀର ପୋଲ ଏବଂ ପୋଲର ଠିକ୍‌ ଅପର ପାର୍ଶ୍ୱରେ ଚଳଚ୍ଚିତ୍ର ପ୍ରତିଷ୍ଠାନର ଏକ ଉଚ୍ଚ ପ୍ରାସାଦ ମଧ୍ୟ ଦେଖିବାକୁ ମିଳୁଛି । ମନେପଡ଼ୁଛି, ଏଠାରେ ଏକ ସୁନ୍ଦର ପାର୍କ କେବେ ଥିଲା ଏବଂ ତା’ର ସେ ସହରର (ଏ ସହରର ନୁହେଁ) ଅନେକ ସାଥୀ ସଙ୍ଗାତଙ୍କର ମନୋରଞ୍ଜନ କରୁଥିଲା । ଚଳଚ୍ଚିତ୍ର ପ୍ରତିଷ୍ଠାତା ଶିକ୍ଷକତାରୁ ଏବଂ ତାଙ୍କ ଶ୍ରମରୁ ଆଜି କୁବେର ପାଲଟି ପାରିଛନ୍ତି ବୋଲି ଜନରବ । କିନ୍ତୁ ବିଦ୍ୟାଳୟ ତହବିଲ୍‌ରୁ ଲକ୍ଷାଧିକ ଟଙ୍କା ତୋଷାରପାତ କରିବାର ମକଦ୍ଦମା ତାଙ୍କ ବିରୁଦ୍ଧରେ ଆଗତ ହେବା ଓ ତାହା ପ୍ରମାଣଯୋଗ୍ୟ ନ ହେବାର ଦୃଷ୍ଟାନ୍ତ ମଧ୍ୟ ଅଛି । କିନ୍ତୁ କ୍ଷମା କରିବେ !

 

ସଳଖ ରାସ୍ତା ଛାଡ଼ି ଏଇ ନଦୀର ଠିକ୍‌ ଡାହାଣ ପଟେ ପଡ଼ିଥିବା ସଂକୀର୍ଣ୍ଣ ରାସ୍ତାରେ ସେ ବର୍ତ୍ତମାନ ଯିବାକୁ ମନସ୍ଥ କରିଛି ।

 

ଏଇ ତା’ର ରାସ୍ତା । ସେ ଠିକ୍‌ ନଦୀ କୂଳେ କୂଳେ ଚାଲିଛି । ସେଦିନର ସେ ସହରର ସେଇ–ବାବାଜୀଙ୍କର ବରଗଛ ତଳ ମଠଟି ଏବେ ବି ଏ ସହରର ସାମ୍ନା ମାଡ଼ିଛି । ବରଗଛର ସିଅରେ ଆଉ କେତେଜଣ, ବାବାଜୀଙ୍କର ଚେଲା ସାଜି ଉଲ୍ଲଙ୍ଗ ଯୌବନ ଦେଖାଇ ସମାନଙ୍କର କାମନା ଚରିତାର୍ଥ କରିବାରେ ମନ ପ୍ରାଣ ଢାଳି ଦେଇଛନ୍ତି । ନଦୀ ଧାରରେ ପଡ଼ିଥିବା ରାସ୍ତାର ଏଇଟି ବୋଧହୁଏ ସର୍ବପ୍ରଥମ ଓ ପ୍ରଧାନ ମନୋହର ଦୃଶ୍ୟ । ତା’ପରେ ସେ ଦେଖୁଛି ଅସଂଖ୍ୟ ଚାଳ ଓ ବଲେଇଛପର ଟୁଙ୍ଗୀ ।

 

ସୀତାକାନ୍ତ ବର୍ତ୍ତମାନ ବିଂଶ ଶତାବ୍ଦୀର ଏକ ଆଧୁନିକ ସ୍ୱାଧୀନ ପ୍ରଥମ ଶ୍ରେଣୀ ସହରର କଥା କହୁଛି ।

 

ତା’ ସହରର ଏ ସମସ୍ତ ଅଞ୍ଚଳ କେବଳ ବିଭିନ୍ନ ଅର୍ଥକାରୀ ବୃକ୍ଷମାନଙ୍କର ପର୍ଣ୍ଣ ଥିଲା । ଆଜି କିନ୍ତୁ ଏ ସହରର ଆରମ୍ଭରେ ଏଠାରେ ଦେଖିବାକୁ ମିଳୁଛି କେତେକ ମଣିଷ ନାମଧାରୀ ଜୀବଙ୍କୁ, ଯେଉଁମାନେ କେବଳ ଅର୍ଥ ଉପାର୍ଜନପାଇଁ ସମସ୍ତ ଭୁଲି, ଜୀବନକୁ ପଛରେ ପକାଇ ଧାଇଁଛନ୍ତି ଏବଂ ଧାଇଁ ଧାଇଁ ରକ୍ତାକ୍ତ ହେଇଛନ୍ତି ।

 

ସୀତାକାନ୍ତ ବର୍ତ୍ତମାନ ଏକ ଛକରେ ଆସି ପହଞ୍ଚିଛି । ତା’ର ବାମରେ ସେ ଦେଖିବାକୁ ପାଉଛି ସେଇ ଗଭୀର ନଦୀର ଭୟଙ୍କର ଦୃଶ୍ୟ ଓ ଦକ୍ଷିଣରେ ଏକ କଂକ୍ରିଟ୍‌ର ସଂକୀର୍ଣ୍ଣ ରାସ୍ତା, ଯାହା ଲମ୍ବାଯାଇଛି ଏକ ଅନ୍ଧାରିଆ ଟିଣଛପର ଘରଗୁଡ଼ିକ ମଝିରେ । ଏ ସମସ୍ତ ବସ୍ତିବାଲା ମାଂସ ବ୍ୟବସାୟୀ । ସକାଳୁ ଯେଉଁ କେତେଜଣଙ୍କୁ ରିକ୍‍ସା ବା ସାଇକେଲରେ ଫତେଇ ଏବଂ ଚେକ୍‌ ଲୁଙ୍ଗି ପିନ୍ଧି କିଲ୍‌ଖାନାରୁ ଫେରିବାର ଦେଖାଯାଏ । ସେମାନେ ଏ ସାହିର ଧରାବନ୍ଧା ବାସିନ୍ଦା । ସେମାନଙ୍କୁ ହୁଏତ ଆପଣମାନେ ଦେଖିବାକୁପାଇବେ–ସନ୍ଧ୍ୟାରେ ନାଲି ହାପ୍‌ ସାର୍ଟ ଏବଂ ଲୁଙ୍ଗି ପିନ୍ଧି, ଶସ୍ତା ସିଗାରେଟ୍‌ ଟାଣି ଟହଲ ମାରୁଥିବା ପ୍ରେକ୍ଷାଳୟ ସାମ୍ନାରେ । ରିକ୍‌ସାର ଟପ୍‌ଲେସ୍‌ ନାଇଲେନ୍‌ କଣ୍ଢେଇଗୁଡ଼ିକ ସେମାନେ ଗିଳି ଯାଉଥିବେ । ଗୀତ ଗାଉଥିବେ । ତା’ ପରେ ରାତି ୧୨ଟା ପରର କଥା ଭାବନ୍ତୁ ଏବଂ ଏଇ ଛକରେ କାନ୍ଧକୁ କାନ୍ଧ ଯୋଡ଼ି, ଟଳି ଟଳି ଗୀତ ଗାଇ ଫେରିବାର ଦୃଶ୍ୟ ମନେପକାନ୍ତୁ ।

 

ଚକଛାଡ଼ି ସାମାନ୍ୟ ଆଗକୁ ଯିବା ପରିବର୍ତ୍ତେ ସେ ସାମାନ୍ୟ ପଛକୁ ଫେରିଆସୁଛି ଏବଂ ସେଇ ଅସାଧାରଣ ମଣିଷମାନଙ୍କ ଉଦ୍ଦେଶ୍ୟରେ ମନେ ମନେ ପ୍ରଣାମ ଜଣାଉଛି ।

 

ତା’ର ବାମରେ ସେଇ ତୀଖା ନଦୀ ଫାଙ୍କା ହାୱା । ଦକ୍ଷିଣରେ ଜଣେ ମାରଓ୍ୱାଡ଼ି ଭଦ୍ରଲୋକଙ୍କ ଟାଇଲ କାରଖାନାରେ ସାଇନବୋର୍ଡ଼ । ତାକୁ ଲାଗି ନୁଆଁଣିଆ ଟିଣଘର ଏବଂ ଦଉଡ଼ି ଖଟିଆର ସମାରୋହ ଏବଂ ଏକ କିମ୍ଭୂତକିମାକାର ଦୃଶ୍ୟ । ସେ ପ୍ରଥମ ଫଗୁଣର ମନ ନେଇ ଭାବୁଛି, ତା’ ସହଜାତ ମଣିଷର କଥା । ତା’ କଥା ଏବଂ ଶୁଣୁଛି ଫସଲ କଟାଇ ସେଇ ସୁର୍‌ ଟିକକ, ଯାହା ଆଜି କାରୁଣ୍ୟର ଛାତିଫଟା ଚିତ୍କାର ।

 

ସୀତାକାନ୍ତ ଚାହୁଁଛି ଏକ ପ୍ରକାଣ୍ଡ ପାଞ୍ଚତାଲା ସରକାରୀ ଦସ୍ତରକୁ । ସେ ଦିନେ ଏଠାରେ ବୋହୂଚୋରି ଖେଳୁଥିଲା । ବୋହୂକୁ ନେଇ ଖଜୁରିବୁଦାର ନିଘଞ୍ଚ ଅନ୍ଧାର ଭିତରେ ଲୁଚି ରହୁଥିଲା । ତା’ର ଶୈଶବର ସହପାଠୀ କାହିଁ ଆଜି କେତେ ଦୂରରେ । ସେ ଓ ପ୍ରତ୍ୟେକେ ଆଜି ବ୍ରୁଟ୍‌ ପାଲଟି ଯାଇଛନ୍ତି । ସେଦିନର ସେଇ ଫଗୁଣର ପ୍ରଥମ ଝଲକାଏ ପବନ, ଆଉ ଫେରି ଆସିବାର ସାହସ ସଞ୍ଚୟ କରି ପାରୁନାହାନ୍ତି । ଅସଂଖ୍ୟ ଫଗୁଣ ଆସିଛି, ଫେରି ବି ଯାଇଛି ।

 

ଲଗାଲଗି କାଠକଳ, ଚମଡ଼ା ଗୋଦାମ ଓ ବାର୍’ ଏବଂ ଏ’ ସମସ୍ତଙ୍କୁ ଛାଡ଼ି କେତେକ ନିମ୍ନଶ୍ରେଣୀ ସରକାରୀ ଚାକିରିଆଙ୍କ ବସାଘର । ଏଠାରୁ ବତିଖୁଣ୍ଟର ଶେଷ ଓ ନଦୀର ପ୍ରସାରିତ ସାମୁଦ୍ରିକ ଗତି । ଠିକ୍‌ ଏଇ କୋଣରେ ଏକ ବିରାଟ ହୋଟେଲ । ହୋଟେଲ ପାମିନା । ସେଇ କୁଖ୍ୟାତ ରାଜବଂଶୀୟ ମନ୍ତ୍ରୀପଦଧାରୀ ପୁରୁଷପୁଙ୍ଗବଙ୍କର ବ୍ୟବସାୟକ୍ଷେତ୍ର । ଅତି ଆଧୁନିକ ଢଙ୍ଗରେ ସୁସଜ୍ଜିତ ତିନିମହାଲାର କାଚ ଝରକାମାନଙ୍କରୁ ବିଭିନ୍ନ ରଙ୍ଗର ଆଲୋକରଶ୍ମି ବିଞ୍ଚି ହୋଇପଡ଼ୁଛି ଏ ଅନ୍ଧାରୀ ଅଞ୍ଚଳକୁ । ଏଇ ରାସ୍ତାରୁ ଦେଖାଯାଉଛି ଅନେକ ଅପରିଚିତ ଓ ପରିଚିତ ମୁହଁ । ଶୁଭୁଛି ଲଳନାମାନଙ୍କର ହସ ।

 

ଯେଉଁମାନେ ଟହଲ ମାରୁଛନ୍ତି ହୋଟେଲ ବାଲକୋନିରେ, ସେମାନେ କ୍ଷୀଣକାୟ ଯୁବକ ଢିଲା ଟେରେଲିନ୍‌ ହାୱାଇନ୍ ଓ ଚିପା ରଙ୍ଗିନ୍‌ ପ୍ୟାଣ୍ଟ ।

 

ଯେଉଁ କ୍ଷୁଦ୍ର ନଦୀ ଚେନାକଟି ପାହାଡ଼ି ଝରଣାର ସ୍ୱପ୍ନ ଓ ସୌନ୍ଦର୍ଯ୍ୟ ନେଇ ଆନନ୍ଦ ଦେଉଥିଲା, ସେ ବର୍ତ୍ତମାନ ହୋଟେଲ ପଛରେ ଏବଂ ଅନେକ ଦୁଃସ୍ୱପ୍ନ ମଧ୍ୟରେ । ଅନ୍ଧାର ଏବଂ ଅନ୍ଧାରର କେବଳ ଏକ କ୍ଷୀଣ ସ୍ୱର । ବସନ୍ତର ସ୍ୱର ଆଜି କ୍ଷୀଣ ମନେହେଉଛି ।

 

ମଉଳା କୃଷ୍ଣଚୂଡ଼ାର ଲକ୍ଷ ଲକ୍ଷ ପାଖୁଡ଼ାମାନଙ୍କୁ ପାଦରେ ଦଳି ହୋଟେଲ କଡ଼ ରାସ୍ତାରେ ସୀତାକାନ୍ତ ପୁଣି ଅନ୍ୟ ଏକ ରାସ୍ତା ଧରିବାର ଉପକ୍ରମ କରୁଛି ।

 

ତା ସହରକୁ ସେ ଫେରିଛି ଦୀର୍ଘ ୧୭ ବର୍ଷ ପରେ ।

 

୨୫ ବର୍ଷର ସୀତାକାନ୍ତ ଚୌଧୁରୀ ସତରବର୍ଷ ତଳେ ସେ ସହରରେ ତାର ଆଡ଼୍‌ଡା ଜମାଇ ବସି ରହିଥିଲା । କଲେଜର କୃତୀ ଛାତ୍ର, ସୁଖେଳାଳି, ବିଚକ୍ଷଣ ଶିକାରୀ, କଲେଜ ଡ୍ରାମାର ହିରୋ ଓ ବଡ଼ବଜାର ଚୌଧୁରୀବଂଶର ଏକମାତ୍ର ବଂଶାଧିକାରୀ ଯେତେବେଳେ ମନ୍ମଥ ଚୌଧୁରୀଙ୍କ ବୁଇକ ଗାଡ଼ିରେ ଚଢ଼ି କଲେଜରେ ଓହ୍ଲାଉଥିଲା, ବନ୍ଧୁମାନେ ଘେରି ଯାଉଥିଲେ ।

 

ମନେପଡ଼ୁଛି–

 

ଅନେକ ଘଟଣାବହୁଳ ସ୍ୱପ୍ନମୟ ଚମତ୍କାର ସେଦିନର ଜୀବନ ।

 

ମନ୍ମଥ ଚୌଧୁରୀଙ୍କ ମୃତ୍ୟୁ ଖବର ସେ ଶୁଣିଛି ଅନେକ ବର୍ଷ ତଳେ । ସୀତାକାନ୍ତର ମା’ତ ତାକୁ ଛାଡ଼ି ଯାଇଥିଲା, ସେ ଯେତେବେଳେ ମାତ୍ର ତିନିବର୍ଷର ଶିଶୁ । ତାକୁ ଲାଳନ ପାଳନ କରି ମଣିଷ କରିଥିଲା ମାଧବୀ, ଯାହାକୁ ଏବଂ ମନ୍ମଥ ଚୌଧୁରୀଙ୍କୁ କେନ୍ଦ୍ର କରି ଅନେକ ଫୁସ୍‌ଫାସ୍‌ ସେ ଶୁଣିଛି ।

 

ମନେପଡ଼ିଛି, ମାଧବୀର ଏକମାତ୍ର ଝିଅ ସୁଲୋଚନା । ସେ ସେତେବେଳେ ନୂଆ ଘରଯୋଗ୍ୟା ହୋଇଥାଏ ଓ ମା’ ସହିତ ରହୁଥାଏ, ଏକ ସର୍ବନିମ୍ନ କୋଠରିରେ, ସେହି ବଡ଼ ବଜାର ବିଖ୍ୟାତ ଚୌଧୁରୀବଂଶର ପାଞ୍ଚ ପୁରୁଷିଆ ପ୍ରକାଣ୍ଡ ପ୍ରାସାଦ ମଧ୍ୟରେ ।

 

ଗୋଟି ଗୋଟି ହୋଇ ସବୁ ମନେପଡ଼ୁଛି । ତା’ ସହପାଠିନୀ ବାସନ୍ତି । ସେ ଶୁଣିଛି ବାସନ୍ତି ବି ଆଜି ଏ ସହରର ବିଶିଷ୍ଟ ବ୍ୟବସାୟୀର ସ୍ତ୍ରୀ । ଏ ସହରରେ ଅନେକଟା ଓଲଟ ପାଲଟ ହୋଇଯାଇଛି ।

 

ବାସନ୍ତି ମନେପଡ଼ିଲେ, ଅତୀତର ଅସଂଖ୍ୟ ବସନ୍ତର ସ୍ମୃତି ମନେପଡ଼େ ଏବଂ ସେଇ ବସନ୍ତର କାରୁଣ୍ୟ ସମସ୍ତ ଆଜି ଏଇ ସହର ଓ ନିଜେ ବି ସେଇ ସୀତାକାନ୍ତ, ଯାହା ସୀତାକାନ୍ତର କିନ୍ତୁ ପ୍ରକୃତରେ ନୁହେଁ ବା କେବେ ବି ନ ଥିଲା ।

 

ସେ ନିର୍ଦ୍ଦିଷ୍ଟଭାବରେ ଜାଣିଛି ଯେ ସେ ବିଖ୍ୟାତ ଚୌଧୁରୀ ବଂଶର ପ୍ରାସାଦର ଅଧିକାରୀ ଜଣେ ମାରୱାଡ଼ି ଭଦ୍ରଲୋକ ଓ ତା ଘରର ସମସ୍ତ ସ୍ମୃତି ଏ ସହର ଭୁଲିଯାଇଛି ।

 

୧୭ବର୍ଷ ତଳେ ଗୋଟାଏ ଭୂତ ଯେବେ ସୀତାକାନ୍ତର କାନ୍ଧରେ ବସି ତାକୁ ବାଟ କଢ଼ାଇଲା, ସେ ବାହାରି ଆସିଥିଲା ସୁଲୋଚନାର ହାତ ଧରି ପଦାକୁ ଓ ଏ ସହର ଛାଡ଼ି ବହୁଦୂରକୁ ଚାଲି ଯାଇଥିଲା । ସୁଲୋଚନା ଦେହର ଗନ୍ଧ ଆଜି ବି ସୀତାକାନ୍ତର ସ୍ମୃତିପଟରେ । କିନ୍ତୁ ଗୋଟାଏ ଖରାବେଳଟାରେ ସୀତାକାନ୍ତର ଅନୁପସ୍ଥିତିରେ ସୁଲୋଚନା ଯେତେବେଳେ ତାକୁ ଛାଡ଼ି ରମାପଦ ସହିତ ପୁଣି ବହୁଦୂରକୁ ଚାଲି ଯାଇଥିବାର ସେ ଖବର ପାଇଲା, ଠିକ୍‌ ତା’ ପରେ, ଭୂତ ତା’ର କାନ୍ଧରୁ ଓହ୍ଲାଇପଡ଼ିଥିଲା ଏବଂ ସୀତାକାନ୍ତ କେବଳ ମନସ୍ତାପ ଭିତରେ ସେଦିନରୁ ଆଜି ପର୍ଯ୍ୟନ୍ତ ତା’ ଜୀବନଟାକୁ ଲୁଚାଇ ଲୁଚାଇ ଘୂରି ବୁଲୁଛି ।

 

ବାସନ୍ତୀ, ସୁଲୋଚନାର ପ୍ରତାରଣା, ପ୍ରବଳ ପ୍ରତାପୀ ମନ୍ମଥ ଚୌଧୁରୀ ଓ ସୀତାକାନ୍ତର ପରିଚିତ ବସନ୍ତଗୁଡ଼ିକର ସ୍ମୃତି ମନରେ ଏକ ରେଖାପାତ କରି ଆସି ତା ସାମ୍ନାରେ ଛିଡ଼ାହୋଇ ତାକୁ ପ୍ରଶ୍ନ କରୁଛନ୍ତି ।

 

କାହିଁକି ?

 

ସୀତାକାନ୍ତର ପ୍ରେତାତ୍ମା ପୁଣି ଏ ସହରରେ କାହିଁକି ?

 

ସୀତାକାନ୍ତ ରାସ୍ତା ଉପରେ ଛିଡ଼ାହୋଇ ପ୍ଲାଜା ହୋଟେଲର ରାସ୍ତା ଖୋଜୁଛି ।

☆☆☆

 

ଅରଣ୍ୟରୁ ଅନ୍ୟ ଅରଣ୍ୟକୁ

 

ମନେକରାଯାଉ ଆପଣ ଜଣେ ମଧ୍ୟମ ବୟସ୍କ, ରୁଚିସମ୍ପନ୍ନ, ଆଧ୍ୟାତ୍ମିକତା ଓ ରାଜନୀତିରେ ବିଶ୍ୱାସ କରୁଥିବା ଭଦ୍ରଲୋକ ବା ଜଣେ ଖାମଖିଆଲି କିନ୍ତୁ ନିଜ କାର୍ଯ୍ୟରେ ବ୍ୟସ୍ତଥିବା ସାମାଜିକ ମଣିଷ । ମୁଁ ଆପଣଙ୍କ ଅଧସ୍ତନ କର୍ମଚାରୀ–ଦୁଇ ପାହାଚ ତଳେ । କିମ୍ବା ମୁଁ ଜଣେ ଶିକାରୀ ଏବଂ ଆପଣଙ୍କର ଫଟୋ ଉଠାଇବା ଏକ ହବି ଓ ଆମେ ଦୁହେଁ ଜଙ୍ଗଲକୁ ଗଲେ । ଆମେ ଯେଉଁ ବାଟ ଦେଇ ଜଙ୍ଗଲକୁ ଗଲେ ସେ ବାଟେ ସାଧାରଣତଃ କେହି ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବାକୁ ସାହସ କରନ୍ତି ନାହିଁ । ଏ’ ଜଙ୍ଗଲର ଠିକ୍‌ ପୂର୍ବକୁ ବା ଆରପଟ ଢାଲୁରେ ଗଡ଼ ଜଗନ୍ନାଥପୁରର ଅବସ୍ଥିତି ଏବଂ ମୋ ମାମୁ ଘର ସେଠାରେ । ମୋ ମାମୁ ଜଣେ ଦକ୍ଷ ଶିକାରୀ ଓ ସେ କେବଳ ହାତୀ ଶିକାର କରିବାକୁ ସୁଖପାନ୍ତି । ମୋ ଅଜା ଯଦିଓ ବୃଦ୍ଧ, ଯୁଆନ ଥିଲାବେଳର ଗପ କୁହନ୍ତି ଏବଂ ମୋ ସୌଖିନ ଶିକାରୀ ପ୍ରବୃତ୍ତି ଦେଖି ଠୋ.......ଠୋ.......ଠୋ ହସନ୍ତି ।

 

ଆପଣ ଏ ଜଙ୍ଗଲରେ ଗୋଟାଏ ନିପଟ ଭୟାଳୁ ପ୍ରାଣୀକୁ ପ୍ରତି ମୁହୂର୍ତ୍ତରେ ଭେଟିବେ । ବଣମଣିଷ, ବାଘ ବା ହାତୀ ଦେଖିବେ ନାହିଁ । ଏଠାରୁ ୭-୮ମାଇଲ ଦୂରରେ ଦିଶୁଥିବା ଶାଳ ଜଙ୍ଗଲରେ ଆମେ ହରିଣ ବା ବାର୍‌ହା ଶିକାର କରିବା ।

 

ମୋ ମାମୁ ପୁଅ ଭାଇ ଏଇ ଜଙ୍ଗଲରେ ଶିକାର କାରିବାକୁ ଆସି, ଗୋଟାଏ ମୟୂର ପଛରେ ଦୌଡ଼ି ଦୌଡ଼ି ପାହାଡ଼ରୁ ଖସିପଡ଼ି ପ୍ରାଣ ହରାଇଲା । ମୁଁ ଭାଲୁ ହାବୁଡ଼ରୁ ଅନେକବାର ମୁକୁଳି ଆସିଛି । ମୁଁ ମୟୂର ଓ ଠେକୁଆ ଶିକାର କରେ ।

 

ଦକ୍ଷ ଶିକାରୀ ନ ହେଲେ ବାଘ ଦେହରେ ହାତ ଦେବାର ଦୁର୍ଘଟଣାର ବହୁ ଆଶଙ୍କା ଅଛି । ମୁଁ ବିଲେଇ ପୋଷେ ଏବଂ ବାଘକୁ ଭୟଙ୍କର ଭୟ କରେ ।

 

ମୋ ବାପା ଜଣେ ସରକାରୀ ପଦସ୍ଥ କର୍ମଚାରୀ ଥିଲେ ଓ ହଲିଲା ପାଣିରେ ଗୋଡ଼ ମଧ୍ୟ ଛୁଆଁଉ ନଥିଲେ । ସେ ସନ୍ଧ୍ୟାରେ କ୍ଲବ୍‌ ଯାଇଥିଲେ । ପାଇପ୍‌ ଟାଣୁଥିଲେ ଓ ଗାଡ଼ି ନିଜେ ଡ୍ରାଇଭ୍ କରି ଅନେକ ରାତିରେ ଘରକୁ ଫେରୁଥିଲେ । ବାପାଙ୍କ ସାଥୀ ଓ ଉପରସ୍ଥ ସରକାରୀ କର୍ମଚାରୀଗଣ ଆମ ଘରକୁ ପ୍ରାୟ ଆସୁଥିଲେ । ମୋତେ ଆଦର କରୁଥିଲେ ଏବଂ ମାମିକୁ ସୁଖ ପାଉଥିଲେ । ମାମି ମଧ୍ୟ ନିଜେ ଡ୍ରାଇଭ କରି ଜାଣେ ଓ ମୋତେ ପୂଜାରୀ ଜିମା ଛାଡ଼ି ଏକା ଏକା ଗାଡ଼ି ନେଇ ପାର୍କକୁ ଯାଏ ବା ସୋ ଦେଖେ । ବାପାଙ୍କ ସାଥୀ ସମସ୍ତେ ମାମିକୁ ଖୁବ୍‌ ତାରିଫ୍‌ କାରନ୍ତି ମୁଁ ଦେଖିଛି ବାପା ଖୁବ୍‌ ଗୋଟାଏ ଜିତାପଟର ହସ ହସନ୍ତି ।

 

ବାପାଙ୍କର ୫ବର୍ଷ ତଳେ ଅତ୍ୟଧିକ ମଦ୍ୟପାନରୁ ମୃତ୍ୟୁ ହେଲା । ମାମି ବି ତାଙ୍କ ମୃତ୍ୟୁର ୨ବର୍ଷ ପୂର୍ବେ ଆତ୍ମହତ୍ୟା କରିଥିଲା ।

 

ମୁଁ ଏକବାର ଏକଲା ଏବଂ ମାମି ନାଁରେ ଥିବା ସହରର ଦୋମହଲାର ଅଧେକଟିରେ ମୁଁ ରହେ ଏବଂ ଅର୍ଧେକ ଜଣେ ଖିରସ୍ଥାନ ଭଦ୍ରବ୍ୟକ୍ତି, ଯେ କି ଜଣେ ସମ୍ଭ୍ରାନ୍ତ କୁଳିନ ବ୍ରାହ୍ମଣ ଥିଲେ; ସହରର ଠିକ୍‌ ସେଇ ଛକ ଜାଗାଟିରେ ଗୋଟାଏ ଯୋତା ଦୋକାନ କରିଛନ୍ତି, ତାଙ୍କୁ ଭଡ଼ା ଦେଇଛି-

 

ରାମହରିବାବୁ ବିଏସ୍‌ସି.ପଢ଼ା ସମୟରେ ପ୍ରେମ ବିବାହ କଲେ ଏବଂ ଖିରସ୍ଥାନ ହେବାର ମୁଁ ଶୁଣିଛି ।

 

ମୋ ମାମୁ ପୁଅ ଭାଇ ଯେଉଁଦିନ ଏ ଜଙ୍ଗଲରେ ମୃତ୍ୟୁ ବରଣ କଲା ସେଦିନ ମଧ୍ୟ ତା ସାଥିରେ ଥିଲି ଏବଂ ଆମେ ଖରାବେଳୁ ଘରୁ ବାହାରି ଏଇ ଆଗରେ ସେଇ ତଇଲାରେ ସେ କୋଣର ନଟି–ବୁଦାରେ ଛପିକରି ରହିଥିଲୁ ଗୋଟାଏ କୋଟରାକୁ ଲକ୍ଷ୍ୟ ରଖି । କୋଟରାମାନେ ଡାଆଁଣିଆ ଖରାରେ କୋଳଥ ଖାଇବାକୁ ଆସନ୍ତି ଏବଂ ସଞ୍ଜରେ ପଳାଇଯାନ୍ତି । ଏ’ପାହାଡ଼ ତଳେ ପଶ୍ଚିମକୁ ଥୋଡ଼ାଏ ବାଟ ଗଲେ, ପ୍ରାୟ ଜଙ୍ଗଲ ପାରିହେଲେ ଗୋଟାଏ ଦଳୁଆ ପୋଖରୀ ପଡ଼ିବ ଏବଂ ସେଠାରେ ବହୁତ ଚଢ଼େଇ ପଡ଼ନ୍ତି । ଶୀତଦିନେ ଚଢ଼େଇ ମାରିବା ମୋର ଗୋଟାଏ ସଉକ୍‌ ଓ ମୁଁ ଅନେକ ସମୟରେ ମୋର ବନ୍ଧୁମାନଙ୍କ ସହିତ ପକ୍ଷୀ ଶିକାରରେ ଆସି ପୋଖରୀକୁ ଲାଗି ଝୋଟ ଡାକବଙ୍ଗଳାଟିରେ ଅବସ୍ଥାନ କରିଛି ଏବଂ ପୋଖରୀର ପଥର ଚଟାଣ ଉପରେ ବସି ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ କରିଛି ।

 

ପୋଖରୀରେ ଖୁବ୍‌ ନୀଳ କଇଁ ଫୁଟେ ।

 

ନୀଳ କଇଁରେ ମୋର ଆଦର । ଆପଣ କେବେ ଏକୁଟିଆ ଯଦି ଆସନ୍ତି, ଡାକ ବଙ୍ଗଳାର ଚୌକିଆକୁ କିଛି ପାନଖିଆ ଦେଲେ ସେ ଆପଣଙ୍କର ସମସ୍ତ ବନ୍ଦୋବସ୍ତ କରିଦେବ । ତା’ ଘର ଏଇ ନିକଟ ଗାଁରେ ଓ ସେ ଜାତିରେ ଶବର ।

 

ଶବର ସାହିରେ ଖୁବ୍‌ ଫୁଲ ଫୁଟେ । ରାତିରେ ବି ନିର୍ଦ୍ଧୁମ ଚାଙ୍ଗୁ ବାଜେ । ହାଣ୍ଡିଆ ଚାଙ୍ଗୁ ଓ ଶବର କନ୍ୟାମାନଙ୍କ ନାଚ ଆପଣ ଦେଖିପାରିବେ ଯଦି ସେ ଚୌକିଦାରଟିକୁ ହାତ କରିପାରିବେ-

 

ବାପାଙ୍କ ଅର୍ଦ୍ଦଳି ଗୋବର୍ଦ୍ଧନ ଓରଫ ଗୋବରାର ଗାଁ ବି ଏଇ ନିକଟରେ । ବାପା କହୁଥିଲେ, ଗୋବର୍ଦ୍ଧନ ରୋଜଗାରରେ ଫନ୍ଦି । ତାର ପାନଖିଆ ବାବଦରେ ୫।୭ଟା ଟଙ୍କା ଦିନରେ କମାଣି ଥିଲା ।

 

ଗୋବର୍ଦ୍ଧନର ପୁଅ ବର୍ତ୍ତମାନ କୌଣସି ମଫସଲ କଲେଜରେ ଅଧ୍ୟାପକ ଓ ଗୋବର୍ଦ୍ଧନ ନିଜେ ପଞ୍ଚାୟତର ସରପଞ୍ଚ ।

 

ବାପା ମରିନଥାନ୍ତି । ମୁଁ ସେତେବେଳେ ୨ୟ ବର୍ଷ କଲେଜର ଛାତ୍ର ଥାଏ । ଘୋଡ଼ା ଚଢ଼ି ଜଙ୍ଗଲରେ ଘୂରିବୁଲିଲେ, ସେକାଳର ରଜା ପୁଅ, ରାଜାଝିଅଙ୍କ ପ୍ରେମ କାହାଣୀ ମନେପଡ଼େ । ମୁଁ ଅନେକ ସମୟ ରଜାଝିଅ ଖୋଜି ବୁଲୁଛି ଘୋଡ଼ା ଚଢ଼ି–ଜଙ୍ଗଲ ଭିତରେ ।

 

ମାମୁ ଏବଂ ଅଜାଙ୍କର ବେଶ୍‌ ଚଉକସିଆ ଘୋଡ଼ା ପୁଞ୍ଜାଏ ଥିଲେ ।

 

ଆପଣ ବର୍ତ୍ତମାନ ଏଇ ଦାଢ଼ରୁ ମଝିରେ ଫୁଟିଥିବା ସେ ଗୋଟିକିଆ ନୀଳକଇଁର ଫଟୋ ନେଇପାରନ୍ତି । ବେଶ୍‌ ହେବ ଏକୁଟିଆ କଇଁଟିର ଫଟୋ । ନୀଳ ଜଳର ନୀଳ କଇଁ ଘଞ୍ଚ ବଣରେ ଶୀତଦିନ ଖରାବେଳରେ ନୀରବତା ମନରେ ଆଣିଦିଏ । ବଣରେ ବନ୍ଧୁକ କାନ୍ଧରେ ପକାଇ ଶୀତଦିନରେ ବୁଲିଲେ ବା ଫଗୁଣର ଫୁଲ ମଝିରେ ଶିକାର ଖୋଜିଲେ ଖୁବ୍‌ ନିଛାଟିଆ ଲାଗେ । ମୋତେ ଧାନକଟା ପରର ସେଇ ଶୂନ୍ୟ କିଆରି ଓ ଦୂରର ବଂଶୀ ବା ଟିପାଶବ୍ଦ ଖୁବ୍‌ ଭଲ ଲାଗେ । ଶୁନ୍ୟତା ଭିତରେ ଗଡ଼ି ଗଡ଼ି ବହୁ ଦୂର ଚାଲିଯିବାକୁ ବା ଗୋଟାଏ ପଥର ପିଠିରେ ଚାରିକାତ ଲମ୍ବାଇ ଶୋଇ ରହିବାକୁ ଆରାମ ଲାଗେ । ବଣରେ ଲଙ୍ଗଳା ହୋଇ ବୁଲିଲେ ପରିବେଶକୁ ଆପଣ ଆହୁରି ନିର୍ଜନ କରିଦେଇ ପାରିବେ ଏବଂ ଆପଣଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିଲେ କନ୍ଦା ଖୋଳିବାକୁ ଆସିଥିବା ଶବର ଝିଅମାନେ ଖାଲି ହସି ହସି ଲୋଟି ଯିବେ । ସେମାନେ ଆପଣଙ୍କୁ ପ୍ରାଣ ଦେଇ ଉପଭୋଗ କରିବେ ।

 

ଆପଣ ଆପଣଙ୍କର କଲେଜ ମେଟ୍‌ମାନଙ୍କୁ ସାଥିରେ ଧରି ପିକ୍‌ନିକ୍‌ପାଇଁ ଏ ବଣଟିକୁ ବାଛିପାରନ୍ତି । ସେମାନେ କିନ୍ତୁ ପାର୍କରେ ଆପଣଙ୍କ ସହିତ ତାଳଦେଇ ନାଚିବାକୁ ସୁଖପାନ୍ତି । ଏଠାକୁ ଆସିବାକୁ ସେମାନଙ୍କର ସାମାଜିକ ଭୟ । ଦେହ ଛୁଆଁ ଛୁଇଁ ସାଧାରଣ ଘଟଣା–ସେଥିପ୍ରତି ଧାରଣା ନ ଥାଏ ।

 

ଅନେକ ଦିନ ତଳର କଥା ମୋତେ ବୋଧେ ୧୦ ବା ୧୧ ବର୍ଷ ବୟସ ହୋଇଥାଏ । ବାପା, ମୁଁ, ମାମି ଓ ବାପାଙ୍କର ଜଣେ ବନ୍ଧୁ, ଆମେ ଯାଇଥାଉ ଆମ ସହରଠାରୁ ୭୦।୮୦ ମାଇଲ ଦୂରକୁ । ଡେରା ପଡ଼ିଥାଏ ସେଇ ପ୍ରକଣ୍ଡ ପାହାଡ଼ର ପାଦଦେଶରେ । ଗୁଡ଼ିଏ ଖପରେଲି ବଖରା । ବଖରାଗୁଡ଼ିକ ବେଶ୍‌ ଲଗାଲଗି ଓ ପଛରେ ତାର ନିଘଞ୍ଚ ଜଙ୍ଗଲ । ଶିଆଳିଲଟି । ଆଗରେ ବିସ୍ତୀର୍ଣ୍ଣ ତଇଲା ଓ ଶୀତଦିନର ସୋରିଷ ଫୁଲ ଭରି ରହିଥାଏ । ଗୋଟିଏ ପଟେ ସରୁ ଜିପ୍‌ ଯିବାପରେ ରାସ୍ତାଟିଏ ଆମେ ପାରି ହୋଇ ସନ୍ଧ୍ୟାରେ ପହଞ୍ଚିଲୁ ।

 

ଭୀଷଣ ଶୀତ ଓ ଅନ୍ଧାର । ମୁଁ ଶୋଇପଡ଼ିଥିଲି ଜିପ୍‌ରେ ଜଙ୍ଗଲ ଓ ପାହାଡ଼ ଛୋଟ ଖପଚେଲି ବଖରାକେଇଟା ନୀରବ ହୋଇ ଅନ୍ଧାରରେ ଯାକିଯିବା ପରି ମନେହେଉଥାଏ ।

 

ରାତିରେ ବିଚାର ହେଲା ରାତି ପାହିଲେ ଜଙ୍ଗଲ ବୁଲିଯିବା । ଶିକାର କରିବାକୁ ୨।୩ ଟି ଶବର, ବାପା ଓ ତାଙ୍କ ସାଙ୍ଗ ଯିବେ । ମାମି ମୁଁ ଯିବୁ ପାଖରେ ଥିବା ଝରଣାକୁ ।

 

ଝରଣାର ଶବ୍ଦ ରାତିରେ ସମୁଦ୍ରର ଗର୍ଜନ ପରି ଶୁଭୁଥାଏ ।

 

ମୋର ଠିକ୍‌ ମନେଅଛି । ବାପା ମୁଁ ସକାଳୁ ଉଠିଲାବେଳକୁ ମାମି ଓ ବାପାଙ୍କ ସାଥୀଜଣଙ୍କ ପ୍ରାତଃ ଭ୍ରମଣରୁ ଫେରୁଥାନ୍ତି ।

 

ମାମି ଗୋଟାଏ ଓଭରକୋଟ ଘୋଡ଼ିହୋଇ ହସି ହସି ଫେରିଆସିଲା ବାପାଙ୍କ ସାଥୀଜଣଙ୍କ ସହିତ । ମୋତେ ବିସ୍କୁଟ ଓ କମଳା ଦେଲା । କିନ୍ତୁ କ’ଣ ହେଲା କେଜାଣି ବାପା କୋଠରିଟିରେ ଥିବା ସମସ୍ତ କପ୍‌ପ୍ଲେଟ୍‌ ଓ ବ୍ୟାବହାରିକ ଜିନିଷପତ୍ର ଗୋଟିଏ ପରେ ଗୋଟାଏ ପଦାକୁ ଫୋପାଡ଼ି ଲାଗିଲେ ।

 

ମାମି ମୁହଁକୁ ଚାହିଁ ମୁଁ ବି ଶଙ୍କି ଗଲି । ମାମି କବାଟ କୋଣକୁ ଆଉଜି ଅଙ୍ଗୁଳି କାମୁଡ଼ି ଛିଡ଼ା ହୋଇଥାଏ କେବଳ । ସେଦିନ ସେ ଡାକବଙ୍ଗଳାର ଚୌକିଆ ମୋତେ ବୁଲାଇ ନେଲାପରେ କହିଥିଲା ସେ ସେଠାରେ ଗୋଟାଏ ଭୂତ ରାତିରେ ଛାତିରେ ମାଙ୍କଡ଼ ପରି ଡିଏଁ ଓ ଭାଲୁ ପିଠିରେ ବସି ତଇଳାରେ ଦୌଡ଼େ । ରାତିରେ କେହି ତାକୁ ଭେଟିଲେ ସକାଳେ ପାଗଳଙ୍କ ପରି ବ୍ୟବହାର କରେ ।

 

ପାହାଡ଼ ତଳ ଶିମିଳି ଡାହାଣୀ ଗୋଟାଏ ବସାବାନ୍ଧି ରହିଛି । ଅନେକ ଦିନ ତଳେ ଜଣେ ବାବୁ ତାଙ୍କ ସାଥିରେ ଜଣେ ସ୍ତ୍ରୀ ଲୋକକୁ ଆଣି ଏଠି ରହିଲେ ଓ ସକାଳୁ ବାବୁଙ୍କର ପତ୍ତା-ମିଳିଲା ନାହିଁ । ବାବୁୟାଣୀଙ୍କର ଦେହ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଶିମିଳି ଗଛତଳେ ପଡ଼ିଥିବାର ଲୋକେ ଦେଖିଥିଲେ ।

 

ସେଦିନୁ ସେ ଗଛରେ କାନ୍ଦ କୁଆଡ଼େ ଶୁଭେ ଓ ଜଣେ ସ୍ତ୍ରୀଲୋକ ଜହ୍ନ ରାତିରେ ଲଙ୍ଗଳା ହୋଇ ଲୁଗା ଶୁଖାଉଥିବାର ଚୌକିଦାର ନିଜ ଆଖିରେ ଦେଖିଥିବା କଥା କହୁଥିଲା ।

 

ସେଥିପାଇଁ କୁଆଡ଼େ ଏଠି ଗୁଳି ଫୁଟେ ନାହିଁ । ବାଘ ଆସେ ନାହିଁ ଓ ରାତିରେ ଝରଣାଟି ସମୁଦ୍ର ପାଲଟେ ।

 

ବାପା ସେଦିନ ତଇଳା ମଝିରେ ଚୌକି ପକାଇ ଖୁବ୍‌ ଚୁରୁଟ୍‌ ଟାଣିବାର ମୁଁ ଦେଖିଛି । ମୁଁ ଦେଖିଛି ସେ ରାସ୍ତାରେ ବହୁ ଜଙ୍ଗଲ ସ୍ତ୍ରୀ ଲୋକମାନଙ୍କୁ । ସେ ରାତିରେ ମୁଁ ଶୋଇନି । ବାପା ରାତି ଅଧରେ ଖୁବ୍‌ ମଦଖାଇ ଖଟରୁ ଗଡ଼ିପଡ଼ି ବେହୋସ୍‌ ହୋଇ ତଳେ ଶୋଇଯାଇଛନ୍ତି । ବାବି କାନ୍ଦି କାନ୍ଦି ତକିଆ ଓଦା କରିଛି ।

 

ମାମି ମରିବା ଆଗରୁ ମୋତେ ଜଙ୍ଗଲ ଆସିବାକୁ ମନା କରିଥିଲା ଓ ବାପା ପ୍ରତ୍ୟେକ ସମୟରେ ମୋତେ କ୍ଲବ ଯିବାକୁ ବାରଣ କରୁଥିଲେ ।

 

ମୁଁ ବାପାଙ୍କ ପରେ କ୍ଲବକୁ ରିତିମତ ଯାଏ ଏବଂ କେବେ କେବେ କ୍ଲବରୁ ଗାଡ଼ି ଧରି ସିଧା ଜଙ୍ଗଲକୁ ଯାଇ ଡାକବଙ୍ଗଳାରେ ରାତି କଟାଏ ।

 

୩୫ ପୂରି ମୋତେ ବର୍ତ୍ତମାନ ୩୬ ଚାଲିଛି । ମୁଁ ଗର୍ବର ସହିତ ଏତିକି କହିବି ଯେ ମୋ ଯୋଗୁଁ ମିସେସ୍‌ ରାଏ, ମିସେସ୍‌ ସିହ୍ନା ଓ ମିସେସ୍‌ ସମ୍ପଦ, ଜଙ୍ଗଲର ସତେଜ ଫୁଲ ଜୁଡ଼ାରେ ଖୋସିଛନ୍ତି ଏବଂ ବଣରେ ଜିଅଁନ୍ତା ବାଘ ଦେଖିପାରିଛନ୍ତି ।

☆☆☆

 

ସ୍ୱର କୌଣସି ଆଶଙ୍କାର

 

ଦାମି ସିଗାରେଟ୍‌ ଟାଣି, ବିଜୁଳି ଆଲୁଅ ଓ ପଙ୍ଖା ତଳେ ବସି ଖୁବ୍‌ ଗୋଟାଏ ଫୂର୍ତ୍ତିର ହସ ହସି, ଓ ଅନ୍ୟମନସ୍କତା ଦେଖାଇଲା ପରି କେତେକ ବ୍ୟବସାୟିକ ପ୍ରଶ୍ନ ପଚାରିବାରେ ସେ ଧୁରନ୍ଧର । ପ୍ରିୟବ୍ରତର ବ୍ୟବସାୟିକ ବୁଦ୍ଧି ଏ ଦୃଷ୍ଟିରୁ ଖୁବ୍‌ ପ୍ରଖର; କାରଣ ତାର ଏ’ ବ୍ୟବସାୟରେ ଦକ୍ଷତା ହାସଲ କରିବାକୁ ଲାଗିଛି ତିନିଟି ପୁରୁଷ ।

 

ପ୍ରିୟବ୍ରତକୁ ଦେଖିଲେ ସେ’ଦିନର ଜମିଦାରୀ ଆଦବକାଇଦା, ଯାହା ଆମେ ଦେଖିନୁ ବା ଅଙ୍ଗେ ଲିଭେଇନୁ, ମନେପଡ଼େ ।

 

ମନେକରନ୍ତୁ ଗୁମାସ୍ତାକୁ ବାରମ୍ବାର ଡାକିବାକୁ ପଡ଼ିପାରେ । ବା ପୂଜାରୀକୁ ବିଜୁଳି ଘଣ୍ଟି ଚିପି କେତେବେଳେ ଚା’ କେତେବେଳେ ବା କଫିର ବରାଦ ଦିଆଯାଇପାରେ । ଡ୍ରାଇଭର ଗାଡ଼ି ନେଇ ମା’ କୁଆଡ଼େ ଯିବେ, ତାଙ୍କୁ ଛାଡ଼ି ଆସିବାକୁ ଆଦେଶ ଦିଆଯାଇପାରେ ଏବଂ ଅନ୍ୟ ସମୟତକ ନିଜ ପାଖରେ କାମ କରୁଥିବା ବୟସ୍କ ଓ ଅଧିକ ବିଦ୍ୟା ହଜମ କରିଥିବା ବ୍ୟକ୍ତିଗୁଡ଼ିକୁ ତାଙ୍କ ସହିତ ପରାମର୍ଶ କରିବାକୁ କୁହାଯାଇପାରେ ।

 

ଗୋଟାଏ ହାୱ୍ୟାରେ ଲମ୍ବା ମଣିଷଟାଏ ସାଜି, ଖୁବ୍‌ ଲମ୍ବା ଲମ୍ବା ପାଦ ପକାଇବାର ଏ’ ହେଲା ଗୋଟାଏ ଧୁରନ୍ଧର ହେବାର ଜିତିଯିବା ପଣିଆ ।

 

ପ୍ରିୟବ୍ରତଙ୍କର ବ୍ୟବସାୟିକ ବନ୍ଧୁ ସଚିନ, ମନୋଜ, ହେମନ୍ତ ଓ ପ୍ରିୟମ୍ବଦାଙ୍କ ବ୍ୟବସାୟିକ ଆଦବକାଇଦାରେ ସାମାନ୍ୟ ପାର୍ଥକ୍ୟ ଲକ୍ଷ୍ୟ କରିବାର କଥା ।

 

ସାତଫୁଟ ସଚିନ ଚୌଧୁରୀ ବୁଟ ଯୋତା ପିନ୍ଧି, ତେଲେଙ୍ଗି ପିଙ୍କା ଟାଣି ନିର୍ଦ୍ଧୁମ ଖରାବେଳଟାରେ ବେଳେବେଳେ ହସିଉଠନ୍ତି । ବିନା ଝଡ଼ରେ ଗୋଟାଏ ବିରାଟ ବୃକ୍ଷ ଭାଙ୍ଗିପଡ଼ିବାର ଭ୍ରମ ଉପୁଜି ପାରେ ତାଙ୍କ ମନରେ; ଯେଉଁମାନଙ୍କର ବରିଚୟ ସଚିନ ଚୌଧୁରୀ ମୋଟେ ଜାଣନ୍ତି ନାହିଁ ବା ସେମାନେ ତାଙ୍କ ହସିବାର ଢଙ୍ଗ ମୋଟେ ଦେଖିନାହାନ୍ତି ।

 

ସେ ଯେଉଁ ବୟସ୍କ ଭଦ୍ରବ୍ୟକ୍ତି ଜଣକ ସର୍କସ ଦଳରେ ଘୋଡ଼ା ଦୌଡ଼ାଇ ବାହାବା ନେଉଥିଲା ଏବଂ ନିଜକୁ ସେଥିରୁ ଓହରାଇ ଆଣି ଆଜି ୪୦ମସିହାରେ ହରକୁଲେସ୍‌ ସାଇକେଲରେ ବେକ ନୁଆଁଇ ଯା’ ଆସ କରନ୍ତି; ତାଙ୍କ ଚନ୍ଦାମୁଣ୍ଡ ଓ ବଳିଷ୍ଠ ମାଂସପେଶିକୁ ଦେଖିଲେ ମନରେ ଗର୍ବ କରିବାର ଅବକାଶ ପହଞ୍ଚେ । ସଚିନ ସାଙ୍ଗରେ ସେ ଟକ୍‍କର ଦିଅନ୍ତି । ନିଜ ଚାରି ପାଖରେ ନିଜ ଉପରକୁ କୌଣସି ଆପତ୍ତି ନ ଆସିବାର ସମସ୍ତ ଉପାୟ ଚିନ୍ତା କରିବାର ଠିକ୍‌ ପର ମୁହୂର୍ତ୍ତରେ ସେ ଦୁନିଆକୁ ଲାତ ମାରିବା ଢଙ୍ଗରେ କଥା କହନ୍ତି ଏବଂ ବିଧାମାରି ପଣସ ପଚାଇବା ପଣିଆର ମଣିଷ ସେ ।

 

ମନୋଜକୁ ଦେଖିଲେ ବେଶ୍‌ ଆନନ୍ଦ ମିଳେ । ପୁରୁଷ ନ ହୋଇ ସ୍ତ୍ରୀଟିଏ ହୋଇଥିଲେ ! ସେ ତାଙ୍କ ବୟସର ସମସ୍ତ ସୁନ୍ଦରୀ ତରୁଣୀଙ୍କଠାରୁ ମଧ୍ୟ ସୁନ୍ଦରତମ ଏବଂ ପ୍ରିୟମ୍ବଦୀ ଆସୁଥିବାର ଲକ୍ଷ୍ୟ କରାଗଲେ ତାଙ୍କ ନିକଟରେ ଚଉକିଟିକୁ ଛାଡ଼ି ଦିଆଯାଇଥାଏ ତାଙ୍କ ବନ୍ଧୁଙ୍କର ତାଙ୍କପ୍ରତି ଏତାଦୃଶ୍ୟ ସହାନୁଭୂତିର ନିଦର୍ଶନ ସ୍ୱରୂପ ।

 

ସେ ଯେଉଁ ବ୍ୟକ୍ତି ଜଣକ ଯାହାକୁ ଦେଖି ମୋର ‘ଜିନ୍‌ଭଲ–ଜିନ୍‌’ର ଇତିହାସ ମନେପଡ଼େ, ପ୍ରିୟବ୍ରତଙ୍କ ଘରେ ତାଙ୍କୁ ମୁଁ ଦେଖେ । ଧଡ଼ିଛିଡ଼ା ହାପ୍‌ପ୍ୟାଣ୍ଟ କାନ୍ଧରେ ଫଟା ସାର୍ଟ ଝୁଲାଇ, ଡେକ୍‌ ଯୋତା, ବଙ୍କୁଲି ବାଡ଼ି ଓ ଲଣ୍ଠନ ଜଳାଇ ସେ ଆସି ସନ୍ଧ୍ୟା ୭ଟା ୮ଟାରେ ପହଞ୍ଚନ୍ତି ଏବଂ ବିଡ଼ିଟାଣି ‘‘ଶୁଭ ସନ୍ଧ୍ୟା’’ର ସ୍ୱାଗତ ସେ ପୁଣି ଫେରିଯାନ୍ତି ।

 

ମନେପଡ଼େ ଏକ ପାରିଲା କ୍ୟାପଟେନ: ଯେ ଗୋଟାଏ ଝଡ଼ିରେ ନିଜର ଜାହାଜ ହରାଇ ଭାସି ଭାସି ଅଜଣା କୂଳରେ ଆସି ଲାଗିଲା । ସମୟକୁ ହଜମ କରି, ପାକଳ ଦାଢ଼ି ଓ ପାଚିଲା ବାଳ ପୁଳାଏ ପିଠିରେ ଲଦି ଘରକୁ ଫେରି ଦେଖିଲା, ସମୟ ଢେଉ ହୋଇଯାଇଛି । ତାର ଚିହ୍ନା ମୁହଁ, ଯାଗା, ପରିଜନ ସବୁ କେମିତି ବତାସରେ ସ୍ମୃତି ହୋଇ ରହିଯାଇଛନ୍ତି ।

 

ଜୀବନକୁ ଜିତିବାପାଇଁ ଶୁଅର ତୋଡ଼ ସହିବାକୁ ପଡ଼ିବ ।

 

ଶୁଭ ସନ୍ଧ୍ୟା, ଶୁଭ ପ୍ରଭାତରେ ବୈଜୟନ୍ତି ଗାଇ ମନଟାକୁ ଫାଙ୍କା କରି ବିଡ଼ିଟାଣିଲେ ଆନନ୍ଦ ମିଳିବ ।

 

ହଂସର ଡେଣାରେ ସିନା ସମୟ ପହଁରି ଚାଲିଯିବ ! ନିଜେ ସମୟ ପହଁରିବାକୁ ପିଠିକୁ ଟାଣ କରିବାକୁ ହେବ ।

 

ନୟାନ୍ତ ହେବାଟା ମଣିଷ ପଣିଆ ।

 

ତାଙ୍କର ବକ୍ତୃତା ଶୁଣିବାପାଇଁ ହୁଏତ ଧୈର୍ଯ୍ୟ ନ ରହିବାର କଥା । ମୁଁ କିନ୍ତୁ ଶୁଣି ଶୁଣି ହାଲିଆ ହୁଏ ଏବଂ ଗୁମ୍‍ମାରି କିଛିସମୟ ଅନ୍ଧାରକୁ ଅଣ୍ଡାଳିବା ଆରମ୍ଭ କରିଦିଏ । କାରଣ ସେ ପାତାଳ, ନଇଁଲା ଭଦ୍ରବ୍ୟକ୍ତି ଜଣକ ଯେ ନିଜ ସ୍ତ୍ରୀଙ୍କୁ ହରାଇବାର ଏକୋଇଶ ବର୍ଷ ପରେ ମଧ୍ୟ ସନ୍ଧ୍ୟାରେ ବେଳେବେଳେ ସ୍ୱପ୍ନ ଦେଖନ୍ତି । ତାଙ୍କଠାରୁ ଶୁଣିଛି; ଭୁଲ୍ ଗୋଟାଏ, ମନର ବିକାର । ସେ ଏ’ କଥାଟାକୁ ଖୁବ୍‌ ଯୋର ଦେଇ ଗଳା ଝାଡ଼ି କହନ୍ତି ଓ ଟେବୁଲରେ ଜିତାପଟର ପାପୁଲି ପିଟି ନିଜ କଥାର ଗାମ୍ଭୀର୍ଯ୍ୟ ବଢ଼ାଇ ଦିଅନ୍ତି ।

 

ଏଇ ଭଦ୍ରଲୋକଟି ପୁଣି ଗୋଳମାଳ, ପାଟି ତୁଣ୍ଡକୁ ଜମାରୁ ବରଦାସ୍ତ କରିନପାରିଲେ ବି ପ୍ରତି ରବିବାର ଦିନ ଦିନତମାମ ପଶାଖେଳର ଧୁମ୍‌ଧାମ୍ ଭିତରେ ରବିବାରର ପାଣିଚିଆ ଅପରାହ୍ନକୁ ଜିତିଯାନ୍ତି ।

 

ଚାହାର ରଙ୍ଗଠାରୁ ଶିଶୁର ଦରୋଟି ପର୍ଯ୍ୟନ୍ତ ଯେତୋଟି ପର୍ଯ୍ୟାୟ ସେ ଅନୁଭବ କରନ୍ତି, ତାକୁ ବେଶ୍‌ ଉପଲବ୍‌ଧି କରି ପ୍ରାଣଦେଇ ଓ ଆନ୍ତରିକତାର ସହିତ ଟିକିଏ ହସିଦିଅନ୍ତି ।

 

ସେ ମୋତେ ପ୍ରିୟବ୍ରତଠାରୁ ମଧ୍ୟ ଅଧିକ ସୁଖପାନ୍ତି । ମୋ ଶୂନ୍ୟତା ଓ ତାଙ୍କ ଶୂନ୍ୟତା ମଝିରେ ପ୍ରିୟବ୍ରତ, ସଚିନ୍‌ ଓ ଅନେକେ ଆମପରି ଘୂରିବୁଲିଥିବାର ଆମେ ଲକ୍ଷ୍ୟ କରୁଛୁ ।

 

ପ୍ରିୟବ୍ରତ, ସଚିନ ଓ ମୋର ବ୍ୟବସାୟରେ ମୋଟେ ପାର୍ଥକ୍ୟ ନାହିଁ । ମୁଁ କିନ୍ତୁ ପ୍ରିୟବ୍ରତକୁ ଦେଖେ ଭିନ୍ନ ଦୃଷ୍ଟିରେ । କାରଣ ମୋର ସେ ଏକ ମସ୍ତବଡ଼ ଭୟ; କାଳେ ମୁଁ ତା’ଠାରୁ ତଳକୁ ‘ଖସି’ଯିବିନିତ ?

 

ତା’ ସହିତ ମୋର ନ ମିଶିବାର ଏଇହେଲା କାରଣ ।

 

ମୁଁ ତ ପୁଣି ଗୋଟାଏ ଖରାବେଳଟାରେ ହଠାତ୍‌ ୫’.୭’’ ରୁ ୯’.୮’’ ହୋଇ ସେରୱାନି ଓ ବେକଚିପା ଲମ୍ବା କଳା କୋର୍ଟ ପିନ୍ଧି ଟହଲ୍‌ ମାରିବି !!

 

ଏବଂ

 

ସେତେବଳେ ଯେବେ କେହି ମୋତେ ପଚାରେ, ମୁଁ ଏତେଶୀଘ୍ର ବଦଳିଗଲି କିପରି ? ମୁଁ ଉତ୍ତରରେ ହୁଏତ କହିପାରିବି ଯେ ଏ’ମୋର ପାରିଲା ପଣିଆ । ତୁମେ ମୋ ପଛରେ ରହି ମୁଁ ଯାହା କହୁଛି ଶୁଣ ଏବଂ ତାଳି ଦେଇ ମୋ’ କଥାଗୁଡ଼ାକର ସମ୍ମତି ଦିଅ ।

☆☆☆

 

କେତେ ରଙ୍ଗ ସମୟର !

 

ଅନେକ ପଥ–କ୍ଲାନ୍ତି ପରେ ମୁଁ ଯେଉଁଠାରେ ବିଶ୍ରାମ ନେଲି, ସେ ଏକ ଆଧୁନିକ ସହରର ଅତ୍ୟାଧୁନିକ ହୋଟେଲ । ମୋ କୋଠରି ନମ୍ବର ୨୮ ଓ ସେଥିରେ ଦୁଇଟି ବେଡ଼୍‌ । ବାଥ୍‌ରୁମ୍‌ । ସ୍ୱୟଂସମ୍ପୂର୍ଣ୍ଣ କୋଠରିଟିଏ । ରାକ୍‌ରେ କିଛି ଇଂରାଜୀ ଓ ହିନ୍ଦି ବହି । ବିରାଟ ଏକ ଦର୍ପଣ ଏବଂ ଏକ ୱାଡ଼୍‌ ରୋବ୍‌ ।

 

ମୁଁ ସିଙ୍ଗଲ୍‌ ବେଡରୁମକୁ କାହିଁକି ମୋଟେ ବସନ୍ଦ କରେ ନାହିଁ ।

 

କୋଠରିଟିରେ ଚଟାଣଟି ମୋଜାଇକ୍‌ । କାନ୍ଥ ସାମାନ୍ୟ ନୀଳରଙ୍ଗ । ନିୟନ ଆଲୁଅ କୋଠରିଟିକୁ ପୂର୍ଣ୍ଣ କରି ରଖିଛି ।

 

କାର୍ଯ୍ୟ ନଥିଲେ ବି କାର୍ଯ୍ୟରେ ଆଳ ଦେଖାଇ ମୁଁ ଅନେକ ସମୟରେ ଘର, ମୋ ପରିଚିତ ସହରଠାରୁ ବାହାରକୁ ବାହାରି ଆସି ଏପରି ଏକ ଏକୁଟିଆ କୋଠରିରେ କିଛିଦିନ କଟାଇ ପୁଣି ନିଜ ସହରକୁ ଫେରିଯାଏ । ଗୋଟାଏ ଯନ୍ତ୍ରପରି ବ୍ୟସ୍ତଥିବା ମଣିଷ ମୁଁ, ଅନେକଙ୍କୁ ନେଇ ମୋର ପରିଚିତ ସ୍ଥିତିକୁ ଭାବି ଭାବି ଆନନ୍ଦ ପାଇ ଓ ହୋଟେଲ ବୟ ଉପରେ ଭୀଷଣ ବିରକ୍ତି ପ୍ରକାଶ କରି ଫେରିବା ଦିନୁ ତାକୁ ମୋଟା ବକ୍‌ସିସ୍‌ ଦେଇ ଫେରିଯାଏ ।

 

ମୋ ସହରର ମୁଁ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି । ମୋର ପରିଚିତ ବହୁ ଲୋକଙ୍କ ନିକଟରେ । ମୋ ସହରର ଏକ ସମ୍ଭ୍ରାନ୍ତ ବସ୍ତିରେ ମୋର ତ୍ରିଗଳ ପ୍ରାସାଦ ଓ ମୋର ଡ୍ରାଇଭର ଗାଡ଼ିଧରି ମୋତେ ଅପେକ୍ଷା କରି ବସି ରହେ, ଘଣ୍ଟା ପରେ ଘଣ୍ଟା । ଡ୍ରାଇଭରଗୁଡ଼ାକ କେବଳ ସେମାନଙ୍କ ଅପେକ୍ଷାପାଇଁ ଦରମା ପାଇଥାନ୍ତି । କାମ କରି ଅର୍ଥ ଉପାର୍ଜନ କରିବା ଯେପରି ଏକ ସାମାଜିକ ନିୟମ, କାର୍ଯ୍ୟବ୍ୟସ୍ତ ଲୋକଙ୍କୁ ଅପେକ୍ଷା କରି ଦୀର୍ଘ ସମୟ ବସି ମଧ୍ୟ ଏକ କାର୍ଯ୍ୟ ଓ ଅର୍ଥୋପାର୍ଜନର ଆଉ ଏକ ସ୍ୱତନ୍ତ୍ର ନିୟମ ।

 

ମୋ ଘରର ରଙ୍ଗ ଓ ଡିଜାଇନ୍‌ ବଦଳାଇବା, ପ୍ରତିବର୍ଷର ନୂଆଗାଡ଼ିର ମୋହ ଓ ପ୍ରତିଦିନ ଦାଢ଼ିକାଟି ମୋତେ ଗୋଟାଏ କଂକ୍ରିଟର ମଣିଷ ପରି ଗଢ଼ି ତୋଳିଛନ୍ତି । ମୋର ପିଲାମାନେ କନ୍‌ଭେଣ୍ଟ ଓ କ୍ୟାମ୍ବ୍ରିଜ୍‌ରେ ଇଂରେଜୀ ମାଧ୍ୟମାରେ ପାଠ ଶିଖନ୍ତି ଓ ମୋ ଡ୍ରଇଂରୁମର ଗୋଟାଏ କୋଣ ମାଡ଼ି ଏକ ବିରାଟ ପିଆନୋ କେବଳ ବେଳେ ବେଳେ ରାତିଅଧରେ ବାଜିଉଠେ ଓ ସେଥିରୁ ମୁଁ ଶୁଣିବାକୁ ପାଏ ଗୋଟିଏ ନିରୀହ ନାରୀର ଯୁଗଯୁଗର ଦୀର୍ଘଶ୍ୱାସ । ମୁଁ ବହୁ ରାତିରେ ନିଜ ବିଛଣାକୁ ଯାଏ ଓ ବଡ଼ି ସକାଳୁ ଉଠି କାର୍ଯ୍ୟରେ ବ୍ୟସ୍ତ ରହେ । ମୋର ପରିଚିତ ପ୍ରେମିକା, ଯାହାକୁ ମୁଁ ବିବାହ କରିଛି, ତା’ର ମୁହଁ ଅନେକ ଦିନରୁ ମନେ ନାହିଁ । ପିଲାଙ୍କ ନିକଟରେ ମୁଁ କେବଳ ଗୋଟାଏ ଡାଡ଼ି । ସପ୍ତାହର ଶେଷ ଦିନରେ ସେମାନେ ମୋର ଦେଖାପାଆନ୍ତି ।

 

ଏ ଯେଉଁ ସହରରେ ମୁଁ ଆସି ପହଞ୍ଚିଛି, ସେଠାରେ ମୋର ପରିଚୟ ନାହିଁ । ଏକ ବିରାଟ ଜନସମାଗମ ଭିତରେ ବ୍ୟକ୍ତିତ୍ୱ ହଜିଯିବାର ଦୁଃଖ ଥିଲେ ବି ନିଜ ଭିତରର ମଣିଷଟା ଲୁଚାଇ ରଖିବାର ଆବଶ୍ୟକତା ପଡ଼େନାହିଁ । ଛଳନା ଏପରି ଏକ ବଡ଼ ସହରରେ ହୁଏତ ଖୁବ୍‌ ଉତ୍କଟତର କିନ୍ତୁ ମୋ ପରି ଦୁଇ ତିନିଦିନର ଅତିଥିପାଇଁ ତା’ର ବି ଆବଶ୍ୟକତା କେବେ ଅନୁଭବ କରିନାହିଁ ।

 

ମୁଁ ଦିନେ ଚାରିଟାରୁ ଏ ସହରରେ ପହଞ୍ଚି ସିଧା ସିଧା ହୋଟେଲରୁ ଆସି ରୁମ୍‌ ବନ୍ଦକରି ଶୋଇରହିଛି । ବୟ ମୋର ଆବଶ୍ୟକୀୟ କଫି ଓ ସିଗାରେଟ୍‌ ରଖିଦେଇ ଦର୍ଜା ବନ୍ଦ କରିଦେଇଛି-। ତା’ର ଉପସ୍ଥିତି ରାତି ୧୦ଟା ପର୍ଯ୍ୟନ୍ତ ମୋ ନିକଟରେ ଅନାବଶ୍ୟକ ।

 

୨୮ନମ୍ବର ରୁମରେ ପୂର୍ବପଟ ଝର୍କାରୁ ମୁଁ ବିଛଣାରୁ ହାମୁଡ଼େଇ ସହରର ପ୍ରଧାନ ରାସ୍ତାକୁ ନିରୀକ୍ଷଣ କରୁଛି । କେତେ ରଙ୍ଗ, ବର୍ଣ୍ଣ କେତେ ସ୍ୱାଭାବିକ ଓ ଅସ୍ୱାଭାବିକ କ୍ଷିପ୍ର ଓ ଶିଥିଳ ଗତି । ସାଇକେଲ ସ୍କୁଟର, ଟ୍ରାମ ଓ ଅନେକ ବିରାଟ ଅସୁର ପରି ସେଗୁଡ଼ାକ । କାରର ଧାଡ଼ି । ରଙ୍ଗ ବେରଙ୍ଗର ଗାଡ଼ି ମଟର ଦେଖିଲେ ମଣିଷର ପରିଚୟ ଓ ପରିପାଟୀର ଆଭାଷ ମିଳୁଛି । ରାସ୍ତାରେ ଅପେକ୍ଷା ନାହିଁ । ଯେ ଯାହା କାର୍ଯ୍ୟ ଓ କାରଣ ଭିତରେ ପେଷିହୋଇ ଗୋଟାଏ କ୍ୟୁରେ ଛିଡ଼ା ହେବା ମଣିଷ ପରି ଚାଲିଛନ୍ତି । କ୍ୟୁଗୁଡ଼ାକ ଗତି କରୁଛନ୍ତି । କେହି କାହାକୁ ନ ଅନାଇଁ ବା କାହାର ଆବଶ୍ୟକତା ଅନୁଭବ ନକରି । ଏପରି ଚାଲିବା ଗୋଟାଏ ଅଭ୍ୟାସରେ ପଡ଼ିଗଲାଣି । ଏପରି କ୍ୟୁ–ଜୀବନ ବ୍ୟତିରେକ, ଜୀବନ ଯେପରି ମୂଲ୍ୟହୀନ ସେମାନଙ୍କପାଇଁ ।

 

ରାସ୍ତାରୁ ଏକ ବିରାଟ ପଟୁଆର, ଲମ୍ବା ନିଆଁ ହୁଳା ଓ ପତାକା ଧରି ଧାଡ଼ିବାନ୍ଧି ସେଇ କ୍ୟୁରେ ଚାଲିଛନ୍ତି । ରାସ୍ତା ଅବରୋଧ କରି ମାଡ଼ିଆସୁଛନ୍ତି । ସ୍ଲୋଗାନ । ସ୍ଲୋଗାନ ଭିତରେ ରାସ୍ତାର କ୍ଲାନ୍ତି ଭୁଲି ଯାଇଛନ୍ତି । ସେମାନଙ୍କର ବୋନସ୍‌ ଦରକାର । ମହଙ୍ଗାଭତ୍ତା ଓ ଘରଭଡ଼ା ଏବଂ ଚିକିତ୍ସାର ଆବଶ୍ୟକୀୟ ଅର୍ଥ ସରକାର ଦେବା ଉଚିତ୍‌ । ଚାରିଦିନ ହେବ କାମରେ ଯୋଗ ନ ଦେଇ କେବଳ ସଭା ଓ ଶୋଭାଯାତ୍ରା ଚାରିଦିନ ଧରି କାର୍ଯ୍ୟ ନକରି ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା କ୍ଷତି ଘଟିଯିବା ପରେ ସେମାନଙ୍କର ଧାରଣା ଗୋଟାଏ ଗୋଟାଏ ସମାଧାନର ବାଟ ସରକାର ଖୋଜିବେ । ସରକାରଟାକୁ ଏକଘରିକିଆ କରି କ୍ଷତିରେ ପକାଇଲେ, କେବଳ ମାତ୍ର ଲାଭ !

 

ଅଶିକ୍ଷିତ , ଅରକ୍ଷ, ଟିପଚିହ୍ନଦିଆ ନିତିଦିନର କୁଲି ବା କ’ଣ ବୁଝିବ ସରକାର କିଏ ଓ କାହାର ? ସେ ବା କାହିଁକି ପଚାରିବ ସେ କେବେ ଭୋଟ୍ ଦେଇଥିଲା ? କାହାକୁ ? କି ଆଦର୍ଶପାଇଁ ବା କି ଉଦ୍ଦେଶ୍ୟରେ ? ସେ ଦେଖୁଛି ତା’ଠାରୁ ଅଧିକ ଜାଣିଲା ଓ ପାରିବାର ମଣିଷଟା, ତା’ ସାଥି କୁଲି ଭାଇଟା ଗୋଟାଏ ସ୍ଳୋଗାନ ଦେଲା ଏବଂ ସେ ବି ଦେଲା । ଏ ଏକ ପାଥେୟ ତା’ପାଇଁ । ଏଥିରେ ଚିନ୍ତା କରିବା ବା ଚିନ୍ତାକରି କାର୍ଯ୍ୟ କରିବାକୁ ବା ପ୍ରଶ୍ନ କରିବାକୁ ସମୟ ମିଳେ ନାହିଁ । ଠେଲାଠେଲି ।

 

ନୀତି, ନିୟମ ଓ ଆଦର୍ଶ ପୁରୁଣାକାଳିଆ ମତବାଦ । ଗଣପାଇଁ ଜଣକର ଜୀବନ । ଜଣକପାଇଁ ଗଣ କ’ଣ ଅପେକ୍ଷା କରିବ ନା ପଛରେ ପଡ଼ିରହିବ !

 

କାନ୍ଥ ପୋଷ୍ଟରରୁ ବୁଝାଯାଉଛି ସହର ବନ୍ଦପାଇଁ ଡାକରା ଆଜି ସଭାରେ ନିଷ୍ପତ୍ତି ନ ହେଲେ, ବୋନସ୍‌ ଓ ମହଙ୍ଗାଭତ୍ତାର ହାର ପରିବର୍ତ୍ତନ ନ ହେଲେ, ସହର ବନ୍ଦ । ପାଣିପାଇପ୍‌, ଇଲେକଟ୍ରିକ୍‌ ମଜଦୁର ସେଥିରେ ଯୋଗ ଦେବେ ଓ ସହରକୁ ଚବିଶ ଘଣ୍ଟାପାଇଁ ପଙ୍ଗୁ କରିଦେବେ ।

 

ଗୋଟାଏ ଦ୍ରୁତ ଜୀବନକୁ ବ୍ରେକ୍‌ ଦେଇ କିଛି ସମୟ ଅଚଞ୍ଚଳ–କରିଦେଲେ, କେତେ ଲୋକ ମୋପରି ନିଶ୍ୱାସ ମାରିପାରନ୍ତେ ! ଉପବାସ ଓ ଗରମରେ ସଢ଼ି ସଢ଼ି ଆମପାଇଁ ଦିନରାତି ଖଟୁଥିବା ମଣିଷଗୁଡ଼ାକପାଇଁ ଆମେ ସମବେଦନା ଜଣାଇ ପୁଣି ତାଙ୍କ ସାଥିରେ ମିଳି ସରକାର ଭାଙ୍ଗନ୍ତୁ ।

 

ମଜଦୁର ରାମିଆ ବା ଫଗୁଆ କାହିଁକି ବୁଝିବେ ତା’ ୟୁନିୟନର ସଭାପତିର ଉଦ୍ଦେଶ୍ୟ । ନିର୍ମଳବାବୁ ତ ଜଣେ ଶିକ୍ଷିତ ପାରିଲାପଣିଆର ମଣିଷ । ସେ ଖାଲି ସାଧାସିଧା ମଣିଷ ନୁହନ୍ତି, ମଣିଷ ଚରାଇଲା ମଣିଷ ସେ । ତାଙ୍କର ଗୋଟାଏ ପଦ କଥାରେ ତିନିହଜାର ଶ୍ରମିକ ଚାରିଦିନ ହେବ କାମ ବନ୍ଦ କରିଦେଇ ପାରିଛନ୍ତି । ରାମିଆ ବା ଫଗୁଆ କାହିଁକି ବୁଝନ୍ତେ ନିର୍ମଳବାବୁଙ୍କ ସ୍ୱପ୍ନ । ସେମାନେ ଓ ସେମାନଙ୍କ ପରି ଅନେକ ନୀରିହ, ଅପାଠୁଆ ଶ୍ରମିକଙ୍କ ସ୍ଳୋଗାନ–ସିଡ଼ିରେ ଗୋଡ଼ଦେଇ ନିର୍ମଳବାବୁ ଦିନେ ତ ପୁଣି ସରକାର ଗଢ଼ିବେ ଓ ମନ୍ତ୍ରୀତ୍ୱ କରିବେ ! ତିନିମହଲା ଉପରେ ଛିଡ଼ା ହୋଇ, ଏଆର କଣ୍ଡିସନର ଘରେ ବସି ସେ ତ ପୁଣି ଦିନେ ଏମାନଙ୍କପାଇଁ ଚିନ୍ତା କରିବେ ? ସେଠାକୁ ଯିବାକୁ ହେବ ଓ ସେଠାକୁ ଯାଇପାରିବା ପରି ଏକ ସାମୂହିକ ପ୍ରେଚେଷ୍ଟାର ଆବଶ୍ୟକତା ରହିଛି ସେ ଚେଷ୍ଟା ଯେଉଁମାନେ କରିବେ ତାଙ୍କୁ ଉପରକୁ ଉଠାଇବେ, ସେମାନଙ୍କୁ ନିର୍ମଳବାବୁ ହୁଏତ ଚିହ୍ନିପାରିବେ ନାହିଁ ଏବଂ ଆଜି ଯିଏ ରାମିଆ ବା ଫଗୁଆର ଦାଣ୍ଡପିଣ୍ଡାରେ ବସି ତାଙ୍କ ସହିତ ବିଡ଼ି ଟାଣୁଛନ୍ତି, ତାକୁ ଉସକାଉଛନ୍ତି, ସେମାନଙ୍କୁ ନିର୍ମଳବାବୁଙ୍କୁ ସାକ୍ଷାତ୍‌ପାଇଁ ଦରୱାନର ତାକିଦ୍‍ ସହିବାକୁ ପଡ଼ିବ । ଘଣ୍ଟା ପରେ ଘଣ୍ଟା ଅପେକ୍ଷା କରି ତାଙ୍କ କାର୍ଯ୍ୟବ୍ୟସ୍ତତା ଯୋଗୁ ଦେଖାହୋଇ ନ ପାରିବାର ଅବଶୋଷ ନେଇ ଫେରିଆସିବାକୁ ହୁଏତ ପଡ଼ିବ ।

 

ନିର୍ମଳ ବାବୁଙ୍କ ପିଲାମାନେ ପବ୍ଲିକ ସ୍କୁଲୁକୁ ଯିବେ । ମୋ ପିଲାମାନେ ଓ ଆମ ପରି ଉପର ସ୍ତରର ମଣିଷମାନଙ୍କର ପିଲାମାନେ ଗାଡ଼ି ଚଢ଼ି ସାଧାରଣ ଲୋକର ପିଲାଙ୍କଠାରୁ ଦୂରେଇ ରହି ଶିକ୍ଷିତ ହେବେ ଏବଂ ରାମିଆ, ଫଗୁଆ ପରି ଅସଂଖ୍ୟ ମଜଦୁର ପିଲା, ଭାଙ୍ଗି ଯାଉଥିବା, ଛପର ନଥିବା ଓ ଶିକ୍ଷକ ନ ଥିବା ଶ୍ରେଣୀରେ ଯୋଗ ଦେଇ, ଅଧାପାଠ ପଢ଼ି ପୁଣି ବାପାର କର୍ମକ୍ଷେତ୍ରକୁ ଫେରିଆସିବେ ।

 

ମୋ ପୁଅ, ନିର୍ମଳ ବାବୁ, ସୀତାକାନ୍ତ ବାବୁଙ୍କ ପିଲାଏ ହାକିମ ହେବେ । ମିଲ୍ ମାଲିକ ସାଜିବେ ଏବଂ ରାମିଆ, ଫଗୁଆର ପୁଅ ମିଲ୍‌ରେ ମଜଦୁର ହେବେ ବା ସରକାରୀ ଦପ୍ତରରେ ପିଅନ୍‌ ଚପରାସୀ ହୋଇ ରହିଯିବେ । ତାଙ୍କର ଆମର ଭେଟ ହେବ ନାହିଁ । ଆମେ କେବଳ ତାଙ୍କପାଇଁ ବକ୍ତୁତା ଦେବୁ ଓ ସେଇ ଅସଂଖ୍ୟ ମଣିଷଗୁଡ଼ାଙ୍କପାଇଁ ଦିନ ରାତି ବ୍ୟୟ କରି, ବ୍ୟସ୍ତ ରହି ତାଙ୍କ ଉନ୍ନତିର ଚିନ୍ତା କରି, ନୂଆ ଘର ଓ ନୁଆ ଗାଡ଼ିର ଚାହିଦା ବଢ଼ାଇବୁ ।

 

ନିଆଁ ହୁଳା ଓ ସ୍ଲୋଗାନ ବହୁଦୂର ଆଗେଇ ଗଲାଣି । ପଛର ଲମ୍ବା କ୍ୟୁ ଧୀରେ ଧୀରେ ଚାଲିଛି । ଶେଷ କେଇଟା ମଣିଷ, ଟ୍ରକ୍ ଡାଲା ପଛରେ ଛିଣ୍ଡା ଦଉଡ଼ି ଖଣ୍ଡେ କାହିଁ କିପରି ବାଟରେ ଲାଗିଗଲା ପରି ଚାଲିଛି । ଉତ୍ସାହ ନାହିଁ ବା ସାମ୍‌ନା ସ୍ଲୋଗାନର ଅର୍ଥ ବୁଝୁନାହାନ୍ତି । କିଏ ବା ଛିଡ଼ାହୋଇ ଅନ୍ୟ ଚିହ୍ନା ମଣିଷକୁ ପାଇ କ୍ୟୁ ଛାଡ଼ି ଅଧା ବାଟରେ ଗପ ଆରମ୍ଭ କଲାଣି । ପଛ କ୍ୟୁର ଆଗ ସ୍ଲୋଗାନ ଦେଉଥିବା ମଣିଷ ପରି ଗତି ନାହିଁ । ଧାରା ବଦଳିଯାଉଛି । ସ୍ଲୋଗାନ ଦେବାର ଆଗ୍ରହ ନାହିଁ ବା ଆବଶ୍ୟକତା ନାହିଁ । ଆଗରେ ପହଞ୍ଚି, ସ୍ଲୋଗାନ ଦେଇ ଚାଲିଥିବା ନିର୍ମଳବାବୁ ଓ ତାଙ୍କ ସାଥିରେ କରିତ୍‌କର୍ମା ମଣିଷଗୁଡ଼ାକ ଯାହା କଲେ ସେଥିରେ ପଛ କ୍ୟୁଛଡ଼ା ମଣିଷର ଆନନ୍ଦ । ଆଗ ସ୍ଲୋଗାନ ଦେବା ମଣିଷର ପାରିଲା ପଣିଆରେ ସେ ତପ୍ତ ବୈତରଣୀ ପାରିହୋଇ ଯିବାର ବିଶ୍ୱାସ ରଖି ବଞ୍ଚିଆସିଛି ।

 

ସବୁ ଜାକଜକମ, ପାଟିଗୋଳ, ସଜବାଜ ଓ ଆତ୍ମବିସ୍ମୃତି ସେଇ ଆଗେଇ ଚାଲିଥିବା ମଣିଷପାଇଁ । ତା’ ପଛକୁ ତା’ ପଛକୁ ଓ ଅନେକ ପଛକୁ ତା’ ଛଡ଼ା ଧାଡ଼ିରେ ଚାଲିଥିବା ମଣିଷଗୁଡ଼ାଙ୍କପାଇଁ ନୁହେଁ । ସେଥିରେ ତା’ର ସ୍ୱାର୍ଥ ନ ଥାଏ ବା ଆନ୍ତରିକତା ନଥାଏ । ପ୍ରଥମ ବର୍ଷାର ଶିହରଣ, ମାଟିର ମଣିଷପାଇଁ ଦ୍ୱିତୀୟ ଧାରାରେ ତା’ର ନ ଥାଏ । ପ୍ରଥମ ସାକ୍ଷାତର ମନ ଧୀରେ ଧୀରେ ପୁରୁଣା ହୋଇ, ମନ ମଇଳା ଧରିଯାଏ । ଖିଅ ଖୋଜିଲେ ଧରାପଡ଼େ ନାହିଁ । ଯୋଡ଼ା ଯାଇପାରେ ନାହିଁ ।

 

ଗୋଟାଏ ମୁହୂର୍ତ୍ତର ଉଚ୍ଛାସକୁ ନେଇ ଆଗେଇ ଯିବା ଭିତରେ ଯେତିକି ପରିବର୍ତ୍ତନର ମୂଳଦୁଆ ପଡ଼ିଲା, ସେତିକି ସଭ୍ୟତା ଆଗେଇ ଯାଇପାରିଲା, ସେତିକି । ପଛରେ ଉଚ୍ଛ୍ୱାସ କେବଳ ଏଇ ସମବେଦନାର ସ୍ୱର, ଆଗ ମଣିଷ ଓ ତା’ର ଉନ୍ମାଦନାପାଇଁ ବ୍ୟସ୍ତତା ।

 

ମୁଁ ଘୂରି ଚାହିଁଲି ମୋର ବାମପଟ ଝରକା ନିକଟକୁ । ପ୍ରଧାନ ରାସ୍ତାରୁ ବାଙ୍କ ଆସିଥିବା ରାସ୍ତା ଦିଶୁଛି ମୋ କୋଠରିର ବାମପଟ ଝରକାରୁ । ଗୋଟାଏ ବିରାଟ ପାଚେରି ଓ ପାଚେରି ପଛକୁ କୃଷ୍ଣଚୂଡ଼ା ଗଛ କେଇଟା ଏବଂ ଉଚ୍ଚା କୋଠାଘର କେଇଧାଡ଼ି । କଲେଜ ପରି ମନେହେଉଛି-। କୃଷ୍ଣଚୂଡ଼ା ଗଛକୁ ଲାଗି ପଡ଼ିଆ ଉପରେ ଦଳ ଦଳ ଯୁବକ । ଚିପାପ୍ୟାଣ୍ଟ ଓ ପଞ୍ଜାବୀ, ଗହଳିଆ ଅଡ଼ୁଆ କେଶ ମୁଣ୍ଡରେ । କଥାବାର୍ତ୍ତା ଯୁକ୍ତିତର୍କ ଓ ସ୍ଲୋଗାନ ଦେବାର ଉପକ୍ରମଣିକା । ପ୍ରତ୍ୟେକ ବିବ୍ରତ ଥିଲା ପରି ମନେହେଉଛନ୍ତି ।

 

ପରୀକ୍ଷା ଗୋଟାଏ ପରେ ଗୋଟାଏ ନାକଚ କରିଦେବାର ନିଷ୍ପତ୍ତି ପରେ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକଙ୍କ ଉପରେ ଅପର୍ଯ୍ୟାପ୍ତ ଅଭିଶାପ ବୃଷ୍ଟି ହେଉଛି । ଧମକ ଦିଆଯାଉଛି ।

 

ଯୁକ୍ତିଗୁଡ଼ାକ ଶୁଭୁଛି । ବେଶ୍‌ ସଙ୍ଗତ । ଯଦି ପାଠ ଶେଷ ପରେ ଦେଶର ଶାସନତନ୍ତ୍ର ସର୍ବନିମ୍ନ ଯୋଗ୍ୟତାପାଇଁ ଯେତିକି ସୁଯୋଗ–ସୁବିଧା ଦେବାର କଥା, ବିଶ୍ୱବିଦ୍ୟାଳୟ ଡିଗ୍ରୀଧାରୀଙ୍କୁ ସେତିକି ଦେଇନପାରିଲେ, ପାଠର ଅର୍ଥ କ’ଣ ? ପୁଣି ଗୋଟାଏ ଗୋଟାଏ ବର୍ଷ ବା ୨।୩ ବର୍ଷ ସେମାନଙ୍କର ଭିତରୁ କେତେକଙ୍କୁ ପଛରେ ପକାଇଦେବା ପଛରେ ଯୁକ୍ତି କ’ଣ ? ଯେଉଁ ପିତାମାତା ବର୍ଷ ବର୍ଷ ଧରି ଶିକ୍ଷାପାଇଁ ହଷ୍ଟେଲ ଚାର୍ଜ, ଲୁଗାପଟା, ବହିପତ୍ର ଓ ସଉକ ମେଣ୍ଟାଇବାପାଇଁ ଅର୍ଥ ଯୋଗାଇ ଆସିଲେ, ସେମାନେ ଆଉଥରେ ବା ଥରକୁ ଥର ବିଶ୍ୱବିଦ୍ୟାଳକୁ ବିନା କାରଣରେ ଟଙ୍କା ଯୋଗାଇବେ କାହିଁକି ? ପ୍ରତ୍ୟେକଙ୍କୁ ଗୋଟାଏ ବର୍ଷରୁ ଅନ୍ୟ ବର୍ଷକୁ ଏବଂ ସେ ବର୍ଷରୁ ଅନ୍ୟ ବର୍ଷକୁ ଉତ୍ତୀର୍ଣ୍ଣ କରିଦେଇ ଡିଗ୍ରୀ ବାଣ୍ଟିଦେବାର ଆପତ୍ତି ବା କ’ଣ ? ଡିଗ୍ରୀପାଇଁ ଯଦି ଅନ୍ନ ସଂସ୍ଥାନର ବା ନିଯୁକ୍ତିର ଗ୍ୟାରେଣ୍ଟି ନାହିଁ ବିଶ୍ୱବିଦ୍ୟାଳୟରେ ଦୀର୍ଘସମୟ କଟାଇ ଅର୍ଥଶ୍ରାଦ୍ଧଜନିତ ଦୁଃଖପାଇଁ ଡିଗ୍ରୀ କାଗଜ ଖଣ୍ଡିକୁ ଏତେ କୁଣ୍ଠିତ ଭାବରେ ବାଣ୍ଟିବାର ଯୁକ୍ତି କ’ଣ ?

 

ଛୋଟ ଦଳଟିଏ କେଉଁଠି କହି ଚାଲିଛି କଲେଜରେ ନାମ ଲେଖା ଯେପରି ତା’ର ମୌଳିକ ଅଧିକାର, ପରୀକ୍ଷାରେ ଯେପରି ହେଉ କୃତକାର୍ଯ୍ୟ ହେବା ମଧ୍ୟ ସେହିପରି ତା’ର ଏକ ସମ୍ବିଧାନିକ ଅଧିକାର । ସେଥିରେ କେହି ହସ୍ତକ୍ଷେପ କଲେ ତା’ର ବା ମୁକ୍ତି କାହିଁ ? ସେଥିପାଇଁ କେବଳ ଆଜିଠାରୁ ବିଶ୍ୱବିଦ୍ୟାଳୟ ବା କଲେଜର ଆବଶ୍ୟକ ଆଇନକୁ ସମୂଳେ ପଦଳାଇ ଦେବାର ସମସ୍ତ ପ୍ରଚେଷ୍ଟାପାଇଁ ଏଇ ମାତ୍ର ସଜବାଜ ।

 

କିଏ କହିଉଠୁଛି, ତାଙ୍କୁ ବେକାରି ଭତ୍ତା ଯୋଗାଇ ଦେବାକୁ । ସ୍ତ୍ରୀ ଓ ପୁରୁଷଙ୍କୁ ଏକ ହଷ୍ଟେଲରେ ରହିବାର ସୁଯୋଗ ଦେବାକୁ । ପ୍ରତି ହଷ୍ଟେଲରେ ବିଜୁଳି ପଙ୍ଖା ଯୋଗାଇ ଦେଇ ଦରମା ଛାଡ଼ କରିବାକୁ । ସେଦିନ ବନ୍ଧୁ ରଜତ କହୁଥିଲା ଆମ ବିଶ୍ୱବିଦ୍ୟାଳୟର ଭିତିରି କଥା । ସେଠାରେ ରହି ପାଠୁଆ କହିହେଉଥିବା ସ୍ନାତକୋତ୍ତର ଛାତ୍ରମାନଙ୍କର ଅଭ୍ୟାସ ଓ ନୈତିକତାର ଦୃଷ୍ଟାନ୍ତ ସେ ଦେଉଥିଲା ।

 

କପି କରିବା ବା ପରୀକ୍ଷା ନ ଦେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପଛରେ ମୋ ଭାଇ, ଯେ କି ୫୦ବର୍ଷ ଅର୍ଥନୀତିର ବର୍ତ୍ତମାନ ଛାତ୍ର; ତା’ର କିନ୍ତୁ ଭିନ୍ନ ଯୁକ୍ତି ଓ ଦୃଷ୍ଟିଭଙ୍ଗୀ ।

 

ସେ କହେ ଆଇ. ଏ. ଏସ୍. ରାମ ଦୋରାଇଙ୍କର ପୁଅ ଏମ. ଏ.ରେ ପ୍ରଥମ ଶ୍ରେଣୀ ପାଇଲା କିପରି ? ଶିକ୍ଷକ ବିରଞ୍ଚି ବାବୁ, ମହେନ୍ଦ୍ର ବାବୁ ଓ ତାଙ୍କ ପରି ଅନ୍ୟ ବହୁ ଶିକ୍ଷକଙ୍କୁ ପିଲାମାନେ ପରୀକ୍ଷାରେ ପ୍ରଥମ ଛିଡ଼ା ହେବା ପଛରେ କେଉଁ ନୈତିକତା ଅଛି ? ସେ ଜିଗର କରି କହେ ୧୦ ବର୍ଷର ପଛରେ ରହି ଯାଇଥିବା ପରୀକ୍ଷା ସମସ୍ତର ଇତିହାସ ଘାଣ୍ଟି ପ୍ରତ୍ୟେକଙ୍କୁ ପରିଚୟ କରାଇଦେବାକୁ ।

 

ସେଥିପାଇଁ କୁଆଡ଼େ କପି କରିବାରେ କୌଣସି ଆପତ୍ତି ନାହିଁ ।

 

ସେଥିପାଇଁ କୁଆଡ଼େ କପି କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିବାର ଏକ ଘୋଡ଼ାଦୌଡ଼ କେତେଦିନ ହେବ ଆରମ୍ଭ ହୋଇଛି । କପି କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାଟା ବର୍ତ୍ତମାନ ପ୍ରଶ୍ନ ବା ସମସ୍ୟା ଆଦୌ ନୁହେଁ ।

 

ଶ୍ରମିକର ସ୍ଲୋଗାନ, ଛାତ୍ରର ଅଶାନ୍ତି ଓ ଶିକ୍ଷା କ୍ଷେତ୍ରରେ ଶିକ୍ଷାର ପରିଣତି ଓ ସେ ସମସ୍ତ ଉପରେ ଆମପରି, ମୋ’ପରି ଗୁଡ଼ାଏ ମଣିଷ ଓ ଆମ ସାମାଜିକ ଚଳଣି ଓ କ୍ଷିପ୍ର ପରିବର୍ତ୍ତନର କଥା ଭାବି ଭାବି ମୁଁ କିପରି ଅତିମାତ୍ରାରେ ଉତ୍ତ୍ୟକ୍ତ ହୋଇଉଠୁଥିଲି ଏବଂ ମୋର ଏ ସହରକୁ ଆସିବାର ଉଦ୍ଦେଶ୍ୟ ଆଜି ମୋ ସାମ୍‌ନାରେ ଏକ ମସ୍ତବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇ ମୋର ସମସ୍ତ ଶକ୍ତି ଓ ସୁକ୍ଷ୍ମ ଚିନ୍ତାଗୁଡ଼ିକୁ ଯେପରି ଲୋପ କରିଦେବାକୁ ଆରମ୍ଭ କରିଛି । ମୁଁ ଗିଲାସେ ଥଣ୍ଡା ପାଣି ପିଇ ସେପଟରୁ ମୋର ମୁହଁ ବୁଲାଇ ଆଣି ସହରର ଅନ୍ୟ ଏକ ଅଞ୍ଚଳ ଉପରେ ଦୃଷ୍ଟି ପକାଇଛି ।

 

ମୋ ଦକ୍ଷିଣପଟ ଝରକାରୁ ମୁଁ ସହରର ଯେଉଁ ଅଞ୍ଚଳକୁ ଦେଖୁଛି ସେଠାରେ ନିୟନ ଆଲୁଅର ଶୋଭା ନାହିଁ । ସେଠା ରାସ୍ତାରେ ଭିଡ଼ ନାହିଁ ବା ଗାଡ଼ି–ଘୋଡ଼ା-ମଣିଷର ଜାମ୍‌ ନାହିଁ । ସେଠାରେ ମୁଁ ପ୍ରଥମେ ଜ୍ୟୋସ୍ନା ପଡ଼ିଥିବାର ଅନୁଭବ ସଂଗ୍ରହ କରୁଛି । ଯେଉଁ ମଣିଷଗୁଡ଼ାକ କାଁ ଭାଁ ଉଠି ଠିଆ ହେଉଛନ୍ତି ବା ଚାଲି ଚାଲି ଯାଉଛନ୍ତି, ସେମାନଙ୍କ ପାଦରେ ସ୍ଥିରତା ନ ଥିବାର ମୁଁ ଲକ୍ଷ୍ୟ କରୁଛି । ଅନେକ ମଣିଷ ନାମଧାରୀ ମଇଳା-କଳା-ଜୀବଗୁଡ଼ାଏ ଘାସ ଉପରେ ଶୋଇଯାଇଛନ୍ତି ।

 

ତାଙ୍କର ଜଞ୍ଜାଳ ନାହିଁ । ମଣିଷ ପରି ମଣିଷଟାଏ ହେବାର ବି ସ୍ୱପ୍ନ ନାହିଁ । ଗୋଟାଏ ନିତିଦିନିଆ, ନିତି ଚଳିବା ଭଳି ସେମାନଙ୍କର ଜୀବନ । ସେଥିରେ ଛଳ ନାହିଁ । ଛନ୍ଦ ଓ ଝଙ୍କାର ପ୍ରତି ମୋହ ନାହିଁ । ଜୀବନ ସେଠାରେ ଏକ ଧାରା । ଗଡ଼ିଗଡ଼ି ଚାଲିଯାଉଥିବା ଗୋଟାଏ ପାହାଡ଼ ଖଣ୍ଡିଆ ଖାବରା ସଡ଼କ ।

 

ଏମାନଙ୍କୁ ଦେଖି ମନେପଡ଼ୁଛନ୍ତି ଆଉ କେତେଗୁଡ଼ାଏ ମଣିଷ, ମୁଁ ଯେଉଁମାନଙ୍କୁ ବାଟରେ ଭେଟିଛି । ଯେଉଁମାନଙ୍କୁ ଦେଖି ମୁଁ ନିଜକୁ ତୁଳନା କରିଛି ଓ ମୋର ବେଦନାର ଅଶ୍ରୁଗୁଡ଼ାକୁ ମୋ କଳା ଚଷମାର ଗାଢ଼ ରଙ୍ଗ ଭିତରେ ଅନ୍ୟ ପାଖରେ ପହଞ୍ଚାଇ ଦେବାକୁ ସାହସ ସଞ୍ଚୟ କରିପାରିନାହିଁ ।

 

ମୁଁ ସେମାନଙ୍କୁ ଭେଟିଛି, ମୋର ଏ’ ସହରକୁ ଆସିବା ବାଟରେ । ମୋ ସ୍ୱର୍ଗାରୋହଣ ପର୍ବର ଆରମ୍ଭରେ । ସେମାନେ ମୂଳ, ଭାଷା ଶିଖିନାହାନ୍ତି ହୁଏତ କହିଲେ ଭୁଲ୍ ହେବ; ସେମାନଙ୍କ ଭାଷା ଆମେ କହିବୁଲୁଛୁ ଓ ସେମାନଙ୍କର କହିବାର ଆବଶ୍ୟକତା ଆଜିପର୍ଯ୍ୟନ୍ତ ପଡ଼ିନାହିଁ । ସେମାନେ ସେଇ ଜୁଆଙ୍ଗ, ଗଦବା, ଶବର ପଲ୍ଲୀର ଲଙ୍ଗଳା ମଣିଷଗୁଡ଼ାକ ।

 

ତାଙ୍କର ଲୁଗା, ଜାମା, କୋର୍ଟ ବା ପ୍ୟାଣ୍ଟ ନାହିଁ । ଖରା ବର୍ଷାରୁ ନିଜକୁ ଲୁଚାଇ ରଖିବାର ଆବଶ୍ୟକତା ମଧ୍ୟ ପଡ଼ିନାହିଁ । କାନ୍ଧରେ ଖଣ୍ଡେ ଟାଙ୍ଗିଆ ଓ ଅଣ୍ଟାରେ ଚାରି ଆଙ୍ଗୁଳିର ଖଣ୍ଡେ ଲେଙ୍ଗୁଟି ।

 

ଲଙ୍ଗଳା ସ୍ତ୍ରୀଲୋକଗୁଡ଼ାଏ । ପାଣି ଦାଢ଼ରେ, ଜଙ୍ଗଲ ମଝିରେ ସେମାନଙ୍କର ଭିଡ଼ । ଝରଣା ପରି କୁଳୁ କୁଳୁ ହସ ।

 

ଫୁଲ ପରି ଫୁଟନ୍ତ ଯୌବନ ଓ ମଇଳା କାଳିଆ ଦେହରେ ବୟସର ଫଗୁଣ । ତାଙ୍କର ବି ଦେହ ଘୋଡ଼ାଇବାର ଆବଶ୍ୟକତା ସେମାନେ ଅନୁଭବ କରିନାହାନ୍ତି । ସ୍ତନ ଦୁଇଟା ଉଚ୍ଚା ଉଚ୍ଚା-। ଭୀଷଣ ଆକର୍ଷଣ ସେଥିରେ, ମୋ ପରି ସହରି ସୁନ୍ଦର ମଣିଷପାଇଁ । ଜଙ୍ଗଲି ମଣିଷ ଛାତିରେ, ଜଙ୍ଘରେ ପୁଣି ଏତେ ବସନ୍ତର କାକଳୀ ? ସଙ୍ଗୀତର ଏତେ ମୂର୍ଛନା ? ମୁଁ ଆତ୍ମହରା ହୋଇଉଠୁଥିଲି ।

 

ବିରାଟ ବ୍ୟକ୍ତିତ୍ୱର ପ୍ରଲୋଭନ ଯେବେ ମୋ ପରି ମଣିଷର ନ ଥାନ୍ତା, ଜଙ୍ଗଲରେ ଘୂରି ବୁଲି, ଝରଣା ତଟରେ ବା ଘଞ୍ଚ ସବୁଜ ଘାସ ଉପରେ ହାତ-ଗୋଡ଼ ଲମ୍ବାଇ ଶୋଇ ଶୋଇ ନିଜକୁ ସହରି ମଣିଷର ସଂକୀର୍ଣ୍ଣ ମନ ଓ ଜୀବନଠାରୁ ଦୂରେଇ ରଖି ପ୍ରକୃତିର ଏଇ ଲଙ୍ଗଳା ମଣିଷ ପରି ଘୂରିବୁଲି ସ୍ୱାଧୀନ ହୋଇ ହୁଅନ୍ତା । ମୁଁ ଆଉ ମୋ ପରି ଲକ୍ଷ ଲକ୍ଷ ମଣିଷ, ସଭ୍ୟତାର ସିଡ଼ି ଚଢ଼ି ଆଜି ନିର୍ଜୀବ ପାଲଟି ଯାଆନ୍ତୁନାହିଁ ।

 

ମନେପଡ଼େ, ଇତିହାସର ସେଇ ଆଦି ମଣିଷର ବଂଶଧରର କଥା ଆମେ ତା’ର ବହୁ ପଛରେ ଗଡ଼ି ଗଡ଼ି ଏଇଠି ପହଞ୍ଚିଥିବା ବଂଶଧର । ଆଦିମତାରୁ ସଭ୍ୟତାଆଡ଼କୁ ଆମେ ଧାଇଁ ଧାଇଁ ଅନେକ ଘାଟି ଡେଇଁ ଆସି ପହଞ୍ଚିଛୁ ଏଠାରେ । ପହାଡ଼, ପଥର ଖୋଲରୁ, ଘଞ୍ଚ ଅରଣ୍ୟ ଓ ଅନ୍ଧାର କାଟି ଆମେ ସହର ବସାଇ ସଭ୍ୟ ହୋଇଛୁ । ପୁଣି ସେହି ସଭ୍ୟ ନଗରୀରେ କୃତ୍ରିମ ପାହାଡ଼ ଓ ଝରଣା ସୃଷ୍ଟି-କରିଛୁ । ଜଙ୍ଗଲ କାଟି ନୂତନ ଜଙ୍ଗଲର ମୂଳଦୁଆ ପକାଇଛୁ ।

 

ତଫାତ୍‌ କେବଳ ପ୍ରଣାଳୀରେ । ଆବଶ୍ୟକୀୟ ଚାହିଦାର । ମାପ୍‍ ଚୁପ୍‌ ଜୀବନ । ଜଙ୍ଗଲ କାଟି ସୃଷ୍ଟିରେ ମଧ୍ୟ ସେଇ ମାପ୍‌ ଚୁପ୍‌ ।

 

ଜଙ୍ଗଲି ମଣିଷର ଚାହିଦା ସିନା ବଦଳିଯାଇଛି । ବେଶଭୂଷା ଓ ପରିପାଟୀ ସିନା ଭିନ୍ନ ରୂପ ଧାରଣ କରିଛି; ମନଟା ସେଇ ସେ ପ୍ରାଗ୍‌ ଐତିହାସିକ ପଥର ଯୁଗର ମନ । ସେଥିପାଇଁ ବିଂଶ ଶତାବ୍ଦୀର ସହରରେ ନିୟନ ଆଲୁଅ ଭରି ଆମେ ପୁଣି କୃତ୍ରିମ ଜଙ୍ଗଲ ଓ ପାହାଡ଼ର ଶୋଭା ବଢ଼ାଉଛୁ ।

 

ପୁଣି ମନେପଡ଼ୁଛନ୍ତି ମିସେସ୍‌ ମାର୍ଗାରେଟ୍‌ । ମିସ୍‌ ଭାଚାନି ଓ ସ୍ୱାମୀଙ୍କ ଆକସ୍ମିକ ମୃତ୍ୟୁ ପରେ ସମସ୍ତଙ୍କ ନିକଟରେ ପରିଚିତା ବହୁ ଆଦୃତା ମିସ୍‌ ଶର୍ମା । ତାଙ୍କର ସେଇ ଜଙ୍ଗଲି ମନ ମୋ ଚାରି ପାଖରେ ଆଜି ବି ଘୂରି ବୁଲୁଛନ୍ତି । ବାଥରୁମ୍‌ର କବାଟ ବନ୍ଦ ସାଓ୍ୱାର ବାଥ୍‌ ବା କେଉଁ ସମୁଦ୍ରର ଢେଉରେ ମୋ ଅଣ୍ଟା ଧରି ଢେଉ ଭାଙ୍ଗିବାରେ ସେଇ ଆଦିମ ପ୍ରବୃତ୍ତିର ସ୍ୱର । ସେଇ ବିଭତ୍ସ ପ୍ରାଗ୍‌ ଐତିହାସିକ ଯୁଗର ଇନ୍ଦ୍ରିୟ ଲାଳସା ।

 

ଏମାନେ ଓ ଆମେ ପ୍ରତ୍ୟେକେ କିନ୍ତୁ ସଭ୍ୟ ଓ ସୁନ୍ଦର ମଣିଷ । ଆମେ ସଭ୍ୟ ମଣିଷ ଆସିଛୁ ପାହାଡ଼ର ଝରଣାତଟକୁ, ମନକୁ ଲଙ୍ଗଳା କରିବାକୁ । ପାହାଡ଼ ଫୁଲ, ତା’ ବାସ୍ନାରେ ଜୁଡ଼ୁବୁଡ଼ୁ ହୋଇ ଆସିଛୁ ଆମେ ଆମର କାମନାକୁ ଚରିତାର୍ଥ କରିବାକୁ । ଜଙ୍ଗଲ ଲଳନାକୁ ଘୃଣା କରିନୁ-ଈର୍ଷା କରିଛୁ ।

 

ଅନେକ ବସନ୍ତ ମନେପଡ଼ିଛନ୍ତି ଆଜି । ଅନେକ ସ୍ମୃତିର ଦିନଗୁଡ଼ାକ ହଜି ଯାଉ ଯାଉ ଅଟକି ଯାଉଛନ୍ତି ଓ ଅନେକ ନାରୀର ମୁହଁ ଝାପ୍‌ସା ଦେଖାଯାଉଛି ।

 

ପିଆନୋ ଧରି ଦୀର୍ଘଶ୍ୱାସ ଢାଳୁଥିବା ମୋର ବିବାହିତ ଜୀବନର ପ୍ରଥମ ନାରୀଟିର ମୁହଁ ମୁଁ ପାସୋରି ଦେଇଛି । ମନେପଡ଼ୁ ନାହିଁ ସାହି ପ୍ରଥମ ରାତିର ପ୍ରଥମ ଆଖି ଦୁଇଟର ସରମ ବୋଳା ଚାହାଣି ଟିକକ ।

 

ମନେ କିନ୍ତୁ ପଡ଼ୁଛନ୍ତି ମିସେସ୍‌ ମାର୍ଗାରେଟ୍ ଓ ବାର୍ଥ ରୁମରେ ତାଙ୍କୁ ଚୁମ୍ବନ ଦେଉଥିବା ମୁହୂର୍ତ୍ତ ସମସ୍ତ ।

 

ମନେ ବି ପଡ଼ୁଛନ୍ତି ମିସ୍ ଶର୍ମା । ତାଙ୍କର ଆଲୁଳାୟିତ କେଶ-ଗୁଚ୍ଛରେ ବଣ ଯୁଇର ପେନ୍ଥା । ତାଙ୍କ ଶିଥିଳ ଯୌବନ, ଲୋଳିତ ସ୍ତନ ଓ ମାସଂକ ଦେହ ମୋ ଉପରେ ଲଦିଦେଇ ବାରମ୍ବାର ପ୍ରଶ୍ନ କରୁଥିବା ମୁହୂର୍ତ୍ତ ।

 

ଘଣ୍ଟା ପରେ ଘଣ୍ଟା ସୋଫାରେ ମୋ କୋଳରେ ମୁଣ୍ଡ ଲଦି ସ୍ୱପ୍ନ ଦେଖୁଥିବା ମୁହୂର୍ତ୍ତ ସମସ୍ତ; ମିସ୍‌ ଭାଚାନିଙ୍କର ଆଖି ଆଗରେ ନାଚିଉଠୁଛି ।

 

ରାତି ତିନିଟା ।

 

୨୮ ନମ୍ବର କୋଠରିରେ ପାଖ ବଖାରାରୁ ଶିଶୁର କାନ୍ଦଣା ଭାସିଉଠୁଛି । ସ୍ୱାମୀ ସ୍ତ୍ରୀ ଶୋଇଯାଇଛନ୍ତି ବୋଧେ ନିଘୋଡ଼ ନିଦରେ !

 

ପ୍ରଜ୍ଞା ପିଆନୋରେ ତା’ର ଦୀର୍ଘଶ୍ୱାସ ଢାଳି ଦେଇ ରାତ୍ରି ଉଜାଗର ହୋଇ ବସି ରହିଥିବ ନିଶ୍ଚୟ !

 

ପିଲାମାନେ ଶୋଇଯାଇଥିବେ, ଅଭ୍ୟାସ ଯୋଗେ ଡାଡ଼ିଙ୍କୁ ନ ଖୋଜି ।

 

ହୋଟେଲ୍ ତଳ ବାର୍‌ରୁ ପାନୀୟ ନିଃଶେଷ ହୋଇନି ଏପର୍ଯ୍ୟନ୍ତ ।

 

ମୁଁ ଗୋଟାଏ ବିଚାରବନ୍ତ, ସମୃଦ୍ଧିଶାଳୀ ମଣିଷ; ବ୍ୟକ୍ତିତ୍ୱର ପ୍ରଲୋପନରେ ଜର୍ଜରିତ ହୋଇ ରାତ୍ରି ପୁହାଇ ଦେଉଛି । ମୋପାଇଁ ସମୟ ନାହିଁ । ବିଶ୍ରାମ ନେବାର ଆବଶ୍ୟକତା ନାହିଁ । ମୁଁ ପୁଣି ମୋ ସହରକୁ ଫେରିଯାଇ ନିଜର ଅହଙ୍କାରକୁ ରୂପ ଦେବାକୁ ବେଡ଼ିଂ ସଜାଡ଼ିବାକୁ ବୟକୁ ତାକିଦ୍ କରୁଛି ।

☆☆☆

 

ମୋ କଥା ସମୁଦ୍ରର କଥା

ଝର୍କା

 

ବର୍ତ୍ତମାନ ସେମାନଙ୍କ ବିଷୟରେ କିଛିଟା ଚିନ୍ତା କରାଯାଇପାରେ ବା ପଛରେ ଛାଡ଼ି ଆସିଥିବା ଘଟଣାମାନଙ୍କର ତର୍ଜମା କରାଯାଇ କେତେଦିନ ଭିତରେ ଗଢ଼ିଉଠିଥିବା ଜ୍ଞାନ ଗାରିମାର ପରିଚୟ ଦିଆଯାଇପାରେ ।

 

ମୋ କଥା ମୋ ପରିଚିତ ଘଟଣାବହୁଳ ସମୟରେ କଥା ବା ସେମାନଙ୍କର ସୀମିତ ଚିନ୍ତା ଓ ବ୍ୟସ୍ତତାର ଏକ ଫଟୋ ଅଙ୍କାଯାଇ ସାମ୍ନା ଝର୍କାର ଉପରକୁ ବା କିଛିଟା ତଳକୁ ଝୁଲାଇ ଦିଆଯାଇ ପାରେ ।

 

ମୋ ଝର୍କାଟି ଠିକ୍‌ ମୋ ବସିଥିବା ଗଡ଼ରେଜ ଚୌକି ଓ ସାମ୍ନାର ଗଡ଼ରେଜ ବିରାଟ ଟେବୁଲ ସାମ୍ନାରେ ଓ ଝର୍କା କାନ୍ଥକୁ ଲାଗି ଅନେକ ଏକରଙ୍ଗି ଗଡ଼ରେଜ୍‌ ଚୌକି । ଚୌକିମାନଙ୍କର ହାତ ନାହିଁ । ମୋର ଦକ୍ଷିଣରେ ମୋ’ ବ୍ୟବସାୟର ସମସ୍ତ ବୃଦ୍ଧିବୃତ୍ତି ଥାକ ମରାହୋଇ କାଚ ଆଲମିରାରେ ସାଇତା ରଖାଯାଇଅଛି ।

 

ମୋ ବିଷୟରେ ମୁଁ ଅଧିକ ଚିନ୍ତାକରି ଶିଖିଛି । ମୋ ବ୍ୟବସାୟିକା ଚିନ୍ତା ମୋତେ ଏ’ପର୍ଯ୍ୟନ୍ତ ସେତେଟା କାବୁ କରିପାରିନାହିଁ ।

 

ମୋ ଝର୍କାର ପଛପଟେ ସଂକୀର୍ଣ୍ଣ ଏକ ରାସ୍ତା ଏବଂ ରାସ୍ତାରେ ଠିକ୍‌ କଡ଼େ କଡ଼େ ସିଜୁ ବୁଦା, ସଜନା ଗଛ ଓ ଚେତନା ଫାଙ୍କା ଆକାଶ । ସିଜୁ ବୁଦାର ଅପର ପାର୍ଶ୍ୱରେ ଏକ ନଡ଼ାଛପର ଘର । ମୋ ବାସସ୍ଥାନ ସହରରେ ! ମୋର ପରିଚୟ; ମୁଁ ଏକ ଫାଙ୍କା ସହରି ମଣିଷ ।

 

ମୋ ଘରର ପଛକୁ ଏକ ବିସ୍ତୀର୍ଣ୍ଣ ଖୋଲା ପଡ଼ିଆ ଓ ଚଲାବାଟଟିଏ ବହୁଦୂର ଲମ୍ବିଯାଇଛି । ଶୀତ ସକାଳେ, ମୁଁ ଯେତେବଳେ ନିତ୍ୟକର୍ମ ଆରମ୍ଭ କରେ, ମୋର ନଜରରେ ପଡ଼େ ଦୁଇଟା ବେଶ୍‌ ତୋଫା ମାଂସଳ ପେଣ୍ଡା ଓ ଛୋଟ ଛୋଟ ଉଚ୍ଚା ପାଦ ଦିଓଟି । ମୁଁ କିନ୍ତୁ କେବେ ପେଣ୍ଡାଠାରୁ ଊର୍ଦ୍ଧ୍ୱକୁ ଆଖି ବୁଲାଇବାର ଚେଷ୍ଟା ବି କରି ନାହିଁ ।

 

ମୋର ଧାରଣା, ସେ ଦୁଇଟି ହୁଏତ ସ୍କୁଲ ଯିବା ଝିଅର ବା ପୁଅର, ଯେ କି ଶୀତ ବା କାକରକୁ ମଧ୍ୟ ବେଖାତିର କରି ସ୍କୁଲର କାର୍ଯ୍ୟ ନିର୍ଘଣ୍ଟକୁ ମନରେ ହେଜି ଆଗକୁ ପାଦ ବଢ଼ାଇ ଦିଏ-। ମୁଁ କିନ୍ତୁ ଫେରିବାର ସୂଚନା କେବେ ବି ଏ’ପର୍ଯ୍ୟନ୍ତ ପାଇନି ।

 

ମୋ ପରି ସେ ବି ବୋଧେ ଏକ ରୁଟିନ୍‌ ବନ୍ଧା ଜୀବନଟିଏ ।

 

ଘଣ୍ଟାର କଣ୍ଟାକୁ ବେଖାତିର କରିବାର ଔଦ୍ଧତ୍ୟ ତାର ହୁଏତ ନାହିଁ କିମ୍ବା ସେ ବେଶ୍‌ ନୀତିବାନ୍‌ ।

 

ମୁଁ ନୀତିରେ ବିଶ୍ୱାସ ନ କରୁଥିଲେ ହେଁ, ରୁଟିନ୍‌ ବନ୍ଧା-ଘଣ୍ଟା ଦେଖା ଜୀବନଟା ମୋତେ ବେଶ୍‌ ସୁହାଇ ଗଲାଣି ।

 

ମୁଁ ଏ’ ସହରକୁ ଆସିବାର ବହୁ-ପୂର୍ବରୁ ମଧ୍ୟ ରୁଟିନ୍‌ ବନ୍ଧା କାମ କେତେକ ବେଶ୍‌ ସୁରୁଖୁରୁରେ କରୁଥିଲେ ଓ ମୋ ଉପରେ ହାକିମଙ୍କର କଡ଼ା ତାକିଦ୍‍କୁ ହଜମ୍‌ କରି, ଝାଳନାଳ ହୋଇ, ସାଇକେଲ ପେଲି କାର୍ଯ୍ୟ ନିର୍ଘଣ୍ଟର ବହୁ ପୂର୍ବରୁ ନିଜର ହାଜିରା ସାବ୍ୟସ୍ତ କରୁଥିଲି ଏବଂ ସେଥିରେ ମୋର ଖୁବ୍‌ ସୁନାମ ଥିବାର ମଧ୍ୟ ମୁଁ ହୃଦୟଙ୍ଗମ କରିପାରୁଥିଲି ।

 

ଅନେକ ସନ୍ଧ୍ୟା ପରି ସେତେବେଳେ ବି ସନ୍ଧ୍ୟା ଆସି ଯାଉଥିଲା ବେଳ ଅବେଳରେ । ବାଟ ଅବାଟରେ । ବାଟରେ ଚାଲିଯାଇ ବି ଅବାଟରେ ଗନ୍ଧ ଖୋଜି ବୁଲିବାର ଗୋଟାଏ ପ୍ରବଳ ଆକାଙ୍‌କ୍ଷା ମୋ ଭିତରେ ରହିଥିଲା । ମୁଁ ଅନେକବାର ଅବାଟରେ, ଅମଣିଆ ହୋଇ ଅନ୍ଧାରିଆ କଣୁଆ ଯାଗା ଦେଖି ନିଶ୍ୱାସ ମାରୁଥିଲି ଓ ଜୀବନ ଖୋଜୁଥିଲି ।

 

ସମୁଦ୍ରକୁ ପାରି ହେବାର ଚେଷ୍ଟା କରି ଯେଉଁମାନେ ହତାସ ହୁଅନ୍ତି; ସେମାନେ କ୍ଷୁଦ୍ର । ମୁଁ ସମୁଦ୍ର ପରି ଗୋଟାଏ ମଣିଷ । ସମୁଦ୍ର ସହିତ ଟକ୍‌କର ଦେଇ ହୁଇସିଲ୍‌ ମାରିବାକୁ ଇଚ୍ଛାହୁଏ ।

 

ହସ ଲାଗେ । କାରଣ ଗୁଡ଼ାଏ ବନ୍ଧୁ ମୋର, ତାଙ୍କୁ ତାଙ୍କ ଅଞ୍ଚଳର ମଣିଷ ଭାବରେ ସମ୍ବୋଧନ କଲେ, ସେମାନେ ଭୃକୁଞ୍ଚନ କରନ୍ତି, ଏବଂ ଅନେକଙ୍କ ସହିତ ବନ୍ଧୁତାରେ ଆଞ୍ଚ ଆସିଛି; ମୋର ଠିକ୍‌ ସେଇ କାରଣ ଗୋଟିକରୁ । ସେ ଅଞ୍ଚଳରେ କେତୋଟି ବର୍ଷ କଟାଇଥିଲି ଏବଂ ତା’ ମଧ୍ୟରେ ଗୋଟିଏ ସନ୍ଧ୍ୟାରେ ଘଟଣା କହିଲେ ହୁଏତ ଯଥେଷ୍ଟ ହେବ ।

 

ମୁଁ ଯେତେବେଳେ ସରକାରୀ ଦପ୍ତର ଛାଡ଼ି ସରକାରୀ କାର୍ଯ୍ୟରେ ମୋର ବେଡ଼ିଂ ବିସ୍ତାର ଧରି ଅଞ୍ଚଳ ପରିଦର୍ଶନରେ ବାହାରେ, ମୁଁ ସାହେବ ପାଲଟିଯାଏ । ଏଇ ସାହେବ ପାଲଟିବା ସମୟର କଥା ମୁଁ କହୁଛି ।

 

ସେଦିନ ଖୁବ୍‌ ଥଣ୍ଡା ପଡ଼ିଥାଏ । ଅନ୍ଧାରୁଆ-ନୁଆଁଣିଆ ଚାଳ ଛପର ଘର ଭିତରେ, ମୋ ପାଦରେ ହାତ ମାରୁମାରୁ ସେ ଅଶ୍ଳୀଳ ଇଙ୍ଗିତ ଦେଇ, ସେଦିନ ଥଣ୍ଡା ରାତିଟାକୁ ବେଶ୍‌ ଆମୋଦ ଓ ରଙ୍ଗରସ-ଭରା ଗପ ମଜ୍‌ଲିସରେ କଟାଇ ଦେଇଥିଲା ଏବଂ ମୁଁ ନିଜକୁ ଧିକ୍‌କାରୀ ଥିଲି, ଯେତେବେଳେ ସେ ମୋତେ କହିଲା ଯେ ମୋ’ ରୋଜଗାରଠାରୁ ତା’ ରୋଜଗାରର ମାନ ଅଧିକ ଓ ସେ’ ରାତିରେ ବେଶ୍‌ ଭଲ ଦୁଇ ପଇସା କରିପାରେ । ଅମଲ ମୋ ପରି ଏକ ଯୁବକ । ସୁଶ୍ରୀ । ସୁଠାମ ନାରୀର ଅବୟବଟି କିନ୍ତୁ ତାର ଦୁଃଖ ।

 

ମୋର ମନେପଡ଼େ ଲକ୍ଷ୍‍ନୌର ଏକ ପ୍ରଚଳିତ ଚଳଣି, ଏବଂ ହସଲାଗେ ଯେତେବେଳେ ମୁଁ ମଣିଷର ମୂଲ୍ୟ ରୁମାଲରେ କଷି ବସେ ।

 

ମୋର ବନ୍ଧୁ ଯେ କି ବେଶ୍‌ ନାଟକୀୟ ରୀତିରେ ଚାହା ଖା’ନ୍ତି, ଏବଂ ମୋ ପିଲାମାନଙ୍କୁ ନାସପାତି ଓ ଚକ୍‌ଲେଟ ବାଣ୍ଟନ୍ତି, ତାଙ୍କୁ ବେଳେ ବେଳେ କୁଣ୍ଢାଇ ଗୁଡ଼ାଏ କାହିଁକି ହସିବାକୁ ମନ ଛଟପଟ ହୁଏ । ସେ ଏ’ ପର୍ଯ୍ୟନ୍ତ ବି ଅବିବାହିତ ରହି ବେଶ୍‌ ନିଃଶଙ୍ଗ ଜୀବନଟିକୁ ସରସ କରନ୍ତି, ଆମର ଟେବୁଲ୍‌ ପାଖରେ ବସି, ଆମକୁ ଖାଇବାକୁ ଦେଇ ଓ ପ୍ରେମ କରିବାର ପ୍ରତିଶ୍ରୁତି ଭିତରେ ।

 

ମୁଁ ସହରି ମଣିଷଟି, ମୋର ଫାଙ୍କା ହାୱାରେ ଘୂରିବୁଲିବା ପ୍ରତି ବେଶ୍‌ ଆଗ୍ରହ ।

 

ମୋର ଝିଅ ଯେ ବି ଦିନେ ସୁନ୍ଦରୀମାନଙ୍କ ତାଲିକାରେ ମିଶିବାର ସମ୍ଭାବନା ଅଛି, ସେ ବି ସ୍କୁଲଯିବ ଏବଂ ମୁଁ ତାକୁ ସ୍କୁଲ ଯିବା ବାଟରେ ବାଟେଇ ଦେଇ ଆସିବି କାରଣ ତାର ଲାବଣ୍ୟ ମୋତେ ଗୋଟାଏ ଦିନର କ୍ଲାନ୍ତିରୁ ମୁକ୍ତି ଦେବ ଏବଂ ତା’ ଫେରିବା ସମୟତକ ମୁଁ କେଉଁ ସିସଲ ସାମ୍ନାରେ ଛିଡ଼ା ହୋଇ ନିଜେ ମଣିଷ ମାରିନଥିଲେ ବି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାପାଇଁ, ଉଚ୍ଚ ପାଟିରେ ଚିତ୍କାର କରୁଥିବି ।

☆☆☆

 

ମଧ୍ୟାହ୍ନ

 

ତାଙ୍କୁ ଦେଖିବାର ପର ମୁହୂର୍ତ୍ତରୁ ମୁଁ ମୋର ପ୍ରେମିକାଙ୍କର କଥାହିଁ ଚିନ୍ତା କରୁଛି । ପୁଣି ମୋର ପ୍ରେମିକାଙ୍କ କଥା (ହୁଏତ ସ୍ମୃତି) ଭାବିଲା ବେଳେ, ମୋ ମନରେ-ଆସୁଛି ଅନେକ କଥା । ହୁଏତ ମୋ ପ୍ରେମିକାଙ୍କୁ ଓ ମୋତେ କେନ୍ଦ୍ରକରି ।

 

ମୋ କଥା ଚିନ୍ତା କଲାବେଳେ, ମୋର ମନରେ ଆସୁଛି-ମୋର ଶୈଶବର କଥା । ବୋଉ ମୃତ୍ୟୁର କାହାଣୀ । ମୋ ଅସରନ୍ତି ଦୁଷ୍ଟାମିର ସ୍ମୃତି । ପୁଣି ସେମାନଙ୍କର ସ୍ମୃତି, ଯେଉଁମାନେ ହୁଏତ ମୋତେ ଭୁଲିଯିବେଣି ।

 

ମୋ କଥା ଭାବି ବସିଲାବେଳେ ମୋର ମନେପଡ଼େ ମୋ’ ବାପାଙ୍କ କଥା । ଏବଂ ବାପାଙ୍କ କଥା ମନେପଡ଼ିଲାବେଳେ ମୋ ସାମ୍ନାରେ ମୋର ସମସ୍ତ ଜୀବନଟା ଗୋଟାଏ ବିରାଟ ମରୁଭୂମିର ରୂପନେଇ ଆସି ଛିଡ଼ାହୁଏ ଏବଂ ଏକ ଲମ୍ବା ମୁହଁ, ଅସୁନ୍ଦର ରୂପର ଓଟ ମୋତେ ବିଦ୍ରୂପ କରେ ।

 

ମୋର ପରିଚୟ ମୋ ବାପାଙ୍କ ପାଖରେ ଗୋଟାଏ ଓଟର ପରିଚୟ ମାତ୍ର ।

 

ସମସ୍ତ ଅବାନ୍ତର ଚିନ୍ତା ମୋ ମନରେ ଆସି ଏକ କୋରସର ସ୍ୱର ତୋଳେ, ଯେତେବେଳେ ମୁଁ ମୋ ପ୍ରେମିକାର କଥା ଭାବିବସେ । ହଁ ସବୁ ଅବାନ୍ତର । ଜୀବନଟା ଗୁଡ଼ାଏ ଅବାନ୍ତର ମୁହୂର୍ତ୍ତ ଓ ଘଟଣାର ସମଷ୍ଟି ଯେହେତୁ । ମୋର ଏ’ ମତ ସହିତ ଅନେକ ହୁଏତ ମୋଟେ ଏକମତ ହେବେନାହିଁ । କାରଣ ଜୀବନଟା ଖାଲି ଛଳନା ଭିତରେ ବିତାଇ ଦେବା, ସେମାନଙ୍କର ପେଷା । ମୋର କିନ୍ତୁ; ମୁଁ ଯାହା ତାକୁ ସମସ୍ତଙ୍କ ଆଗରେ ଦେଖାଇ ଦେବାଟା ଧର୍ମଭାବରେ ଗ୍ରହଣ କରିଛି । ମୁଁ ଜୀବନଟାକୁ ଅବାନ୍ତର କହିସାରିଛି ଯେଉଁ ମୁହୂର୍ତ୍ତରୁ, ଠିକ୍‌ ସେହି ମୁହୂର୍ତ୍ତରୁ ମୁଁ ସ୍ପଷ୍ଟବାଦୀ ହୋଇଉଠିଛି ।

ମୁଁ ମୋର ପ୍ରେମିକାଙ୍କ କଥା ଭାବିବସିଲା ବେଳେ ସେ ତନୁପାତଳୀ ବୟସ୍କା ଝିଅଟିର ହସ ହସ ମୁହଁ ମୋ ଆଗରେ ଆସି ଉଙ୍କିମାରେ । ସେ ଝିଅଟିର ନାଁ, ହୁଏତ ମୁଁ ଭୁଲିଗଲିଣି । ସେ ସେତେବେଳେ ସେତେବେଳର ସେଇ ବେଶ୍ୟାଗଳିରେ ରହୁଥିଲେ ଏବଂ ମୋ ସାଥିରେ ଅନେକ ରାତି ଅନିଦ୍ରା ରହି ରିହରସାଲ କରୁଥିଲେ । ଅବୋଧ ଶିଶୁଟି ପରି ତାଙ୍କୁ ବ୍ୟସ୍ତ କରୁଥିଲି ଏବଂ ସେ ମୋତେ ଆଦର କରୁଥିଲେ ।

ସେଦିନର ସେ ଝିଅଟିର ମଧ୍ୟାହ୍ନ ଯୌବନ ଆଜି ଲୋସଡ଼ି ପଡ଼ିବଣି । ସେତେବେଳେ ମୁଁ ମଧ୍ୟ ସେ ଝିଅଟିକୁ ଭଲ ପାଇଥିଲି । କାରଣ ମୋ ପ୍ରତି ତାଙ୍କର ବେଶ୍‌ ଆନ୍ତରିକା ସଦିଚ୍ଛା ଥିବାର ମୁଁ ଲକ୍ଷ୍ୟ କରିଛି । ମୁଁ କିନ୍ତୁ ତାଙ୍କୁ ମୋର ପ୍ରେମିକାଙ୍କ ପରି ଭଲପାଉ ନ ଥିଲି । ଖାଲି ବେଶ୍ୟାକୁ ଭଲପାଇବା ଭଳି ତାଙ୍କୁ ଭଲପାଉଥିଲି ।

ଏହା ମାନେ ନୁହେଁ ଯେ, ସେ ମୋର ପ୍ରେମିକା ହୋଇପାରିନଥାନ୍ତେ । କିମ୍ବା ମୋ ପ୍ରେମିକା ମଧ୍ୟ ବେଶ୍ୟା ନୁହେଁ । ମୁଁ ମଧ୍ୟ ପ୍ରେମିକାକୁ ମୋର, ବେଶ୍ୟା ଭାବରେ ମୋ ନିକଟରେ ପାଇଛି ।

ସେ ବିଖ୍ୟାତ ଗଳିର ବେଶ୍ୟା ଏବଂ ମୋ ପ୍ରେମିକାଟିର ସ୍ମୃତି ମନେପଡ଼ିଲେ, ସେ ପାଗଳିନୀଟିର ରୂପ ମୋ ଆଖି ଆଗରେ ନାଚିଯାଏ । ସେତେବେଳେ ସେ ସହରର ବିଭିନ୍ନ ଗଳିକନ୍ଦିରେ ଦେଖିବାକୁ ମିଳୁଥିଲା ଏବଂ ଲୁଙ୍ଗି ପିନ୍ଧି ବବ୍‌ ବାଳ କାଟି ଅନେକ ସମୟରେ ଆମ ପରିକା ଯୁବକଙ୍କୁ ଦେଖି ହସି ଦୌଡ଼ି ପଳାଇଥିଲା । ଅଣ୍ଟାଠାରୁ ନିମ୍ନକୁ ତାର ସମସ୍ତ ଆବୃତ ଅଂଶ ଆମ ଆଖିରେ କେବେ ପଡ଼ିନି । କିନ୍ତୁ ଆମେ ସେତେବେଳେ ତାର ସ୍ତନ ଦୁଇଟିକୁ ଦୂରରୁ ବେଶ୍‌ ଉପଭୋଗ କରିଛୁ ।

ସେ ବାୟାଣୀର ସ୍ଖଳିତ ଅନାବୃତ ସ୍ତନ ଦୁଇଟି ! ସେ ଦୁଇଟିର ସ୍ମୃତି ଅନେକ ଦିନ ପରେ ମୋ ମନରେ ଆଜି ରେଖାପାତ କରିପାରୁଛି ।

ମୁଁ ଥିଲି ସେ ପାଗଳିନୀର ଝଲକାଏ ଫାଜିଲ ପବନ । ଦେହରେ ଲାଗି ଖାଲି ବାଳ ଅଡ଼ୁଆ କରୁଥିଲି । ସେ ମୋତେ ପାଇ ହସି ହସି ଗଡ଼ି ଯାଉଥିଲା । ତା ପାଗଳାମିର ସୁର୍‌ କରୁଥିଲା-

ତାର ସ୍ତନ ଦୁଇଟିରେ ଭାଷା ଥିଲା; କିନ୍ତୁ ଆକର୍ଷଣ ନ ଥିଲା । ସେ ସାମାନ୍ୟ ପାଣ୍ଡୁର ଓ ଅସଂଖ୍ୟ ରେଖା ଓ ଶିରାରେ ପୁର୍ଣ୍ଣ । ଅସଂଖ୍ୟ ଯୁଦ୍ଧ ଜିଣି କ୍ଲାନ୍ତି ହୋଇ ପଡ଼ିରହିଥିବାର ସୂଚନା ମିଳୁଥିଲା ସେ ଦୁଇଟିରୁ ।

ମୋ ପ୍ରେମିକାର ଉଲଗ୍ନ ଜଘନ ମୋ ମନରେ ଦୁଇଟି ଧଳା କଅଁଳିଆ ଠେକୁଆ ଛୁଆର ଭ୍ରମ ଆଣୁଥିଲା ।

କିନ୍ତୁ ସେ ପରିଚିତା ବେଶ୍ୟାକୁ ମୁଁ ଦେଖିଛି ବିଭିନ୍ନ ଅବସ୍ଥାରେ । ମୁଁ ତାକୁ ଦେଖିଛି ତାର ଉଲଗ୍ନ ରୂପରେ ଏବଂ ତାର ସ୍ତନଦୁଇଟି ମୋତେ ମୋ ବୋଉର ସ୍ତନର ବିଭତ୍ସତାର ପ୍ରତୀକ ହୋଇ ମୋ ସାମ୍ନାରେ ଏକ ନୀଳ ଶୂନ୍ୟତାରୁ ଝୁଲିପଡ଼ିଛି ।

 

ମୋ ପ୍ରେମିକାକୁ ମୁଁ ଭଲପାଉଥିଲି ସେଇ ମୋ ଆଇମା କାହାଣୀର ଗଦ ସୁଙ୍ଘା ମେଣ୍ଢାଟି ଯେପରି ତା ମାଲୁଣୀକୁ । ମୋ ପ୍ରେମିକା ଓ ମୋର ସମ୍ପର୍କ ଏକ ବୁଢ଼ୀ ମାଲୁଣୀ ଓ ଗଦସୁଙ୍ଘା କଳା ମେଣ୍ଢାର ସମ୍ପର୍କ ।

 

ମୋ ସାନ ଭାଇ ଯେ କି ବର୍ତ୍ତମାନ ଏ ବୟସରେ ବି ଚିପାପ୍ୟାଣ୍ଟ ଓ ଚେକ୍‌ ସାର୍ଟ ପିନ୍ଧି, ପାଇପ୍‌ ଟାଣି ସଞ୍ଜରେ ଗାଡ଼ିଧରି ବୁଲି ବାହାରେ, ତା କଥା ମନେପଡ଼େ ।

 

ତା କଥା ଚିନ୍ତା କଲାବେଳେ, ମନରେ ଆଶ୍ୱସ୍ତି ଆସେ ଏବଂ ଏକ ପ୍ରଶାନ୍ତ ବିସ୍ତୃତ ଅରଣ୍ୟର ପରିବେଶରେ ମୋର ନିଦାଘ ପ୍ରପୀଡ଼ିତ ମନଟି ସାମାନ୍ୟ ଘୁମେଇ ପଡ଼େ ।

 

ମୋର ଆଧୁନିକ ସାନ ଭାଇଟି ! ମୁଁ ସେ ଓ ସେ ମୁଁ ହୋଇ ଜନ୍ମ ହୋଇଥାଆନ୍ତୁ କି ? ନା-ନା-ସେ ମୋ ପରି ନ ହୋଇ ତା ପରି ହୋଇଛି; ଭଲ ହୋଇଛି ।

 

ଏଇମିତି ନିରୋଳା ଖରାବେଳଟାରେ ମୋର ମନେପଡ଼େ; ମୋର ପ୍ରେମିକା । ସେ ବିଖ୍ୟାତ ବେଶ୍ୟାପଡ଼ାର ବୟସ୍କା ବେଶ୍ୟା ଓ ସେ ପାଗଳିନୀଟି । ପୁଣି ମନେପଡ଼େ ମୋର ସାନଭାଇ । ବାପା ମଧ୍ୟ ।

 

ମନରେ ଆସେ ଗୋଟାଏ ଧୂସର ମରୁଭୂମି, ରୁଗ୍‌ଣ ଅଶ୍ଲୀଳ ଓଟ, ବିସ୍ତୃତ ଅରଣ୍ୟର ସବୁଜିମା ଓ ସମରବିଜିତ ଦୁଇଟି ସ୍ତନ ।

 

ମୋର ପରିଚୟ ମୋ’ ବାପାଙ୍କ ନିକଟରେ ମନେପଡ଼େ, ସେ ଏକ ଓଟର ପରିଚୟ ମାତ୍ର ।

 

ଗୋଟାଏ ବିରାଟ ମରୁଭୂମି ଓ ଅଶ୍ଲୀଳ ଓଟ ମୋ ସାମ୍ନାରେ ଛିଡ଼ା ହୁଏ ସର୍ବ ପ୍ରଥମେ ଏବଂ ପ୍ରତି ମୁହୂର୍ତ୍ତରେ । ମୋ ମନରେ ଓଟ ଓ ତା ସହିତ ସେଇ ମରୁଭୂମିର ଭୟଙ୍କର ରୂପ ମୋ ସାମ୍ନାରେ ଛିଡ଼ା ହୋଇ ମୋତେ ହସିଉଠନ୍ତି, ଯେତେବେଳେ ମୁଁ ମୋ ପ୍ରେମିକାର କଥା ଚିନ୍ତା କରି ବସେ ।

☆☆☆

 

କିଞ୍ଚିତ ଅସମ୍ପୂର୍ଣ୍ଣତା ସମ୍ପର୍କରେ

 

ମହାଶୟ ! ମୁଁ ସବୁ କଥାଗୁଡ଼ାକ ସିଧା କହେ । କାରଣ ଲୁଚାଇବାର ଛଳନା ଭିତରେ ବଞ୍ଚିରହିବାକୁ ମୁଁ ଆଦୌ ପ୍ରୟାସ କରିପାରେ ନାହିଁ । ମୁଁ ସେ ଦୃଷ୍ଟିରୁ ନିତାନ୍ତ ଅପାରଗ । ଆପଣ ହୁଏତ ମୋର ସେଇ କଥାଗୁଡ଼ାକ ସମ୍ପୂର୍ଣ୍ଣ ବିଶ୍ୱାସ କରିଯିବେ; ଏ ଆଶା ମୁଁ ମଧ୍ୟ ଭୁଲ୍‍ରେ ହିଁ କରିନାହିଁ, କାରଣ ଆପଣ ସେଇ ଶତକଡ଼ା ଅନେଶତ ମଧ୍ୟରେ ହିଁ ଯିବେ । ଓଃ ଆପଣ ତାହେଲେ ହସୁଛନ୍ତି ? ଆପଣ ଭାବୁଛନ୍ତି, ମୋର ସବୁ କଥାଗୁଡ଼ାକ କେବଳ ମନଗଡ଼ା, କପୋଳକଳ୍ପିତ । ତାହା କିନ୍ତୁ ମୋର ପାରମ୍ପରିକ ରୀତି ନୁହେଁ, ଗତାନୁଗତିକତା । ମୋ ନିତି ଦିନିଆ ଖାପଛଡ଼ା ଜୀବନର ଧାରାବାହିକତା ।

 

ଏଇ ମନେକରନ୍ତୁ ଆପଣ ରାସ୍ତାରେ ଚାଲିଛନ୍ତି । ରାସ୍ତାର ଉଡ଼ା ଧୂଳିକଣା ବା କୌଣସି ପୋକ ଆପଣଙ୍କ ଆଖିରେ ଆସି ପଡ଼ିବାର ଅନୁଭୂତି (ଦୁର୍ଘଟଣା) ବିଷୟ ଭାବିଲି ? ମୁଁ ଆପଣଙ୍କ ନିକଟରେ । ମନେକରନ୍ତୁ ପକେଟରୁ ରୁମାଲ କାଢ଼ି ମୁଁ ଆପଣଙ୍କୁ ସାହାଯ୍ୟ କଲି । ଘନିଷ୍ଠତା ଦୃଷ୍ଟିରୁ ସାଧାରଣ ଶିଷ୍ଟାଚାର ଆପଣ ଭୁଲିଯାଆନ୍ତି । ତା’ପରେ ଗତାନୁଗତିକତା, ରାସ୍ତାରେ ଚାଲିବା କଥା ଭାବନ୍ତୁ ଦେଖି । ଆପଣଙ୍କ ଅସୁବିଧା ଆପଣ ଆଉ ଅନୁଭବ କରୁଛନ୍ତି କି ? ଆପଣଙ୍କୁ ମୁଁ ଦେଖିବାରେ ସାହାଯ୍ୟ କଲାପରି, ମୁଁ ଆଦୌ ପାରିବି ନାହିଁ ।

 

ରାସ୍ତାରେ ଦଳବନ୍ଧ ମୁର୍ଦାର ପଛରେ ଧାଇଁବାର ଅଭ୍ୟାସଟା ଆସ୍ତେ ଆସ୍ତେ ଦେହସୁଆ ହୋଇଆସୁଛି । ଏଇ ଦେଖନ୍ତୁ ! ଗୋଟିଏ ମୁର୍ଦାର । ସେହି ଶବ ପଛରେ ଅନେକ ସମ୍ପର୍କୀୟ ଅନୁଗାମୀ । ଆତ୍ମଚିନ୍ତାର ସମୟ ଆସେ ବେଳେବେଳେ; ଏଇମିତି ଆପଣ ସବୁଠାରେ ଦେଖିବାକୁ ପାଇବେ । ଧାଇଁବା ଭିତରେ ମୁତ୍ୟୁ ଆମକୁ ବିବ୍ରତ କରିନି । ଆମେ ଜୀବନ ପ୍ରତି ଅନ୍ତରଙ୍ଗହୀନ ହୋଇପଡ଼ିବାର ପ୍ରୟାସ କରି ଶିଖିଲୁଣି । କାରଣ ଶୂନ୍ୟତା ପଛରେ ଧାଇଁବାର ଉତ୍‌କଟତା ପ୍ରବଳ ହେଲାଣି ।

 

ମହାଶୟ ! ଆପଣ ବେଶ୍‌ ଅନ୍ୟମନସ୍କ ବୁଝାପଡ଼ୁଛନ୍ତି ? କାରଣ କ’ଣ ? ବ୍ୟବସାୟରେ କ୍ଷତି ! ଓଃ, ମୁଁ ଆପଣଙ୍କୁ ଆଜି ସିନେମା ଦେଖାରୁ ବଞ୍ଚିତ କଲି ପରା ! ଆଜି ସିନେମା ହଲରେ ଅନେକ ଭିଡ଼ । ଅବଶ୍ୟ ଭିଡ଼ ଭିତରେ ନିଜକୁ ଆଗେଇ ନେଇଯିବାର ପ୍ରବଳ ଆକାଙ୍‍କ୍ଷା ଆପଣଙ୍କ ମନରେ ଜାଗିଥିବ । ବାହାଦୂରୀ ନେବାର ସେ ହେଲା ଉତ୍‌କୃଷ୍ଟ ସମୟ । ଆସନ୍ତୁ ଟିକିଏ କଫି ଖାଇବା ଭିତରେ ଯଦି କେତେକ ବନ୍ଧୁଙ୍କ ସହିତ ଗପସପ ହେବାର ସୁବିଧା ମିଳିଯାଇପାରେ ?

 

କର୍ମମୟ ଜୀବନ ଭିତରେ ଅନେକ ସମୟରେ ଏଇ ବନ୍ଧୁମାନଙ୍କୁ ଖୋଜି ବୁଲିଲେ ବି ଦେଖା ମିଳେନା । କିନ୍ତୁ ସମୟ ସମୟରେ ଏମାନେ ପ୍ରବଳ ଭାବରେ ମଣିଷ ମନଟାକୁ ଅସ୍ତବ୍ୟସ୍ତ ଓ ବିଷାକ୍ତ କରିପକାନ୍ତି । ବଡ଼ କଷ୍ଟ ଏମାନଙ୍କୁ ଛାଡ଼ି ଅଲଗା ହେବା ।

 

ମୁଁ କାଲି ରାତିରେ ଗୋଟାଏ ଖିଆଲରେ ବସା ଛାଡ଼ି ବୁଲି ବାହାରିଥିଲି । ତାର କାରଣ ଆପଣ ହୁଏତ ପଚାରିପାରନ୍ତି । ସବୁ କାର୍ଯ୍ୟର କାରଣ ଅନୁଧ୍ୟାନ କରିବା କ’ଣ କମ୍‌ କଷ୍ଟ । ଅବଶ୍ୟ କାରଣ ନଥାଇ କାର୍ଯ୍ୟ ଅଛି ବୋଲି ଯେଉଁମାନେ ବେଳେ ବେଳେ ଖୁବ୍‌ ଉଚ୍ଚ ପାଟିରେ ବକ୍ତୃତା ଆରମ୍ଭ କରନ୍ତି, ମୁଁ ସେଥିରେ ମୋଟେ ଏକମତ ନୁହେଁ ।

 

ଆକାଶରେ ମେଘ । ଅବେଳାରେ ବର୍ଷାଟା ଅତ୍ୟନ୍ତ ଦୁଃଖର କାରଣ ହୁଏତ ହେବ । କିନ୍ତୁ ଆଷାଢ଼ ବା ଶ୍ରାବଣ ମାସରେ ବର୍ଷାର ଗୋଟାଏ ନିର୍ଦ୍ଧାରିତ ସମୟ ଖୋଜିବସିବା ଏକ ବଦ୍ଧ ପାଗଳାମି ଛଡ଼ା ଆଉ ବା କ’ଣ ହୋଇପାରେ ? ଏଇ ଦେଖନ୍ତୁ ବର୍ଷା ଆରମ୍ଭ ହୋଇଗଲାଣି । ଟିକିଏ ଶୀଘ୍ର ଆଗକୁ ପାଦ ପକାନ୍ତୁନା ଦେଖି ! ପାରିବେନି ?

 

ରାସ୍ତାର ଅନେକ ରାଗରାଗିଣୀ ଶୁଣିବାକୁହିଁ ପଡ଼ିବ । କାରଣ ବର୍ଷା ଆଉ ରାସ୍ତାରେ ଏଇ ଧାରାବାହିକ ନାଚଗାନ ଭିତରେ କ’ଣ କିଛି ସମ୍ପର୍କ ଆପଣ ଦେଖୁଛନ୍ତି ।

 

ମୁଁ ଅନେକ ସମୟରେ ଏଇ ବର୍ଷା ରାତିରେ ରାସ୍ତାରେ ଭିଜି ସାଇକେଲରେ ଯିବାରେ ବେଶ୍ ଆନନ୍ଦ ଉପଲବ୍‌ଧି କରେ । କାରଣ ନିସ୍ତୁକ ଖରାବେଳଟାରେ ଚାହା ଖାଇବାର ଆନନ୍ଦଠାରୁ ମୁଁ ଅଧିକ ଆନନ୍ଦ ଏଇଥିରେହିଁ ପାଇଥାଏ ।

 

ଆଚ୍ଛା ମହାଶୟ ! ମୋତେ ଦୟାକରି କହିପାରିବେକି ଆପଣଙ୍କ ଘଣ୍ଟାରେ ସମୟ କେତେଟା ହେଲାଣି ? ଆପଣଙ୍କ ଘଣ୍ଟାରେ ସାଢ଼େ ପାଞ୍ଚଟା । କ’ଣ କହିଲେ ? ମୋତେ ଏପରି ସନ୍ଦିଗ୍‌ଧ ଆଖିରେ ଚାହିଁଛନ୍ତି ଯେ ? ମୁଁ ଟିକିଏ ଅନ୍ୟମନସ୍କ ଥିଲି । ବାଟରେ ଗଲାବେଳେ ମୁଁ ଏଇ ଅବସ୍ଥାରେ ସମ୍ମୁଖୀନ ହେବାର ପ୍ରାୟ ଅନେକ ଲକ୍ଷ୍ୟ କରିଛନ୍ତି । ଆପଣ କିଛି ଭାବିବେ ନାହିଁ । ହଁ, ଆପଣଙ୍କ ଘଣ୍ଟାଟା ଦଶମିନିଟ ପଛେଇ ଚାଲିଛି । ପୁରୁଣା ହେଲାଣି ନା ? ତା’ ଛଡ଼ା ଘଣ୍ଟା ତ ନିଶ୍ଚୟ ବ୍ୟତିକ୍ରମ ସମୟ ଦେବ । ମୁଁ ଘଣ୍ଟା ବ୍ୟବହାର ନ କରିବାର କାରଣ ଅଛି । ସେଥିମଧ୍ୟରୁ ଗୋଟିଏ ହେଲା, ମୁଁ ସମୟ ସହିତ ତାଳଦେଇ ଚାଲିପାରେନା ବା ଚେଷ୍ଟା ବି କରେନା । ତା’ଛଡ଼ା ମୁଁ ତ ଆପଣ ସମସ୍ତଙ୍କ ପରି ବ୍ୟବସାୟୀ ନୁହେଁ ? ମୋ ଉପରେ ଚିଡ଼ିଗଲେ ବୋଧେ ? କି ଅଦ୍ଭୁତ ଯୁକ୍ତି ବେଳେ ବେଳେ ମୁଁ କରେ ! ତଥାପି ମୋ ଯୁକ୍ତି ଭିତରେ ହାର ମାନିନେବାଟାକୁ ମୁଁ ମୋଟେ ପସନ୍ଦ କରେନା ।

 

ସିଗାରେଟ୍‌ ନିଅନ୍ତୁ ! ଆପଣ ସିଗାରେଟ୍‌ କେବେ ବି ଟାଣିନାହାନ୍ତି ? ଧନ୍ୟବାଦ । ଯାହାହେଉ, ଆପଣ ସ୍ୱଚ୍ଛନ୍ଦରେ ସମାଜ ଭିତରେ ଚଳିବା ଭଳି ମଣିଷ ଜଣେ । ମୁଁ କିନ୍ତୁ ସମାଜକୁ ଘୃଣା କରେ । କାରଣ ହେଲା, ମୁଁ ସମାଜର ସମସ୍ତ ଧରାବନ୍ଧା ନିୟମର ଘୋର ବିରୋଧି ।

 

ଆପଣ ମୋ ବିଷୟରେ ନିଶ୍ଚୟ ଭାବୁଛନ୍ତି । ମୁଁ କାହିଁକି ଏପରି ଜୀବନ ବିତାଉଛି; ଆପଣ ଜାଣିବାକୁ ଚାହୁଁଛନ୍ତି ? ସେ ମୋର ଗୋଟାଏ ଖିଆଲ୍‌ ।

 

ଦେଖନ୍ତୁ, ଏ ସମୟଟାରେ ସହରର ଠିକ୍‌ ଏଇ ସ୍ଥାନଟି ଲୋକାରଣ୍ୟ ହୋଇଉଠୁଛି । ବୋଧେ ଅଫିସ୍ ଓ କଲେଜରେ ସମସ୍ତ କାର୍ଯ୍ୟର ଅବ୍ୟବହିତ ପରେ ଚାହା ଖାଇ ଖୁସି ଗପ କରିବାର ଏଇ ହେଲା ଉତ୍‌କୃଷ୍ଟ ସମୟ । ସିନେମାରେ ବେଶ୍‌ ଭିଡ଼ । ଆସନ୍ନ ମହିଳାଙ୍କୁ ଆପଣ ବର୍ତ୍ତମାନ ଦେଖିପାରୁଛନ୍ତି ? ସାଥିରେ ବି ଦୁଇଟି ଶିଶୁ ତାଙ୍କର । ଏ’ ଭଦ୍ରମହିଳାଙ୍କର ସିନେମା ଏକ ବଦଖୋଇ । ଆପଣ ୟାଙ୍କୁ ଚିହ୍ନନ୍ତି ନାହିଁ ? ସେ ହେଉଛନ୍ତି ଏଠା ମହିଳା କଲେଜର ମନସ୍ତତ୍ତ୍ୱ ଅଧ୍ୟାପିକା । ସ୍ୱାମୀ ତାଙ୍କର ବର୍ତ୍ତମାନ ବିଦେଶରେ । ସ୍ୱାମୀଙ୍କ ସହିତ ଭଦ୍ରମହିଳାଙ୍କର ବିଶେଷ ଭଲ ନ ପଡ଼ିବାର ମଧ୍ୟ ଅନେକ କାରଣ ଅଛି ।

 

ଆପଣ ହସୁଛନ୍ତି ଯେ ? ଆପଣ ଭାବୁଛନ୍ତି, ଏସବୁ ମୁଁ ବା ଜାଣିଲି କିପରି ? କିନ୍ତୁ ଏଇ ଦେଖନ୍ତୁ, ମୋ ଜୀବନ ଇତିହାସର ଛିନ୍ନ ପୃଷ୍ଠାଗୁଡ଼ିକ ଆପଣ ଏତେଶୀଘ୍ର କ’ଣ ଖୋଲି ସମସ୍ତ ବୁଝି ନେଇପାରିବେ ? ମୋ ଭିତରର ମଣିଷକୁ ନ ଚିହ୍ନି ପାରିବାର ଆଶଙ୍କା ଅନେକ ବେଶି । କେବଳ ସେଇଥିପାଇଁ; ମୁଁ ସମସ୍ତ ସନ୍ଧ୍ୟାରେ ମହାନଦୀକୂଳରେ ସନ୍ଧ୍ୟା ସମୀରଣ ଉପଭୋଗ କରେ ଏବଂ ବନ୍ଧୁମାନଙ୍କୁ କଫି ଖୁଆଇ ଆତ୍ମପ୍ରବଞ୍ଚନା ଭିତରେ ବୁଡ଼ି ରହିବାକୁ ଉଚିତ ମନେକରେ ।

 

ଦେଖନ୍ତୁ ମୁଁ ବର୍ତ୍ତମାନ ଦୀର୍ଘଶ୍ୱାସ ନେବାକୁ ଚେଷ୍ଟା କରୁଛି । ମୁଁ ଏଠାରେ ଦୂରରେ ରହିବାକୁ ବା ଦୌଡ଼ି ପଳାଇବାକୁ ଭାବୁଛି । ଏ’ ସମସ୍ତ ଲୋକ ଓ ସେ ଭଦ୍ରମହିଳାଙ୍କ କଟାକ୍ଷପାତରୁ ନିଜକୁ ମୋତେ ରକ୍ଷା କରିବାକୁ ପଡ଼ିବ । ମୋତେ ଆପଣ ସାମାନ୍ୟ ଆଢ଼ୁଆଳରେ ରଖି ଏଇ ସମସ୍ତଙ୍କୁ ପାର କରାଇପାରନ୍ତେ ନାହିଁ । ଏଇ ! ସେମାନେ ହସିବାର ଉପକ୍ରମ କରୁଛନ୍ତି ଓ ସେ ଭଦ୍ରମହିଳା ଜଣକ ମୋତେ ତିରସ୍କାର କରିବାପାଇଁ ବୋଧେ ଆଗେଇ ଆସୁଛନ୍ତି ।

 

ମହାଶୟ ! ମୋତେ ସମସ୍ତ ଅନ୍ଧାର ଦେଖାଯାଉଛି । ମୋତେ ଆପଣ ସାମାନ୍ୟ ଆଗକୁ ଯିବାରେ ସାହାଯ୍ୟ କରନ୍ତୁ । ମୋ ହାତ ଧରନ୍ତୁ । ଏଇ ମୁଁ ପଡ଼ିଲି ।

☆☆☆

 

ଆକାଶର ରଙ୍ଗ

 

ରେବତୀକାନ୍ତର ଏକମାତ୍ର ଭୟ ତା’ ପଛ ଜୀବନ ଯେପରି ଧରାପଡ଼ି ନ ଯାଏ ଆଜିର ଏଇ ଖିଆଲ ଭିତରେ । ଜୀବନର ସୌଖିନ ଘୋଡ଼ାଦୌଡ଼ରେ ତେଣୁ ବାଜି ଲଗାଇ, ରାତି ତମାମ୍‌ କ୍ଲବରେ ହୁଇସ୍କି ପିଇ ଓ ଅନେକ ସୁନ୍ଦରୀ ନାରୀଙ୍କ ଗହଣରେ ସମୟ କଟାଇ ସମୟକୁ ଫାଙ୍କିବାକୁ ସେ ଆନନ୍ଦ ପାଏ ।

 

ମୋ କଥା ଭିନ୍ନ । ବାପାଙ୍କ ମୃତ୍ୟୁ ପରେ ତାଙ୍କ ଅର୍ଜିତ ସମସ୍ତ ସହରି ଓ ମଫସଲି ସମ୍ପତ୍ତିର ମାଲିକାନା ମୋ ନାମରେ । ମୁଁ ମା’ ଛେଉଣ୍ଡ; ବାପାଙ୍କ ମୃତ୍ୟୁର ପରମୁହୂର୍ତ୍ତରୁ ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରୁ ବିଦାୟ ନେଇ ଏକାନ୍ତ ଭାବରେ ଏକୁଟିଆ ଏବଂ ମୋ ପରିଚିତ ସହରରେ ବାପାଙ୍କ ଅର୍ଜିତ ସେଇ ସୌଖିନ ପ୍ରାସାଦରେ ଶେଷ ବଖରାଟିରେ ଅବସାନ କରେ । ଅନ୍ୟ ସମସ୍ତ ବଖରାଗୁଡ଼ିକ ବ୍ୟବହାର ବାହାରେ ରହୁଥିବାରୁ ବର୍ଷ ତମାମ ତାଲା ବନ୍ଦ ହୋଇ ରହୁଥିବା ଏକ ଘରୋଇ ଚଳଣିରେ ପଡ଼ିଗଲାଣି ।

 

ମୋର ବ୍ୟାଙ୍କ ବାଲାନ୍‌ସ ଯେ ନାହିଁ ଏକଥା ନୁହେଁ; କିନ୍ତୁ ପ୍ରତି ମୁହୂର୍ତ୍ତରେ ମୁଁ ଯେ ଗୋଟାଏ ପରେ ଆଉ ଗୋଟାଏ ପାହାଚକୁ ଖସି ନ ଆସୁଛି ଏକଥା ନ କହିଲେ, ମୁଁ ଫାଙ୍କି ମାରୁଛି-। ମୋ ଔଦ୍ଧତ୍ୟର ସୀମା ପାର ହେବାରେ ମଧ୍ୟ ମୋ ପକ୍ଷରେ ଅସମ୍ଭବ ହେବ । ସଞ୍ଚୟରୁ ଗୋଟାଏ ପାହାଚରୁ ନିମ୍ନକୁ ଖସି ଆସିବାରେ ଏକା କ୍ଲାନ୍ତି, ଏକଇ ମନସ୍ତାପ ।

 

ବାପାଙ୍କ କଥା ହୁଏତ ଠିକ୍‌ ! ସେ ସେତେବେଳେ କୁହନ୍ତି, ବଡ଼ଲୋକ ହେବା ପ୍ରଚେଷ୍ଟାରେ କ୍ଲାନ୍ତି ଅନେକ । ଅକାରଣରେ ସମୟର ଅପଚୟ ଓ ମନସ୍ତାପ ।

 

ମଝି ସହରର ପାଞ୍ଚ ମହଲା ବ୍ୟବସାୟ ପ୍ରତିଷ୍ଠାନ, ଯା’ର ସାମ୍ନାରେ ଏକ ସୁସଜ୍ଜିତ ନାରୀର ମଡ଼େଲ୍‌, ବ୍ୟବସାୟ ପ୍ରତିଷ୍ଠାନଟିର ଶୋଭା ବର୍ଦ୍ଧନ କରେ, ସେଇ ମାଲିକଙ୍କର ତୃତୀୟ ସନ୍ତାନ ଅରୁଣ । ଅରୁଣ ମୋର ଓ ମୋର ବନ୍ଧୁ ରେବତୀକାନ୍ତର ବାଲ୍ୟ ବନ୍ଧୁ ଓ ଅରଣ୍ୟର ବ୍ୟବସାୟୀ ପିତା ସହରର ହରେକ୍‌ ବ୍ୟବସାୟରେ ଜିତାପଟ ମାରି ଆଗେଇ ଚାଲିଛନ୍ତି ।

 

ସମୟ ସମୟରେ ଆମ ସହିତ ଅନ୍ଧାରରେ ଘୂରିବାକୁ ସୁଖ ପାଉଥିବା; କିଞ୍ଚିତ ଚାନ୍ଦା ଓ ତାଙ୍କ ଦକ୍ଷିଣକୁ ସାମାନ୍ୟ ମୁଣ୍ଡ ବଙ୍କାଇ ଚାଲୁଥିବା, ଆମଠାରୁ ସାମାନ୍ୟ ବୟସ୍କ, ଅଳ୍ପଭାଷୀ ବନ୍ଧୁ ଜଣକ ରେବତୀକାନ୍ତଙ୍କୁ ଖୁବ୍‌ ତାରିଫ୍‌ କରନ୍ତି । ସମାଜ ସାମ୍ନାରେ ବ୍ୟକ୍ତିତ୍ୱ ନ ହରାଇବାର ପ୍ରଚୁର ଆତ୍ମବିଶ୍ୱାସ ଥିଲେ ଯାଇ ତାଙ୍କ ଚଳଣି ଭିତରେ ଆନନ୍ଦରେ କେବଳ ବେପରୁଆ ହୋଇ ବଞ୍ଚି ରହି ହେବ । ସମାଜ ଓ ସାମାଜିକତା ବ୍ୟକ୍ତିତ୍ୱର ଏକ ଏକ ରୂପାନ୍ତର । ଉଦ୍ଧତ ସାମାଜିକ ବ୍ୟକ୍ତି ତା’ର ବ୍ୟକ୍ତିର ନିମ୍ନ ପାହାଚରେ ସମାଜ ପରି ଏକ ମେଷ ଶାବକକୁ ଘୂରାଇ ବୁଲିବା ଓ ଘାସ କେଇକେଣ୍ଡା ତା’ ସାମ୍ନାକୁ ଫିଙ୍ଗି ତା’ଠାରୁ କମ୍ବଳ ଆଦାୟ କରିବାର ବୁଦ୍ଧି ଓ କୌଶଳ ଜାଣିଥିବାରୁ ସିନା ବ୍ୟକ୍ତିତ୍ୱର ଏତେ ବାହାସ୍ଫୋଟ !

 

ରେବତୀକାନ୍ତ ଥିଲା ଜଣେ କୃତି ଛାତ୍ର ଓ ସର୍ବଭାରତୀୟ ପରୀକ୍ଷାରେ କୃତିତ୍ୱର ସହ ଅନେକ ଲୋକଙ୍କୁ ପଛରେ ପକାଇ ଜଣେ ଉଚ୍ଚଶ୍ରେଣୀୟ ସରକାରୀ ହାକିମ । ତାର କଲିଂ ବେଲକୁ ଚାହିଁ ରହିଥାନ୍ତି ପୁଞ୍ଜା ପୁଞ୍ଜା ଚପରାଶି ।

 

ଆଜି ତାକୁ ଦେଖିଲେ କିନ୍ତୁ ମନରେ ଭ୍ରମ ଜନ୍ମେ । କେହି କେହି ସ୍ତ୍ରୀ ଭାବି ବଜାର ବା ପ୍ରେକ୍ଷାଳୟରେ ତାକୁ ସମ୍ବୋଧନ କରନ୍ତି ଏବଂ ଏ ପ୍ରକାର ଭ୍ରମ ହୁଏ ରେବତୀକାନ୍ତର ଲମ୍ବାବାଳ ଓ ପିନ୍ଧୁଥିବା ଛିଟ ପୋଷାକ ଯୋଗୁଁ । ତାର ସୌଖିନ ପ୍ରବୃତ୍ତି ସମସ୍ତ ଭ୍ରମର କାରଣ ହୋଇ ଛିଡ଼ାହୁଏ-

 

ରେବତୀକାନ୍ତର ଏ’ ପ୍ରକାର ପରିବର୍ତ୍ତନ ତା ଚାକିରି ଜୀବନ ଆରମ୍ଭରୁ ହିଁ ଘଟିଛି । ଯଦିଓ କଲେଜରେ ସେ ଥିଲା ଅତି ସାଧାସିଧା ଶିଷ୍ଟ ଛାତ୍ରଟିଏ ।

 

ସେ ପାହାଚ ପରେ ପାହାଚ ଆଗେଇ ଯାଇ ଜୀବନର କୌଣସି ଶୀର୍ଷ ବିନ୍ଦୁରେ ପହଞ୍ଚିବାର ପାଥେୟ ସଂଗ୍ରହ କରିବାର ଅବକାଶ ପାଇଯାଇଥିବାର ଛଳନା କରେ ସ ତା’ ପରିଚିତ ପଛ ଜୀବନର ଛାଇଗୁଡ଼ିକ ବେଶ୍‌ ମୁହୂର୍ତ୍ତକ ଭିତରେ କୁଆଡ଼େ ଭୁଲିଯାଇଥିବାର ଛଳନା କରି ନିତିଦିନିଆ ଚଳଣି ଭିତରେ ବେଶ୍‌ ଫୂର୍ତ୍ତିରେ ବଞ୍ଚିଯାଏ ।

 

ତା’ ଗରିବ ନିମ୍ନ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ପିତା, ବୃଦ୍ଧା ମା’ ଓ ଦରିଦ୍ର କିରାଣି ଭିଣୋଇଙ୍କୁ ସେ ଦକ୍ଷତାର ସହକାରେ ରାସ୍ତା ମଝିରେ ଛାଡ଼ି ଆସି ଖୁବ୍‌ ଦ୍ରୁତ୍‌ ଗତିରେ ଗାଡ଼ି ଚଳାଇ ବହୁଦୂର ଆଜି ଆଗେଇ ଆସିଛି ।

 

ଛିଟ ହାଓ୍ୟାଇନ୍ ଓ ଚିପା ପୂରାପ୍ୟାଣ୍ଟ ବା ଚିପାପ୍ୟାଣ୍ଟ ଓ ଲାଲ ଗୁରୁ ପଞ୍ଜାବି ପିନ୍ଧି ସେ ମୋଟା ଦରମାରୁ ଅର୍ଦ୍ଧେକ ଖର୍ଚ୍ଚ କରେ କ୍ଲବରେ । ହୁସ୍କି ପିଇବାରେ ।

 

ଅରୁଣ ଓ ମୁଁ କ୍ୱଚିତ୍‌ କ୍ଲବ୍‌କୁ ଯାଉ । କାରଣ କ୍ଲବର ନିର୍ଦ୍ଧାରିତ ସମୟ ଭିତରେ ଆମ ବୋର୍ଡ଼ର ‘ମାତ୍‌’ ହୁଏନା ଏବଂ ପ୍ରତିମୁହୂର୍ତ୍ତରେ ସେଇ ତନୁପାତଳି କଞ୍ଚା ବୟସର ଆମ ସହପାଠିନୀ ସରଞ୍ଜନା ମନେପଡ଼େ । କଲେଜରେ ଆମ ତିନିଜଣଙ୍କୁ ଏକାଠି କରି ଗୋଟିଏ ମାଳାରେ ପିନ୍ଧିବାର ପ୍ରବୃତ୍ତି ଓ ଔଦ୍ଧତ୍ୟ କେବଳ ସୁରଞ୍ଜନାର ଥିଲା ।

 

ସୁରଞ୍ଜନା ଥିଲା ମୋର ଶିକାରୀବନ୍ଧୁ । ଅରୁଣର ଟେନିସ୍‌ ପାର୍ଟନର ଓ ରେବତୀକାନ୍ତର ଲାଇବ୍ରେରି ଓ ଛୁଟି ଦିନର ସାଥୀ ।

 

ମାତାଲ ହେବାର ପୂର୍ବ ମୁହୂର୍ତ୍ତର ସୁରଞ୍ଜନା ମନେପଡ଼ିଲେ, ମନକୁ ଆସେ ବିଗତ ଅତୀତର ପତ୍ରଝଡ଼ା ବସନ୍ତ କେଇଟାର କଥା । ଶୀତର ଜଙ୍ଗଲରେ ସୁରଞ୍ଜନା କୋଟ ପକେଟରେ କ୍ୟାଟ୍ରିଜ ଓ ଟର୍ଚ୍ଚଧରି ମୋତେ ଅନେକ ବାର ଅନୁସରଣ କେବଳ କରିନାହିଁ-ବାଟ ବି ବତାଇ ଦେଇଛି । ବସନ୍ତରେ ସେ ଶାଳପତ୍ର ସହିତ କେତେ ଦୌଡ଼ ନୟାନ୍ତ ହୋଇ ପବନକୁ ଗାଳି ଦେଇଛି ଓ ସେହି ଶୁଖିଲା ପତ୍ର ଶେଜରେ ହାତଗୋଡ଼ ମେଲାଇ ଶୋଇଯାଇଛି ବହୁ ସମୟ । ଝାଇଁ ଖରା ଭିତରେ ବ୍ୟାରେଲ୍‌ ତାତିଗଲେ ମୋ କାନ୍ଧରୁ ଭିଡ଼ିନେଇ ହାତରେ ଧରି ପାହାଡ଼ର ଢିମା ପଥର ଓ କଣ୍ଟା ଡେଇଁ ଶିକାର ଖୋଜିଛି ଓ ଝରଣା ତୀରରେ ବଣଯୂଈ ତା ଗଭୀର ଖୋସି ଦେବାପାଇଁ ତାର ମିନତି ଏବେ ବି ମୋର ମନକୁ ଛୁଇଁଯାଉଛି ।

 

ସୁରଞ୍ଜନା–ସୁରଞ୍ଜନା !

 

ମନ ଆକାଶର ଟିକି ଶରତ ବାଦଲ ସେ । ଟିକି ନଈ ତୀରର କାଶତଣ୍ଡି ପୁଲ ମେଞ୍ଚାଏ-

 

କଲେଜ ଛାଡ଼ିବା ପରେ ତା’ ସହିତ ଆମର ଆଉ ସାକ୍ଷାତ ହୋଇନି । ସେ ପାହାଡ଼ ଘେରା କେନ୍ଦୁଝରର କେଉଁ ଏକ ମଫସଲ କନ୍ୟାଶ୍ରମର ବର୍ତ୍ତମାନ ପ୍ରଧାନ ଶିକ୍ଷୟିତ୍ରୀ ।

 

ତିନିବର୍ଷ ତଳେ ସୁରଞ୍ଜନା ଖଣ୍ଡେ ପତ୍ର ଦେଇଥିଲା......

 

ବସନ୍ତର ନିଛାଟିଆ ଦ୍ୱିପ୍ରହରେ ସେ ସଉତୁଣୀଙ୍କୁ ଡାକି କେନ୍ଦୁ କିଣେ ଓ ସେମାନଙ୍କଠାରୁ ଜଙ୍ଗଲର ଗପ ଶୁଣେ । ସେମାନଙ୍କ ଫଟୋଉଠାଏ । ସେ କୁଆଡ଼େ ଆଜିକାଲି ଜଙ୍ଗଲକୁ ଭୟକରେ ଏବଂ ଛାତ୍ରୀଙ୍କୁ ସାଥୀରେ ନେଇ କେବଳ ପାଖରେ ଛୋଟ ନଈଧାରାରେ ଥିବା କଣ୍ଟା ବଣରେ କେବେ କେବେ ବଣଭୋଜି ସାରି ଗୋଧୂଳି ବେଳା ଗଡ଼ିଯିବା ପୂର୍ବରୁ ନିବାସକୁ ଫେରିଆସେ ।

 

ମୁଁ ତ ଅନେକ ଦିନରୁ ଶିକାର ଛାଡ଼ିଦେଇଛି । ଫ୍ଲାସ୍‌ ଖେଳେ ।

 

ଅରୁଣ କିନ୍ତୁ ଆଜି ବି ଟେନିସ୍ ଖେଳରେ ତା ବ୍ୟକ୍ତିତ୍ୱ ଜାହିର କରେ ।

 

ରେବତୀକାନ୍ତ ଦିନତମାମ୍ କିନ୍ତୁ ଅଫିସର ଗଦାଗଦା ଫାଇଲ୍‌ ଓ ଫୋନ୍‌ କଲ୍‌ ଭିତରେ ନିଜକୁ ସଙ୍କୁଚିତ କରି ସନ୍ଧ୍ୟାର କ୍ଲବ୍‌ରେ ନିଜକୁ ଫୁଙ୍ଗୁଳା ଓ ହାଲ୍‌କା କରେ ।

 

ମୁଁ ହୁଇସ୍କି ପିଇଲେ ଗୀତର ସୁର୍‌ ଖୋଜେ ।

 

ଅରୁଣ କିନ୍ତୁ ଚୁପ୍‌ ଚାପ୍‌ ବସିରହେ; ଯଦିଓ ସେ ଦିନତମାମ୍‌ ଅନର୍ଗଳ ଗପୁଥିବାର ପ୍ରତ୍ୟେକେ ଳକ୍ଷ୍ୟ କରି ପାରିବେ ।

 

ରେବତୀକାନ୍ତ କିନ୍ତୁ ମାତାଲ୍‌ ହୋଇଉଠେ ।

☆☆☆

 

ବାର୍ଷା ଏବଂ ମନସ୍ତାପର ସଂଗୀତ

 

ଝାପ୍‌ସା ଜହ୍ନ ଏବଂ ଝୁପୁରୁ ଝୁପୁରୁ ବର୍ଷା । ରାସ୍ତାର ଶୁଖିଲା ମାଟି ଓ କଦଳୀ ଚୋପାରେ ସେଇ ବର୍ଷାର ଦାଗ । ଆକାଶରେ ସେଇ ଗୁରୁ ଗମ୍ଭୀର ମୂର୍ତ୍ତି ଭିତରେ ସତେ ଯେପରି ଗୋଟାଏ ବିରାଟ ନୀରବତା । ଏଇ ସନ୍ଧ୍ୟାଟା ଅତିମାତ୍ରାରେ କ୍ଲାନ୍ତିକର । ଚାହା, ସିଗାରେଟ, ବନ୍ଧୁ ଏବଂ ସିନେମା ଲହର ଭିତରେ ଗୋଟାଏ କ୍ଲାନ୍ତି, ଗୋଟାଏ ବିଷାଦର ଛାୟା । ମନେହେଉଛି; ଏଇ ମଣିଷ ସମାଜଟା ଗୋଟାଏ ରୀତିମତ ଦଳବାନ୍ଧି ମୁର୍ଦାର ପଛରେ ଧାବମାନ । ଜୀବନ-ଯୌବନ-ଅଭିସାର ସମସ୍ତ ମୃତ-ସମସ୍ତ କାୟାହୀନ-ଗତିବିହୀନ ।

 

ଥାକ ଥାକ ପୁସ୍ତକ ଓ ଚିତ୍ରପଟ ଭିତରେ କେବଳ ସେଇ ଫାଙ୍କା ଫାଙ୍କା ସ୍ୱରର ସଂଳାପ ସବୁ ଏବଂ ସେମାନେ ପ୍ରତ୍ୟେକ ଆମକୁ ଯେପରି ଉପହାର କରିଛନ୍ତି । ମଣିଷର ଅନୁଚିନ୍ତା, ଦରଦରେ ଯେପରି ସେମାନେ ସହାନୁଭୂତି ଟିକିଏ ଦେଖାଇବାକୁ ମୋଟେ ଏକମତ ନୁହଁନ୍ତି । ସେମାନେ ବୋଧ ଦେବାକୁ ସତେ ଚିନ୍ତା ଯେପରି କରିନାହାନ୍ତି । ଏ’ ମଣିଷ ଜାତିଟାର ଗୋଟାଏ ପୁନରୁତ୍‌ଥାନ ନାହିଁ । କେବଳ ଏ ମଣିଷଟା ବଞ୍ଚି ରହୁ, ପ୍ରତ୍ୟେକ ଯେପରି ଏଇ ଗୋଟାଏ କାମନା କରି ଆସୁଛନ୍ତି । ତାର ସୌନ୍ଦର୍ଯ୍ୟବୋଧ ନାହିଁ; ସେ କେବଳ ଦୈହିକ-କାମନା । ସେ କାମନା କୌଣସି ଅନାଗତ ଅସମ୍ଭବର କାମନା ନୁହେଁ । ସେ କାମନା ତାର ଜନ୍ମ ଜନ୍ମର, ପଶୁତ୍ୱର ।

 

ବାହାରେ ବର୍ଷା । ମେଞ୍ଚାଏ ମେଞ୍ଚାଏ ଶୀତୁଆ ପବନ ବି ଦେହରେ ଏକ ଅସ୍ୱାଭାବିକ ଶିହରଣ ବୋଳିଦେଉଛି । ଛୋଟ କୋଠରିଟିରେ ଏକ ଦୀର୍ଘ ନୀରବତା ! ନୀରବତାର କାରଣ କୁମାରୀ ମହାଶ୍ୱେତା ନିଜେ । ସେ ଆଜି ଆତ୍ମହତ୍ୟା କରିଛନ୍ତି ।

 

ବର୍ଷା ଅନ୍ଧାର ଏବଂ ଆଲୋକିତ କୋଠରି ଭିତରେ କେବଳ ନୀରବତା । କେବଳ ଏକାନ୍ତ ସେଇ ନୀରବତାର ଧ୍ୱନି । ସେଇ ଆତ୍ମହତ୍ୟାର ଚମତ୍କାରିତା ସଙ୍ଗୀତ । ସମ୍ମୁଖରେ ସ୍ଥାଣୁ ଓ ଅର୍ଥବ ମହାଶ୍ୱେତା ଏବଂ ତାଙ୍କର ପରିଚିତ ସତେଜ ହସ ।

 

ମହାଶ୍ୱେତାଙ୍କ ମୃତ୍ୟୁ ନିକଟରେ ବି ଆମେ ଅନେକ । ତାଙ୍କୁ ଛାଡ଼ି ହେଉନି । ତାଙ୍କ ସହିତ ଦୀର୍ଘ ଅତୀତଟାକୁ ନିଜ ଭିତରକୁ ଟାଣିଆଣିବାକୁ ଇଚ୍ଛା ହେଉଛି । ଇଚ୍ଛା ହେଉଛି ମହାଶ୍ୱେତାଙ୍କର ଏଇ ସଫେଦ ଚିକୁରରେ ଆଙ୍କିଦେବାକୁ ଅସଂଖ୍ୟ ଚୁମ୍ବନ ଦାଗ । ଶାଢ଼ିର ଆବରଣ କାଢ଼ି ତାଙ୍କର ଅଙ୍ଗଲତାକୁ ଆଉଥରେ ଭଲଭାବରେ ଆଲୋକିତ କୋଠରି ଭିତରେ ଦେଖିନେବାକୁ-। ତାଙ୍କ ଉନ୍ନତ ବକ୍ଷଦେଶରେ ଅଙ୍ଗୁଳିର ସ୍ପର୍ଶ ତୋଳିବାକୁ । ଆଃ......କୁମାରୀ ମହାଶ୍ୱେତା ! କଲେଜ କୁଇନ ମହାଶ୍ୱେତା ! କଲେଜ ଡ୍ରାମାର ହିରୋଇନ୍‌..... ।

 

ଅନ୍ଧାର ରାତି ଏବଂ ଏଇ ଝୁପୁରୁ ଝୁପୁରୁ ବର୍ଷା । ମୁଁ ଏବଂ ମୋର ବନ୍ଧୁ ସମୂହ । କାନ୍ଧ ଉପରେ ମହାଶ୍ୱେତାଙ୍କର ସେଇ ଶରୀରଟା । ମୁଁ ସ୍ୱୀକାର କରୁଛି, ମୁଁ ତାଙ୍କର ବାମରେ ଅଛି ଏବଂ ତାଙ୍କ ଶରୀରର କେତେଗୋଟା କୋମଳ ସ୍ଥାନରେ ମୋର ଦେହର ସ୍ପର୍ଶ ମୁଁ ଅନୁଭବ କରିଛି । ମୁଁ ତାଙ୍କ କପୋଳର କୃଷ୍ଣ ଚିକୁରରେ ମୋର ଅଙ୍ଗୁଳି ସଞ୍ଚାଳନ କରୁଛି । ଏବଂ ତାଙ୍କ କେଶର ଗନ୍ଧ ଅତି ଗୋପନରେ ଆଘ୍ରାଣ କରୁଛି । ମୁଁ ଖୁବ୍‌ ସତର୍କତାର ସହିତ ତାଙ୍କ ଅଧରରେ ମୋର ଅଙ୍ଗୁଳିର ସ୍ପର୍ଶ ଦେଉଛି । ଅତି ସନ୍ତର୍ପଣରେ ମୋ ରୁମାଲରେ ପୋଛି ଦେଉଛି ତାଙ୍କ ମୁଖ ମଣ୍ଡଳରେ ଝରି ପଡ଼ୁଥିବା ବର୍ଷାର ବିନ୍ଦୁଗୁଡ଼ିକୁ । ମୁଁ ଅତି ମାତ୍ରାରେ ଅନୁଭବ କରୁଛି ତାଙ୍କର ସ୍ପର୍ଶ । ଆଜି ଏଇ ବୋଧେ ଜୀବନର ପ୍ରଥମ ସୁଯୋଗ; ସେ ଧରା ଦେବେ ଦେବେ ବୋଲି ଆଜିହିଁ ଆମକୁ ଧରା ଦେଉଛନ୍ତି । ଏଇ ସମସ୍ତ ରାତିଟା ବସି ବସି ତାଙ୍କୁ ଯଦି ନିଃଶେଷକରି ହୁଅନ୍ତା ନା ? ମୋ ବିଛଣା ଉପରେ ତାଙ୍କୁ ଭଲକରି ଶୋଇ ସମସ୍ତ ଶରୀରଟାର ଭାର ଯଦି ତାଙ୍କ ସମସ୍ତ ଶରୀରଟିରେ ଲଦି ଦିଆଯାଇ ପାରନ୍ତା ନା ? ମୁଁ ସତେ ତାଙ୍କୁ ଖୁବ୍‌ ଅନ୍ତର ସହିତ ସ୍ନେହ କରେ । ଆମେ ତାଙ୍କର ଏକ ସୁକୋମଳ ମାଂସର ଲାଳିତ୍ୟ ଉପଭୋଗ କରିବାକୁ କେତେଦିନ ଧରି ଲାଳାୟିତ ଜିଜ୍ଞାସାରେ ଅପେକ୍ଷା ନ କରିଛୁ ? ସେ ସମସ୍ତ ସମୟ ଆଜିହିଁ ଆସିଛି । ତାଙ୍କୁ ଇଞ୍ଚ ଇଞ୍ଚ ଉପଭୋଗ କରିବାର ମହନୀୟ ସୁଯୋଗ ଆଜିହିଁ ମୁଁ ପାଇଛି ।

 

ଆମେ ତାଙ୍କୁ ଏଇ କାନ୍ଧରୁ ଓହ୍ଲାଇ ତଳେ ରଖୁଛୁ । ଏଇ ସେମାନେ କିଛିଦୂର ଆଗେଇ ଯାଉଛନ୍ତି; ଗାର କାଟି ଚିତା ସଜାଡ଼ିବା ନିମିତ୍ତ । ମୁଁ କିନ୍ତୁ ମହାଶ୍ୱେତାଙ୍କ ଶବର ଅତି ନିକଟରେ । ମୁଁ ତାଙ୍କ ମୁଖମଣ୍ଡଳରେ ମୋ ଅଙ୍ଗୁଳିର ସ୍ପର୍ଶ ଦେଉଛି । ତାଙ୍କର କୋମଳ କର ଦୁଇଟିକୁ ମୋର ବେଦନାବହୁଳ ରୁକ୍ଷ ବକ୍ଷ ଉପରେ ରଖି ମୋ ଅଙ୍ଗରେ ଆଲୋଡ଼ନ ସୃଷ୍ଟି କରୁଛି । ଏଇ ଝାପ୍‌ସା ଆଲୁଅରେ ମୁଁ ତାଙ୍କ ବକ୍ଷର ସମସ୍ତ ବୋତାମଗୁଡ଼ିକ ଧୀରେ ଧୀରେ ଖୋଲିବାର ଉପକ୍ରମ କରୁଛି । ମୋ ଅଙ୍ଗୁଳି ସ୍ପର୍ଶ କରୁଛି ସେଇ ଛୋଟ ଛୋଟ ଉନ୍ମତ କଳା ବିନ୍ଦୁ ଦୁଇଟିକୁ । ଆ......ଚମତ୍କାର ! ଚମତ୍କାର କୁମାରୀ ମହାଶ୍ୱେତାଙ୍କ ବକ୍ଷର ଏଇ କୋମଳତା । ମୁଁ ନଇଁ ଆସୁଛି । ମୋ ଜିହ୍ୱାରୁ ନିର୍ଗତ ଲାଳରେ ତାଙ୍କର ବକ୍ଷଦେଶ ଆର୍ଦ୍ରହୋଇ ଉଠିବାର ମୁଁ ବାରମ୍ବାର ଲକ୍ଷ କରୁଛି । ମୁଁ ସଧୀରେ ତାଙ୍କର ଦେହର ସୁନ୍ଦର ଆବରଣଟିକୁ ଦୂରକୁ ଫିଙ୍ଗି ଦେବାକୁ ଆପ୍ରାଣ ଚେଷ୍ଟା କରୁଛି ।

 

ମୁଁ ତାଙ୍କୁ ଉଲଗ୍ନ କରି ଝାପ୍‌ସା ଆଲୁଅ ଭିତରେ ଥରେ ଆଖି ପୂରାଇ ଦେଖିବାକୁ ସଂକଳ୍ପ କରୁଛି ଏବଂ ତାଙ୍କର ପ୍ରତ୍ୟେକ ଅଙ୍ଗରେ ଚୁମ୍ବନର ଦାଗ ଆଙ୍କି ତାର ସ୍ପର୍ଶ ଅନୁଭବ କରନ୍ତି, ଏହାହିଁ କାମନା କରୁଛି ।

 

ବର୍ଷା ଅତି ଭୟଙ୍କର ଭାବରେ ଉଠାଇ ଆସୁଛି । ଯଦି ବର୍ଷିପାରନ୍ତା ? ଯଦି ପ୍ରତ୍ୟେକ ଆତ୍ମ ସମର୍ପଣ କରନ୍ତେ ଏଇ କ୍ଷୁଦ୍ର ଘରଟିରେ ? ଆ........ମୁଁ ଏଇ ବର୍ଷା ଅନ୍ଧାର ଭିତରେ ମହାଶ୍ୱେତାଙ୍କର ଏଇ ଉଲଗ୍ନ ଶରୀରଟାର ସମସ୍ତ ଅଂଶଟିକୁ ଅତି ଏକାନ୍ତ ଭାବରେ ପରିଚିତ କାଠଯୋଡ଼ିର ବିସ୍ତୀର୍ଣ୍ଣ ବାଲୁକା ରାଶିରେ ଦୀର୍ଘ ସମୟ ଧରି ଉପଭୋଗ ଯଦି କରିପାରନ୍ତି ନା ? ଯଦି ତାଙ୍କ ବକ୍ଷର ସେଇ କଳା ବିନ୍ଦୁଦୁଇଟି ଉପରେ ଲକ୍ଷେ ସ୍ୱପ୍ନର ସମ୍ଭାର ଘେନି ଚୁମ୍ବନ ଦେଇପାରନ୍ତି ନା ? ଏବଂ ତାଙ୍କ କୋମଳ ତନୁ ଲତାଶ୍ରୀରେ ନିଜକୁ ଲମ୍ବାଇ ଦେଇ ମୋ ଅଙ୍ଗର ସମସ୍ତ ଉତ୍ତାପ ନିଃଶେଷ କରିଦେଇପାରନ୍ତି ନା ।

 

ଏଇ ସେମାନେ ଆସୁଛନ୍ତି । ଏଇ ଶରୀରଟାକୁ ମୋଠାରୁ ଦୂରେଇ ନେବାକୁ । ସେମାନେ ବର୍ତ୍ତମାନ ଏ’ ଶରୀରଟାରେ ଅଗ୍ନି ସଂଯୋଗ କରିବାର ଉପକ୍ରମ କଲେଣି । ସେମାନେ ବୋଧେ ମୋତେ ଦୂରେଇ ଯିବାକୁ ସୂଚନା ଦେଉଛନ୍ତି ଏବଂ ଏଇ ସୁନ୍ଦର ଶରୀରଟିକୁ ନିଃଶେଷ କରିବାପାଇଁ ଏତେ ଆଗ୍ରହୀ ସେମାନେ କାହିଁକି ଯେ ?

 

ମୁଁ ଚିତ୍କାର କରୁଛି । ମୁଁ ସେମାନଙ୍କୁ ସେଇ ସମସ୍ତ ଶରୀରଟିକୁ ମୋତେ ଏକାନ୍ତ ଭାବରେ ଛାଡ଼ି ଦେବାପାଇଁ ଅନୁରୋଧ କରୁଛି ଏବଂ ଆସନ୍ନ ବର୍ଷାର ଭୟଙ୍କର ଶବ୍ଦ ଭିତରେ ମୋ ଚିତ୍କାର କେବଳ ମୁଁ ହିଁ ଶୁଣିଛି ।

☆☆☆

 

ସୂର୍ଯ୍ୟସ୍ନାନ

 

ପାର୍କ କଡ଼ରେ ପାମ୍ପଡ଼ ବିକାଳିଠାରୁ ବରଫି ଓ ଚେନାଚୁର ବାଲାଙ୍କ ଭିଡ଼ ଜମିବା ବେଳକୁ ନାଲି, ନୀଳ ଓ ହରରଙ୍ଗି ମଣିଷ ମାଳ ମାଳ । ଗାଡ଼ି ମଟର ଓ ଘୋ ଘୋ ବଢ଼ି ଉଠିବାବେଳକୁ ତିନିମହଲା କୋଠାର ମଥାନ ଓ ପାରାପେଟ ଉପରେ କଣ୍ଢେଇମାନେ ମୁହଁ ଦେଖାଇ ବସି ସାରିଲେଣି । ୩ମହଲାରୁ ରାସ୍ତାର ମଣିଷଗୁଡ଼ାକ ବେଶ୍‌ ଛୋଟ ଦେଖାଯାନ୍ତି ଓ ତିନିମହଲା ଉପରେ ବସିଥିବା ମଣିଷର ସେତିକି ହିଁ ସାନ୍ତ୍ୱନା ।

 

ମୋର ତ ସେଇ ପୂର୍ବ ଅଭ୍ୟାସ ଓ ପରିଚିତ ଆସ୍ଥାନ । ଆସ୍ଥାନ ବଦଳରେ ସିନା ଅଭ୍ୟାସ ବଦଳିବ । ପାର୍କ ସାମ୍ନା ଘଡ଼ି ମରାମତି ଦୋକାନ ଆଗରେ ୨ଟି ଇଲେକ୍‌ଟ୍ରିକ୍ ଖୁଣ୍ଟି ମଝିରେ ଛାଡ଼ିହୋଇ ଯାଇଥିବା ଧୂଳିଆ, ଅଣଓସାରିଆ ସ୍ଥାନଟି ମୁଁ ପୂର୍ବଦିନମାନ ପରି ଆବୋରି ବସି ରହିଛି । ମୁଣ୍ଡ ଉପରେ ଖରା ଓ ପଛକୁ ନର୍ଦମା । ଆଗରେ ପରିଚିତ ସେଇ ବିରାଟ ପିଚୁ ସଡ଼କ ଓ ଲୋକ ଗୋଳମାଳ । ମୋର ଆସ୍ଥାନ ସେଇ ଦୁଇଫୁଟିଆ ପଟାଖଣ୍ଡକରେ ଚାରିଗୋଟି ଦେଢ଼ ଇଞ୍ଚିଆ ଲୁହା ଚକ ।

 

ଆଜି ଏତେ ମଣିଷଙ୍କ ମେଳ ଯେ, ସେଇ କଷରା ଷଣ୍ଢଟା ରାସ୍ତାରେ ବୁଲି ପାକୁଳି କରିବାକୁ ସାହସ କରିପାରେ ନାହିଁ । ରମଜାନ୍‌ ଦୋକାନ ସାମ୍ନା କଟା ପଇଡ଼ ଚୋପା ବା ବଳାତ୍କାର ଭାବରେ ମୁହଁ ପୂରାଇ ଜଗୁହାତୀ ଗୋଦାମରୁ ଚାଉଳ ବା ଡାଲି ନେଇ ପଳାଇ ଯାଉନାହିଁ । ଷଣ୍ଢଟାକୁ ଟିଟିକାରି ମାରି ଗଣ୍ଡରପୁରର ସେଇ ଏକଶିଙ୍ଘିଆ ଷଣ୍ଢଟା ସହ ଖୁରି ଖୁଆଇବାକୁ ରାମଶଙ୍କର ବି ଆଜି ପାର୍କ-ସାମ୍ନା ଟାକ୍‌ସି ଷ୍ଟାଣ୍ଡରେ ଥିବା କୌଣସି ଏକ ଟାକ୍‌ସି ବନେଟ୍‌ ଉପରେ ଚିତ୍‌ହୋଇ ଶୋଇନାହିଁ । କଷରା ଷଣ୍ଢଟାର ବି ଏ’ ପର୍ଯ୍ୟନ୍ତ ସାକ୍ଷାତ୍‌ ମିଳିନି । ଆଜି ବି ଟାକ୍‌ସି ଷ୍ଟାଣ୍ଡରେ ଜମାରୁ ଟାକ୍‌ସି ନାହିଁ । ଆଜି ଏଇ ଭିଡ଼ ଭିତରେ ଷଣ୍ଢଟା ଯଦି ଅନ୍ୟଦିନମାନଙ୍କ ପରି ବୁଲି ବୁଲି ଶେଷରେ ମୋ କଡ଼ ଇଲେକ୍‌ଟ୍ରିକ୍‌ ତାର ଖୁଣ୍ଟି ଦେହରେ ପିଠି ଘସି ମୋ ସାମ୍ନା ଓଗାଳି ଶୋଇ ରହନ୍ତା ଓ ତାକୁ ହୁରୁଡ଼ାଇବାକୁ ତାରଖୁଣ୍ଟିକୁ ଲାଗି ଠେସି ଦିଆଯାଇଥିବ ମୋଟା ତାରକୁ ମୋ ହାତରେ ଧରି ମୋ ୨ଫୁଟିଆ ଚକଲଗା ପଟାଟିକୁ ଦୋଳିରେ ଝୁଲିବାର ଉପକ୍ରମଣିକା ଦେଇ ମୋତେ ଏକ ଶବ୍ଦ କରିବାକୁ ପଡ଼ନ୍ତା, ଅନେକ ବାଟୋଇ ଏଇଠି ଅଟକି ଯାନ୍ତେ ଓ କଷରା ଷଣ୍ଢଟା ସେମାନଙ୍କୁ ଦେଖି ହୁରୁଡ଼ନ୍ତା ଏବଂ ତଳକୁ ମୁଣ୍ଡ ପୋତି, ନିଃଶ୍ୱାସରେ ଫଁ ଫଁ ଶବ୍ଦ କରି ସେମାନଙ୍କଆଡ଼କୁ ବା ମୋଆଡ଼କୁ ମାଡ଼ିଯାନ୍ତା ।

 

ଚାରିଚକିଆ ହୁରୁମା କାଠପଟା ଖଣ୍ଡକ ଯେ ବେଳେ ବେଳେ ମୋ ମନ ହୁରୁମା ହେବାର ଏକମାତ୍ର ପାଥେୟ ଓ ଯାହାର ଘେସଡ଼ା ଶବ୍ଦ ଷଣ୍ଢଟାକୁ ବି ଲାଞ୍ଜ ଟେକି ଦୌଡ଼ାଇ ଦିଏ, ସେ ଆଜି ମୋ ଆଣ୍ଠୁତଳେ ପଡ଼ି ରହିଛି ।

 

ମୁଣ୍ଡେ ଉଚ୍ଚାର ଲାଠିଧାରୀ ପୋଲିସ୍‌ ଖାକି ପୋଷାକ ପିନ୍ଧି ଛକରେ ମେଳବାନ୍ଧି ଠିଆ ହେଲେଣି ଓ ଗାଡ଼ି ମଟର ଧୀରେ ଧୀରେ କମି ଆସିବାର ଦୁଇପଟୁ ଦେଖାଯାଉଛି । ଖରା ଟାଣ ହେବା ବେଳକୁ ବାବୁମାନେ ଗାଡ଼ିଛାଡ଼ି ପାଦରେ ଚାଲିବେ ଏବଂ ପାରାପେଟ୍‌ରେ ଖୁଦ ପକାଇବାକୁ ଆଉ ଜାଗା ବି ମିଳିବ ନାହିଁ ।

 

ଚାରିଦିନ ଗହଳି ଓ କାନଅତରା ପକାଉଥିବା ବ୍ୟାଣ୍ଡପାର୍ଟି ସବୁ ରାତି ସାତଟଯାଏ ଅର୍ଦ୍ଦଳ କରି, ନାଚି ନାଚି ବାଟଚଲା ମଣିଷକୁ ଓ ମେଢ଼କୁ ବାଟୋଇ ଦେବାକୁ ସେଇ ଶୁଖିଲା ନଈକୂଳଯାଏ ଅଙ୍ଗଭଙ୍ଗି କରି ଯିବେ ଓ ରାତି ଦୁଇଘଡ଼ି ବେଳକୁ ଫେରିଆସି କିଛି ଚାଉଳ ତେଣ୍ଡି, ରାତିସାରା ଆଖି ଲାଲ କରି ୪ଦିନର ଅର୍ଜିତ ଖୋସଣି ଓ ପକେଟ୍‌ଭରା ପଇସାରେ ରାତି ପୁହାଇବେ ।

 

ଦିନ ବାରଟା ପର ହେବାକୁ ବସିଲାଣି । ମୋ ସାମ୍ନା ଉଠା ଦୋକାନରେ କୋକାକୋଲା ପିଇବାରେ ଲଟେରି ଲାଗିଛି । ମୋଟା ପତଳା, ଗୋରା ଓ କଳା ଜାତିଜାତିକା ମଣିଷ । ଘର ଛାଡ଼ି, ବାହାରକୁ ଆସି ଦେଖାଇ ହେବାର ଓ ଦେଖାଇ ହେଉଥିବା ମଣିଷକୁ ଦେଖି ହସିଦେବା ବା ମୁହଁ ମୋଡ଼ିଦେବାର ଆଜି ଏ ଦିନଟି ।

 

ସାମ୍ନା ଛକଆଡ଼ୁ ମାଡ଼ି ଆସିଲାଣି ଦଳେ ମଣିଷ । ସରୁ ପଞ୍ଜାବି ଓ ଧୋତି । ନଳୀ ପ୍ୟାଣ୍ଟ୍‌ ଓ ଖରାରେ ସିଝିଯାଉଥିଲେ ବି ଚିପା ପଞ୍ଜାବି ଉପରେ ପେଟିକୋର୍ଟ । ମଣିବନ୍ଧରେ ଚମ୍ପାଫୁଲ ମାଳ ଗୁଡ଼ାଇ ଓ ବେକରେ ଗଜାରା ପକାଇ ସେମାନେ ମାଡ଼ିଆସୁଛନ୍ତି । ତାଙ୍କ ପଛକୁ ନିଶମୋଡ଼ା ବୟସ୍କ ମୁଖିଆ କେଇଜଣେ । ଗୋଡ଼ ଠିକ୍‌ ତାଳରେ ପଡ଼ୁନାହିଁ । ଚାଲି ବେଢ଼ଙ୍ଗ ଓ ବାଟରେ ଅଟକି ହାତକୁ ଖୁବ୍ ଉପରକୁ ଟେକି, ଦୁମକରି ତଳେ ପିଟି ଦେବାର ଏକ ମଧ୍ୟମ ପର୍ବ । ତା’ପରେ ନିକଟରେ ଚାଲୁଥିବା ମୁଣ୍ଡରେ ପରଖୋସିଥିବା, କାନ୍ଧରେ ମାଦଳ ପକାଇ ଡେଇଁ ଡେଇଁ ଚାଲୁଥିବା ମଣିଷ ଅଟକି ରହିବେ ଓ ମାଦଳ ଉପରେ ବସିବ ସେଇ ପାଇକଛା ଭିଡ଼ି ମଝିରେ ଚାଲୁଥିବା ପାତଳ ଚନ୍ଦା ମଣିଷଟାର ପାହାର । ମାଦଳ ଗର୍ଜିଉଠୁଛି ଓ ନାଇଲନ୍‌ ଶାଢ଼ି ପିନ୍ଧ, ତାଙ୍କ ଦେହରେ ଦେହ ଘଷି, କଡ଼ଲେଉଟା ଢଙ୍ଗରେ ଛାତିକୁ ଫୁଲାଇ ଓଠରେ ଓ ପାଦରେ ଘୁଙ୍ଗୁର ପିନ୍ଧି, ଏକ ବିଚିତ୍ର ରୂପରେ ଭୂଷିତା ହୋଇ ମାଇଚିଆ ପୁଞ୍ଜାକ ନାଚିଯାଉଛନ୍ତି । ବାବୁରିବାଳୁଆ କଲେଜ ପିଲା କେଇଟାଙ୍କ ଗାଲ ଉପରେ ହାତ ମାରି ଆଖି ନଚାଇ ଓଡ଼ିଶୀ, କଥାକଳି ଓ କର୍ଣ୍ଣାଟକୀର ଏକ ବିଚିତ୍ର ଓ ମିଶ୍ରିତ ଭଙ୍ଗୀରେ ଘୂରିଯାଇଛନ୍ତି ମୋ ସାମ୍ନାରେ । ଏପରି ଲୀଳା ୧୦।୧୫ ମିନିଟ୍‌ ଚାଲିବା ପରେ, ସାହିରେ ମୁଖିଆ ଆଖି ଦେଖାଇ, ହାତ ଆଗକୁ ବଢ଼ାଇ ଇସାରା ଦେଉଛନ୍ତି ଓ ବାଜାବାଲାଠାରୁ ଆରମ୍ଭ କରି ନାଚବାଲି ପର୍ଯ୍ୟନ୍ତ ବେଶ୍‌ ଗୋଟାଏ ହାଲୁକା ମନରେ କିଛିବାଟ ଆଗେଇ ବି ଯାଉଛନ୍ତି ।

 

ସାହି ମୁଖିଆ ଓ ବାଜାଦାରଙ୍କ ଆଗେଇବା ଭିତରେ ମେଢ଼ କାନ୍ଧେଇ ଗୋଡ଼ ଫର୍କଟେଇ ଚାଲୁଥିବା ତିନିଟଙ୍କିଆ ମଜୁରିଆ ତେଲିଆ-ଝାଳୁଆ ମଣିଷଗୁଡ଼ାକ ହୁଏତ ମଝିରେ ମଝିରେ କାନ୍ଧ ବଦଳାଇବେ ଓ ଡେରିହେଲେ କେହି ମୁଖିଆ ବା ତାଙ୍କ ପାଖରେ ଚାଲୁଥିବା ନବୀନ ବା ଅମର ତାଙ୍କ ଚୌଦ ପୁରୁଷ ଶ୍ରାଦ୍ଧ କରି ତାଙ୍କ ଉପରେ ହାକିମି ଜାହିର କରିବା ଓ ଆଗକୁ ଚାଲିବାକୁ ବେତ ଉଞ୍ଚାଇ ଆଦେଶ ଦେବ ।

 

ଆଗକୁ ମାଡ଼ି ଚାଲିଲାବେଳେ ମେଢ଼ ଆଗରେ ଚାଲିଥିବା ଓ ନିଜକୁ ସେଦିନର ସବ୍‌ଜାନତା ଭାବି କାର୍ଯ୍ୟଠାରୁ କଥା କହୁଥିବା ପଞ୍ଝାଏ ମଣିଷଭିତରୁ ପଞ୍ଜାବିର ହାତ ଭାଙ୍ଗି କାଖ ପର୍ଯ୍ୟନ୍ତ ଗୁଡ଼ାଇଥିବା ଓ ବେକରେ ଗଜରା ଓ ନାଲି ଗାମୁଛା ପକାଇଥିବା, କେବେ ପାନ ନ ଖାଉଥିଲେ ବି ଖଇରମିଶା ପାନ ଖାଇ ପାଟିଗାଢ଼ ଲାଲ କରିଥିବା ଅଧା ବା ବାଁ ହାତରେ ସାମ୍ନା ମେଢ଼କୁ ଅପେକ୍ଷା କରିବାକୁ ଇସାରା ଦେଉଛି । ମେଢ଼ କାନ୍ଧେଇ ଚାଲିଥିବା ତେଲିଆ ମଣିଷଙ୍କ ସହିତ ଆଗରେ ମାମଲତ୍‌କାରମାନେ କିଛି ନ ଜାଣି ଉପରକୁ ଆଁ କରି ଠିଆ ହୋଇଯିବା ଭିତରେ ଚିପାପ୍ୟାଣ୍ଟ ଓ ପେଟିକୋର୍ଟପିନ୍ଧା, ବାବୁରିବାଳ ରଖିଥିବା ଓ ଚଉଡ଼ା ହରେକୃଷ୍ଣ ହରେରାମର ବେଲ୍‌ଟ ଅଣ୍ଟାରେ ଭିଡ଼ିଥିବା ୨ୟ ବର୍ଷ କଲେଜରେ ପଢ଼ୁଥିବା ଏବଂ ନୂଆ ପ୍ରେମ ଶିଖୁଥିବା ଯୁବକ କେଇଜଣ ବାଜାଦାରଙ୍କ ମଝିରେ ଆରମ୍ଭ କରି ଦେଇଛନ୍ତି ରକ୍‌-ଏଣ୍ଡ୍-ରୋଲ୍ ବା କାବ୍ରାର ସେଇ ଅଶ୍ଲୀଳ ଭଙ୍ଗୀ କେଇଟା । ତା’ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିଥିବା ତା’ ବୟସରେ ବନ୍ଧୁମାନେ ଜିଭତଳେ ଦୁଇଆଙ୍ଗୁଳି ଗଳାଇ ବା ଓଠ ଚିପି ହୁଇସିଲ୍‌-ମାରି କମ୍ପାଇଦେଇ ଆଗକୁ ମାଡ଼ି ଚାଲିଛନ୍ତି-

 

ମୋ ସମୟରେ ମଣିଷ ଯେତେବେଳେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ତା’ର ବାସସ୍ଥାନର ପରିକଳ୍ପନା କରୁଛି, ଆଲୋକର ଗତିରେ ଘୂରିବାର ପ୍ରେଚେଷ୍ଟା ଆରମ୍ଭ କରିଛି, ସେତେବେଳେ ନିଜକୁ ନିଜକୁ ସଙ୍କୁଚିତ କରି କେବଳ ବିଦ୍ୟାର୍ଜନା କରି ଜ୍ଞାନ ଜଣାଇ ହେବା ବା ପରିଚୟ ପାଇବା ଏକ ପାରିଲା ମଣିଷର ଆନନ୍ଦ ଓ ଆନନ୍ଦ ଉପଲବଧି କରିବାର ଏକ ପ୍ରେଚେଷ୍ଟା କରିବାକୁ ହେବ । ମୋ ପରିଚିତ ତତାବ୍ଦୀର ୨ଟି ମହାଯୁଦ୍ଧ ପରେ ଓ ମଣିଷର ଅସଂଖ୍ୟ ସମସ୍ୟା ବିଜ୍ଞାପିତ ହେବାବେଳେ ସବ୍‌ଜାନତା ନ ହୋଇ ଏକ ସଙ୍କୁଚିତ ଜୀବନ ଭିତରେ ଓ କାର୍ଯ୍ୟ ମାଧ୍ୟମରେ ବଞ୍ଚି ରହିବା କେବଳ ନ ପାରିବା ମଣିଷର ଏକ ଦୁର୍ବଳତା । ପାରିବା ମଣିଷ ହେବାକୁ ହେବ ଓ ସେଥିଯୋଗୁ ବିରାଟ ଏକ ବ୍ୟକ୍ତିତ୍ୱର ପୃଷ୍ଠଭୂମିରେ ଛିଡ଼ା ହୋଇ ସାମାଜିକ ବ୍ୟସ୍ତତାଠାରୁ ଏକ ଜୀବନ୍ତ ମୂର୍ତ୍ତି-ଭାବରେ ପରିଚିତ ହେବାକୁ ପଡ଼ିବ । ସେଇଥିପାଇଁ ବୋଧେ ଯୁବକର ନାରୀଶ୍ୱର ରୂପରେ ପରିକଳ୍ପନା ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଏକ ସୁଚିନ୍ତିତ ଓ ଅଭିନବ ଚମତ୍କାରିତା ଏବଂ ବ୍ୟଭିଚାରଗ୍ରସ୍ତ ମଣିଷ ମନର ଖିଆଲକୁ ଚରିତାର୍ଥ କରିବା ନିମିତ୍ତ ପୁରୁଷ ଓ ନାରୀ ପୋଷକରେ ଅସ୍ୱାଭାବିକ ସାମଞ୍ଜସ୍ୟ ଓ ୨ଟି ମନ ସହିତ ଦେହରେ ମିଳନର ସବୁଠାରୁ ସହଜ ମାଧ୍ୟମ ।

 

ଗୋପୀଭାବରେ କୃଷ୍ଣଙ୍କୁ ପାଇବା ପଛରେ ଯେଉଁ ଆନ୍ତରିକତା, ପୁରୁଷ ହୋଇ ନାରୀ ରୂପରେ ଅନ୍ୟାନ୍ୟ ବହୁ ପୁରୁଷଙ୍କୁ ପ୍ରଲୋଭିତ କରିବାର ଉତ୍କଣ୍ଠା ଆଜି ଏଇ ଯୁବକ ସୁଲଭ ଚପଳତା ଭିତରେ ମିଶି, ସହରରେ-ବଜାରେ, ବାଟେ ଘାଟେ ଦେଖାଯାଉଛି ।

 

ଆଜି ଦିନମାନଙ୍କରେ ମୋଆଡ଼କୁ ନଜର ନ ପଡ଼ିବାର ଏକ ସ୍ୱାଭାବିକ୍‌ ଅବସ୍ଥା । ମୁଁ ତେଣୁ କୁଙ୍କୁରି କାଙ୍କୁରି ହୋଇ ତାରଖୁଣ୍ଟଟିକୁ ଆଉଜିଯାଉଛି । ଦୀର୍ଘ ଧାଡ଼ି ଓ ଦୀର୍ଘ ମଣିଷର ବେପରୁଆ ଚାଲି ଭିତରେ ମୁଁ ତ କେବଳ ଦୀର୍ଘଶ୍ୱାସହିଁ ଢାଳିବାକୁ ଶିଖିଛି ମୋର ହେତୁ ପାଇବା ଦିନରୁ । ଆଗର ସେଇ ଛକ ଉପରର ୫ମହଲା କୋଠାତଳି ଆସ୍ଥାନ ଘୁଞ୍ଚାଇ ଘୁଞ୍ଚାଇ; ବାପା ଯେତେବେଳେ ସହରର ପଛକଡ଼ ଅନ୍ଧାରିଆ ଚାଞ୍ଚରା ଆଉଜା ଓ ପଚାପାଣି ଜମୁଥିବା, ଛପର ନ ଥିବା ବସ୍ତିରେ ରାହା ଖୋଜିଲେ ଏବଂ ରାତି ଅଧ ପର୍ଯ୍ୟନ୍ତ ପଟିକିଆ ବଳଦଗାଡ଼ି ଠେଲି ଠେଲି ୨ଟା ଟଙ୍କା ଅଣ୍ଟାରେ ଗୁଞ୍ଜି ହାମୁଡ଼େଇ ଘରେ ପହଞ୍ଚନ୍ତି, ଆଉ ବୋଉ ଯେତେବେଳେ ବରଷା ଶୀତରେ ଓଦାଘରେ ଡିବିରି ଆଲୁଅ ଭିତରେ କନ୍ଥାଖଣ୍ଡେ ପକାଇ; ପାଣି ଢୋକେ ଢୋକେ ଦେଇ ଆମକୁ ଶୁଆଇ ପକାଏ, ରସଗିନା, ଥାଳିଆରେ ଆକାଶର ସବୁତକ ମେଘକୁ ଧରିବାକୁ, ଆମ ଉପରକୁ ନ ପକାଇ ଦେବାପାଇଁ ରାତିଯାକ ଅଧା ଅନ୍ଧାର ଅଧା ଆଲୁଅରେ ଘରସାରା ବୁଲି ବୁଲି ରାତି ପୁହାଇ ଦିଏ, ମୁଁ ସେତିକିବେଳୁ ଜାଣିଛି ଯେ ଆମପାଇଁ ଦାରିଦ୍ର ଏକ ଦୀର୍ଘପଥ ଓ କାନ୍ଥଭଙ୍ଗା ଘରେ ଫଟା ଲୁଗା ଟାଣି ଭିତର ନ ଦେଖାଇବାର ବୃଥା ଚେଷ୍ଟା କାହାକୁ କୈଫି‌ୟତ ଦେବାକୁ ନୁହେଁ, ଜୀବନକୁ କେବଳ ଅନୁଭବ କରିବା । ଜୀବନକୁ ଭଲପାଇବା ପୁଣି ଶିଖିଲି ବାପା ଯେତେବେଳେ ବାଧିକା ପଡ଼ିଲେ । ସାନଭଉଣୀ ଦିନତମାମ୍‌ ଫୁଲର ମାଳ ଗୁନ୍ଥି, ରାତିରେ ଫୁଲ ବେଣୀରେ ଖୋସି ଦାଣ୍ଡପିଣ୍ଡାରେ ବସିରହି କେଉଁ ଅଜଣା ମଣିଷର ଅପେକ୍ଷା କରେ । ବୋଉ ଦାଣ୍ଡପିଣ୍ଡାରେ ପଇସା ଗଣି ରଖି ତା’ ଗେହ୍ଲା ଝିଅକୁ ଅଚିହ୍ନା । ମଣିଷ ସହିତ ଘରର ଅନ୍ଧାର ଭିତରକୁ ଠେଲିଦେଇ ଦାଣ୍ଡ-ଚାଞ୍ଚରା ଖଣ୍ଡକୁ ଆଉଜାଇ ଆଣେ ।

 

ବାପା ତ ଆଉ ଉଠିଲେ ନାହିଁ । ସାନଭଉଣୀ ବି ଫୁଲମାଳ ଗୁନ୍ଥା ଛାଡ଼ି ସଞ୍ଜହେଲେ ବେପାର ବଣିଜ କରେ । ବୋଉକୁ ରାତିକର ଦାମ ଦେଇ ସାଇର ଆଉ ପାଞ୍ଚଟା ଅଭିଆଡ଼ ଝିଅଙ୍କ ସହିତ ଗୋଟାଏ ନିଆରା ବଖରାରେ ନିତି ରାତି କଟାଏ ।

 

ଗୋଟାଏ ମେଢ଼, ବାଜା ଓ ବାଜାଦାର ଏବଂ ମାମଲତି କରି କରି, କାନ ଅତରା ପକାଇ ଧୀର-ମନ୍ଥର ଗତିରେ ଗୁଡ଼ାଏ ମଣିଷ ଚାଲିଗଲେ । କିଛିଟା ନୀରବତା ପଡ଼ିଯାଇଛି । ଅନ୍ଧାର ଜମି ଆସିଲାଣି । ଯେଉଁ କେତେକ ଆଗେଇ ଗଲେ, ଆଗେଇ ଯିବାର ନିଶା ଭିତରେ ତାଙ୍କର ମନକୁ ଆଉ କିଛି ଛୁଇଁନି । ମନକୁ ଛୁଇଁବା ପରି ସାମାଜିକ ପରିସ୍ଥିତି ଏଠି ନାହିଁ । ଏଠି କେବଳ ସମର୍ଥିତ ପରିସ୍ଥିତି ଓ ତାହା ସାମୟିକ ସେଇ ସମସ୍ତ ମେଢ଼ ସହଯାତ୍ରୀଙ୍କ ନିକଟରେ ।

 

ସେମାନଙ୍କ ଆଗର ଓ ସେମାନଙ୍କ ପରର ଓ ତା’ପରର, ତା’ପରର ଓ ସବା ପରର ସବୁ ମେଢ଼ ଏପରି ଚାଲିଯିବେ । ସାମୟିକ ଉତ୍ତେଜନା, ପରିସ୍ଥିତି ଓ ପରିପ୍ରେକ୍ଷୀଜନିତ ଆତ୍ମା-ପରିତୃପ୍ତି କଟିଯିବ କେଇଟା ମୁହୂର୍ତ୍ତରେ । ପରେ ମେଢ଼ ବିସର୍ଜନ ହେବାର ଠିକ୍‌ ପରମୁହୂର୍ତ୍ତ ଓ ଫେରିଆସିବା ସମୟଟି ପରସ୍ପର ପରସ୍ପରର ଭିନ୍ନ ଭିନ୍ନ ପରିସ୍ଥିତି ଭିଆଇ ସିଧାସଳଖ ଦୀର୍ଘ ଧାଡ଼ିରେ ବା ଗୋଲେଇ ହୋଇ ଚାଲୁଥିବା ଲମ୍ବା ମଣିଷ ଓ କଞ୍ଚା, ପାକଲା, କଳା, ଗୋରା, ଡେଙ୍ଗା ବା ଗେଡ଼ା ମଣିଷକୁ ଅଲଗା ଅଲଗା କରି, ଘରମୁଖି ମନ କରିଦେବ । ଚାରିଦିନର କ୍ଲାନ୍ତି ଯୋଗୁଁ ହେଉ ବା ଚାରିଦିନର ଦୀର୍ଘଶ୍ୱାସ ଏକାଠି ହୋଇ ଓ ନୟାନ୍ତ ହୋଇ ଫେରି ଆସୁ ଆସୁ ଦଳ ଛଡ଼ା ମଣିଷର ସିଠା ମୁହଁରେ ତେଲ-ଲୁଣର ସଂସାରର ତାଡ଼ନା ସବୁ ଖେଳି ବୁଲିବ ଏବଂ ୨ଦିନ ପୂର୍ବେ ମେଢ଼ ପଛରେ ମେଢ଼କୁ କେନ୍ଦ୍ରକରି ଘଟିଯାଇଥିବା ଅପ୍ରୀତିକର ପରିସ୍ଥିତି ଯୋଗୁଁ ଉପୁଜିଥିବା ଦାୟିତ୍ୱହୀନ ବାହାଦୁରିପଣିଆପାଇଁ କୈଫିୟତ ଦେବାକୁ ଘରକରଣାର ଶେଷ ସମ୍ବଳଟି ଯେତେବେଳେ ମହାଜନ ଘରେ ଘରର ଘରଣୀ କାନିତଳେ ଲୁଚାଇ ସଞ୍ଜ ଅନ୍ଧାରରେ ମହାଜନ ଘର ଆଉଜା କବାଟ ବାହାରେ ଠିଆ ହୋଇ, ଫୁସୁର ଫୁସୁର ଦି’ପଦ କଥା କହି, ହାତ ବଢ଼ାଇ ସାହୁଆଣୀ ହାତରେ ଗୁଞ୍ଜିଦେଇ ନେହୁରା ହୋଇ ମୁହଁକୁ ତଳକୁ କରି ଲାଜରେ ଜଡ଼ିସଡ଼ି, ପାଇବାର ସମ୍ଭାବନା ଭିତରେ ଖାଲି ଘରକୁ ଫେରିଆସିବ ପିଲାମାନେ ଘେରିଯିବେ । ଭରସି କିଛି ପଚାରିବାକୁ ଏକଲା ମଣିଷଟାର ପାଟି କିନ୍ତୁ ଫିଟିବ ନାହିଁ । ସେ କେବଳ ବସି ରହିବ ।

 

ରାତି ଘଡ଼ିଏ ଗଡ଼ିଯିବାକୁ ବସିଲାଣି । ମୋ ସାମ୍ନାରେ ବିଭିନ୍ନ ଭଙ୍ଗିରେ ଛିଡ଼ାହୋଇ ପଞ୍ଝାଏ ଯୁବକ ଫୁସ୍‌ଫୁସ୍‌ କ’ଣ କଥା ହେଉଛନ୍ତି । ଏବଂ ଅଭ୍ୟାସ ଯୋଗୁ କାଳେ କିଏ ପଛରେ ଶୁଣୁଛି କି, ଏଇ ଆଶଙ୍କାରେ ମଝିଜଣକ ଯିଏ ଗେରୁଆ ପଞ୍ଜାବି ଓ ନୀଳ ଚିପାପ୍ୟାଣ୍ଟ ପିନ୍ଧି ବେକରେ ରୁଦ୍ରାକ୍ଷମାଳ ପକାଇଛି । ତା’ପରେ ଖୁବ୍‌ ଉଚ୍ଚ କଣ୍ଠରେ ହସର ଲହଡ଼ି ଓ ବଡ଼ପାଟିରେ କିଛି କିଛି ଯୁକ୍ତିତର୍କ, ଯୁକ୍ତିତର୍କ ଭିତରେ ପୁଣି କେଉଁ ଶିକ୍ଷକଙ୍କ ଶିକ୍ଷିତା କନ୍ୟାକୁ କେନ୍ଦ୍ର କରି ଗଳ୍ପ, ଯାହା ମୋ କାନରେ ସ୍ପଷ୍ଟ ବାଜୁଛି ।

 

ମୁଁ ତ ସେଇ ଅଦରକାରୀ ପଙ୍ଗୁ । ଖିଆଲି ମଣିଷର ଏକ ବୁଝି ନ ପାରିବା, ସଡ଼କ କଡ଼ ତାରଖୁଣ୍ଟି ଏକ ନିର୍ଜୀବ ବସ୍ତୁ । ମୋ ଉପସ୍ଥିତି କାହାକୁ କେବେ ଏ ପୃଥିବୀରେ ବିବ୍ରତ କରି ନାହିଁ । ମୁଁ କିନ୍ତୁ ସଡ଼କ କଡ଼ର ସେଇ ଛୋଟ ଛୋଟ ଫଟୋ ଆରସିଖଣ୍ଡକ, ସମସ୍ତଙ୍କ ଅଜାଣତରେ ପ୍ରତ୍ୟେକଙ୍କ ଚରିତ୍ରର ନିଖୁଣ ରୂପ ହୃଦୟଭିତରେ ଧରିରଖିଛି ।

 

ପୁରୁଣା ରୀତି-ନୀତିର ଅଳିଆକୁ ପୋଡ଼ି ଏକ ନୂତନ ସମୟର ପରିଚୟ ଦେବାକୁ ବାହାରିଥିବା ଏଇ ସୁନ୍ଦର ଯୁବକମାନଙ୍କୁ ଦେଖିଲେ ମନରେ ଯଥେଷ୍ଟ ଗର୍ବ କରିବାର ଅଛି । ମୋର ତ ମନ ଚହଲି ଯାଏ ଓ କିଛି ସମୟ ପର୍ଯ୍ୟନ୍ତ ମୁଁ ମୋ ଉପସ୍ଥିତିକୁ ଭୁଲିଯାଇ କିପରି ସେମାନଙ୍କ କାନ୍ଧରେ ହାତପକାଇ, ଅଣ୍ଟାଭାଙ୍ଗି ନାଚିନାଚି ଅସଂଖ୍ୟ ସୁଆଙ୍ଗର ମିଛ ରାଜା ହୋଇ ଘୂରିବୁଲେ । ମନ ପୁଣି ବିରକ୍ତିରେ ବିଷେଇଉଠେ, ଏମାନଙ୍କ ଚଳଣିକୁ ନିରୀକ୍ଷଣ କରି । ଗୋଟାଏ ବିରାଟ ଦେଶରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ କେବଳ ବେକାରି ନାଁରେ ଦିନତମାମ୍ କ୍ଲବରେ କଟାଇ, ବିନା କାରଣରେ ସମୟର ଅପଚୟ କରି, ଶିକ୍ଷାକ୍ଷେତ୍ରଠାରୁ ସରକାରୀ ଦପ୍ତର ପର୍ଯ୍ୟନ୍ତ ନା ଶିକ୍ଷା ନା କାମ; କେବଳ ଶିକ୍ଷିତ ହୋଇ ବେକାରି ଭତ୍ତା ଦାବିରେ ସୀମାବଦ୍ଧ ।

 

ଗୋଟାଏ ନୂଆ ସମାଜର ମୁଳଦୁଆ ପକାଇବାକୁ ଆଗେଇ ଆସୁଥିବା, ଫୂର୍ତ୍ତିରେ କଥା ଦି’ପଦ କହି ଚିପାପ୍ୟାଣ୍ଟ ପିନ୍ଧି ବେଶ୍‌ ସ୍ମାର୍ଟ ଦେଖାଯାଉଥିବା ମଣିଷଗୁଡ଼ାଙ୍କର ଇତିହାସ ନାହିଁ । ଇତିହାସ ଗଢ଼ିବାକୁ ନିଜର ଦୈନ୍ୟ ଘୋଡ଼ାଇ ଗୁଡ଼ାଏ ଫମ୍ପା ମଣିଷ ଆଜି ଦାମି ପୋଷାକରେ ରଙ୍ଗିନ୍ ଚେହେରା ସାଜି ସମାଜ ଗଢ଼ିବା ନାଁରେ ଦୁଆ ଉଠାଇ ଚାଲିଛନ୍ତି । ସମାଜକୁ ବୁଝିବାକୁ ସମାଜର ସବୁ ସ୍ତରର ମଣିଷର ସୁଖ-ଦୁଃଖ ଜାଣିବାକୁ ବା ଚିନ୍ତାକରି କାର୍ଯ୍ୟ କରିବାକୁ ଓ ଅନ୍ୟମାନଙ୍କ ସାଥିରେ ଗୋଟାଏ ହୋଇ, ସଚ୍ଚା ବାହାଦୂରୀ ନେବାକୁ ଧୈର୍ଯ୍ୟ ନାହିଁ ।

 

ସାହସ ମଧ୍ୟ କମ୍‌ । ଲୋକଦେଖାଣିଆ ସବୁକିଛି । ତଳସ୍ତରପାଇଁ ଆନ୍ତରିକତା ନାହିଁ । ତଳସ୍ତରର ମଣିଷ ହୋଇ ବି ପରିଚୟ ଦେବାକୁ ଶଙ୍କା ହେଉଛି । ସବୁ ଗୋଳମାଳ । ସବୁ ଅଦଳ ବଦଳ, ଏଇ ଫମ୍ପା ମଣିଷର ଫମ୍ପା ଚିନ୍ତାଶୂନ୍ୟ କାର୍ଯ୍ୟପାଇଁ କେବଳ ।

 

ମୋ ସାମ୍ନାରେ ଛିଡ଼ାହୋଇ ଫୁସ୍‌ଫାସ୍ କଥାଭିତରେ ସହର ଲହଡ଼ି ଭାଙ୍ଗୁଥିବା ଗୋରା ତକତକ ଯୁବକମାନେ ଲୋକ ଘୋ-ଘୋ ଭିତରକୁ ପୁଣି ଗଲେଣି କେତେବେଳୁ । ସେମାନେ ଚାଲିଯାଇଛନ୍ତି ଓ ଆଉ ଯେଉଁ ତିନିଜଣ ମୋ ସାମ୍ନାରେ ଛିଡ଼ା ହୋଇଛନ୍ତି, ସେମାନଙ୍କ ଦେହର ବାସ୍ନା ମୋ ନାକରେ ବାଜୁଛି । ସିଗାରେଟ୍‌ ଖଣ୍ଡେ ଖଣ୍ଡେ ହାତରେ ଧରି, କଥା ପଡ଼ିଛି ତାଙ୍କ ଆଗରେ ଖୋସାରେ ଫୁଲ ଖୋସି ଜଣେ ତରୁଣକୁ ସାଥିରେ ଘେନି ଆଗେଇ ଯାଉଥିବା ଭଦ୍ରମହିଳା ଜଣଙ୍କୁ କେନ୍ଦ୍ରକରି । କଥା-ଭାଷାରୁ ଜଣାପଡ଼ୁଛି, ଭଦ୍ରମହିଳାଜଣକ କୌଣସି ମହିଳା ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ମଧ୍ୟମାବୟସ୍କା । ତାଙ୍କ ଗଭୀର ଫୁଲ ଖରାରେ ଝାଉଁଳି ପଡ଼ିଲାପରି ସେ ବି ବୟସର ଝାଉଁଳା ଚେହେରାଟିକୁ ସାଉଁଟି ଧରିବାକୁ ଚେଷ୍ଟା କରୁଛନ୍ତି ଓ ତରୁଣ ଜଣଙ୍କୁ ନିଜ ପାଖରେ ରଖି ଶରୀରରେ ମେଦ ବଢ଼ାଇ ଚାଲିଥିଲେ ବି ମନଟିକୁ ତରୁଣ ମନରେ ମିଶାଇରଖି ବେଶ୍‌ ସତେଜ ଓ ପ୍ରଫୁଲ୍ଲ ଦେଖାଯାଉଛନ୍ତି ।

 

ସ୍ୱେତା ମହାନ୍ତିଙ୍କ ବିଷୟରେ ଏଇ ଆସ୍ଥାନରେ ବସି ବହୁଦିନରୁ ବହୁ ତୁଣ୍ଡରୁ କେତେ କଥା ମୋ କାନରେ ପଡ଼ିଛି । କେତେ ଅଶ୍ଳୀଳ ଇଙ୍ଗିତ ଓ ମନ୍ତବ୍ୟ ବହୁ ଶିକ୍ଷିତ କହି ହେଉଥିବା ଓ ନିଜକୁ ବିଜ୍ଞ ଦେଖାଇ ହେଉଥିବା ମଣିଷ ଦେଇଯାଇଛନ୍ତି । ସ୍ୱେତା ମହାନ୍ତି କେବେ କେଉଁ ଶିଖ୍‌ ଯୁବକକୁ ତାଙ୍କ ପ୍ରଥମ ଯୌବନରେ ପ୍ରେମ କରିଥିଲେ ଓ ଶିଖ୍‌ ପ୍ରେମର କୌଣସି ଏକ ନିର୍ଦ୍ଦିଷ୍ଟ ପାହାଚକୁ ଟପି ତଳକୁ ଖସିପଡ଼ି ଯେତେବେଳେ ଆତ୍ମହତ୍ୟାପାଇଁ ଏକ ନୀରବ ପ୍ରଚେଷ୍ଟା କରି ଚାଲିଥିଲେ, ତାଙ୍କ ସାଥିରେ ଅନେକ କଲେଜ ବନ୍ଧୁ ତାଙ୍କୁ ପାଗଳ ଆଖ୍ୟା ଦେଇଥିଲେ ଓ ସ୍ୱେତା ମହାନ୍ତି କଲେଜରେ ତା’ପରଠାରୁ ଆଉ ମାତ୍ର ୨ଟି ବର୍ଷ ଅତିବାହିତ କରି ଶିକ୍ଷୟିତ୍ରୀ ହୋଇ ବୟସର ଆଧିକ୍ୟ ବହୁଦିନରୁ ଉପଲବ୍ଧି କରିଥିଲେହିଁ ବିବାହରେ ଏକ ଛୋଟ ଇଙ୍ଗିତଟିଏ ଦେଲେ, ସିଏ କେବଳ ହସିଦେଇ ରହିଯାନ୍ତି ।

 

ସ୍ୱେତା ମହାନ୍ତି ଓ ତାଙ୍କ ତରୁଣ ବନ୍ଧୁ ଯେ’କି ଏ’ ବର୍ଷ ହୁଏତ ବି.ଏ. ପରୀକ୍ଷା ଦେବାକୁ ପଢ଼ାପଢ଼ି ଆରମ୍ଭ କରିଦେଲେଣି, ବେଶ୍‌ ଫୂର୍ତ୍ତିରେ ଅଛନ୍ତି ଓ ସ୍ୱେତା ମହାନ୍ତିଙ୍କ କାନପାଖ ଅଲରାବାଳ କେଇଟା ପାଚି ତାଙ୍କ ଗଭାର ଫୁଲପେନ୍ଥା ଶୁଖିଯାଇଥିଲେ ମଧ୍ୟ ସେ ସେଥିପ୍ରତି ଭ୍ରୂକ୍ଷେପ କରିନାହାନ୍ତି ବା ନଜର ଦେଇନାହାନ୍ତି । ସେ କହନ୍ତି; ଅନେକ ଘଟଣା ପ୍ରତି କାନ ପକାଇ ଅପେକ୍ଷା କଲେ, କେବଳ ସମୟ ସିନା ଆଗେଇଯିବ, ପରିବର୍ତ୍ତନର ମୂଳଦୁଆ ଜୀବନରେ ଆଉ ପଡ଼ିବ ନାହିଁ ।

 

ଆଜି ମୋ ସାମ୍ନାରେ ପ୍ରଚୁର ଆଲୁଅ ଏବଂ ପଛରେ ଅଣ୍ଡାଳି ହୋଇ ବି ନିଜକୁ ଖୋଜି ନ ପାଇବାର ଅନ୍ଧାର । ଆଜି ଏତେ ଅସାଧାରଣ ମଣିଷର ଭିଡ଼ ଯେ ସାଧାରଣ ବା ଇତର ମୋପରି ମଣିଷର ପରିଚୟ ମୋଟେ ମିଳୁନାହିଁ । କାଲି ମୋତେ ଯେଉଁମାନେ ହସି, ମୋ ଦୁଃଖରେ ସମବେଦନା ଢାଳି ବା ମୋତେ ତାଚ୍ଛଲ୍ୟ କରି ସାହାଯ୍ୟ କରିବାକୁ ହାତ ଆଗକୁ ବଢ଼ାଇଥିଲା, ଆଜି ଚିହ୍ନି ପାରୁନାହାନ୍ତି । ଆଜି ତାଚ୍ଛଲ୍ୟ କଲେ ବି ମୁଁ ନିଜର ସ୍ଥିତି ଓ ପରିଚୟ ଜାହିର କରିବାକୁ ସାହସ କରନ୍ତି ।

 

ଆଜି କେବଳ ଦୀର୍ଘ ସମୟର ଦୀର୍ଘ ଧାଡ଼ିରେ ଅନେକ ଫୂର୍ତ୍ତିରେ ସଙ୍ଗୀତ କାନରେ ବାଜିଲାବେଳକୁ ମୋ ପରି ମଣିଷଟାଏର; ଧାଡ଼ିରେ ନ ଥିଲେ ବି ରାସ୍ତାକଡ଼ରେ ବସିରହି କାହା ଆଖିରେ ନ ପଡ଼ି, ସମୟର ଦୌଡ଼ରେ ମାଡ଼ି ମକଚି ହୋଇଯାଉଥିବାର ଦୁଃଖ ।

 

ପଦିକିଆ ହିନ୍ଦିଗୀତ ଗାଇ, ବଡ଼ି ଭୋରରୁ ଚେକ୍‌ ଲୁଙ୍ଗି ପିନ୍ଧି ରାସ୍ତାକଡ଼ ତାଟିଦୋକାନରେ ମାଂସ କାଟି ଆଉ ଦିନ ୧ଟାବେଳକୁ ଦାମି ପୋଷାକ ପିନ୍ଧି ବଜାର ବୁଲି ବାହାରିବା ୟୁସୁଫ୍‌ ମିଆଁର ଏଇ ଭିଡ଼ ଭିତରେ ଛେଳିଟାଏ ହଜିଯିବାର ଦୁଃଖ ଓ ସ୍ୱେତା ମହାନ୍ତିଙ୍କର ବୟସ ଝଡ଼ିଯାଉଥିବାର ଓ ସେ ତାକୁ ମଉଳା ଫୁଲରେ ତୋଳି ଧରି ରଖିବାର ଦୀର୍ଘଶ୍ୱାସ ।

 

ଗୋଟାଏ ଉଦ୍ଦଣ୍ଡ ନାଚ, ବେତାଳ ଓ ବେଖାପ ଦୌଡ଼, ଦୀର୍ଘ ଧାଡ଼ି ଓ ହସ ଭିତରେ ପେଷି ହୋଇଯାଉଥିବା ସେଇ ବିଜ୍ଞ ଛିଟସାଟ ପିନ୍ଧା ଓ ଲମ୍ବା କଲିଆ, କଲେଜ ଛାତ୍ରର ଉପରକୁ ନ ଉଠି ପାରିବାର ବ୍ୟତିକ୍ରମ ସହିତ ମୋର ଓ ମୋ ପରି ୟୁସୁଫ୍‌ ମିଆଁ, ସ୍ୱେତା ମହାନ୍ତିଙ୍କ ଦୀର୍ଘଶ୍ୱାସ ଏକ ସମୟରେ ଆକାଶକୁ ଉଠି ଆକାଶର ସରହଦକୁ ସଙ୍କୁଚିତ କରି ଦେଉଛନ୍ତି ।

 

ପଛରେ ଛାଡ଼ି ଆସିଥିବା ସମସ୍ତ ରାସ୍ତା ଓ ଆଗରେ ଦୌଡ଼ ସହିତ ଠାକୁ ନ ଥିବା ଗୋଡ଼ର ଦୀର୍ଘତା ଭିତରେ ମେଢ଼ ସବୁ ଆଗେଇ ଚାଲିଛନ୍ତି । ବାଜାଦାର, ବସ୍ତି-ମୁଖିଆ ଏବଂ ସର୍ବୋପରି ହେଞ୍ଜେଡ଼ା ନାଚବାଲା କେଇଟା ଆମକୁ ପୁଳାଏ ଅପଦାର୍ଥ ଅଳିଆଗଦା ପରି ପଛରେ ଛାଡ଼ି ଯାଉଛନ୍ତି ।

☆☆☆

 

ପର ମୁହୂର୍ତ୍ତ

 

ବହୁ ଘଟଣା ଓ ତାର ପରିସମାପ୍ତିର ଶେଷ ମୁହୂର୍ତ୍ତରେ ମୁଁ ପଦାକୁ ବାହାରି ଆସିଥିଲି । ମୁଁ କବାଟ ଖୋଲି ମୁହଁ ପଦାକୁ ବାହାର କରି ଦେଖୁଥିଲି ସେମାନଙ୍କ ଆଶଙ୍କାରେ ଆଖିଗୁଡ଼ାକୁ । ଉଚ୍ଚା କୋଠାର ଝର୍କାରୁ ନାକ ଗଳାଇ ଭୟ ଓ ଲଜ୍ଜାରେ ଶଙ୍କିଯାଇ ସେମାନେ ଚାହିଁ ରହିଥିଲେ । ମୋର ଉପସ୍ଥିତିରେ ଆଉ କେତେକେ କିଛି ନ ଶୁଣି ପାରୁଥିବା ବା ନ ଜାଣି ଥିବାର ଛଳନା କରି ଅନ୍ୟ କେଉଁ କାର୍ଯ୍ୟ ବାହାନାରେ ମୋ ନଜର ଏଡ଼ାଇ ଚାଲିଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ ।

 

ଗହଳ ଜଙ୍ଗଲରେ କିଚିରି ମିଚିରି ବହୁ ଶବ୍ଦ କାନ ଅତରା ପକାଇବା ମଝିରେ ଗୋଟାଏ ମାତ୍ର ଟ୍ରିଗରର ଶବ୍ଦ ଓ ପତ୍ରପରି ଝରିପଡ଼ୁଥିବା କେଇଟା ନିରୀହ ଜୀବନ ପରେ ଏକ ନିଃସଙ୍ଗ ଶବ୍ଦହୀନ ପରିବେଶ ପରି ଏକ ପରିସ୍ଥିତି ।

 

ମୁଁ ଶେଷକୁ କବାଟ ଆଉଜାଇ ମୋର ହାତ ୨ଟିକୁ ପଛରେ ଗୁଡ଼ାଇ, ମୁଣ୍ଡ ନୁଆଁଇ ଆଗେଇ ଯାଉଥିଲି । ମୋ ଦୁଇମହଲା ଘରର ସାମ୍ନା ଅଧାପାଚେରି ଘେରା ନୁଆଁଣିଆ ଚାଳ ଛପର ଘର, ଯାହା ଉପରେ ନଡ଼ା କେଇ ବିଡ଼ା ଛିଞ୍ଚି ଦିଆଯାଏ ଓ ଚାଳରୁ ବତା ଟାଣି କେବେ କେଉଁ ବର୍ଷା ବା ଶୀତ ରାତିରେ ଚୁଲି ଜଳାଯାଏ, ସେ ଯେପରି ମୋ ଉପରେ ମାଡ଼ି ବସୁଥିଲା । ନୀଳ କସ୍ତାଖଣ୍ଡେ ପିନ୍ଧି, ପାଦ ଉପରୁ ମୁଠୁଣିଏ ଓ ଅଧା ଦେହ ଲୁଚୁଥିବା ଭୁଆସୁଣୀଟିର ଜଳୁ ଜୁଳୁ ଆଖି ଦୁଇଟି ମୋତେ କେଉଁ କବାଟ ସନ୍ଧିରୁ ଚାହିଁ ରହିଥିଲା ।

 

ମୁଁ ଜାଣିଛି ଯେ ମୋ ସାମ୍ନା ଘରେ ଚାହିଁଥିବା ଭୁଆସୁଣୀଟିର ସମସ୍ତ ଅଙ୍ଗଶୋଭା ଓ ତାର ଅଦେଖା ସମସ୍ତ ଦେହର ଅଂଶ ମୋ ଆଖି ଏଡ଼ାଇ ପାରୁନଥିଲେ ବି ସେଇଟା ଅତି ସାଧାରଣ ଘଟଣା ଓ ଦେହସୁହା ଅବସ୍ଥା । ମୋର ସେ ମୁହୂର୍ତ୍ତର ଅବସ୍ଥା, ମୋ ଚଳଣିର ବ୍ୟତିକ୍ରମ ହୋଇଥିବା ଯୋଗୁଁ ଏକ ଅସ୍ୱାଭାବିକ୍‌ ଚିନ୍ତାର ବିଷୟ ହୋଇ ପ୍ରତ୍ୟେକଙ୍କ ଆଖି ସାମ୍ନାରେ ତତ୍‌କ୍ଷଣାତ୍‌ ଛିଡ଼ା ହୋଇଯାଇ ମୋତେ ଯେପରି ଅନେକ ପ୍ରଶ୍ନ ପଚାରି ଯାଉଥିଲେ ।

 

ନିତିଦିନ ପରି ମୁଁ କୁଞ୍ଚକାନି ହାତରେ ଧରି ରୁମାଲରେ ମୁହଁ ପୋଛି ପୋଛି ସାଇ ଦାଣ୍ଡରେ ବା ବାଁକୁ ଲମ୍ବିଯାଇଥିବା ଅଣଓସାରିଆ ଗଳିରେ ମନ୍ଥର ଗତିରେ ଆଗେଇଯାଇ ପାରିଲି କେହି ମୁହଁଟେକି ମୋତେ ଚାହିଁବେ ନାହିଁ ବା ସାଇର ବୁଲା କୁକୁର ପଞ୍ଝାକ ଭୁକି ଉଠିବେ ନାହିଁ ।

 

ମାତ୍ର ସେଦିନ ସମସ୍ତ ଅବାନ୍ତର ମୁହୂର୍ତ୍ତମାନ ଏକାଠି ହୋଇ ମୋତେ ଯେପରି କୈଫିୟତ ତଲବ କରୁଥିଲେ ଓ ମୋର ତାଙ୍କ ସାମ୍ନା ଦେଇ ଉପସ୍ଥିତ ଅବସ୍ଥାରେ ଆଗେଇ ଯିବାର ଦମ୍ଭ ନ ଥିଲା ।

 

ସମୟ ଗୋଟାଏ ଲଗାମ୍‌ ହୀନ ଘୋଡ଼ା ବା ପାଗଳ ଗାରଦରୁ ସଦ୍ୟ ଖସିଆସିଥିବା ଏକ ପାଗଳ ଯୁବକ । ଏବଂ ସାମାଜିକ ଜୀବ କେଇଟା ଯେଉଁମାନେ ବ୍ୟତିକ୍ରମଟାକୁ ମୁହଁ ମୋଡ଼ି ପରମ୍ପରାକୁ ଜାବୁଡ଼ିଧରି ଲହୁ ଲୁହାଣ ହେଲେ ବି ନସର ପସର ହୋଇ ମୋରି ଚାରିପଟେ ମେରିଆ ବଳଦ ପରି ଖାଲି ତୁହାକୁ ତୁହା ଘୂରି ବୁଲୁଥାନ୍ତି, ସେମାନେ ସେଇ ବ୍ୟତିକ୍ରମ ସମୟ ବା ଅବସ୍ଥାଟାକୁ ଖାଲି ହିଁ ହିଁ ଦାନ୍ତ ଦେଖା ହସରେ ଉଡ଼ାଇ ଦେବାକୁ ବସନ୍ତି । ସେମାନଙ୍କର ହୁଏତ ପ୍ରଚୁର ଭୟ ସେଇ ଳଗାମହୀନ ଘୋଡ଼ା ବା ପାଗଳ ଗାରଦରୁ ସଦ୍ୟ ଫିଟି ଆସିଥିବା ଯୁଆନଟାକୁ ଏବଂ ତା’ଠାରୁ ଅଧିକ ଭୟ ଏ’ସବୁକୁ ହସରେ ଉଡ଼ାଇ ନ ଦେଲେ ନିଜ ଅବସ୍ଥିତିର ସ୍ଥିତି କିଛି ରହିବ ନାହିଁ । ବାହାଦୁରି ନେବାର ଅସଲ ପେଞ୍ଚଟି ହାତମୁଠାରୁ ଖସିଯିବ ଓ ସେମାନେ ଗୁଡ଼ାଏ ପବନ ପେଟରେ ପୂରାଇ ଖାଲି ସଁ ସଁ ହେବା ସାର ହେବ ।

 

ମୁଁ ସେ ମୁହୂର୍ତ୍ତ ସବୁକୁ ପାରିହୋଇ ବାଡ଼ି କଡ଼ ସଜନା ଗଛର ଡାହାଟିକୁ ହାତରେ ନୁଆଁଇ ଆଣି କିଛି ଯେପରି ଘଟି ନାହିଁ ବା ଘଟିଥିଲେ ଏହା ଅତି ମାମୁଲି ଏକ ଅଭ୍ୟାସ କହି ନିଜେ ଖସିଯିବାର ଛଳନା କରୁଥିଲି ଓ ହାତ ଫିଟାଇ ଖୋସଣୀ ଆଣ୍ଟକରି ଦୁଇଥର ପଛକୁ ଓ କଡ଼କୁ ଚାହିଁ ଆଗେଇ ଯାଉଥିଲି ।

 

ପୁଣି ପଛକୁ ଚାହିଁ ଭାବୁଥିଲି ଯଦି ଏ ସମସ୍ତ ରାସ୍ତାଦେଇ ନଯାଇ ପଛ ଅରମା ପାଦଚଲା ପଡ଼ିଆ ରାସ୍ତାଦେଇ ଯିବାର ଏକ ଅଭ୍ୟାସ ଆଜିଠାରୁ ଆରମ୍ଭ କରନ୍ତି, ଧୀରେ ଧୀରେ ଅରମା ସଫାହୋଇ କେଇ ହାତର ସଡ଼କ ଖଣ୍ଡେ ପଡ଼ିଯାନ୍ତା ଓ ମୋ ବ୍ୟତିକ୍ରମ ମୁହୂର୍ତ୍ତର ଘଟଣାକୁ ସେମାନେ ପାଶୋରିଯାନ୍ତେ ।

 

କିମ୍ବା ସାଇର ସମସ୍ତଙ୍କୁ ପାଖକୁ ଡାକି ବଡ଼ପାଟିରେ ସବୁକଥା ବୁଝାଇଦିଅନ୍ତି, ଯେ ଏହା ଏକ ମାମୁଲି କଥା ଏବଂ ଆବଶ୍ୟକତା ଓ ନୀତିଦୃଷ୍ଟିରୁ ଏପରି ଏକ କାର୍ଯ୍ୟକ୍ରମ ଗ୍ରହଣ କରାଗଲା, ଏଥିରେ ଲଜ୍ଜିତ ବା ବ୍ୟତିବ୍ୟସ୍ତ ହେବାର କିଛି କାରଣ ନାହିଁ ।

 

ସେତେବେଳକୁ ମୁଁ ମୋ ସଦର ଦର୍ଜା ଓ ତାର କିଛି ପଛକୁ ଯେଉଁବାଟେ ମୋର ଘରର ସମସ୍ତ ଚଳଣି ଓ କାର୍ଯ୍ୟକଳାପ ମୋ ଅଗୋଚରରେ ବା ମୋ ଅକ୍ତିଆର ବାହାରେ କରାଯାଏ, ତାକୁ ଟପି ସାରିଥିଲି । ମୁଁ ହୁଏତ ସିଧା ବାଟରେ ନିର୍ଦ୍ଦିଷ୍ଟ କୌଣସି ଏକ ସ୍ଥାନକୁ ଯିବାପାଇଁ ରିକ୍‌ସା ପାଇପାରିଥାନ୍ତି କିନ୍ତୁ ସେବାଟେ ଯିବାକୁ ସ୍ଥିର ନ କରି ମୋ ବାମ କଡ଼ରେ, ଇଲେକ୍‌ଟ୍ରିକ ଖୁଣ୍ଟକୁ ଲାଗି ପଡ଼ିଥିବା ଅଣଓସାରିଆ ଗଳିରେ ଚାଲିବାକୁ ମନ ସ୍ଥିର କଲି । ଏହାଦ୍ୱାରା ମୁଁ ଦୁଇଟି କାର୍ଯ୍ୟକ୍ରମ ପ୍ରତି ବେଶ୍‌ ସଜାଗ ରହିଥିବାର ଚିନ୍ତା କରି ସାରିଥିଲି ।

 

ପ୍ରଥମତଃ ସେଇ ଗଳିର ଦୁଇକଡ଼ ବସ୍ତି ବାଲାଙ୍କ ନଜର ସାମ୍ନାରେ ଠିକ୍‌ ପୂର୍ବପରି ନିର୍ବିକାର ଚିତ୍ତରେ ଆଗେଇଯିବି ଓ ଦ୍ୱିତୀୟତଃ, ଯେଉଁ କେତେକ ମୋତେ ଗତ ମୁହୂର୍ତ୍ତର ଘଟଣା ଜନିତ ଘୃଣା ଦୃଷ୍ଟି ନିକ୍ଷେପ କରିଛନ୍ତି ବା କରିବାକୁ ପରିକଳ୍ପନା କରୁଛନ୍ତି ସେମାନଙ୍କ ସାହସ ଭାଙ୍ଗିପଡ଼ିବ । ପ୍ରଥମରୁ ସାହସ ଭାଙ୍ଗି ତାଙ୍କ ସାମ୍ନାରେ ମୁଣ୍ଡଟେକି, ଛାତି ଉଚ୍ଚାକରି ଆଗେଇ ଚାଲିଗଲେ ସେମାନଙ୍କୁ ପଛରେ ଛାଡ଼ିଯାଇ ହେବ ଓ ଜିତାପଟର ଗୋଟାଏ ଆଶ୍ୱସ୍ତିର କିଛିଦିନ ପୁଣି ନିଶ୍ଚିନ୍ତରେ ରହି ହେବ ।

 

ମୁଁ ଆଗେଇ ଯିବା ବେଳକୁ ଛିଣ୍ଡା ମସିଣା ପଡ଼ି ରାସ୍ତା ମଝିରେ ପଶାଖେଳ ଜମିଯାଇଥିଲା ଓ ସାଇର ଚନ୍ଦା, ଦାନ୍ତଭଙ୍ଗା, ଗୋଦଡ଼ା, ଦରବୁଢ଼ା, ଭୋକିଲା ପେଟୁଆ ମଣିଷଗୁଡ଼ାକ ହାର୍‌ ଜିତ୍‌ର ମଉଛବ ଭିତରେ ଗୁମ୍‌ମାରି ବା ବେକ ଦୋହଲାଇ ଖିଆଲରେ ଥିଲେ । ରାସ୍ତାକଡ଼ରେ ପିଣ୍ଡା ଉପରେ କେଇଟା କୋତରା ନିର୍ଜିବ ଛୁଆ କିଛି ସମୟ ସେମାନଙ୍କୁ ଚାହିଁ ଓ ମୋତେ ସାମାନ୍ୟ ଅନେଇ ଦେଇ ତଳକୁ ମୁହଁ ପୋତି ଦେଉଥିଲେ ।

 

ସମୟର ନିର୍ଦ୍ଦିଷ୍ଟତା ଜଣାପଡ଼ୁନଥିଲା ଓ ବର୍ଷା ହେବାର ସମ୍ଭାବନା ଭିତରେ ଖରା ବି ବିଶେଷ ଜଣାପଡ଼ୁନଥିଲା । ବର୍ଷା ହୁଏତ ଏଇ ବର୍ଷିଯାଇପାରେ ବା ଆକାଶରୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇ ଆକାଶର ନୀଳିମା ଭିତରେ କେବଳ ତାରା କେଇଟା ଦୃଷ୍ଟିକୁ ଆସିପାରେ । ବର୍ଷା ହେଲେ ବହୁ ପାଣି ଜମିଯିବ ଓ ଆଉ ସାଇଟପି ବର୍ଷା ଶେଷର ଏକ ଘଣ୍ଟା ପର୍ଯ୍ୟନ୍ତ ବାହାରି ହେବନାହିଁ ।

 

ମୁଁ ଆଗେଇ ଯିବା ଭିତରେ ପଶାଖେଳୁଆ ମାମଲ୍‌ତକାର ପଞ୍ଝାକ ସାମାନ୍ୟ ଘୁଞ୍ଚି ବସିଛନ୍ତି ଓ ମୋତେ ଚାହିଁ ପୁଣି ଗୋଟି ଚଳାଇବାରେ ମନ ଦେଇଛନ୍ତି ଏବଂ ଏ ସମସ୍ତ, ମୁଁ ମଧ୍ୟ ଚାଲିଯିବା ଭିତରେ କଣେଇ ଲକ୍ଷ୍ୟ କରିଛି ।

 

ମୁଁ ଆଗେଇ ଯିବା ଭିତରେ ମୋ ଆଉଜା ଦାଣ୍ଡ ଦରଜାଠାରୁ ପଶାଖେଳର ଗୋଟିଚଳା ଘୋଡ଼ାଦୌଡ଼, ସାଇର ଦର ଆଉଜା କବାଟ ବା ଝରକା ଭିତରେ ଭୟମିଶ୍ରିତ ଆଖି, ସାଇ ମୁଣ୍ଡର ତାଟିଘେରା ଚାଳ ଛପର ଜଳଖିଆ ଦୋକାନ ଓ ଚାହା ଗିଲାସେ ହାତରେ ଧରି ଆର ହାତରେ ବିଡ଼ି ଟାଣିବା ଭିତରେ ଆମେରିକା ପ୍ରେସିଡ଼େଣ୍ଟ ନିର୍ବାଚନ ଓ ମହରଗ କାଳରେ କିଏ କେତେ କଳାଟଙ୍କା ନିଜ ଖୋସାଣି ଓ ପକେଟରେ ପୂରାଇ ପାରୁଛି ତାର ତିକ୍ତ କଟାକ୍ଷ ପଛରେ ପଡ଼ିରହିଛନ୍ତି । ଆଉ କେଇଟା ପାହୁଣ୍ଡ ମାତ୍ର ବାଁ ହାତି ମୁହାଁଇ ଆଗେଇଗଲେ ସାଇ ପଛରେ ରହିଯିବ ଓ ଆଗରେ ଚଉଡ଼ା ପିଚୁ ରାସ୍ତା ଉପରୁ ଖଣ୍ଡେ ରିକ୍‌ସା ଧରି ଅନିର୍ଦ୍ଦିଷ୍ଟ ବାଟରେ ପୁଣି ମୁହାଁଇ ଯିବି ।

 

ରିକ୍‌ସା ଧରି ସାଇ ଶେଷରେ ସଡ଼କ, ଚଉଡ଼ା ସଡ଼କକୁ ମିଶିବା ଛକରୁ ବାଁ ହାତି ଯାଇହେବ ଓ ସହର ଶେଷ ନଦୀତୀରର ପଥର ଚଟାଣ ଉପରେ ଆନନ୍ଦରେ ପ୍ରକୃତିର ବିଭିନ୍ନ ରଙ୍ଗ ଓ ବୈଚିତ୍ର ଭିତରେ ନିଜର ସତ୍ତା ଖୋଜି ବସିବାକୁ କିଛି ସମୟ ନିଶ୍ଚୟ ମିଳିବ ବା କାଶତଣ୍ଡି ଫୁଲଭରା ନଦୀପଠା ଉପରେ ଛୋଟ ଛୋଟ ବାଟ-ଚଲା ଅଙ୍କାବଙ୍କା ସଡ଼କରୁ ତଳକୁ ଗଡ଼ିଯାଉଥିବା ବା ଉପରକୁ ଉଠିଆସୁଥିବା ନିତିଦିନିଆ ମଣିଷଙ୍କ ବ୍ୟସ୍ତତା ଭିତରେ ନିଜର ମୁକ୍ତି ଖୋଜିହେବ ।

 

ସିଧାସାମ୍ନା ତ୍ରିଛକି ଉପରକୁ ଯାଇ ରିକ୍‌ସାକୁ ବାଁହାତି ଡାହାଣ ହାତି, ମୁହଁ ସଳଖା ବା ମଝିରାସ୍ତା ଦେଇ ମଧ୍ୟ ଆଗେଇ ନେଇହେବ । ବର୍ତ୍ତମାନ ବାଁହାତି ରାସ୍ତାରେ ଗଲେ କିଛି ସମୟ ଛିଡ଼ାହେଲେ ମନ୍ଦିର ଭିତରୁ ଶୁଭିବ ସମବେତ ଆର୍ତ୍ତକଣ୍ଠ । ମାଦଳରେ ଦୁଇପାହାର ପିଟି ସେଠାରେ ନିଜର ଉପସ୍ଥିତି ଜାହାରି କରିହେବ ଏବଂ ଏଥିରେ ଆପତ୍ତି କାହାର କେବେ ରହିବ ନାହିଁ । ମୁଁତ୍ୱର ଅବଚେତନ ପ୍ରବୃତ୍ତିର ଏ ସମସ୍ତ ପରିପ୍ରକାଶ ହୁଏତ କହିବାକୁ ହେବ କିନ୍ତୁ ଏହାପ୍ରତି ବିଶେଷ କେହି ଗୁରୁତ୍ୱ ଆରୋପ ନ କରି, ପାଦୁକ ପାଇ ସାଷ୍ଟାଙ୍ଗ ପ୍ରଣିପାତ କରି, ସାମାନ୍ୟ ଅର୍ଥ ବ୍ୟୟରେ ନିଶ୍ୱାସ ମାରି ଫେରିଯିବେ ।

 

ବେଶ୍ୟାଳୟ ବା ଦେବତା ମନ୍ଦିର ଭିତରଯାଏ କେବଳ ସେଇ ଦେଣନେଣର ଛୋଟ ବଡ଼ ସମ୍ପର୍କ ।

 

ଅଧିକ ଦେବା ବାଲାର, ଅଧିକ ସୁବିଧା ନେବାର ହକ୍‌ ସବୁଠି ।

 

ରାତି ଦଶଟା ପରେ ଭିଡ଼ କମିଯିବ । ବେଢ଼ା ସାମ୍ନାରେ ଅର୍ଦଳି କରୁଥିବା ଓ ହାତ ଆଗକୁ ଲମ୍ବାଇ ଛିଣ୍ଡାକନା ପାଦରେ ଗୁଡ଼ାଇ ନସରପସର ହୋଇ କିଛିଦୂର ନେହୁରା ହୋଇ ପିଛା ଧରିବା ମଣିଷ କେଇଟା ରାସ୍ତାକଡ଼ କୁଡ଼ିଆ ଭିତରକୁ ଚାଲିଯିବେ ଓ ଦିକ୍‌ ଦିକ୍‌ ଡିବିରି ଆଲୁଅ ଭିତରେ ଗୋଡ଼ରୁ ଛିଣ୍ଡାକନା ଦି’ଖଣ୍ଡ ବାହାର କରି ତେଲ ଚିକିଟିଆ ମୁଚୁଳା ଖଣ୍ଡକରେ ମୁଣ୍ଡରଖି ଲଥ୍‌ ଲଥ୍ ଗଡ଼ିଯିବେ ଏବଂ ଅନ୍ଧାର ପରି ନିଦବି ଦୀର୍ଘ ସମୟ ମାଡ଼ିବସି, ମଧ୍ୟରାତ୍ରିର କ୍ଲବରେ ଢୁଳାଉଥିବା ସଭ୍ୟ ସହରି ମଣିଷଙ୍କ ଭିଡ଼ଭିତରୁ ତାଙ୍କୁ ଲୁଚାଇ ରଖିବ ।

 

ବେଢ଼ା ସାମ୍ନାଦେଇ ଚାଲିଗଲେ, ବୁଲା କୁକୁର ପୁଞ୍ଜାଏ ଘୋ ଘୋ କରି ଧାଇଁ ଆସିବେ ଓ କିଛି ସମୟ ପରେ ରାସ୍ତା ଶୁନ୍‌ଶାନ୍ ହୋଇଯିବେ ।

 

ଯଦି ସେ ରାସ୍ତାରେ ନ ଯାଇ, ଛକର ଡାହାଣ ହାତି ରାସ୍ତାରେ ଯାଏ, ଏକ ପଚା ନର୍ଦ୍ଦମାର କଡ଼େ କଡ଼େ ରିକ୍‌ସା ହୁଏତ ଆଗେଇଯିବ ଓ ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ଯେଉଁଠି ପେଟ କାଢ଼ି, ନଳି ଗୋଡ଼ିଆ ଗୁଡ଼ାଏ ମଣିଷ ଛୁଆ ରିକ୍‌ସା କଡ଼ରେ ଆତଯାତ ହେବାର ଦୃଶ୍ୟ, ନଜରରେ ପଡ଼ିବ-। ନୁଆଁଣିଆ ଚାଳଘର ପିଣ୍ଡା ଦାଢ଼ରେ କୋତରା ବୁଢ଼ା ଗୋଟିଏ ଦୁଇଟା ଧଇଁପେଲି ଆଖିରୁ ଲେଞ୍ଜେରା ପୋଛି ଟାକି ବସିଥିବେ ଏବଂ ଅଧା ଲଙ୍ଗଳା ମଣିଷ କେଇଟା ପିଙ୍କା ବୋଳୁଥିବେ । ଆଉ କେହି ନୁଖୁରା-ମୁଣ୍ଡିଆ ଅଧାବୟସୀ; ଯୌବନ ହରାଇ କନା ଦୋଳିରେ ଛୁଆକୁ ଶୁଆଇ ଶସ୍ତା କଣ୍ଟ୍ରୋଲ ଚାଉଳ କିଲେ ଧରି ଗୋଡ଼ିବାଛି ମୁଣ୍ଡରେ ହାତ ଦେଉଥିବ ।

 

ଦେଶ ସାରା ଖାଲି ଚାଉଳରେ ଗୋଡ଼ି ଓ ତେଲରେ ଅଗରା ଓ ପେଟ୍ରୋଲରେ କିରୋସିନି ମିଶା ଜିନିଷ ଓ ବିଷଖାଇ ଆତ୍ମହତ୍ୟା କରିବାର ମଧ୍ୟ ସମ୍ଭାବନା ଅଳ୍ପର ଭୟ । ସବୁ ଭେଜାଲ ଓ କଳାବଜାର ଭିତରେ ସୀମାବଦ୍ଧ । କର୍ମକୁ ଆଦରି କିଛି କାହାକୁ ନ କହି ଚୁପ୍‌ଚାପ୍‌ ଖସିଯିବା ଓ ବଞ୍ଚିଯିବା ଆଜିର ଏକମାତ୍ର ତରିକା ।

 

ସେ ଦୁଇଟି ରାସ୍ତା ନ ବାଛି ହୁଏତ ଅନ୍ୟ ଦୁଇଟି ଭିତରୁ ଗୋଟିକରେ ନିର୍ଦ୍ୱନ୍ଦ୍ୱରେ ଯାଇହେବ । ସାମାନ୍ୟ ଚୌଡ଼ାରାସ୍ତା ଓ ମଝିରେ ମଝିରେ କେହି ପରିଚିତ ବନ୍ଧୁଙ୍କର ସାକ୍ଷାତ ମିଳିଯିବାର ସମ୍ଭାବନା ବି ରହିଛି । କେହି ବନ୍ଧୁ ରିକ୍‌ସାରେ ଯାଉଥିଲେ ହାତଟେକି ଇସାରା ଦେବେ ବା ସାଇକେଲ୍‌ ପେଲି ଯାଉଥିଲେ ନିଜ ଦୈନ ନ ଦେଖାଇବାକୁ ମୁହଁ ବୁଲାଇ ଦେବେ ଓ ନଜର ପଡ଼ିଗଲେ ବା ଡାକିଦେଲେ ଓହ୍ଲାଇପଡ଼ି ନିଜ ବ୍ୟଥିତ ଜୀବନର ଦୈନନ୍ଦିନ କାହାଣୀ ଶୁଣାଇ କିଛି ସମୟ ନଷ୍ଟ କରିବେ ।

 

ମଝି ରାସ୍ତାର ଟାଇଲ ଛପର ଘରୁ କେବେ କେମିତି ମେନାର ମୁହଁ ଦିଶିଯିବ ଓ ତାର ପିଲାମାନଙ୍କ ନଜର ପଡ଼ିଗଲେ ମେଞ୍ଚାଟାଯାକ ଏକାଠି ହୋଇ ହୁରି ପକାଇବେ । ମେନା ମୋର କେବେ କେଉଁ ଦୁର୍ବଳ ମୁହୂର୍ତ୍ତର ସାଥୀ ଥିଲା ଓ ସେ ତାର ଶିରାଳ ମୁହଁରେ ହସ ଫୁଟାଇ ମୋ କଥା ଖାଲି ପଚାରି ଚାଲିବ । ନିଜକଥା ଘୋଡ଼ାଇ ବାଁରେଇ ଦେବ । ଶଙ୍କିଯାଇ ଦେହସାରା କାନି ଭିଡ଼ି ଘୋଡ଼ାଇ ଆଣିବ ।

 

ଅନ୍ୟ ରାସ୍ତାର ଅର୍ଦ୍ଧେକ ମୋପାଇଁ ନୁହେଁ । ମଲ୍ଲୀଫୁଲ କଚଟିରେ ଗୁଡ଼ାଇ ରାତି ଅଧରେ ଟଳି ଟଳି ବାରନାରୀର ବିଛଣା ଛାଡ଼ି ଘରକୁ ଫେରୁଥିବା ଉପର ସ୍ତରର ମଣିଷଙ୍କପାଇଁ ଅପର ଅର୍ଦ୍ଧେକ ଅନ୍ଧାରିଆ, ଫୁଲ ଓ ଦେହବିକା ରାସ୍ତା ସେ ପଟ । ମୁଁ ସିନା ରାସ୍ତାରେ ଚାଲିବା ମଣିଷ ! କିନ୍ତୁ କାର୍ଯ୍ୟକ୍ରମ ହାତରେ ନ ରଖି; ବ୍ୟସ୍ତହୋଇ ଧାଉଁଥିବା ଏକ ବହୁ ବିଜ୍ଞପିତ ମଣିଷ ମୁଁ ନୁହେଁ । ମୁଁ ମୋର ସିଧାରାସ୍ତା-ମେନା ଘର ସାମ୍ନା ଦେଇ ଯିବାକୁହିଁ ନିର୍ଦ୍ଦିଷ୍ଟ ଭାବରେ ସ୍ଥିରକଲି ଓ ଆଗେଇବାକୁ ରିକ୍‌ସାକୁ ଇସାରା ଦେଲି ।

 

ବର୍ଷା ଆରମ୍ଭ ହେଲାଣି । ରାସ୍ତାରେ ଚିହ୍ନା ମୁଁହ ଆଖିରେ ପଡ଼ୁନି । ମେନା ଘର କବାଟ ଭିତରୁ ବନ୍ଦ ଓ ମୋ ରିକ୍‌ସା ଦ୍ରୁତଗତିରେ ଆଗେଇଯାଇ ସାମ୍ନା ପାର୍କ ଟପିଯିବାକୁ ବସିଲାଣି ।

 

ମୋର କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ କେଉଁଠାରେ ନାହିଁ ଓ ମୁଁ କିଛି ସମୟ ଏପରି କଟାଇ ପୁଣି ବୋଧେ ବର୍ଷା ଜମିଆସିବା ପୂର୍ବରୁ ବା ବର୍ଷାଖାଇ ଆଣ୍ଠୁବୁଡ଼ା ପାଣି ଘେର ଭିତର ଦେଇ ମୋ ବସାକୁ ଫେରିଆସିବି ଓ ନିର୍ଦ୍ୱନ୍ଦ୍ୱରେ ସାଇ ରାସ୍ତା ପାରହୋଇ ମୋ ବୈଠକଖାନାରେ ପହଞ୍ଚି ଚାହାର ବରାଦ ଦେବି ।

 

ଚାହାକପ୍‌ ସାମ୍ନାରେ ରଖି କିଛି ସମୟ ଆଗେ ନିର୍ଦ୍ଧୁମ ପ୍ରହାର ଖାଇ ନୋଳା ଫଟାଇଥିବା ମୋ ବୟ ମୋତେ ତା ପିଠି ଦେଖାଇବ ଓ ମୁଁ କେବଳ ମୋର ସମସ୍ତ ନିଃସଙ୍ଗ ମୁହୂର୍ତ୍ତମାନଙ୍କୁ ମନେପକାଇ ହାଲିଆ ହୋଇ ଦୀର୍ଘ ସମୟ ଚୁପ୍‌ହୋଇ ବସି ରହିବି ।

☆☆☆

 

ନିଃସଙ୍ଗ ଅରଣ୍ୟ

 

ଏବେ କେବଳ ଧୀରେ ସୁସ୍ଥେ ଆଗେଇ ଯିବା । ଉଚ୍ଚା ହିଡ଼ର ନରମ ଛନଛନିଆ ଘାସ ଉପରେ ଓଜନିଆ ବୁଟ୍‌ପିନ୍ଧା ପାଦ ରଖି କେବଳ ଆଗକୁ ଯିବା ଓ ଗାଁରେ ପହଞ୍ଚିବା ।

 

ଡାହାଣ ହାତି ଜଙ୍ଗଲ ଓ ଜଙ୍ଗଲକୁ ଲାଗି ମୁଣ୍ଡିଆ । ତଳକୁ ତଳକୁ ହିଡ଼ ପର୍ଯ୍ୟନ୍ତ ଘୋସାରି ହୋଇ ପଡ଼ିଥିବା ଥୁଣ୍ଟା ଘାସର ତଇଲା ଏବଂ ଉଚ୍ଚା ଉଚ୍ଚା ପଥର, ମୋଟା ମୋଟା ଶାଳ, ସାଗୁଆନ୍‌ର ମାଟିଛୁଆଁ ଡାଳସବୁ ପଛରେ ପଡ଼ିରହିଲେଣି । ବାଁ ହାତି ଓ ସାମ୍ନାକୁ କେବଳ ଗଜେଇଉଠୁଥିବା ଧାନ ଫୁଲର ମଉଛବ । ସମୁଦ୍ର ପରି; ପବନରେ ଲହଡ଼ି ଭାଙ୍ଗି ହିଡ଼ଠାରୁ ସାମ୍ନା ଗଭୀର ସେ’ପଟ ବୁଦି ବୁଦିକିଆ ଗାଁ ପର୍ଯ୍ୟନ୍ତ ହିଡ଼ ଦିଶୁନଥିବା ଗହଳ ଧାନ ବିଲ । ଗହୀର ମଝିରେ କାଁ ଭାଁ ଗୋଟାଏ ଭୂତପରି ଛିଡ଼ାହୋଇ ରହିଥିବା ଶାଳ ବା ମହୁଲ ଗଛ ଓ ତା’ ଡାଳରେ ଘରଚଟିଆ ବସାପରି, ଚଢ଼େଇ, ବାର୍‌ହା ବା ମିରିଗ ପଶି ଜୁର କରିବା ଭୟରେ ହାଡ଼ଭଙ୍ଗା ଶୀତରେ ବି ନିଆଁ ବରିହା ଖଣ୍ଡେ ସଞ୍ଜରୁ ଜାଳି ଗାଁ ଛାଡ଼ି କ୍ଷେତକୁ ମୁହାଁଇବା ଓ ପୁରୁଷ ପୁରୁଷ ଧରି ରାତି ପୁହାଇବାର କାହାଣୀ ।

 

କୁରୁପା ଓରଫ୍‌ କୃପାସିନ୍ଧୁ ବାଘର ମିଲିଟାରୀରୁ ଛୁଟି ନେଇ ତେରଦିନ ପରେ ଆଜି ଗାଁକୁ ଫେରୁଛି । ସେ ଅସଂଖ୍ୟ ଯୁଦ୍ଧ ଛାଉଣୀ; ନଦୀ, ସମୁଦ୍ର, ଅଚିହ୍ନା ମଣିଷ ଓ ମୂଲକ, ବରଫଘେରା ପାଇନ ବଣ ଦେଖି ଏବଂ ଜୀବନ ଧରି ସେଠାରୁ ଫେରି ଆଜି ଗାଁକୁ ଆସୁଛି । ଗାଁ ଛାଡ଼ିଯିବା ଓ ଫେରିଆସିବା ପରି ସୈନ୍ୟ ଛାଉଣୀର ଅନେକ ସ୍ମୃତି । ଟ୍ରେଞ୍ଚ ଭିତରେ ବୁନ୍ଦାଏ ପାଣି ପାଟିରେ ନ ଦେଇ, ସିଗାରେଟ୍‌ କଳେ ନ ଟାଣି ବି ରାତି ବିତାଇବା ଓ ପେଟେଇ ପଡ଼ିରହିବାର ଯନ୍ତ୍ରଣା ଭିତରେ ଜୀବନ କେଡ଼େ ଦୀର୍ଘ ଓ କେତେ ଆଦରର ସେ ଜାଣିଛି । ଜୀବନ ସେଇ ଦୁଧିଆଳି ଗାଈ ଶୁଖିଲା ନଡ଼ା କେଇବିଡ଼ା ପାକୁଳି କରିବାକୁ ଛିଞ୍ଚାଡ଼ି, ଯନ୍ତ୍ରଣାର ଚିର ଟାଣି ଯାହାର କ୍ଷୀର ସିନା ଅନ୍ୟକୁ ବିତରଣ କରିହେବ, ସେ କିନ୍ତୁ ସର ଅମାଲୁରେ ମୁହଁ ପୂରାଇ ପାରିବ ନାହିଁ ।

 

ମୁଗୁନିକଳା ବଳିଦେଲାପରି ଛ’ଫୁଟିଆ କୁରୁପା ଭେଣ୍ଡିଆଟାର ଦିନ ଗଡ଼ି ଚାଲିଛି । ଗୋଟାଏ ପଟେ ଅତୀତର ସେଇ ନିଃସଙ୍ଗ ଥୁଣ୍ଟା ମୁଣ୍ଡିଆ ଓ ଆରପଟରେ ବହୁ ଶବ୍ଦ ତରଙ୍ଗ ଘେରା ବାରାକ୍‌ର ଶୀତୁଆ ଦିନଗୁଡ଼ାକ ମଝିରେ ସେ ଏକୁଟିଆ ଗୋଟାଏ ଟାଣୁଆ ଲୁହାର ମଣିଷଟା ନିଜ ଭତରେ ନିଜ ଦେହର ଲହୁ ଚାଟି, ବେକ ସଳଖେଇ, ଛାତି ଓ ମୁଛ ଫୁଲେଇ ଆଗେଇ ଚାଲିଛି । କେବେ ବା ବରଷା ଶେଷରେ ବା ବରଷା ମଝି ଖସଡ଼ା ପଡ଼ିଆ ମଝିରେ ସେ ପେଣ୍ଡୁଟିକୁ ଟାଣିନେଇ ଆଗେଇ ଚାଲିଛି । କେଉଁଠି ହାର୍‌ ତ ଆଉ କେଉଁଠି ଜିତ୍‌ । ହଁ.......ହଁ....ଟାହୁଲି-ଟାପରା-! ବା ମୁହଁ ମୋଡ଼ା । ଚୁ......ଚୁ...... । ସମଦୁଃଖରେ ଘାରିହୋଇ କୋଳକୁ ଆଉଜେଇ ଆଣି ଆଉଁସି ଦେବାର ପ୍ରଗଳ୍‌ଭତା । ହାର୍‌ଜିତ୍‌ର ଏହିପରି ଆଖି ମିଟିକା, ବାଁ ଖାଡ଼ିଆ ମାରିବା ଭିତରେ କେତେ ହସ ପୁଣି କାନ୍ଦର ଛୋଟ ଛୋଟ ଲହଡ଼ିର ଧକ୍‌କା । ସବୁ ପୁଣି ଫସର ଫାଟିଯିବାର ଓ ଛୋଟ ଜୀବନଟି ଆଗେଇ ଯାଇ ହସିଦେବାର ଦୀର୍ଘ ଭେଣ୍ଡିଆପଣ ।

 

ଗାଁ ପାଖ ହୋଇ ଆସିଲେ ଅନ୍ୟକିଛି ମନକୁ ଛୁଉଁନି । ବିତି ଯାଇଥିବା ଓ ଘଟି ଯାଇଥିବା ଘଟଣାମାନ କେବଳ ଦାଣ୍ଡରେ କିତ୍‌ କିତ୍‌ ଖେଳ ଆରମ୍ଭ କରି ଦେଇଛନ୍ତି । ଗାଁ ପାଖରେ ଗାଁକୁ ଧସି ପଶିବାର ସରାଗ ।

 

ମନେପଡ଼ୁଛନ୍ତି ମିଲିଟାରୀ ବାରାକ୍‌ର ହରି ସିଂ, ଗୁରୁଦୟାଲ ସିଂ, ରମଜାନ ମିଆଁ ଓ କଳା ରମ୍‌ ପିଇ ମାତାଲ୍ ହେବାର ମୁହୂର୍ତ୍ତ ସବୁ । ଯୁଦ୍ଧ ପର୍ଯ୍ୟନ୍ତ ବା ଯୁଦ୍ଧ ଶେଷର ଜୀବନ ଗୋଟାଏ କେବଳ ରୁଟିନର ଜୀବନ । ସକାଳୁ ଉଠ । କସରତ୍‌ କର । ବନ୍ଧୁକ ଚଳାଅ ଓ ଖାଇ ପିଇ ଆଉ ଗୋଟାଏ ମାଘମାସୀ ସୈନ୍ୟ ଛାଉଣୀରେ ଡିଉଟି କରିବାକୁ ଦେହକୁ ଉଷୁମ୍ ରଖ ।

 

ଗାଁ ଦାଣ୍ଡରେ ପାଦ ବଢ଼ାଇଲା ବେଳକୁ, ହାତରେ ଟାଙ୍ଗିଆ ପଟେ ଧରି ବାଟ ଓଗାଳି ତା’ ବାପ ଅରଜୁ ବାଘରା ତା’ ସାମ୍ନାରେ ଯେପରି ଛିଡ଼ା ହୋଇଯାଉଛି । ବଳିଲା ବଳିଲା ଦେହ । ଓସାର ଛାତି । ଅଳ୍ପ ଡେଙ୍ଗା, କାଳିଆ ମଣିଷଟାଏ । ଅଣ୍ଟା ଡୋରରେ ଖୋସାଯାଇଛି । ଚାରି ଆଙ୍ଗୁଳର କବଟା ଖଣ୍ଡେ । ଚାଖଣ୍ଡେ ତଳିପେଟ ନାହିଁ ତଳକୁ ଓହଳି ଆସିଛି ।

 

କୁରୁପାର ହେତୁ ପାଇବା ଦିନୁ ସେ ତା’ ବାପାକୁ ବଡ଼ି ଭୋରରୁ ଟାଙ୍ଗିଆ ପଟକ କାନ୍ଧରେ ପକାଇ କୁଡ଼ିଆ ଭିତରୁ ବାହାରକୁ ନଇଁ ନଇଁ ବାହାରି ଚାଲିଯିବା ଦେଖିଆସିଛି । ରାତି ଦୁଇଘଡ଼ି ବେଳକୁ ଅନ୍ଧାର ଭିତରେ କୁଡ଼ିଆ ଭିତରକୁ ହାମୁଡ଼େଇ ପଶି ଆସିବାର ଆଉ ଗୋଟାଏ ଅନୁଭୂତି । ହାତରେ ୨ଖଣ୍ଡ ଶୁଖିଲା ଡାଳ ଓ କାଖରେ ଛୋଟ ପୁଡ଼ିଆଟାଏ । କୁଡ଼ିଆ କୋଣର ଦିକି ଦିକି ରଡ଼ ନିଆଁ ଆଲୁଅରେ ସିଝା ଭାତ ପୁଳାଏ ବା ଜାଉ ଗିନାଏ ପେଟରେ ଭରି ପାଖ ହାଣ୍ଡିରୁ ମାଟି ଛେଲୁଆରେ ପାଣିପେଟେ ପିଇ, ଦୁଇହାତ ମୁଣ୍ଡତଳେ ଦେଇ ଘଡ଼ିକ ଭିତରେ ଘୁଙ୍ଗୁଡ଼ି ମାରିବାର ଅନ୍ୟ ଏକ ପର୍ବ । ସେ କେବଳ ତା ଅଧା ଲଙ୍ଗୁଳି ମା’ ପେଟରେ ପଶିଯାଇ, ଅସୁର ଘୁଙ୍ଗୁଡ଼ି ଭିତରେ ରାତି ପୁହାଇ ଦେଇ ଭୋରୁ ଭୋରୁ ବାପକୁ ଆଣ୍ଠେଇ କୁଡ଼ିଆ ପାରି ହେବାର ଦେଖି ଶିଖିଛି ।

 

ଦରିଦ୍ରର କଷା ପିତା ଚଳଣି ଭିତରେ ଆଜି ତା’ ବାପ ମା ଦିହିଁକା ଦିହେଁ ଡକାଡ଼କି ହୋଇ ତା’ ଅଜାଣତରେ ଏପାରିରୁ ଚାଲିଯାଇଛନ୍ତି । କୁରୁପା କେବଳ ଯୁଦ୍ଧ ଛାଉଣୀର ଶୀତ-ଅନ୍ଧାର-ଜୀବନ-ମୃତ୍ୟୁର ମଝି ଗାରର ଗୋଟିଏ ପଟେ ରହି ଶୁଣିଛି । ଦୁଃଖ କରି ଲୁହ ଢାଳିବାକୁ ତର ପାଇନି । ମୃତ୍ୟୁ ତାକୁ ଦୌଡ଼ି ଧରିବାକୁ ହାତ ବଢ଼ାଇଲା ବେଳକୁ ସେ କେଳବ ନଇଁପଡ଼ି, କଡ଼ ପଟିଆ ଦେଇ ଖସିଯାଇଛି ।

 

ଖରା ଚାଇଁ ଚାଇଁ ମୁହଁକୁ ମାରୁଛି । ମୁହଁ ସିଝା ପାହାଡ଼ ଚଢ଼ା-ପ୍ରଥମ ଯୌବନର ହଜିଲା ସ୍ମୃତି, ଫଗୁଣର ହାଲୁକା ପବନ ପରି ଦେହରେ ଲାଗିଯାଉଛି । ସ୍ମୃତି ସବୁ ପାଚିଲା ଧାନର ସପନ । ପାହାଡ଼ ଚଢ଼ା-ନହକା ଶିଆଳ ଲଟାର ପତଳା ଛାଇ । ଫୁର୍‌କରି ଉଡ଼ିଯିବା ଟିକି ଚଢ଼େଇ ଓ କୋରେଇ ଫୁଲର ମଉଛବ । ସ୍ମୃତି ପୁଣି ବଣର ନିଆଁ । ତୀଖା ଖସଡ଼ା ପାହାଡ଼ । ୟେ ସ୍ମୃତି ସେଇ ଅଜଗର, ଯେ ମନର ନିଘଞ୍ଚ ଅରଣ୍ୟରେ କେବଳ ବେଳେ ବେଳେ କଡ଼ ଲେଉଟାଇ କେଉଁଆଡ଼େ ଉଭେଇ ଯାଏ ।

 

ଗାଁରେ ଚିହ୍ନା ମଣିଷର ତା’ପ୍ରତି ଅଚିହ୍ନା ଅଚିହ୍ନା ଚାହାଣି । ତା’ କଡ଼ ଦେଇ ସେଇ ଟାଙ୍ଗିଆ ପଟକ କାନ୍ଧରେ ପକାଇ ତାକୁ ପାର ହୋଇଯାଇ ପଛକୁ ଚାହିଁ ଆଗେଇଯିବାର ଘଟଣା ସେ ଗାଁ ଭିତରକୁ ପଶିବା ମୁହୂର୍ତ୍ତରୁ ଲକ୍ଷ୍ୟ କରୁଛି । କତେ ଚିହ୍ନା ଚାଳିଆର ଢିଅ ଖଣ୍ଡକରେ ଅରମା ଗଛ କେଇଟା । ବୁଦି ବୁଦିକିଆ ଅରମା ଗାଁ ସାରା ମାଡ଼ି ଗଲାଣି । ଡାକେ ବାଟରେ ସେଇ ମୁହଁ ସାମ୍ନା ନାଳିଆ ସେପଟର ଚାଟଶାଳୀ ଘର ଖଣ୍ଡକର ସ୍ଥିତି ମଧ୍ୟ ଆଖିରେ ତାର ପଡ଼ୁନି । ଆଜି ହୁଏତ କୁରୁପାର ସୈନିକ ହେବାର ସୌଭାଗ୍ୟ ମିଳିନଥାନ୍ତା । ସେ ଯଦି ଚାଟଶାଳୀ ଖଣ୍ଡକୁ ଏଇ ମୂଳକରେ ମୁଣ୍ଡଟେକି ନ ଥାନ୍ତା ।

 

ରାମ ସାହୁର ବାପ ମାଧବ ସାହୁଙ୍କର ବଦନ୍ୟତାରୁ ସିନା ତା’ର ଆଜିର ଏ ଦୌଡ଼ । ରାମ ସାହୁ ହୁଏତ ଆଜି ବେପାର ବଣିଜ କରି ଲାଭ ଦୁଇ ପଇସା କମାଇ ସଡ଼କ କରରେ କୋଠା ପିଟିଛି । ବାପ ତାର ଥିଲେ କିନ୍ତୁ ଭିନ୍ନ ପ୍ରକୃତିର ମଣିଷ । ରାତି ନାହିଁ, ଦିନ ନାହିଁ ଗାଁ ଗାଁ ବୁଲି, ମୁଠି ଚାଉଳ ସଂଗ୍ରହ ଓ ଶ୍ରମଦାନରେ ଛିଡ଼ା କରିଥିଲେ ସେ ବେଳର ଚାହାଳି ଖଣ୍ଡକ ଯାହା ଆଜି ସରକାରଙ୍କ କୃପା ଅଭାବରୁ ମାଟିରେ ମିଶିଯାଇଛି । କୁରୁପା ପାହାଡ଼ ତଳି ବଣୁଆ ମଣିଷଟାଏ, ମହାଲ ମୁଲକ ଘୂରି ଆଜି ଫେରି ଆସି ନିଜ ମୁଲକକୁ ଦେଖି ବ୍ୟଥାରେ ଝରିପଡ଼ୁଛି ।

 

ରାମ ରାଜ୍ୟର ସପନ ବୁଣି ଯେଉଁମାନେ ବିଦେଶୀ କବଳରୁ ଏ ଦେଶକୁ ସ୍ୱାଧୀନ କରିଥିଲେ; ସେମାନଙ୍କ ଭିତରୁ ଅନେକ ମରିହଜି ଗଲା ପରେ ଆଜି ଖାଲି ଡିଣ୍ଡିମ ପିଟାହିଁ ସାର । ସହରରେ ୩୦ମହଲା କୋଠା ତିଆରିହିଁ ଆଜି ମଣିଷର ଯୋଜନା । ଯୋଜନା କେବଳ ସେଇ କେତେଜଣ ମଟର ଗାଡ଼ି, ବିଜୁଳି ପଙ୍ଖା ତଳେ ଚିନ୍ତା କରୁଥିବା ବ୍ୟକ୍ତିବିଶେଷଙ୍କ ମନର ଖିଆଲ ।

 

ରାଜା ଯାଇଛି । ତା ଜାଣିବାର ଜମିଦାରର ଜମିଦାରୀ ଯାଇଛି ସିନା । ପାଞ୍ଚ ବର୍ଷକୁ ସାଧାରଣ ମଣିଷର ପ୍ରତିନିଧି ହୋଇ ଯେଉଁମାନେ ଥରେ ଆସନରେ ବସିଲେ, ନୂଆ ଜମିଦାରୀ ଆରମ୍ଭ କରିଛନ୍ତି । କୁରୁପା ପରି ମଣିଷଙ୍କର ଭଲମନ୍ଦ ଦାୟୀ ରହିବାକୁ ଯେଉଁ ଧୋବାଧାଉଳିଆ ଉଚ୍ଚ ପଦବିର ସୃଷ୍ଟି ହେଲା, ସେମାନେ କୁରୁପାର ହାନିଲାଭ ବୁଝିବା ତ ଦୂରର କଥା, ତାଙ୍କ ନଅର ଗଢ଼ିବାକୁ, ମହଲା ତୋଳିବାକୁ ତାଙ୍କୁ ପଶୁ ପରି ଖଟାଇ ଲାଗିଛନ୍ତି । ତଫାତ୍‌ କେବଳ ବ୍ୟବହାରିକ ଆଦବ କାଇଦାରେ । କୁରୁପା ପରି ଅସଂଖ୍ୟ ମଣିଷର ଦାରିଦ୍ର ଘୁଞ୍ଚାଇବାକୁ ଯାଇ, ତାଙ୍କୁ ପ୍ରଲୋଭନ ଦେଖାଇ ନୂତନ ଚାହିଦା ସୃଷ୍ଟି କରି ତା’ ମୁଲକରୁ ତଡ଼ି ନେଇ ସହରର ରାସ୍ତାକଡ଼ରେ ଫୋପାଡ଼ି ଦେଇଛନ୍ତି । ତା’ର ପୁରୁଷ ପୁରୁଷ ଧରି ଗଢ଼ା ଯାଇଥିବା ତଇଲା ନାହିଁ, ବଣ କନ୍ଦା ଖୋଳା ସରଳ ଜୀବନ ନାହିଁ । ଅଛି କେବଳ ତାଳ ଦେଇ କୋଠାପିଟା, ପିଚୁ ରାସ୍ତା ଗଢ଼ା ମେହନତି ଓ ତିନିଟଙ୍କିଆ ଜୀବନର ନୂତନ ଇତିହାସ । କେବେ ସିନା ତା’ ମେହନତିର ଫଳ ଭୋଗ କରୁଥିଲେ ମୁଷ୍ଟିମେୟ କେତେକ ରାଜା ବା ଜମିଦାର । ଆଜି ଭୋଗ କରୁଛନ୍ତି ଏଇ ସଭ୍ୟ ମଣିଷ ଯାହାଙ୍କର ଗାଡ଼ି ତା’ ମେହନତି ଉପରେ ଗଡ଼ି ଚାଲିଛି । ଆଦିବାସୀ କହି ଅନ୍ୟାନ୍ୟ ସଭ୍ୟ ସହରି ମଣିଷଠାରୁ ତାଙ୍କୁ ଠିକ୍‌ ଆଗପରି ଅଲଗା ଆଖିରେ ତଳେଇ ରଖାଯାଇଛି ।

 

ଶ୍ରେଣୀହୀନ ସମାଜର ଦୁଆ କେବଳ ଏକ ଧପ୍‌ପାବାଜିରେ ଆଜି ପରିଣତ ହୋଇଛି । ବଡ଼ବଡ଼ିଆଙ୍କର ସୁଖ ସମୃଦ୍ଧିରେ ନ ଲାଗିବାପାଇଁ କାଁ ଭାଁ ତା’ ସମାଜର ଜଣେ ଅଧେଙ୍କୁ ପ୍ରତିନିଧି ରୂପେ ନୁତନ ଗାଦିରେ ଫୁଲମାଳ ପିନ୍ଧାଇ ଦିଆଯାଇଛି । କିନ୍ତୁ ସେହି ସବ୍‌ଜାନତା ଧୋବଧାଉଳିଆ, ପୁରୁଷ ପୁରୁଷ ଧରି ସମାଜକୁ କାବୁ କରିଥିବା ମଣିଷଙ୍କ ଚକ୍ରାନ୍ତରେ ଶେଷ ହୋଇନି । କୁରୁପା ପରି ମଣିଷର ଉପର ସୋପାନକୁ ଉଠିବାକୁ ଢେର ଯୁଗ ଅନାଇ ବସି ରହିବାକୁ ପଡ଼ିବ । ନିଜ କଥା କହିବାକୁ ଉପର ପାହାଚରେ କୁରୁପାର ନିଜର ମଣିଷ ଥିଲେ ତ ! ଯେ ତ ତା’ ସମାଜରୁ ଫୁଲମାଳ ପକାଇ ଉପରକୁ ଉଠିଲେ, ସେ ହେଲେ ଗୋଠଛଡ଼ା–ସମାଜର ବଡ଼ ପଣ୍ଡା । ସେମାନେ ବି ଗଢ଼ି ତୋଳିଲେ କୁରୁପା ସମାଜ ଭିତରେ ଆଉ ଏକ ଶ୍ରେଣୀ । ସେ ଆଜି ଅନୁଭବ କରୁଛି, ସେ ଯେପରି ଏକ ପରିବର୍ତ୍ତିତ ସମାଜର ସେଇ ଚିନ୍ତା ଶୂନ୍ୟ ମାଟି କାମୁଡ଼ି ପଡ଼ି ରହିଥିବା ଓ ଜୁକୁ ଜୁକୁ ଚାହିଁ ରହି ସମାଜର ନବରଙ୍ଗ ଦେଖୁଥିବା ମଣିଷ ନାମଧାରୀ ପଶୁ । ତାର ଚାହିଦା ପରି ତାର ଚିନ୍ତା ସେଇ ନିମ୍ନ ପାହାଚରେ ଏବଂ ସ୍ଥିତି ଏକ ସଂକେତ ମାତ୍ର ।

 

ଗୋରା, କଳା, ଛୁଆଁ ଅଛୁଆଁର ଭାବ ପରିବର୍ତ୍ତନ ହୋଇଚାଲିଛି । ଅର୍ଦ୍ଧ ଶିକ୍ଷିତ ମିଣିଷଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦିତା । ଦାମୀ ଲୁଗା ପିନ୍ଧା ଗାଡ଼ି ଚଢ଼ା ମଣିଷର, ମୋଟା ବଗଡ଼ା, ପାଦଚଲା ମଣିଷ ପ୍ରତି ତାଚ୍ଛଲ୍ୟ ଭାବ । ଭିତରର ସଂକୀର୍ଣ୍ଣତା, କପଟତା ଏବଂ ହୀନମନ୍ୟତା ଘୋଡ଼ାଇ ରଖିବାକୁ ବାହାରର ଆଡ଼ମ୍ବର ବହୁ ପରିମାଣରେ ବଢ଼ିଯାଇଛି । ନିଜକୁ ଛାଡ଼ି, ଆପଣାର ପରିଜନଙ୍କୁ ଛାଡ଼ି, ଦୁନିଆରେ ଅନ୍ୟ କୌଣସି ମଣିଷର ଆବଶ୍ୟକତା ସେ ଅନୁଭବ କରିପାରୁ ନାହିଁ-

କୁରୁପାର ବାରାକ୍‌ ତା’ ଆଖି ସାମ୍ନାରେ ଫୁଟିଉଠୁଛି । ହାବିଲଦାର କରିମ୍‌ ଖାଁ’ଙ୍କର ରୁକ୍ଷ ଭାଷା ଓ ରମ୍ ପିଇ ଗଡ଼ିଯିବା ।

ସମୟରେ ତା ଆଖି ୨ଟା ଧପ୍‌କରି ଜଳିଉଠିବାର ସ୍ମୃତି, ରମଜାନ ମିଆଁ ଓ ଗୁରୁବକ୍‌ସା ସିଂଙ୍କର ଗିଲାସ ପରେ ଗିଲାସ କଳା ରମ୍‌ ଢାଳି ତାକୁ ମାତାଲ କରି ହସି ହସି ମାଟିରେ ଲୋଟିପଡ଼ିବା ମୁହୂର୍ତ୍ତଗୁଡ଼ାକ ତ ସାମ୍ନାରେ ଠିଆ ହୋଇଯାଉଛନ୍ତି । ସେ ଯେପରି ନିଜକୁ ଭୁଲିଯାଉଛି ।

କୁରୁପା ସିନା ସେମାନଙ୍କ ନିକଟରେ ଗୋଟାଏ ଅପଦାର୍ଥ ଜାନୁଆର । ପର ମୁହୂର୍ତ୍ତରେ କାନ୍ଧରେ କାନ୍ଧ ମିଳାଇ ଝୁଙ୍କି ଚାଲିବା ବି ଅନ୍ୟ ଏକ ଦୋସ୍ତିର ମୁହୂର୍ତ୍ତ ।

ରମ୍‌ ପିଇବା ଭିତରେ ସେସବୁ ଭୁଲିଯିବାକୁ କୁରୁପା ପୁଣିଁ ଗାଁ ଛାଡ଼ି ବଡ଼ ରାସ୍ତାରେ ପାଦ ବଢ଼ାଇଛି ।

☆☆☆

 

ମୁଖା

 

ସେମାନଙ୍କ ସମ୍ପର୍କରେ ଏହିପରି ଅନେକ ଆଳାପ-ଆଲୋଚନା । ବାହାରେ ବହୁ ଶବ୍ଦ । ଘରଭିତରୁ ଝର୍କାଦେଇ ଚେତନା ଆକାଶ ଦେଖି ସୀମାହୀନ ଆକାଶ ସମ୍ପର୍କରେ ନିଃସନ୍ଦେହରେ ଅନେକ ମନ୍ତବ୍ୟ ଦେବାର ଅଭିଜ୍ଞତାରୁ, ଶବ୍ଦକୁ ଘେରି ବହୁ ମଣିଷଙ୍କ ସମାରୋହ ସମ୍ପର୍କରେ ପ୍ରତ୍ୟେକ ମଧ୍ୟ ନିଃସନ୍ଦେହ । ନିୟନ ଆଲୁଅ ଓ ପଙ୍ଖା ତଳେ ସମସ୍ତ ସମୟତକ ଚିନ୍ତା ଓ କାର୍ଯ୍ୟରେ ବ୍ୟସ୍ତ ରହି ବାହାରେ ଅମାବାସ୍ୟାର ଅନ୍ଧକାର କିମ୍ବା ବିମଳ ଜ୍ୟୋସ୍ନାର କାଶତଣ୍ଡି ଫୁଲ ଓ ତା’ର ହିସାବ ବହୁଦିନରୁ ହୁଏତ ରଖାଯାଇ ନାହିଁ । ସମୟର ନିର୍ଦ୍ଦିଷ୍ଟ ସୀମାରେଖା କାଟି କାର୍ଯ୍ୟ କରିବାରେ ପ୍ରତ୍ୟେକ ଅଭ୍ୟସ୍ତ ହୋଇଥିଲେ ମଧ୍ୟ, ବେଳା ଓ ସିନେମା ସମୟଟାକୁ ପାଶୋରି ପକାଇ, ନିଜର ବହୁ ଅନ୍ତରଙ୍ଗ ଆତ୍ମୀୟ ନିକଟରେ କ୍ଷମା ମାଗି ଲଜ୍ଜିତ ହେବାର ଅସଂଖ୍ୟ ଦୃଷ୍ଟାନ୍ତ ।

 

ଆଲୋଚନାର ପର୍ଯ୍ୟାୟ ଭିତରେ ଚନ୍ଦା-ଖର୍ବକାୟ ସୀତାକାନ୍ତଠାରୁ ଖଦଡ଼ପିନ୍ଧା ବୃଦ୍ଧ ରମଣୀରଞ୍ଜନ ଏବଂ ସହରର ବିଶେଷ ବିଜ୍ଞାପିତ, ଲୁଙ୍ଗି ଗୋ-ଗୋ ଚଷମାପିନ୍ଧା ଦ୍ୱିତୀୟ ବାର୍ଷିକ ବିଜ୍ଞାନ ଛାତ୍ରୀ ଇରାନୀଠାରୁ ଆରମ୍ଭ କରି ସ୍ୱାମୀ ପରିତ୍ୟକ୍ତା, ଉଚ୍ଚଶ୍ରେଣୀର ଯୌନ-କାଙ୍ଗାଳଙ୍କ ନିକଟରେ ବହୁ ପରିଚିତା ଓ ବର୍ତ୍ତମାନ କନ୍ୟାଶ୍ରମର ପ୍ରଧାନ ଉପଦେଷ୍ଟା ନାରୀନେତ୍ରୀ; ଉମାଦେବୀଙ୍କ ପରି ବହୁ ଚରିତ୍ର ଅନ୍ତର୍ଭୁକ୍ତ ।

 

ଯନ୍ତ୍ର ସ୍ୱରୂପ ସୀତାକାନ୍ତ, ହାରଜିତ୍‌ର ଉଠ୍‌ପଡ଼୍‌ ଭିତରେ ବହୁଦୂର ଆଗେଇ ଆସିଛି, ପାହାଡ଼ ଝରଣାର ବେଗ ହରାଇ ବସି ନାହିଁ । ଆଖିରେ ତା’ର ସେଇ ଅରଣ୍ୟର ସବୁଜିମା ଓ ଭାବପ୍ରବଣତା ଭିତରେ ହସି ହସି ଗଡ଼ିଯିବାର, ଲମ୍ଫ ଦେବାର ଆଶ୍ଚର୍ଯ୍ୟ ଉତ୍କଣ୍ଠା । ଛଳଛଳ ହସ ଓ ଯୌବନର ସ୍ୱର ଟିକିଏ ମନେପଡ଼ିଲେ, ଅଟକିଯାଇ ପ୍ରାଣ ଉଲୁସାଇନେବାର ଅନେକ ମୁହୂର୍ତ୍ତ ତା’ର ଲକ୍ଷ୍ୟ କରିବାକୁ ହେବ । ସମସ୍ତ ବିରୋଧାଭାଷର ନିଃସଙ୍ଗ ମଣିଷଟି, ଅନେକ ମଉଛବର ଏକ ଦୀର୍ଘ କେନ୍ଦ୍ରବିନ୍ଦୁ ।

 

ବାହାରେ ସଙ୍ଗୀତ । ଲୋକ କୋଳାହଳ ଏବଂ ନିଝୁମ ବର୍ଷା । ବର୍ଷାଭିଜା ମଉଛବ । ୟାଭିତରେ କାହାରି ଭାଷା ହୁଏତ ବୁଝି ହେଉନାହିଁ । ପରିଚିତ ଜାଣି ହେଉନାହିଁ । ତଥାପି ବି ମଉଛବ । ମଉଛବ, ଆଗକୁ ମାଡ଼ିଚାଲିବା, ହଟି ରହିବା ଏବଂ ନ ପାରିବା ମଣିଷଙ୍କ ଭିଡ଼ର । ମଉଛବରେ ନିମନ୍ତ୍ରିତ ବର୍ଷାଭିଜା ମଣିଷର କୋଳାହଳ । କୋଳାହଳ ଓ ଜାକଜମକ ଏବଂ ଏତେ ମଣିଷଙ୍କ ହେରଫେର ଭିତରେ ବି ତାଳ ନ ଦେଇ ଅଟକି ଯାଉଥିବା ନିଃସଙ୍ଗ ମଣିଷ । ଏତେ ଭିଡ଼ି ଓ ସରଗରମ ଆବହାଓ୍ୟା ଭିତରେ ବି ଓଜର ଆପତ୍ତି ନ କରି ଆଗେଇ ଚାଲିଥିବା ନିରୀହ ମଣିଷ । ତା’ପାଇଁ ସମୟ ଖାଲି ସୂଚନା, ଯାହା ଧାଡ଼ି ବାନ୍ଧିବାକୁ ବାଧ୍ୟ କରେ ଓ ଧାଡ଼ି ଭାଙ୍ଗି ବାହାରିଆସି ଫୁଙ୍ଗୁଳା ବୁଲି ପୁଣି ଖଣ୍ଡିଆଖାବରା କରି ଆଲୁଅ ଲିଭାଏ । ସମୟ ସେଇ ଲଙ୍ଗଳା-ଅଝଟିଆ-ହୁରୁମା ଅନନ୍ତା, ଯାହାର ତାଳ ମାନ କିଛି ନାହିଁ । ଯେ ଦିନ ତମାମ୍‌ ହୋଇ ନାଚିକୁଦି ପୁଣି ଶୋଇପଡ଼େ ଚାରିକାତ ଲମ୍ବାଇ । ସମୟ ସେଇ ବତାସିଆ ବରଷାର ତୋଡ଼ା ଭାଙ୍ଗି ମନ୍ଥି ଚକଟି ଉଡ଼ାଇ ନେଇ ଅଳିଆ ଜମାକରି ଛାଡ଼ି ଚାଲିଥାଏ ବା ସବୁ ଅଳିଆକୁ ଗୋଟେଇ ପୋଟେଇ ସାଉଁଟି, ଧୀରେ ସୁସ୍ଥେ ଆଡ଼େଇଯାଏ । ତା’ପରେ ଗୋଟାଏ ହାଲୁକା ଖୋଲା ଖୋଲା ଭାବ ।

 

ଏତେ ଭିଡ଼ ଭିତରେ ବି ନଇଁପଡ଼ିଥିବା ସମୟକୁ ତୋଳି ଧରିବାରେ ସୀତାକାନ୍ତ ପରି ମଣିଷର ଆଗ୍ରହ । ତା’ର ଆଗ୍ରହ, ପୁଣି ସମୟ ପ୍ରେମ ଚିଠି ଭିତରେ ଅଟକିଯାଉ ଏବଂ ଗୋବର ଗଣେଷଟାକୁ ବି ନର୍ଦ୍ଦମା କଡ଼ରୁ ଗୋଟାଇ ଆଣି ଉଇହୁଙ୍କାର ସିଂହାସନା ଉପରେ ବସାଇ ଗଜପତି କରୁ । ପୁଣି ସେଇ ଇତିହାସ । କିମ୍ବଦନ୍ତୀ । କରିତ୍‌କର୍ମା ମଣିଷ ସମୟର ପିଠି ଥାପୁଡ଼େଇ ବା ବା ଲଗାମ୍‌ ପିଟି, ଲେଖି ଦେଇଥିବା ଅଙ୍ଗୀକାର । ସେ ଅଙ୍ଗୀକାର ପୁଣି କି ଉଦେଶ୍ୟରେ ? ନୂତନ ସମୟ ଗଢ଼ିବା ମଣିଷପାଇଁ ନା ଆଗକୁ ବଢ଼ିଚାଲିବା ସମଜାର ମୂଳଦୁଆପାଇଁ ।

 

ମଣିଷ ମଉଛବର ଭିନ୍ନଗତି । ବିଭିନ୍ନ ରାସ୍ତା ଓ ଶତ ପ୍ରଚେଷ୍ଟାର ଶତସହସ୍ର ଡିଣ୍ଡିମ । ଇତିହାସରେ ଆଜି ନୁହେଁ, ଅନେକ ଯୁଗ ପୂର୍ବରୁ ବି ସୀତାକାନ୍ତ ପରି ଅନେକ ରାସ୍ତାର ଡିଣ୍ଡିମ ପିଟିଛନ୍ତି । ଆଗକୁ କଦମ୍‌ ପକାଇଛନ୍ତି ଏବଂ ମୋଡ଼ ବଦଳାଇଛନ୍ତି । କେଉଁଠି ଝଣ୍ଡାଧାରୀ ଆଗୁଆ ରାହା ତ କେଉଁଠି ପୁଣି ଧାଡ଼ି ଶେଷର ମଙ୍ଗୁଆଳ । ଶ୍ରୋତ ବହୁଛି । ଜୀବନ ମଝି ଦାଣ୍ଡରେ ରଡ଼ି ଯାଉଁ ଯାଉଁ ଲହୁଲୁହାଣ ହୋଇଛି । ପୁଣି ବି ଗଡ଼ିଚାଲିଛି । ସାମ୍ନାରେ ତୀଖା ପାହାଡ଼ର ପିଠି ବା ନରମା ମାଟିର ଅଣଓସାରିଆ ଅନ୍ଧାର ଗୋହିରୀ । ମୋଡ଼ ଭାଙ୍ଗି ସ୍ରୋତ ପୁଣି ଆଗକୁ ମାଡ଼ିଛି । ଆଉ କାହିଁ ବା ତୀକ୍ଷ ପାହାଡ଼ ଶିଖରୁ ଲମ୍ଫ ଦେଇଛି ତଳକୁ । ସବୁ ବାଧା ବନ୍ଧନକୁ ହଜମ କରିଛି । ଆଗକୁ ଯିବାର ଅଣନିଃଶ୍ୱାସୀ ଦୌଡ଼ ଓ ଠେଲାପେଲା ଭିତରେ ପୁଣି କେତେ ହାତ ସଫେଇ । ଯାଦୁ ।

 

ଝଣ୍ଡାଧାରୀ ମଣିଷର ଅଙ୍ଗୀକାର ତା’ ପଛକୁ ସାମ୍ନାକରି, ତା’ ଧାଡ଼ିର ଅନେକଙ୍କ ପଛକୁ ସାମ୍ନାକରି ଚାଲିଥିବା ନିରୀହ ମଣିଷପାଇଁ । ପଛୁଆ ଧାଡ଼ିରେ ଚାଲିଥିବା ନିରୀହ ମଣିଷପାଇଁ ସବୁ ଚିନ୍ତାର ଅଡ଼ୁଆ ଖିଅ ଫିଟାଇବାପାଇଁ; ଆଗ ମଣିଷର ଚାଲିଥିବା ମଣିଷ ନାରେ ସେ ବୈତରଣୀ ପାରି ହେବାର ଯେତେ ଯାହା ହାର ଜିତ୍‌ ଓ ଗଳାଫଟା ଚିତ୍କାର । କିନ୍ତୁ ଇତିହାସର ଅଙ୍ଗୀକାର ତ ସେଇ ଆଗଚଲା ଚତୁରପାଇଁ । ଅଙ୍ଗୀକାରର ଇତିହାସ ତ ସୂଚନା ଦେଇଛି ଯୁଗ ପରେ ଯୁଗ ଓଲଟାଇ ଚତୁରତାର । ନିରୀହ ମଣିଷ ସିନା ଇତିହାସର ଶିକାର ହୋଇଛି, ଇତିହାସ ପୃଷ୍ଠାରେ ତା’ କଥା ବା ତା’ କବର ତିଆରିର କଥା ବି ଲେଖିଯାଇନି । ଧାଡ଼ିକଯାକର ମଣିଷ ସେଇ ଇତିହାସ ଚାରାଟିର ଜୀଇଁ ରହିବାପାଇଁ କେଇ ବିନ୍ଦୁ ଟେକା ଜଳ ।

 

ଯୁଗ ପରେ ଅନ୍ୟ ଏକ ନୂତନ ଯୁଗର ଝଲକ । ରଙ୍ଗ ପରେ ରଙ୍ଗ ବଦଳା ବଦଳି । ଢିଲା, ମେଲା ବା ଚିପା, ମୁହଁବୁଜା । ମଣିଷ ଧାଡ଼ିରେ ସଂଖ୍ୟା ଓ ସୀମା ବଢ଼ିଛି । ଝଣ୍ଡାରେ ଚାହିଦା ମୁତାବକ ରଙ୍ଗ ଓ ପରିପାଟୀ ବି ବଦଳି ଯାଇଛି । ଝଣ୍ଡାଧାରୀ ଆଗରେ ପାହୁଣ୍ଡ ପକାଇ ଚାଲୁଥିବା ମଣିଷର ସ୍ଲୋଗାନର ଅର୍ଥ ବି ବଦଳିଯାଇଛି । ଚଢ଼ାସ୍ୱର ନରମ ହୋଇଯାଇଛି । ଏବେ ଖାଲି ଫୁସୁରୁଫାସର । ହାତଗୁଞ୍ଜା । ଆଖିରେ ଆଖିରେ କୁହାକୁହି ଓ ଆଦାନ ପ୍ରଦାନରେ ହିସାବ ନିକାଶ-

 

କେତେ ଚଳନ୍ତି ବାଦ ଆଜି ଅକାମି । ମରହଟ୍ଟିଆ ଯୁଗର । ଘୋଷଣାର ଅନେକ ପୁରୁଣା ପଥର ଘସରା ହୋଇ ମାଟିରେ ସାମିଲ ହୋଇଗଲାଣି । କେତେ ନୂଆ ଦିଅଁ ମୁଣ୍ଡରେ ସିନ୍ଦୁର । ଘୋଷଣାର ଥଳକୂଳ ନାହିଁ । ସମୟଟା ଖାଲି ଆଁ କରି ଆଖି ତରାଟି ବାହାଦୁରିର ଉଠାହାତକୁ ଅନାଇ ରହିଯାଇଛି ।

 

ଗତ ସାଲରେ ରମଣୀରଞ୍ଜନ ଚୌଧୁରୀ ରାସ୍ତାରେ ଛିଡ଼ାହୋଇ ମାଟି ଗୋଡ଼ି ଟ୍ରିପ୍‌ ହିସାବ କରୁ କରୁ, ମଦଭାଟିର ଚାରି ପଇସା ଗୁଞ୍ଜି, ଆଜି କୋଟିପତି ଓ ସମାଜର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି । ତାଙ୍କ ତିନିମହଲା ନୀଳରଙ୍ଗର ମଝି ସହରି କୋଠା ଖଣ୍ଡିକର ଗେଟ୍‌ ସାମ୍ନା ଦରଓ୍ୱାନ୍‌ ଓ ବାରଣ୍ଡା କଡ଼କୁ ଜଞ୍ଜିରରେ ବନ୍ଧା ଆଲ୍‌ସିସିଆନ କୁକୁରକୁ ଦେଖିଲେ ଆଜି ତାଙ୍କ ସାମ୍ନା ତ ଦୂରର କଥା, ସେ ବାଟରେ ଚାଲିଯିବାକୁ ଛାତିରେ ବେଳେବେଳେ ସାହସ ସଞ୍ଚୟ କରିବାକୁ ପଡ଼ୁଛି ।

 

ଦୁଇଟଙ୍କିଆ ମଜୁରିଆର ଦିନ ମଜୁରିରୁ ଚାରିଅଣା କମାଇ ସେ ତାଙ୍କ ଗୋଲାପର ରଙ୍ଗ ଅଧିକ ଲାଲ କରିଛନ୍ତି । କଣ୍ଟ୍ରାକ୍‍ଟରୀ ସିଡ଼ିର ଗୋଟାଏ ପରେ ଅନ୍ୟ ଗୋଟାଏ ପାହାଚ ପାରିହୋଇ ସେ ଶେଷ ସିଡ଼ିରେ ପହଞ୍ଚି ଏଜେଣ୍ଟଙ୍କ ଜରିଆରେ ମୁନାଫା ଉଠାଇ ଏ’ସନ ଝଣ୍ଡା ଧରି, ସେଇ ଦୁଇଟଙ୍କିଆ-ପେଟ ପୋଡ଼ି ଯାଉଥିବା, ନୁଖୁରାମୁଣ୍ଡିଆ କବାଟ-ପିନ୍ଧା, ପଖାଳଖିଆ ମଣିଷମାନ ନିର୍ଦ୍ଧାରଣ ସମ୍ପର୍କରେ ବକ୍ତୃତା ଦେଇ ଆଖି ଲୁହକୁ ଧୋବାଫରଫର ରୁମାଲ କାନିରେ ପୋଛି, ଗଜରାମାଳ ଓ ତାଳି ଭିତରେ ଛାତି ଫୁଲାଇ ଆଗକୁ ପେଲି ପଶୁଛନ୍ତି । ମଳିମୁଣ୍ଡିଆ, ତଳଶ୍ରେଣୀଆ, ଦୁଇଟଙ୍କିଆ ଦିନ ମଜୁରିଆର ସଙ୍ଗୀ ରଞ୍ଜନ ଚୌଧୁରୀଙ୍କଠାରୁ ଦେଶର ସେହି ତଳିଆ ଶ୍ରେଣୀ ସମ୍ପର୍କରେ ଅଧିକ ସମଝଦାର ଆଉ ଅଛି ବା କିଏ ? ସେ ଆଜି ସେହି ଶ୍ରେଣୀ ମଣିଷ ସଂଘରୁ ସଭାପତି ଓ ରାଜନୀତି ଦାଣ୍ଡରେ ବାହାସ୍ଫୋଟ ମାରି, ଡିଣ୍ଡିମ ପିଟୁଥିବା ଦଳର ଦଳନାୟକ ।

 

ରମଣୀରଞ୍ଜନଙ୍କ ଅତୀତ ଇତିହାସ ହୁଏତ କେହି ଜାଣିବାର ସୁଯୋଗ ପାଇନି । ସେ କିନ୍ତୁ ମିଜାଜ୍‌ ଖୁସ୍‌ରେ ଟଳି ଟଳି ଆସି କେବେ କେଉଁ ଏଜେଣ୍ଟକୁ ତାରିଫ କରି ଦି’ ପିଇସା ବକ୍‌ସିସ୍‌ ଦେବାବେଳେ ତାଙ୍କ ଅକ୍ତିଆର ବାହାରେ ବେଳେ ବେଳେ ନିଜ ସମ୍ପର୍କରେ ପଦେ ଅଧେ ସୂଚନା ଦେଇଦିଅନ୍ତି ।

 

ନିଜ ନାମ ମାତ୍ର ଦସ୍ତଖତ କରୁଥିବା ରଞ୍ଜନ ଚୌଧୁରୀ ସ୍ୱାଧୀନତାର ବହୁପୂର୍ବରୁ ଯେତେବେଳେ ଦଶବର୍ଷ ବୟସରେ ଅରକ୍ଷ ଭାବରେ ରାସ୍ତାରେ ବୁଲୁଥିଲେ, ଜଣେ ବଙ୍ଗାଳି ଭଦ୍ରଲୋକ ତାଙ୍କୁ ତାଙ୍କ ଟ୍ରକ୍ ଧୋଇବା କାର୍ଯ୍ୟରେ ମୁକରିର କରିଥିଲେ । ସେହି ଟ୍ରକ୍‍ର ଡ୍ରାଇଭର ହୋଇ, ଟ୍ରକ୍ ଚଳାଇ ପଥର ବୋହିବା ଥିଲା ତାଙ୍କ ଜୀବନ ଇତିହାସର ଅନ୍ୟ ଏକ ପର୍ଯ୍ୟାୟ ଏବଂ ମାଲିକକୁ ଟ୍ରିପର ମିଛ ହିସାବ ଆଜି ସ୍ପେସିଆଲ କ୍ଲାସ କଣ୍ଟ୍ରାକ୍ଟର ଓ ସମାଜସେବୀ । ଅର୍ଥଲୋଭୀ ସମାଜବାଦି ରାଜନୈତିକ ଦଳର ସେ ଜଣେ ଟାଣୁଆ ସଭ୍ୟ ଓ ଆଦର୍ଶବାଦୀ ଓ ବ୍ୟକ୍ତିତ୍ୱ-ବିହୀନ ବ୍ୟକ୍ତିଙ୍କ ପରି ତାଙ୍କ ସମ୍ପର୍କରେ ଅନେକ କୌତୂହଳପୂର୍ଣ୍ଣ ଗୁଜବ ଶୁଣାଯାଏ । କଳାଧନ ସଂଗ୍ରହର ବହୁ ଗୁପ୍ତ ରହସ୍ୟ ତାଙ୍କୁ ଜଣା ଓ ଚୋରାସୁନା ଆମଦାନିଠାରୁ ଚୋରା ଚାଉଳ ଚାଲାଣ ପର୍ଯ୍ୟନ୍ତ ବହୁ ଅର୍ଥକାରୀ ଭୟଙ୍କର କାର୍ଯ୍ୟମାନଙ୍କରେ ଲିପ୍ତରହି ସେ ସେହି ଅର୍ଥ ବଳରେ ସମସ୍ତ ଅରଣା ମଇଁଷିମାନଙ୍କୁ କାବୁକରି ସୁରୁଖୁରୁରେ ଖସିଆସି, ହାତ ସଫାକରି ସେହି ଅର୍ଥଲୋଭୀ ସମାଜର ଏକ ସମାଜବାଦୀ ସମାଜ-ମୁଖିଆ ।

 

ଏଣିକି କେବଳ ଉପଦେଶ । ହସ ହସ ମୁହଁରେ ସମସ୍ତଙ୍କୁ ନିଜର କରିବାର ଅଭିନୟ ଓ ପ୍ରୋତ୍ସାହନ ।

 

ଅର୍ଥବଳରେ କିଛି ଭୋଟ ସଂଗ୍ରହ ଓ ପ୍ରତିନିଧିତ୍ୱ ।

 

ତା’ପରେ ଚାଲିବ ଉଦ୍‌ଘାଟନ ଉତ୍ସବ । ବୃକ୍ଷରୋପଣ ପର୍ବ । କୋଟାବଣ୍ଟା ଓ ଅନ୍ୟ ଏକ ନିର୍ବାଚନ ପ୍ରସ୍ତୁତିପାଇଁ ଟାଉଟର ସଂଗ୍ରହ ।

 

ରାଜନୀତିର ବହୁ ନୂଆ ଖେଳ । ବହୁ ଖୋଳ । ବହୁରଙ୍ଗର ମୁଖା, ଦଳ-ବଦଳ । ଗୋଟିଏ ଆଦର୍ଶକୁ ଅନ୍ୟ ଏକ ଆଦର୍ଶ । ଦର୍ଶନର ମତ ପରିବର୍ତ୍ତନ ଓ ତା ସପକ୍ଷରେ ବହୁ ଯୁକ୍ତି । ଆଦର୍ଶର ଅଙ୍ଗୀକାରପାଇଁ ଆଦର୍ଶର ମନ୍ତ୍ର ଗ୍ରହଣ । କଣ୍ଟାପାଇଁ ଓ ଗୋଲାପପାଇଁ ଗୋଲାପଟିଏ ।

 

ଦଳହିଁ ଆଦର୍ଶ । ଦଳରେ ପଶିଲେ ଆଦର୍ଶର ଲଗାମ୍‌; ବେକ ଆପେ ଆପେ ଜାବୁଡ଼ି ଧରିବ । ଧନ୍ୟ ସେ ମୋଚି ! ସବୁ ପାଦକୁ ଗୋଟିଏ ନିର୍ଭୁଲ ପାଦୁକା ଯାହା ବୁଝି ବିଚାରି ଗଢ଼ି ଥୋଇପାରିଲା ।

 

ଜନତା ବିନା ଦିଅଁ ନାହିଁ କି ଦେଉଳ ନାହିଁ ।

 

ଆଜି ତଳ ମଣିଷକୁ ଉପରକୁ ଉଠାଇବାର ସମସ୍ତ ପ୍ରଚେଷ୍ଟାର ଯୋଜନା । ଜନମୁଖି ଯୋଜନାର କେନ୍ଦ୍ରୀକରଣ ସମାଜବାଦୀ ଦିଲ୍ଲୀ ନଗରୀରେ । ଆଜି ପର୍ଯ୍ୟନ୍ତ ସେଠାରେ କେନ୍ଦ୍ରୀକରଣ ସିନା ପାଞ୍ଚମହଲା ହୋଇଛି, ସ୍କାଇ ସ୍କ୍ରାପ୍‌ରର ପରେ ଅନ୍ୟ ଏକ ସ୍କାଇ ସ୍କ୍ରାପରର ଶୁଭ ଦିଆଚାଲିଛି । ଧୋବଧାଉଳିଆର ଚାହିଦା ସିନା ଆକାଶ ଛୁଇଁଲାଣି, ହେଲେ ଦୂରରେ ରହିଯାଇଥିବା, ଅନ୍ଧାର ଘରେ ଡିବିରି ଜାଳିବାକୁ ତେଲ ଦି’ପଇସାର ନ ପାଇଥିବା ନିରୀହ, କଥା ନ କହି ପାରୁଥିବା ମଣିଷର ଆଜି ବି ପରିଚୟ କ’ଣ ? ତା’ଚାହିଦା ତ ପଶୁର ଚାହିଦା । ଖଣ୍ଡେ କନା ଓ ପେଟକୁ ଶାଗତୋରାଣିରେ ଭୋକ ମାରିବର ସିଧା ସଳଖ ଉତ୍ତର ପଦଟିଏ । ସେ କିନ୍ତୁ ନିର୍ବାଚିତ ଅନ୍ଧ ପ୍ରତିନିଧିର ଲହୁଡ଼ି । ତାକୁ ଉପରକୁ ଉଠାଇ ଧରିବା ଯୋଜନାର ଆବାଜ । ଆଉ କିଛିଦିନ କାବୁକରି ରଖିବାର ନୂତନ ଏକ ପ୍ରତାରଣା ।

 

ସମାଜବାଦୀ ନଗରୀ ଫୁଟ୍‌ପାଥର ସେଣ୍ଟ୍‌ବିକାଳି ବି ହ୍ୟୁସ୍କି ପିଏ । ଫଳବିକାଳି ଦିନଦୟାଲ ‘‘ଜି ବୈଠିଏ’’ କହିବା ଭିତରେ ବି ଦୁଇଜଣ ନୂତନ ଗରାଖଙ୍କଠାରୁ ଟ୍ରେନ୍‌ ଟିକେଟ୍‌ ବାବଦରେ କୋଡ଼ିଏ ଟଙ୍କା କମିଶନ ପକେଟରେ ଭର୍ତ୍ତିକରି ଆଉ କେତୋଟି ଟିକେଟର ତାକିଦ୍‍ କରେ-ଫୋନ୍‌ ଡାଏଲ୍‌ କରି ତା ପାର୍ଟନରକୁ । ସେ ମଣିଷ ଆଉ ତେଲ ଦି’ପଇସାର ନ ପାଇ ଅନ୍ଧାରରେ ଜାକିଜୁକି ବସି ରହିଥିବା ମଣିଷ ଭିତରେ କେତେ ବ୍ୟବଧାନ ସେକଥା କିଏ କହିବ ? କିଏ ବିଚାର କରିବ କାହାପାଇଁ କିଏ ? ସେଣ୍ଟ୍‍ରେ ସ୍ପିରିଟ୍‌ ଗୋଳି, ଫୁଟ୍‌ପାଥ୍‌ରେ ମ୍ୟାଜିକ୍‌ କଥା କହି, ରାତି ଆରମ୍ଭରୁ ଥ୍ରୀ ଷ୍ଟାର ହୋଟେଲରେ ବସି ହ୍ୟୁସ୍କି ପିଇବା ମଣିଷ ପୁଣି ଓହ୍ଲାଇ ଆସିବ ନା ଅନ୍ଧାର ସାଉଁଟି ଓଦା ଜୁଡ଼ୁବୁଡ଼ୁ ହୋଇ କାଦୁଅ ଚକଟି ନିରୀହ ଗାଉଁଲି ମଣିଷଟି ପୁଣି ଉପରକୁ ଉଠି ନୋଟ ହଲାଇ ଦିନ୍‌ଦୟାଲକୁ ତାଗିଦ କରିବ ତା ଆଡ଼୍‌ଭାନ୍‌ସ ଟିକେଟ କରି ରଖିବାପାଇଁ ଫେରନ୍ତା ଏକ୍‌ସପ୍ରେସକୁ । ତା’ ଅଙ୍ଗୁର ବଗିଚା ସିନା ଥ୍ରି-ଷ୍ଟାର ହୋଟେଲରେ ବସିଥିବା ମଣିଷପାଇଁ, ସେ କିନ୍ତୁ ତ ନର୍ଦ୍ଦିଷ୍ଟ ତାର ଅଙ୍ଗୁର ବଗିଚାପାଇଁ ।

 

ଗଣତନ୍ତ୍ର, ଗଣତାନ୍ତ୍ରିକ ସମାଜବାଦ ଓ ଆଜି ଶେଷରେ ଦୋହା ଉଠୁଛି ସମାଜବାଦର । ସମସ୍ତଙ୍କପାଇଁ ଗୋଟିଏ ହାଣ୍ଡିର ଭାତ । ଗୋଟିଏ ତିଅଣ । ଗଣତନ୍ତ୍ର ପରିବର୍ତ୍ତେ ସମାଜତନ୍ତ୍ର । ତନ୍ତ୍ରପାଇଁ ଗଣ । ତନ୍ତ୍ରପାଇଁ ପୁଣି ସମାଜ । ସେହି ତନ୍ତ୍ର ସାଧକଙ୍କପାଇଁ ଗଣର ବଳି, ସେଥିରେ ସାଧନାର ସିଦ୍ଧି ନ ହେଲେ, ସମାଜର ବଳି ।

 

ସାଧକ ଗୋଷ୍ଠୀ ଖୁବ୍‌ ସାବଧାନ । ଅତ୍ୟନ୍ତ ଚତୁର । ତା’ଠାରୁ ଚତୁରତାର ଅମଲାତନ୍ତ୍ର । ଯାହାପାଇଁ ଏତେ ବଡ଼ ବଡ଼ କୋଠା, ଏତେ ଆଲୋକସଜ୍ଜିତ ନଗରୀ, ଏତେ ଅଦରକାରୀ ଫାଇଲର ପାହାଡ଼ ଏବଂ ତା’ ବୋଝ ଉପରକୁ ଟିକସର ନଳିତା ବିଡ଼ା । ଖାଲି ତା ଚାହିଁବା ନାଁରେ, ଯୋଜନା ନାଁରେ ସେହି ଅମଲାତନ୍ତ୍ରର ଡାକରାରେ ତା’ ଫର୍ମାସିର ଚାହିଦା ପୂରଣ । ତେଣୁ ଆଜି ଗଣତନ୍ତ୍ରର ଭୋଟ ଭିକାରି, ତା’ ସମଝଦାର ଅମଲାତନ୍ତ୍ର, ଏକମୁଖରେ ଲାଗି ପଡ଼ିଛନ୍ତି ଦେଖାଇବାକୁ, ନୂତନ ଭେଳିକି । ସେମାନେ ରକ୍ତମୁଖା ସମାଜବାଦର ନୂତନ ଦେବୀଙ୍କୁ ଅଧିକ ବଳିରେ ସନ୍ତୁଷ୍ଟ କରି ରକ୍ତମନ୍ଦାରର ମାଳା ପକାଇ କାର୍ଯ୍ୟରେ ହାତ ଦେଇଛନ୍ତି । ସବୁ ହିସାବରେ ଶେଷ ନିଷ୍ପତ୍ତି କରିବେ । ସବୁ ଅଘଟଣାକୁ ସୁଘଟଣ ଓ ଆବର୍ଜନାରୁ ସୃଷ୍ଟିକରି ନୂତନ ସମାଜର ସୌଧ ତୋଳିବେ ।

 

ଏ’ ସବୁର ଅର୍ଥ ସେଇ ସୀତାକାନ୍ତ, ରମଣୀରଞ୍ଜନ ଓ ସେମାନଙ୍କ ପରି ଅନ୍ୟ ବହୁ କରିତ୍‌କର୍ମା ସବଜାନତା ମଣିଷଙ୍କ ମଗଜକୁ ଖାପେ । ସେମାନେ ସିନା ସେଇ ତରଙ୍ଗ ଭିତରେ ଉବେଇ ଟୁବେଇ ହୋଇ ସାଗରର ଗଭୀରତା ଜାଣନ୍ତି । ସେମାନେ ସିନା ଜାଣନ୍ତି କେଉଁ ପାନୀୟର ନିଶା କେତେ । ତାଙ୍କ ପଛରେ ଧାଡ଼ିବାନ୍ଧି ଚାଲିଥିବା ନିରୀହ ମଣିଷର ଜାଣିବାପାଇଁ ସୁଯୋଗ କାହିଁ-। ସୁବିଧା ଦେଲେ ବା କିଏ ?

 

ସେ ଏଥିରୁ କେବଳ ଏତିକି ଜାଣିଛି ଯେ ସେ ତ ଉଠିଲା ନାହିଁ; ଖାଲି ବାଦ ବିସମ୍ବାଦର ଗାଲୁପେଲା ଭିତରେ । ତା’ ତତଲା ରକ୍ତକୁ ପାଣିକରି ଗଢ଼ୁଥିବା ତା’ର ପୁଅ ପୁତୁରାମାନେ ବି ପଡ଼ି ରହିବେ ତା’ରି କର୍ମଫଳକୁ ଆଦରି । ତାଙ୍କପାଇଁ ବି ଦପ୍ତର ବନ୍ଦ । କଲେଜରେ ଗେଟ୍‌ ବନ୍ଦ ଏବଂ ସେମାନଙ୍କପାଇଁ ଖାଲି ଆଉ ଏକ ଶ୍ରେଣୀରେ ସାମିଲ ହେବାର ଘୋଷଣା-ପର୍ବ । ଏଣିକି ଜୀବନର କେବଳ ଗୋଟିଏ ନିଶା । ହାଡ଼ଭଙ୍ଗା ମେହନତି ଓ ପଡ଼ିକାର୍ଡ଼ ଧରି ଲାଇନ୍‌ ଲଗାଇବାର ଛୋଟ ଆବଶ୍ୟକତା । ଖାଲି ଗୁଜୁରାଣ ଓ ମେହନତି ଏବଂ ମେହନତି ଓ ଗୁଜୁରାଣ । ନିଜକଥା ବା ପରକଥା ବୁଝିବାକୁ ସେ ନ ଥିବ । ତା’ କଥା ଓ ତା’ ପରି ବହୁ କୁର୍ମଙ୍କ କଥା, ହାନିଲାଭ ବୁଝିବାକୁ ଖାଲି ତତ୍ପର ହୋଇ ବସିରହିଥିବେ ଦପ୍ତରର ଚୁ‌ରୁଟ୍‌ ଟଣା ସବ୍‌ଜାନ୍‌ତା ନୂତନ ମୁନିବମାନେ ।

 

ହାତଉଠା ବନ୍ଦ ଓ ସ୍ୱରତୋଳା ବି ବନ୍ଦ । ଆବଶ୍ୟକତା ନ ଥିବ କି ନିଅଣ୍ଟ ବି ନଥିବ । କାହାପାଇଁ କିଏ ? ତା’ ଆବଶ୍ୟକତାର ଫାଇଲ୍‌ ଗଡ଼ିବ ତଳୁ ଉପରକୁ, ପୁଣି ଉପର ତଳକୁ । ଉପରୁ ତାକିଦ୍‍ ଆସିବ ।

 

ସମାଜକୁ ଉପରକୁ ଟେକି ଅନ୍ଧାରରୁ ଆଲୁଅକୁ ଡାକିବାର ଯୋଜନା ପରି ତାକୁ ତଳକୁ ଖସାଇ ଅଧା ଅନ୍ଧାର–ଅଧା ଆଲୋକରୁ ଅନ୍ଧକାର-ଗହ୍ୱର ଭିତରକୁ ଠେଲିଦେବା ଅନ୍ୟ ଏକ ମତବାଦର ଯୋଜନା ଖେଳନା । ସବୁ ସେଇ ମନ୍ଦରଧରଙ୍କ ଲୀଳା ।

 

କୋଳାହଳକୁ ଟପି ଦୂରରୁ ଭାସିଆସୁଛି ମୃଦ ସଙ୍ଗୀତର ମୂର୍ଛନା । ବଂଶୀର ସ୍ୱର । ଇଏ ସେଇ କୃଷ୍ଣର ବଂଶୀଡ଼ାକ ନୁହେଁ ତ ? ଏ ବଂଶୀ ସେହି ଷୋଳ ସହସ୍ର ମୋହଗ୍ରସ୍ତ । ଗୋପାଙ୍ଗନାଙ୍କୁ ବ୍ୟଭିଚାରର କୁଞ୍ଜବନକୁ ଡାକି ନାହିଁ ତ !!

☆☆☆

 

ବାନର, ବୁଦ୍ଧ ଓ ବାଘାବଲୋକନ

 

ନିର୍ଜନତାର ଅନ୍ଧକାର ଭିତରେ, ଏତେବଡ଼ ପାହାଡ଼ର ଶିଖର ଦେଶର ସେଇ ଡାକ ବଙ୍ଗଳାର କୋଠରିରେ ବାତ୍ୟାର ଗୋଟାଏ ଝଲକ ପରି ପଶିଆସି ସୀତାକାନ୍ତ ଅନୁଭବ କରୁଥିଲା ସେ ଅନ୍ଧକାରର ବାସ୍ନା । ମୀରାଦେବୀଙ୍କ ବୟସର ମାଂସର ବାସ୍ନା ସେ ପ୍ରଥମ କରି ଆଜି ଅନୁଭବ କରି ଅନ୍ୟ ଏକ ମୁହୂର୍ତ୍ତରେ ପୁଣି ଫେରିଆସି ଛିଡ଼ାହୋଇ ରହିଯାଇଛି ସେଇ ଡାକବଙ୍ଗଳା ବାରଣ୍ଡାର ପାଚେରି କାନ୍ଥକୁ ଆଶ୍ରାକରି ।

 

ମୀରାଦେବୀ ବୋଧେ ନିର୍ଜନ ଅବସତାରୁ ଶକ୍ତି ସଞ୍ଚୟ କରୁଛନ୍ତି । ତାଙ୍କ ତୃପ୍ତିର ଦୀର୍ଘଶ୍ୱାସ ଏ ପର୍ଯ୍ୟନ୍ତ ବି ଆସି ସୀତାକାନ୍ତ କାନରେ ବାଜୁଛି । ଡାକବଙ୍ଗଳାର କଡ଼ କୋଠରି ଦୁଇଟି କେତେବେଳୁ ନିର୍ଜୀବ ହୋଇସାରିଲାଣି । ଛାତ୍ରଛାତ୍ରୀମାନେ ଏକ ଦୀର୍ଘ ସମୟର କ୍ଲାନ୍ତିରେ ସେମାନଙ୍କ ମୃତଦେହଗୁଡ଼ିକୁ ଅନ୍ଧକାର ଭିତରେ ଲମ୍ବାଇ ଦେଇଛନ୍ତି ।

 

ସୀତାକାନ୍ତ ଓ ମୀରାଦେବୀ ଦୁହେଁ ଅବିବାହିତ ଓ କେଉଁ ଦୂର କଲେଜରେ ଏକତ୍ର ଅଧ୍ୟାପନା କାର୍ଯ୍ୟ କରନ୍ତି । ପିକ୍‌ନିକ୍‌ରେ ଆସିଛନ୍ତି ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ସାଥିରେ ଘେନି ଏଇ ନିର୍ଜନ ଉପତ୍ୟକାକୁ ।

 

ସୀତାକାନ୍ତ ଓ ମୀରାଦେବୀ ଉଭୟେ ପଇଁତିରିଶ ଟପି ଆଗେଇ ଚାଲିଛନ୍ତି । ସେମାନଙ୍କ ବିବାହର କାରଣ ହୁଏତ କେହି କାହାଠାରୁ ଜାଣିବାକୁ ଚାହିଁନି ବା ଅବିବାହିତ ରହିଯିବା ଗୋଟାଏ ଖିଆଲରେ ପଡ଼ିଗଲାଣି ।

 

ପିକ୍‌ନିକ୍‌ରେ ସ୍ଥାନ ନିରୂପଣ କରିବାରେ ଅନେକଙ୍କର ଥିଲା ଜଙ୍ଗଲି ଅନ୍ଧକାରର ସ୍ୱପ୍ନ । କେହି କେହି ବି ଝରଣାକୂଳପାଇଁ ମନ ବଳାଇଥିଲେ ଓ ଅନ୍ୟ ବା କେହି ନିର୍ଜନତାର ଗମ୍ଭୀର ଗୀତ ଶୁଣି ଅଧୀର ହେବାକୁ ଏପରି ଏକ ସ୍ଥାନର ପରିକଳ୍ପନା କରିଥିଲେ ।

 

ମୀରା ଦେବୀଙ୍କର କିନ୍ତୁ ଭୟଙ୍କର ଜଙ୍ଗଲରେ ଝରଣାର ଶବ୍ଦ- ତରଙ୍ଗ ଓ ଜଙ୍ଗଲି ଫୁଲପାଇଁ କିପରି ଗୋଟାଏ ପ୍ରବଳ କାମନା ଥିଲା ଓ ତେଣୁ ସେ ସୀତାକାନ୍ତଙ୍କ ଏପରି ସ୍ଥାନକୁ ବାଛିବାକୁ ପ୍ରବର୍ତ୍ତାଇଥିଲେ; ଯଦିଓ ସୀତାକାନ୍ତର କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ମୋହ ନଥିଲା ।

 

ପାହାଡ଼ ଘେରା ଉଚ୍ଚ ଶାଳର ଜଙ୍ଗଲ ଓ ବାଉଁଶ ନଟି ଦେଇ ସେମାନେ ଯେତେବେଳେ ଛୋଟ ଛୋଟ ପାହାଡ଼ ଟପି ଉପରକୁ ଉଠୁଥିଲେ, ସେତେବେଳେ ହୁଏତ କଅଁଳ ଗାଧୁଆ ବେଳ । ସେମାନଙ୍କୁ କିନ୍ତୁ ଗଛର ଅନ୍ଧକାର ଯୋଗୁଁ ସୂର୍ଯ୍ୟୋଦୟର ପୂର୍ବାଭାଷ ମନେହେଉଥିଲା । ସେମାନେ ବି ଶୀତର ସୂଚନା ପାଉଥିଲେ, ଏପରିକି ଏପ୍ରିଲର ମଧ୍ୟପର୍ବରେ ।

 

ନିଜନ ପାହାଡ଼ର ଢାଲୁରେ ଏକୁଟିଆ ଡାକ ବଙ୍ଗଳାକୁ ଲାଗି କାହିଁ କେତେ ଯୁଗରୁ ପ୍ରତିଷ୍ଠିତ ଶିବମନ୍ଦିର । କେବଳ ସେଥିପାଇଁ ହିଁ ଏଠାରେ ପ୍ରତ୍ୟହ କେତେକ ପୂଜକଙ୍କୁ ଦେଖିବାକୁ ମିଳେ । ସେମାନଙ୍କୁ ଛାଡ଼ିଦେଲେ କାଁ ଭାଁ କେହି ନିରୀହ ମଣିଷ-ପୂଜାପାଇଁ ଆସି ସନ୍ଧ୍ୟାପୂର୍ବରୁ ଫେରିଯାଇଥାଏ ।

 

ଡାକ ବଙ୍ଗଳା ଉପରକୁ ଏକ ତୀଖା ପାହାଡ଼ ଓ ଝରଣାଟିଏ ଗଡ଼ିପଡ଼ୁଛି ଏବଂ ବହୁଦୂର ଲମ୍ବିଯାଇଛି ତଳକୁ, ତଳକୁ । ଶିବ ମନ୍ଦିରର ବେଢ଼ା ଭିତରଦେଇ କିଛି ଦୂରରେ ଛୋଟ ପଲ୍ଲାରେ କେହି ଜଟାଧାରୀ ଧୂନୀ ଲଗାଇ ନିର୍ବାଣ ପ୍ରାପ୍ତିର ଆଶାରେ କାହିଁ କେତେଦିନରୁ ପଡ଼ିରହିଛି । ତାର ହାତ ବାଜି ଗଢ଼ିଉଠିଛି ସୁନ୍ଦର ଉଦ୍ୟାନ-କଦଳୀ, ଆମ୍ବ, ଜାମୁର ସମାରୋହ । ସେ ଏକ ଚମତ୍କାର ପରିବେଶ ।

 

ପାହାଡ଼ ତଳୁ ଉପରକୁ ଉଠିବା ବେଳର ଦୃଶ୍ୟ ଏଠାରେ ନାହିଁ । ଉଠିବାବେଳେ କାଁ ଭାଁ ଗୋଟାଏ ଗାଈ ଝରଣା ଦାଢ଼ରେ ପତ୍ର ଚୋବାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା । ଯେଉଁ ବୁହତ୍‌କାୟ ଶାଳ-ଗଛମାନ ଦୃଶ ହେଉଥିଲେ, ସେମାନଙ୍କର ଉପସ୍ଥିତି ଏଠାରେ ଯଦିଓ ନାହିଁ; ଏକ ନିଘଞ୍ଚ ଅରଣ୍ୟର ଭୟ ପୂରିରହିଛି; ଏଠାରେ ବି । ବାଉଁଶ କଣ୍ଟାର ଲଟିରେ ବାଘ ଲୁଚିବାର ଭୟ ବି ରହିଛି । ଚଡ଼େଇ ନ ଥିଲେ ମଧ୍ୟ ତଳୁ ସେମାନଙ୍କ ଚିତ୍କାର ଶୁଭୁଛି ଓ ବଣୁଆ କସରା ମୂଷାମାନେ ଏଠାରେ ମଧ୍ୟ ଏ ଗଛରୁ ସେ ଗଛର ଡାଳକୁ ନିର୍ଜନରେ ଡେଇଁଯାଇ ପାରୁଛନ୍ତି ଠିକ୍‌ ତଳେ ଛାଡ଼ିଆସିଥିବା ଦୃଶ୍ୟମାନଙ୍କ ପରି ।

 

ଶିବ ମନ୍ଦିରର ବେଢ଼ାରେ ଗୁଡ଼ାଏ ପାତି ମାଙ୍କଡ଼ଙ୍କର ହଟ୍ଟଗୋଳ ।

 

ମଣିଷ ନିଜ ବାସସ୍ଥାନ ଓ ପରିଚିତ ପରିବେଶକୁ ଛାଡ଼ି ମୁହୂର୍ତ୍ତକପାଇଁ ଅଜଣା ଜାଗାରେ ପହଞ୍ଚିଗଲେ କିପରି ଅନ୍ୟମନସ୍କ ହୋଇପଡ଼େ ।

 

ସେଇଥିପାଇଁ ବୋଧେ ପାହାଡ଼ ଚଢ଼ା ପର୍ବର ଆରମ୍ଭରୁ ସମସ୍ତେ ଯେପରି ନିଜର ପରିଚିତ ହରାଇ ଦେଇଥିଲେ । ସେଥିଯୋଗୁଁ ହିଁ କେବଳ ମିନାକ୍ଷୀ, କବିତା, ଆରତି ଓ ବିପାଷାଙ୍କ ସାଥୀରେ ତାଙ୍କ ପୁରୁଷ ବନ୍ଧୁମାନେ ହାତ ଛନ୍ଦାଛନ୍ଦି ହୋଇ ଘୂରିବା ଆରମ୍ଭ କରିଦେଇଥିଲେ ଓ ଶୀତଳ ନିର୍ଜନ ଗହଳ ଗଛ ଛାଇରେ ହସି ହସି ଲୋଟି ପଡ଼ୁଥିଲେ । ତାଙ୍କ ଭାଷା ଶୁଭୁନଥିଲା ସୀତାକାନ୍ତକୁ । ଦୂରରୁ କିନ୍ତୁ ସେ ତାଙ୍କୁ ଲକ୍ଷ୍ୟ କରୁଥିଲା । ସେମାନେ ଖୁବ୍‌ ସୁଖୀ ।

 

ଦୂରର ସହର, ସେଠାକାର ଜୀବନଯାତ୍ରାର ପ୍ରଣାଳୀ, ସିଧାରାସ୍ତା ଓ ରୁଟିନ୍‌ର ଜୀବନ ପଡ଼ିରହିଥିଲା ତାଙ୍କ ନିକଟରେ ଗୋଟାଏ ମୃତ ଶରୀର ପରି । ସେମାନଙ୍କର ସେଥିପ୍ରତି ମାୟାନଥିଲା ବା ଚିନ୍ତା କରିବାକୁ ସମୟ ଥିଲା ।

 

ସଂକୀର୍ଣ୍ଣ ହୋଇଆସୁଥିବା ମଣିଷ ଯେତେବେଳେ ସାମାନ୍ୟ ସମୟ ଓ ସୁଯୋଗ ପାଏ, ସେ ଖୁବ୍‍ ଗୁଡ଼ାଏ ଲମ୍ବା ହୋଇ ଚଞ୍ଚଳ ହୋଇଉଠେ । ଦାୟିତ୍ୱ, ସମୟ ଓ ସାମଜିକତାକୁ କାନ୍ଧେଇ ପକାଇ ଘୋଷାରି ହେବାକୁ ସେ କେଇଟା ମୁହୂର୍ତ୍ତ ପର୍ଯ୍ୟନ୍ତ ବି ଘୃଣା କରେ ।

 

ଆରଣ୍ୟକ ମନ ତାର ସବୁଜିମା ଭିତରେ ଅଭିନବ ପରିତୃପ୍ତି ପାଏ ।

 

ସେଇଥିପାଇଁ ବୋଧେ ମୀରାଦେବୀ ସେତେବେଳେ ସୀତାକାନ୍ତର ପାଖକୁ ଲାଗିଆସି ପ୍ରତ୍ୟେକ ଆଜି ଜୀବନଟାକୁ ବଞ୍ଚିବା ଭିତରେ ହଜାଇ ଦେଇଛନ୍ତି ବୋଲି ଆକ୍ଷେପ କରୁଥିଲେ ।

 

ନିର୍ଜନ ଉପତ୍ୟାକାର ଗୋଟାଏ ଶିଉଳିଲାଗି ବିରାଟ ପଥରର ଦୁଇକଡ଼ରେ ଦୁହେଁ ବସି ଚାହିଁ ରହିଥିଲେ ଯେତେବେଳେ; ନିର୍ଜନତାକୁ ସହ୍ୟକରି ନ ପାରି ମୀରାଦେବୀ ଗୀତ ଗାଉଥିଲେ ଏବଂ ତାଙ୍କ ଗୀତ ନିର୍ଜନ ବନଭୂଇଁକୁ ନିର୍ଜନ କରି ଦେଇଥିଲା ।

 

ଇତିହାସର ଅଧ୍ୟାପିକା ମୀରା ମାହାପାତ୍ର ଏବଂ ଅଧ୍ୟାପକ ସୀତାକାନ୍ତ ଚୌଧୁରୀ । ଜଣେ ମଣିଷର ଇତିହାସ ନିମଜ୍ଜିତ ରହି ନିଜକୁ ଭୁଲିଥିଲେ ଓ ଅନ୍ୟଜଣେ ଦର୍ଶନର ତତ୍ତ୍ୱ ମଧ୍ୟରେ ନିଜ ଅସ୍ତିତ୍ୱର ସନ୍ଧାନ କରୁଥିବାର ଯେପରି ଛଳନା କରୁଥିଲେ, କାହିଁ କେତେ ଦିନରୁ !

 

ସୀତାକାନ୍ତର ମନେପଡ଼ିଯାଇଥିଲା ସନ୍ଧ୍ୟାର ସେହି ଶିବ-ପାର୍ବତୀ ବେଢ଼ାର ପାତିମାଙ୍କଡ଼ମାନଙ୍କର ହାବଭାବ । ଝରଣାକୂଳରେ ବସିରହିଥିବା ଦୁଇଟି ପାତିଙ୍କର ପ୍ରଣୟ ନିବେଦନର ଛୋଟ ଛୋଟ ମୁହୂର୍ତ୍ତ କେଇଟି । ଅନ୍ଧକାର ଓ ନୀରବତା ଭିତରେ ମୀରାଦେବୀଙ୍କ ମନରେ ବାଘଭୟ ଓ ସୀତାକାନ୍ତ ଅନୁଭବ କରୁଥିଲେ ଏକ ବ୍ୟାଘ୍ରର ଶକ୍ତି ମୀରାଦେବୀଙ୍କ ଦେହର ଗନ୍ଧପାଇ । ବର୍ତ୍ତମାନ ସମସ୍ତ ଶକ୍ତି ସେ ହରାଇ ହୋଇ ଅନ୍ଧକାରର କାନ୍ଥରେ ଆଉଜି ଛିଡ଼ା ହୋଇଛନ୍ତି ଓ ମୀରାଦେବୀଙ୍କ ନିଶ୍ୱାସର ଉଠ୍‌ପଡ଼୍‌ ଶୁଣୁଛନ୍ତି ।

 

ଏପରି ଏକ ନିର୍ଜନ ମୁହୂର୍ତ୍ତରେ ଅନେକ ଘଟଣା ଆପେ ଆପେ ମନକୁ ଆସେ । ଅଧା ଛାଡ଼ି ଆସିଥିବା ପୋକଖିଆ ପୁରୁଣା ଜୀବନର ଖିଅ ମୋଡ଼ିହୋଇ ଯାଏ ଆପଣା ଛାଏଁ ।

 

ଦାର୍ଶନିକ ସୀତାକାନ୍ତଙ୍କର ଶୈଶବ ଓ ପରର ଜୀବନ ତାଙ୍କ ସାମ୍ନାରେ ଆସି ପୋଷାବାଘ ହୋଇ ଛିଡ଼ାହୋଇ ଲାଞ୍ଜ ପିଟୁଥିଲା । ତାଙ୍କୁ ଲାଗୁଥିଲା ଯେପରି ସେ ଅନେକଦିନ ତଳକୁ ଫେରିଯାଇଛନ୍ତି ଓ ଦର୍ଶନର ରୁକ୍ଷ ଓ ତତ୍ତ୍ୱ ଭିତରେ ହଜିବାକୁ ଆଦୌ ପସନ୍ଦ କରୁନାହାନ୍ତି । ତାଙ୍କ ସାମ୍ନାରେ ଶ୍ୟାମଳ ନକନକିଆ ଚେହେରାର ଗୋଟିଏ ପିଲା ହସି ହସି ଛୋଟ ଜାଗାଖଣ୍ଡେ ମାଗି ବସିବାକୁ ଚେଷ୍ଟା କରୁଥିଲା । ବହୁ ଧୂମ୍‌ ଧାମ୍‌ ପରେ କାନ୍ଦୁରା ନହକା ପିଲାଟି ଚାହାଳି ଘରକୁ ମୁହାଁଉଥିଲା, ଆଖିରୁ ଲୁହ ପୋଛି ପୋଛି ।

 

ନହକା ଡାଙ୍ଗ ଖଣ୍ଡକ, ଖରାବେଳଟାରେ ବେତବଣରୁ, ବାଉଁଶ ବୁଦା ଓ ଦଳ ପୋଖରୀରୁ ଆମ୍ବତୋଟା, କିଆଗୋହିରୀ ଯାଏ ତା ସାଥୀ ନଖିଆ, ହରିଆ, ସେବ୍‌ ଓ ନେତା ସହିତ ବେଶ୍‌ କିଛିଟା ଆଡ଼ା ଜମାଇଥିଲା ।

 

ଡାଳି ମାଙ୍କୁଡ଼ି, ବୋହୂଚୋରି ଓ ଦଉଡ଼ି ଡିଆଁ ଖେଳର ସେ ଜିତାପଟ ନେଇ ସାଇର ପୁଅ ଝିଅମାନଙ୍କ ମୁହଁ ତଳକୁ କରିଦେଉଥିଲା ଏବଂ ଖୁବ୍‌ ଅଳ୍ପ ବୟସରୁ କେତେଗୁଡ଼ିଏ ଅଶ୍ଳୀଳ ଶବ୍ଦ ଓ ଗାଳି ସହିତ ବେଶ୍‌ ପରିଚିତ ଥିଲା ।

 

କାହିଁକି କେଜାଣି ନଈ ବାଲିଟାରେ ଲଙ୍ଗଳା ହୋଇ ବାଲି ଭିତରେ ଅଣ୍ଟାପର୍ଯ୍ୟନ୍ତ ପୋତି ସେ ସୂର୍ଯ୍ୟାସ୍ତ ଦେଖୁଥିଲା ଏବଂ ଗାଁ ସ୍ତ୍ରୀଲୋକଙ୍କୁ ବହୁ ସମୟ ଧରି ତାଙ୍କ ନିତ୍ୟକର୍ମରୁ ବଞ୍ଚିତ କରୁଥିଲା । ସେଥିରେ ଥିଲା ତାର ଆନନ୍ଦ । ସଞ୍ଜରେ ନଈବାଲିରୁ ଫେରି ଭାଡ଼ିତଳେ ବା କବାଟକଣେ ସେ ପୁଣି ଘୁମେଇପଡ଼ୁଥିଲା ।

 

ସୀତାକାନ୍ତ ୮ବର୍ଷ ବୟସରେ ଯେତେବେଳେ ପ୍ରଥମ କରି ଚାହାଳିରେ ପହଞ୍ଚିଲା ତା’ର ମନେପଡ଼ୁଛି ତାର ଇସ୍ପାତ ଚେହେରା ଓ ପିନ୍ ପିନ୍ ଆଖିରେ ଅନ୍ୟ ଚାଟମାନେ ତାକୁ ଦେଖି ହସି ହସି ଉଠିଥିଲେ ଓ ସୀତାକାନ୍ତ ବେଶ୍‌ କିଛିଟା ଲାଜେଇଯାଇ ତଳକୁ ମୁହଁପୋତି ଅନେକ ସମୟ ଛିଡ଼ା ହେବାପରେ ଶିକ୍ଷକଙ୍କ ଘାଗଡ଼ା ତାକିଦ୍‍ରେ ଚର୍ଚିରେଇ ଉଠି ତାଙ୍କ ମଝିରେ ଲଥ୍‌କରି ବସିପଡ଼ିଲା ଓ ଶଙ୍କିତ ଆଖିରେ କଣେଇ କଣେଇ ଅନ୍ୟମାନଙ୍କୁ ଚାହୁଁଥିଲା ।

 

ଆଗଚଲା ସୀତାକାନ୍ତ ଚାହଳି ଜୀବନରୁ ହିଁ ଢିଲା ମନ ଓ ବେପରୁଆ ଥିଲା । ସେ ସମସ୍ତ ଦାୟିତ୍ୱ ଓ ତାକିଦ ଭୁଲିଯାଇ ପ୍ରତିବଦଳରେ ଅଶେଷ ଅତ୍ୟାଚାର ବରଣ କରିନେଇଥିଲା ।

 

ବୋଉର ମୃତ୍ୟୁ । ଆଇ ମା’ର ତା’ପ୍ରତି ନିଷ୍ଠୁର ବ୍ୟବହାର ଏବଂ ଗାଁର ସମସ୍ତ ବୟୋଜ୍ୟୋଷ୍ଠଙ୍କ କଥାନୁଯାୟୀ ସେ ତା ବାପାଙ୍କ ସହିତ କେତୋଟି ବର୍ଷ ପରେ ଦୀର୍ଘ ଦିନପାଇଁ ନିର୍ବାସିତ ହୋଇ ରହିଥିଲା ବିଦେଶରେ ଓ ସେଠାରେ ତାର ବାନର ପ୍ରବୃତ୍ତିର ଆଂଶିକ ପରିବର୍ତ୍ତନ ସୂଚନା ବି ମିଳିଲା ନାହିଁ ଦୀର୍ଘଦିନ ପର୍ଯ୍ୟନ୍ତ ।

 

କାହିକିଁ କେଜାଣି ତା ପଡ଼ିଶା ଘରର ଛୋଟ ଝିଅ ମେନାକୁ-କ’ଣ ଗୋଟାଏ ଅଶ୍ଳୀଳ ଇଙ୍ଗିତ ସେ ଦେଲା ଯେ, ପିଠି ଓ ହାତ ପାପୁଲି ଫୁଲିଯାଇଥିଲା ବାପାଙ୍କର ସେଇ ନହକା ବେତ ବାଡ଼ିରେ ।

 

ସେ ଥିଲା ଗୋଟାଏ ପାତିମାଙ୍କଡ଼ ବା ବଣ ଭାଲୁ । ବାପା ତାକୁ ଦଉଡ଼ିରେ ବାନ୍ଧି, ବା ପାଟିରେ ଜଞ୍ଜିର ଦେଇଁ ନଚାଉଥିଲେ ଏବଂ ତାର ଆରଣ୍ୟକ ପ୍ରବୃତ୍ତିକୁ ସାମାଜିକ ଚଳଣିଆଡ଼କୁ ଅଭ୍ୟସ୍ତ କରିବାପାଇଁ ସମସ୍ତ ଚେଷ୍ଟା କରୁଥିଲେ ।

 

ବାପା, ତା’ପାଇଁ ଥିଲେ ଗୋଟିଏ ନିଘଞ୍ଚ ଅରଣ୍ୟର ଭୟ ?

 

ଟେଲିଗ୍ରାଫ୍‌ ତାରଖୁଣ୍ଟିରେ ଅସଂଖ୍ୟବାର ସେ ତା’ର ଆଈ ମା’କୁ ମିନତି କରିଛି; ତାର ସ୍କୁଲଯିବା ବାଟରେ, ତା ବାପାଙ୍କଠାରୁ ଦୂରେଇ ରହିବାକୁ । ତାର ଧାରଣା; ଟେଲିଫୋନ୍‌ ତାରରେ ପବନ ବାଜି ସୃଷ୍ଟି ହେଉଥିବା ଶବ୍ଦ ତରଙ୍ଗ, ତା’ ସନ୍ଦେଶ ପହଞ୍ଚାଇ ଦେବ ତା’ ଆଈ ମା’ ନିକଟରେ-

 

ସେଇ ବିରାଟ ଉଚ୍ଚା କୋଠାଟାରେ ସେଇ ବାସନ ମଜାଳି ସଅର ଝିଅଟା ! ଆର ଖଞ୍ଜାର, ଅବସର ଗ୍ରହଣ କରି ପଡ଼ିରହିଥିବା, ସେଇ ମିଲିଟାରୀ ବିହାରୀ ଭଦ୍ରଲୋକଙ୍କ ଅଳ୍ପ ବୟସ୍କା ଓଡ଼ିଆ ସୁନ୍ଦରୀ ସ୍ତ୍ରୀ ଏବଂ ଘରର ଅପର ପଟେ ରହୁଥିବା ଭଦ୍ରଲୋକଙ୍କୁ ଏକୁଟିଆ ଅନେକବାର ଚାପଗଳାରେ ଗପକରୁଥିବାର ଦେଖି ସେ କାହିଁକି ଛାନିଆ ହୋଇପଡ଼ିଛି ଏବଂ ଦୌଡ଼ି ଦୌଡ଼ି ସେମାନଙ୍କ ଅଜଣାରେ ଘରକୁ ପଳାଇଛି ।

 

୧୦ବର୍ଷର ସୀତାକାନ୍ତ କାହିଁକି ବା ବୁଝନ୍ତି ସେ ମିଲିଟାରୀ ଭଦ୍ରବ୍ୟକ୍ତିଙ୍କ ତରୁଣୀ ସ୍ତ୍ରୀର ଅନୁରୋଧ ସେ ଭଦ୍ରଲୋକଙ୍କୁ, ରାତି ୧୧ଟାରେ ପୁଣି ସ୍ୱାମୀଙ୍କ ଅନୁପସ୍ଥିତିରେ ?

 

ସଅର ଝିଅ ଫୁଲର ଶାଢ଼ି ଟାଣିଦେଇ ସେ ବି ଖୁବ୍‌ ଗୋଟାଏ ଭୟ ପାଇଯାଇଥିଲା । ଫୁଲ ଗାଧୁଆ ଘରେ ଖାଲିଦେହଟାରେ ତାକୁ ଜାବୁଡ଼ିଧରି ତା ମୁହଁରେ ମୁହଁ ଘଷି ଚାଲିଥିଲା ତା ଅନିଚ୍ଛାସତ୍ୱେ ।

 

ତା ପରେ କ’ଣ ହେଲା କେଜାଣି, ସୀତାକାନ୍ତ ତା ସହପାଠିନୀ ତିଳୋତ୍ତମା ଓ ମିନତି ସହିତ ବରାବର ଏହିପରି ଲାଗିଛି ।

 

ସେଦିନ ଶନିବାର ଏବଂ ବାପା ନଥାନ୍ତି । ପଡ଼ିଶା ଘରର ମାଉସୀ ଯେ କି ପ୍ରତି ମୁହୂର୍ତ୍ତରେ କାର୍ଯ୍ୟବ୍ୟସ୍ତ ଥାଇ ଅସୁସ୍ଥ ଥିବାର ଛଳନା କରନ୍ତି, ରମାରଞ୍ଜନବାବୁ ଡାକ୍ତର ସେଦିନ ତାଙ୍କୁ ଡାକ୍ତର, ପରୀକ୍ଷା କରୁଥିଲେ, ଏବଂ ସୀତାକାନ୍ତର ବସା ସାମ୍ନା ଝର୍କା ଖୋଲାଥାଏ । ସେ ଝର୍କା ସାମ୍ନାରେ ଛିଡ଼ା ହୋଇ ଗୁଲର ସଜାଡ଼ୁଥାଏ ।

 

ସେ ସେଦିନ ସେସବୁ ଦେଖି ବି କିଛି ଦେଖିପାରୁନଥିଲା । ମାଉସୀଙ୍କ ଫୁଙ୍ଗୁଳା ଦେହରେ ଡାକ୍ତର କ’ଣ କିପରି ପରୀକ୍ଷା କରୁଥିଲେ କେଜାଣି, ସେ ଆନନ୍ଦରେ ଅଧୀର ହୋଇ ରମାରଞ୍ଜନବାବୁଙ୍କ ଛାତିକୁ ଆଉଜି ପଡ଼ୁଥିଲେ ।

 

ଝର୍କା ସେହିପରି ଖୋଲାଥାଏ । ସେ ବି ପିତୁଳି ପରି ଛିଡ଼ାହୋଇ ସବୁ ଦେଖି ବି କିଛି ଦେଖିପାରୁନଥାଏ ଏବଂ ସେଠୁ ଲେଉଟି ଆସି ବି ପାରୁନଥାଏ ।

 

ତାକୁ ସେହି ଅବସ୍ଥାରେ ଦେଖି ମାଉସୀଙ୍କ ମୁହଁ ଲାଲ ପଡ଼ିଯାଇଥିଲା କାହିଁକି ? କାହିଁକି ରମାରଞ୍ଜନ ବାବୁ ତଳକୁ ମୁହଁ ପୋତି ଫେରିଯାଇଥିଲେ ସେଦିନ !

 

ବାପାଙ୍କ ବଦଳି ପରେ ସେ ରହୁଥାଏ କୌଣସି ଏକ ସୀମାନ୍ତ ସହରରେ । ସେତେବେଳେ ସେ ମାତ୍ର ନବମ ଶ୍ରେଣୀର ଛାତ୍ର । ତାଙ୍କ କୋଠା ସାମ୍ନାରେ ଅନେକ ଚାଳ ଛପର ଘର ଓ ପଛରେ ମାର୍କେଟ । ଆଦିବାସୀ ଓ ନିମ୍ନ ଶ୍ରେଣୀୟ ବାସିନ୍ଦାଙ୍କର ରହଣୀ ବି ସେଇ ଅଞ୍ଚଳଟି ମଧ୍ୟରେ । ସେମାନେ ମାଛ ବିକାଳି, ଘାସ କଟାଳି ବା ରିକ୍‌ସା ଓ ଝଟକା ଚାଳକ ।

 

ଯେଉଁ ପିଲାମାନଙ୍କୁ ପେଟ କାଢ଼ି ରାସ୍ତାକଡ଼ରେ ନିତ୍ୟକର୍ମ ଶେଷ-କରୁଥିବାର ପ୍ରତି ମୁହୂର୍ତ୍ତରେ ଦେଖାଯାଏ, ସେମାନେ ଏଇ ମଣିଷଙ୍କର ସ୍ୱପ୍ନର ବାର୍ତ୍ତାବହ । ରାତିରେ ମଦ୍ୟପ ସ୍ୱାମୀଙ୍କର ମାଡ଼ ସହ୍ୟ ନ କରି, ବାହାରେ ଶୂନ୍ୟ ରାସ୍ତାକୁ ଯେଉଁମାନେ ମିନତି ଜଣାଇ ପୃଥିବୀର ସମସ୍ତ ପୁରୁଷଙ୍କୁ ଧିକ୍‌କାର କରନ୍ତି, ସେମାନେ ଏଇ ସମସ୍ତ ଶିଶୁମାନଙ୍କ ମା’ । ଦିନ ଆଠଟାରୁ ସେମାନଙ୍କ ଧାଡ଼ି ଲାଗେ ସୀତାକାନ୍ତ କୋଠାର ପଛପଟ ସଂକୀର୍ଣ୍ଣ ଗଳି ଭିତରକୁ । ହାତରେ ରସଢ଼ାଳଟିମାନ ସେମାନେ ପିଙ୍କା ଓଠରେ ଜଳାଇ ସଂକୀର୍ଣ୍ଣ ଗଳିର ନର୍ଦ୍ଦମା କଡ଼ରେ ନିତ୍ୟ ନୈମିତିକ ବସି ରହନ୍ତି ଓ ରାତିଯାକର ହାନିଲାଭ, ଶୋକ ଦୁଃଖର ହିସାବ ନିକାଶ କରନ୍ତି ।

 

ସୀତାକାନ୍ତ ତା ପାଇଖାନାରୁ ଶୁଣେ କେତେ ତରୁଣୀ ସ୍ତ୍ରୀ ଲୋକଙ୍କର ବିଗତ ରାତିରେ ଅଭିଜ୍ଞତା । ସ୍ୱାମୀ ସୋହାଗର ଛୋଟ ଛୋଟ ଟିପ୍‌ଣୀମାନ. କେତେ ଧୋବଧାଉଳିଆ ଭଦ୍ର ମଣିଷଙ୍କର ତାଙ୍କ ପ୍ରତି ମମତା ଟିକକ ତାଙ୍କ ସ୍ୱମୀଙ୍କ ଅନୁପସ୍ଥିତିରେ ଓ ଅନେକ ରୋଗ ଓ ଦାୟିତ୍ୱର କାହାଣୀ । ସେମାନେ ଏ ସବୁଥିରେ ଅଭ୍ୟସ୍ତ । ତେଣୁ ପ୍ରତିବେଶିଙ୍କ ନିକଟରେ ମନଖୋଲି କହିବାକୁ, ସଂକୋଚର ବା ଅବକାଶ କାହିଁ ?

 

ତାର ଠିକ୍‌ ମନେପଡ଼ୁ ନାହିଁ କୌଣସି ଏକ ସନ୍ଧ୍ୟାରେ ତା ସ୍ୱର ପରିବର୍ତ୍ତନର ସ୍ମୃତି ଓ ବାପାଙ୍କ ତିରସ୍କାର । ତା’ର କିନ୍ତୁ ମନେପଡ଼େ ବୟସର ପରିବର୍ତ୍ତନ ଓ ତା ମୁହଁରେ ଅପର୍ଯ୍ୟାପ୍ତ ବ୍ରଣ-

 

ସେ ନାରୀପାଇଁ–ନାରୀ ଦେହର ଗନ୍ଧପାଇଁ କେତେ ନିର୍ଜନ ସମୟ ନଷ୍ଟ ନ କରିଛି ? କେତେବାର ସାମାଜିକ ଚଳଣିରେ ଅଭ୍ୟସ୍ତ ମଣିଷଗୁଡ଼ାକଙ୍କ ସାମ୍ନାରେ ଲଜ୍ଜିତ ନ ହୋଇଛି ?

 

ଅନେକ ସ୍କୃତି ଆଜି ମନକୁ ଆପେ ଆପେ ଆସୁଛନ୍ତି । ତାର କୃତିତ୍ୱର ପ୍ରଥମ ଦିନଟି ବାପାଙ୍କ ମନରେ କେତେ ଭରସା ସଞ୍ଚୟ କରିଛି । ସୀତାକାନ୍ତର ମନେପଡ଼ୁଛି କେତେ ତରୁଣୀଙ୍କର ଅନୁରୋଧ ସେ ଏଡ଼ାଇ ଦେଇଛି କେବଳ ସେହି ଗୋଟିଏ ସ୍ୱପ୍ନପାଇଁ । କୃତିତ୍ୱର ସେଇ ତୀଖା ପିଚ୍ଛିଳ ଶିଖର ଦେଶରେ ପହଞ୍ଚିବାର ଅଭିଳାଷ ଧରି ।

 

ବିଶ୍ୱବିଦ୍ୟାଳୟର ପ୍ରଥମ ଛାତ୍ର, ସମୟର ଶିକାର ହୋଇଯାଇଛି ଓ ଉପରକୁ ମୁହଁ ଟେକିବାକୁ ସାହସ କରିପାରି ନାହିଁ । ତା ସାମ୍ନାରେ କେବଳ ରାଶି ନିଃସଙ୍ଗ ମୁହୂର୍ତ୍ତଗୁଡ଼ାକ ଆସି ଛିଡ଼ା ହୋଇଛନ୍ତି ଓ କେତେ ଫୁଲ ଭାସି ଯାଇଛନ୍ତି ତା ନିଶ୍ୱାସରେ ଗହୀଡ଼ା ନଦୀରେ । କେତେ କ୍ଲାନ୍ତି ଜମିରହିଛି ତା ଛ’ବର୍ଷର ଜୀବନ ପଥରେ ଓ କେତେ ବନ୍ଧ କେତେ କଥା କହିଯାଇଛନ୍ତି ତା ନିଭୃତ ସାଧନାର ପଥରେ !

 

ମଣିଷଟାଏ ହେବାର ଏତେ କ୍ଲାନ୍ତି ! ଏତେ ସମୟର ଅପଚୟ । କେତେ ସୁଯୋଗ, ସାଧନା ଓ ବ୍ୟବଧାନର ପରିଣତି ?

 

ସେ ବାହାର ଦୁନିଆଁ କାହିଁ କେତେ ହଜାର ବର୍ଷପରେ ପୁଣି ଯେପରି ଫେରିଆସିଛି ଆଜି !

 

୩୫ବର୍ଷର ଦର୍ଶନ ଅଧ୍ୟାପକ ସୀତାକାନ୍ତ ଏଇପରି ଏକ ନିଃସଙ୍ଗ ପରିବେଶରେ, ଏକ ନିର୍ଜନ ଅରଣ୍ୟର ଅନ୍ଧକାର ଓ ଶୀତଳ ଛାୟାରେ ତାର ଅତୀତର କ୍ଷୀଣ ସତ୍ୟଗୁଡ଼ିକୁ ମୁହୂର୍ତ୍ତକପାଇଁ ମନେପକାଉଛି । ଯାହାପାଇଁ ଦିନେ ସେ ଦର୍ଶନର ଅଶ୍ୱତ୍‌ଥ ଛାଇରେ ନିମଗ୍ନ ରହି ନିଜକୁ ରକ୍ତାକ୍ତ କରିଛି ଓ ଆରଣ୍ୟକ ମନକୁ ତାର ବାପାଙ୍କ ଜିଦ୍‌ ଭିତରେ ପୋଡ଼ି ପାଉଁଶ କରିଦେଇଛି ।

 

ନିର୍ବାଣ ନ ହେଲେ ଜୀବନ ବୋଧିସତ୍ୱର ଚମତ୍କାରିତା ଭିତରେ ସେ ସ୍ୱର ମିଳାଇଛି କେବଳ ଜିତିଯିବାପାଇଁ । ପରର ଗୌରବରେ ସ୍ୱପ୍ନ ହେବାପାଇଁ ।

 

ଆଜି ତା ସାମ୍ନାରେ ନାଚି ଉଠୁଛନ୍ତି ଗୋଟିଏ ପରେ ଅନ୍ୟ ଏକ ଦୃଶ୍ୟ । ପଲେ ପାତିମାଙ୍କଡ଼ । ଗୋଟାଏ ନିରିହ ମଣିଷ ଯେ ଗୋଟାଏ କୋଣରେ ଗାଲରେ ହାତଥୋଇ ଏକ ଶୂନ୍ୟ ସିଡ଼ିକୁ ଅନାଇ ବସିଛି ।

 

ପର ମୁହୂର୍ତ୍ତରେ ଗୋଟାଏ ହିଂସ୍ର ବ୍ୟାଘ୍ର ପାହାଡ଼ ଶିଖରରୁ କୁଦାମାରି ନିର୍ଜନ ପରିବେଶକୁ ପ୍ରକମ୍ପିତ କରିଦେଇ କ’ଣ ଗୋଟାଏ ବାସ୍ନା ଶୁଘିଂ ଦମ୍ ନେଉଛି ।

 

ଶିଥିଳ ଲାଞ୍ଜପିଟା ଭିତରେ ତାର ଆଖି ଦୁଇଟା ବୁଜିହୋଇ ଆସୁଛି ।

Image